ନୂଆଦିଲ୍ଲୀ,୦୪/୧୨: ସୁନ୍ଦର ଦିଶିବାକୁ କିଏ ବା ନ ଚାହେଁ । ଏଥିପାଇଁ କିଏ ବିଭିନ୍ନ ପ୍ରକାଶ କସମେଟିକ୍ ବ୍ୟବହାର କରିଥାଏ ତ ଆଉ କିଏ ପ୍ଲାଷ୍ଟିକ ସର୍ଜରୀ । ହେଲେ ଆପଣ କେବେ ଶୁଣିଛନ୍ତି କି କିଏ ନିଜେ ସବୁଠୁ ସୁନ୍ଦର ଦିଶିବାକୁ ନିଜ ଭାଣେଜି ଓ ପୁଅକୁ ହତ୍ୟା କରିବା କଥା। ଏଭଳି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ହରିୟାଣାର ପାନିପତ ଜିଲ୍ଲା ନୌଲ୍ଥା ଗ୍ରାମରୁ । ନିଜେ ସବୁଠୁ ସୁନ୍ଦରୀ ଦେଖାଯିବା ପାଇଁ ଇର୍ଷାରେ ନିରୀହ ଶିଶୁଙ୍କୁ ହତ୍ୟା କରିଛନ୍ତି ମହିଳା।

ସୂଚନା ମୁତାବକ, ଏକ ବିବାହ ଉତ୍ସବ ହଠାତ୍ ଫିକା ପଡ଼ିଯାଇଥିଲା ଯେତେବେଳେ ଏକ ୬ ବର୍ଷର ଶିଶୁ କନ୍ୟାର ମୃତଦେହ ବାଥ୍ ଟବ୍ରୁ ମିଳିଥିଲା । ଏହା କୌଣସି ସାଧାରଣ ମୃତ୍ୟୁ ଘଟଣା ନ ଥିଲା । ବରଂ ଶିଶୁଟିର ମାଈଁ ହିଁ ତାଙ୍କୁ ହତ୍ୟା କରିଥିଲେ । ଏହାର କାରଣ ମଧ୍ୟ ବେଶ୍ ଚକିତ କଲା ଭଳି । ଶିଶୁଟି ସୁନ୍ଦର ପୋଷାକ ପିନ୍ଧି ସଜବାଜ ହୋଇଥିବା ଦେଖି ତାହାକୁ ସହି ପାରି ନ ଥିଲେ ଅଭିଯୁକ୍ତ ପୁନମ । ନିଜେ ସବୁଠୁ ସୁନ୍ଦରୀ ଦେଖାଯିବା ପାଇଁ ସେ ଇର୍ଷାରେ ଏହି ନିରୀହ ଶିଶୁଟିକୁ ହତ୍ୟା କରିଥିଲେ । ହେଲେ ଏହା ପୁନମଙ୍କ ପ୍ରଥମ ନାରକୀୟ କାଣ୍ଡ ନ ଥିଲା । ଏହା ପୂର୍ବରୁ ସେ ଆହୁରି ୩ ଶିଶୁଙ୍କ ଜୀବନ ନେଇସାରିଛନ୍ତି । ସେହି ଶିଶୁଙ୍କ ଭିତରେ ତାଙ୍କ ନିଜ ପୁଅ ମଧ୍ୟ ରହିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ପୂରା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ପାନିପତ ପୁଲିସ ବୁଧବାର ପୁନମଙ୍କୁ ଗିରଫ କରିଛି ।

ସୋନିପତରେ ରହୁଥିବା ଶିଶୁ କନ୍ୟା ବିଧି ପରିବାର ସହ ଜଣେ ସମ୍ପର୍କୀୟଙ୍କ ବିବାହରେ ଯୋଗ ଦେବାକୁ ଆସିଥିଲେ । ନାଥୁଲାରେ ବିବାହ ପ୍ରୋସେସନ ଚାଲିଥିବାବେଳେ ବିଧିଙ୍କ ବାପା ସନ୍ଦୀପଙ୍କୁ ଘର ଲୋକେ ଫୋନ କରି କହିଥିଲେ ଯେ ବିଧିଙ୍କର ପତ୍ତା ମିଳୁନି । ଖୋଜାଖୋଜି କରିବା ପରେ ବିଧି ଏକ କୋଠରିରେ ଥିବା ବାଥ୍ ଟବ୍ରେ ମୁହଁ ମାଡ଼ି ପଡ଼ିଥିବା ତାଙ୍କ ଜେଜେ ମା’ ଦେଖିବାକୁ ପାଇଥିଲେ । ବିଧିଙ୍କୁ ହସ୍ପିଟାଲରେ ନିଆଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ପରିବାର ତରଫରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଥାନାରେ ଅଭିଯୋଗ ହୋଇଥିଲା । ପୁଲିସର ସନ୍ଦେହ ପୁନମଙ୍କ ଉପରକୁ ଯାଇଥିଲା । ପଚରାଉଚରା ପରେ ସେ ଅପରାଧ ସ୍ୱୀକାର କରିଥିଲେ । ସୁନ୍ଦର ଦେଖାଯାଉଥିବା ପିଲାଙ୍କୁ ସେ ଟାର୍ଗେଟ କରୁଥିଲେ । କେହି ତାଙ୍କଠାରୁ ଅଧିକ ସୁନ୍ଦର ଦେଖାଯାଆନ୍ତୁ ବୋଲି ସେ ଚାହୁଁ ନ ଥିଲେ ।

୨୦୨୩ରେ ସେ ତାଙ୍କ ଝିଆରୀଙ୍କୁ ହତ୍ୟା କରିଥିଲେ । ସେହିବର୍ଷ ସେ ନିଜ ପୁଅକୁ ମଧ୍ୟ ହତ୍ୟା କରିଥିଲେ । ଗତ ବର୍ଷ ପୁନମ ସମାନ କାରଣରୁ ସିୱାହ ଗ୍ରାମର ଜଣେ ଝିଅଙ୍କୁ ହତ୍ୟା କରିଥିଲେ । ଏ ସବୁ ହତ୍ୟାକାଣ୍ଡକୁ ଦୁର୍ଘଟଣା ଭଳି ଦେଖାଇବା ଲାଗି ସେ ସମସ୍ତଙ୍କୁ ସମାନ ଢଙ୍ଗରେ ପାଣିରେ ବୁଡ଼ାଇ ମାରିଥିଲେ । ତେଣୁ ତାଙ୍କର ଏହି କାଣ୍ଡ ବାବଦରେ କେହି ଜାଣିପାରି ନ ଥିଲେ । ବିଧି ହତ୍ୟାକାଣ୍ଡ ପରେ ଏହା ଉପରୁ ପରଦା ଉଠିଛି ।