ନୂଆଦିଲ୍ଲୀ,୧୨/୧୦: ଆଜକୁ ଠିକ୍ ୨୭ ବର୍ଷ ପୂର୍ବେ ଉତ୍ତରପ୍ରଦେଶର ଆଲିଗଡ଼ରେ ଜନ୍ମ ହୋଇଥିବା ଯୁବ କ୍ରିକେଟର ରିଙ୍କୁ ସିଂ ଆଜି କ୍ରିକେଟ ଦୁନିଆର ଏକ ଅନ୍ୟତମ ପରିଚୟ। ପ୍ରଥମେ ଭାରତୀୟ ପ୍ରିମିୟର ଲିଗ୍ ଅର୍ଥାତ୍ ଆଇପିଏଲ୍ରେ ନିଜର ଧ୍ବସ୍ତବିଧ୍ବସ୍ତ ପ୍ରଦର୍ଶନ ଜରିଆରେ ସମସ୍ତଙ୍କୁ ଚକ୍ମା ଦେଇଥିବା ରିଙ୍କୁଙ୍କ ପାଇଁ ଖୋଲିଥିଲା ଅନ୍ୟମ୍ୟାଚ୍ର ବାଟ। ଆଜିକୁ ରିଙ୍କୁ ଠିକ୍ ୨୭ ବର୍ଷ ତଳେ ଅର୍ଥାତ୍ ୧୨ ଅକ୍ଟୋବର ୧୯୯୭ରେ ଆଲିଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ। ବାପାଙ୍କ ବାରଣ ଓ ମାଆଙ୍କ ମନା କରିବା ସତ୍ତ୍ବେ କ୍ରିକେଟ ପ୍ରତି ଥିବା ତାଙ୍କ ରୁଚି ତାଙ୍କୁ ଟାଣି ଆଣିଥିଲା ଏ ଦୁନିଆକୁ। ମାତ୍ର କିଛିଟା ମ୍ୟାଚ୍ରେ ସେ ନିଜଆଡ଼କୁ ଟାଣି ଆଣିଥିଲେ ଦର୍ଶକଙ୍କ ମନକୁ।
ଆଇପିଏଲ୍ ୨୦୨୩। କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଖେଳି, ଲଗାତର ପାଞ୍ଚୋଟି ଛକା ମାରି ହେଡ୍ଲାଇନ୍ସକୁ ଆସିଥିଲେ, ସେତେବେଳେ ଦଳକୁ ଅହମ୍ମମଦାବାଦରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଶେଷ ୫ଟି ବଲ୍ରେ ୨୮ ରନ୍ର ଆବଶ୍ୟକତା ଥିଲା। ଏହାରି ଭିତରେ ଗୁଜରାଟ ପକ୍ଷରୁ ୟସ ଦୟାଲ ବୋଲିଂ କରୁଥିବା ବେଳେ ସାମ୍ନାରେ ଥିଲେ ଯୁବ ଖେଳାଳି ରିଙ୍କୁ ସିଂ। ୫ଟି ବଲ୍ ୫ଟି ଛକା। ହାରିବାକୁ ଥିବା ମ୍ୟାଚ୍କୁ ଜିତାଇ ଇତିହାସ ରଚିଦେଲେ ରିଙ୍କୁ ସିଂ। ଏହି ପ୍ରଦର୍ଶନକୁ ନଜରରେ ରଖି ରିଙ୍କୁଙ୍କୁ ୨୦୨୩ରେ ଆର୍ୟଲାଣ୍ଡ ବିପକ୍ଷ ଟି୨୦ ଆନ୍ତର୍ଜାତୀୟ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଥିଲା। ଭାରତ ପକ୍ଷରୁ ରିଙ୍କୁ ଖେଳି ବର୍ତ୍ତମାନ ସୁଦ୍ଧା ତାଙ୍କ କ୍ୟାରିୟରରେ ୨୫ଟି ଟି୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ରେ ୧୭୫.୦୯ ଷ୍ଟ୍ରାଇକ ରେଟ୍ରେ ୪୭୧ ରନ୍ କରିଛନ୍ତି।
ରିଙ୍କୁ ୨୦୧୮ରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଆଇପିଏଲ୍ ଡେବ୍ୟୁ କରିଥିଲେ। ତାଙ୍କୂ ପ୍ରଥମେ କିଛି ସର୍ତ୍ତଯୋଗୁ ଅଧିକ ସୁଯୋଗ ମିଳିନଥିଲା, କିନ୍ତୁ ତଥାପି ସେ ଆଇପିଏଲ୍ ୨୦୨୨ରେ ଲକ୍ଷୌ ସୁପର ଜିଆଣ୍ଟ୍ସ ବିପକ୍ଷରେ ୧୫ ବଲ୍ରେ ୪୦ ରନ୍ କରି ଏକ ପ୍ରଭାବୀ ପାଳି ଖେଳିଥିଲେ। ଏହି ବାମହାତି ବ୍ୟାଟର ତାଙ୍କର ପ୍ରଥମ ଟି୨୦ ମ୍ୟାଚ୍ରେ ବ୍ୟାଟିଂ କରିବାର ସୁଯାଗ ପାଇନଥିଲେ। କିନ୍ତୁ ଦ୍ବିତୀୟ ମ୍ୟାଚ୍ରେ ୨୧ ବଲ୍ରେ ୩୮ ରନ୍ କରି ସେ ପ୍ଳେୟର ଅଫ୍ ଦ ମ୍ୟାଚ୍ ହୋଇଥିଲେ। ସେ ୨୦୨୩ରେ ମଧ୍ୟ ଦିନିକିଆ ଡେବ୍ୟୁ କରିଥିଲେ। କିନ୍ତୁ ଏହି ବାମହାତି ବ୍ୟାଟର ବର୍ତ୍ତମାନ ସୁଦ୍ଧା ଭାରତୀୟ କ୍ରିକେଟ ଟିମ୍ ପାଇଁ କେବଳ ଦୁଇଟି ଦିନିକିଆ ଖେଳିଛନ୍ତି।