ଭୁବନେଶ୍ୱର,୨୨/୧୦: ଜଣେ ଟେଲି ଅଭିନେତ୍ରୀଙ୍କୁ ଦୁର୍ବ୍ୟବହାର କରିବା ସହ ହତ୍ୟା ଧମକ ଦେବା ଅଭିଯୋଗରେ ଏୟାରଫିଲ୍ଡ ଥାନା ପୁଲିସ ଏକ ଜିମ୍‌ ମାଲିକଙ୍କୁ ଗିରଫ କରିଛି । ତାଙ୍କ ନାମ ତୀର୍ଥଙ୍କର ପରିଡ଼ା(୩୯) । ଘର  ଭିମଟାଙ୍ଗୀ ହାଉସିଂବୋର୍ଡ କଲୋନୀ । 

ପୁଲିସ ସୂଚନା ଅନୁଯାୟୀ, ତୀର୍ଥଙ୍କର  ଭୀମଟାଙ୍ଗୀ ସାଇ କଂପ୍ଲେକ୍ସରେ ଏକ ଜିମ୍‌  କରିଛନ୍ତି । ତାଙ୍କ ପାଖରେ ଭକ୍ତରଞ୍ଜନ  ନାମକ ଜଣେ ଯୁବକ ଟ୍ରେନର ଭାବେ କାମ କରୁଥିଲେ । ଉକ୍ତ  ଜିମ୍‌କୁ ଅଭିନେତ୍ରୀ ଜଣଙ୍କ ଯାଆନ୍ତି । ଯିବାଆସିବା ଭିତରେ  ଟ୍ରେନର ଭକ୍ତରଞ୍ଜନଙ୍କ ସହ ଅଭିନେତ୍ରୀଙ୍କର ପ୍ରେମ ସଂପର୍କ  ଗଢ଼ି ଉଠିଥିଲା । ହେଲେ ପରବର୍ତ୍ତୀ ସମୟରେ ଭକ୍ତରଞ୍ଜନ  ବିବାହିତ ବୋଲି ଅଭିନେତ୍ରୀ ଜାଣିବା ପରେ ତାଙ୍କଠାରୁ  ଦୂରେଇ ଯାଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଭକ୍ତରଞ୍ଜନ  ଅଭିନେତ୍ରୀଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ  ଦେଇଥିଲେ। ଏନେଇ ଅଭିନେତ୍ରୀ ଜଣଙ୍କ  ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ । 

ଗତକାଲି ଅଭିନେତ୍ରୀ ଜଣଙ୍କ ଯାଉଥିବା ବେଳେ  ବାଟରେ ତାଙ୍କୁ ତୀର୍ଥଙ୍କର କିଛି ସହଯୋଗୀଙ୍କ  ସହ ଅଟକାଇ ଦୁର୍ବ୍ୟବହାର କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏନେଇ ଅଭିନେତ୍ରୀ ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁକରି ଆଜି ତୀର୍ଥଙ୍କରଙ୍କୁ ଗିରଫ  କରି କୋର୍ଟ ଚାଲାଣ କରିଛି ।