ଜୟପୁର,୦୧/ ୦୪: ଜିଲ୍ଲା ହସ୍ପିଟାଲ୍‌ରେ ଘଟିଛି ଏକ ବିରଳ ଘଟଣା। ୧୦ ମିନିଟ୍‌ ବନ୍ଦ ହେବା ପରେ ହୃତ୍‌ପିଣ୍ଡ ପୁଣି କାମ କରିଛି । ଡାକ୍ତର ଏବଂ କର୍ମଚାରୀଙ୍କ ଟିମ୍‌ ୱାର୍କରୁ ମିଳିଛି ସଫଳତା। ଜଣେ ପ୍ରସୂତି ପାଇଛନ୍ତି ନୂଆ ଜୀବନ । ନବଜାତକ ସୁସ୍ଥ ଥିବା ବେଳେ ପ୍ରସୂତିଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜ ଏବଂ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଖବର ଲେଖାହେବା ଅର୍ଥାତ ରାତି ୭ଟା ପର୍ଯ୍ୟନ୍ତ ତାଙ୍କୁ ଆଇସିୟୁରେ ରଖାଯାଇଛି। ସହରର ଜଣେ ମହିଳାଙ୍କର ଗର୍ଭଯନ୍ତ୍ରଣା ଆରମ୍ଭ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। 

ଗର୍ଭବତୀଙ୍କ ଶରୀରରୁ ତରଳ ପଦାର୍ଥ କମିଯାଇଥିବା ବିଭିନ୍ନ ପରୀକ୍ଷା ପରେ ଜଣାପଡ଼ିଥିଲା ଅସ୍ତ୍ରୋପଚାର ନକଲେ ମହିଳା ଏବଂ ଗର୍ଭସ୍ଥ ଶିଶୁଙ୍କ ଅବସ୍ଥା ଗମ୍ଭୀର ହୋଇଯିବ । ପୂର୍ବାହ୍ଣରେ ମହିଳାଙ୍କୁ ଅପରେସନ୍‌ ଥିଏଟରକୁ ନିଆଯାଇଥିଲା । ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ ପରେ ସାଢ଼େ ୧୦ଟାରେ ଆରମ୍ଭ ହୋଇଥିଲା ଅସ୍ତ୍ରୋପଚାର । ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସସ୍ମିତା ଦାସ, ନିଶ୍ଚେତକ ବିଶେଷଜ୍ଞ ଡାକ୍ତର ଆଶିଷ ପାଣିଗ୍ରାହୀ, ଡାକ୍ତର ସୋନାଲି ସାବତ ଏବଂ ଅନ୍ୟ କର୍ମଚାରୀମାନେ ଅସ୍ତ୍ରୋପଚାରରେ ଲାଗିଥିଲେ । ସଫଳତାର ସହ ଜନ୍ମ ନେଇଥିଲା ଶିଶୁ । ୫ ମିନିଟ୍‌ ପରେ ଓଟି ଟେବୁଲ୍‌ରେ ଅସୁସ୍ଥ ହୋଇପଡ଼ିଥିଲେ ମହିଳା । କୌଣସି ପାର୍ଶ୍ବ ପ୍ରତିକ୍ରିୟା ଆଶଙ୍କାରେ ଡାକ୍ତରମାନେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଥିଲେ । ହଠାତ୍‌ ହୃତ୍‌ପିଣ୍ଡ କାମ କରିବା ବନ୍ଦ ହୋଇଯାଇଥିଲା । ସମସ୍ତଙ୍କ ଚିନ୍ତା ବଢ଼ିବା ପରେ ଆରମ୍ଭ ହୋଇଥିଲା ଜୀବନରକ୍ଷା ଅଭିଯାନ। ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ନେପାକଙ୍କୁ ଡକାଯାଇଥିଲା । ସିଆର୍‌ଟି(କାଡି ର୍ଆକ୍‌ ରିସିଙ୍କ୍ରୋନାଇଜେନସ୍‌ ଥେରାପି) ଚିକିତ୍ସା ପଦ୍ଧତି ଅବଲମ୍ବନ କରାଯାଇଥିଲା । 

ଡାକ୍ତର ଆଶିଷ ଭେଣ୍ଟିଲେଟ୍‌ କରିଥିବା ବେଳେ ଡାକ୍ତର ନେପାକ କାଡି ର୍ଆକ୍‌ ମ୍ୟାସେଜ୍‌ ଉପରେ ଗୁରୁତ୍ୱ ଦେଇଥିଲେ । ଡାକ୍ତର ସୋନାଲି ଏବଂ ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ । ଜନ୍ମିତ ଶିଶୁକୁ ସୁରକ୍ଷିତ ରଖାଯାଇଥିଲା । ଲଗାତାର ଉଦ୍ୟମ ଯୋଗୁ ପ୍ରାୟ ୧୦ ମିନିଟ୍‌ ପରେ ହୃତ୍‌ପିଣ୍ଡ ପୁଣି ଚାଲିବା ଆରମ୍ଭ କରିଥିଲା । ଏହାରି ଭିତରେ କୋରାପୁଟ ମେଡିକାଲ କଲେଜ ସହ ଯୋଗାଯୋଗ କରାଯାଇ ଏକ ଆଇସିୟୁ କୋଠରି ସଂରକ୍ଷିତ କରାଯାଇଥିଲା । ଅକ୍ସିଜେନ୍‌ ମାସ୍କ୍‌ ଲଗାଇ ଭେଣ୍ଟିଲେଟ୍‌ କରି ଡାକ୍ତର ଆଶିଷ ପ୍ରସୂତିଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସକୁ ଆଣିଥିଲେ । କୋରାପୁଟ ବଡ଼ ମେଡିକାଲ୍‌ରେ ଚିକିତ୍ସା ପରେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଥିଲା ।