ନୂଆଦିଲ୍ଲୀ,୨୧/୧୧; ପ୍ରକୃତିର କରାଳ ରୂପରେ ଛାରଖାର ଭିଏତନାମ । ଲଗାଣବର୍ଷା ପରେ ବନ୍ୟା ପରିସ୍ଥିତି ଉପୁଜିଛି । ଚାରିଆଡେ ଖାଲି ପାଣି ଆଉ ପାଣି । ରାସ୍ତାଘାଟରେ ଅଣ୍ଟାଏ ପାଣି । ଘର ବୁଡିଛି, ଗାଡ଼ି ଭାସୁଛି । ପୂରା ସହରରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଭଏତନାମରେ ବନ୍ୟା ପାଇଁ ୪ ଜଣଙ୍କର ମୃତ୍ୟୁ ହୋଇଛି । ୯ ଜଣ ନିଖୋଜ ଅଛନ୍ତି ।
ଭିଏତନାମର କେନ୍ଦ୍ରୀୟ ଉପକୂଳ ଅଞ୍ଚଳରେ ଗତ ତିନି ଦିନ ଭିତରେ ବର୍ଷାର ମାତ୍ରା ବଢିଛି । ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟାରେ ବୁଡ଼ିଛି ଭିଏତନାମ । ପ୍ରାୟ ୫୦ ହଜାର ଘର ପାଣି ଘେରରେ ରହିଛି । ପରିବେଶ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ- ୬ଟି ପ୍ରଦେଶରେ ମୃତ୍ୟୁ ସଂଖ୍ୟା ରେକର୍ଡ କରାଯାଇଛି। ନିଖୋଜ ହୋଇଥିବା ୯ ଜଣଙ୍କ ସନ୍ଧାନ ଜାରି ରହିଛି । ବର୍ଷା ପରେ ଖାଲି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ । ଭୂସ୍ଖଳନର ବି ଖବର ମିଳିଛି । ପ୍ରାୟ ୧୦ ଲକ୍ଷ ପରିବାର ପାଇଁ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଛି । ଅନେକ ଲୋକ ଜଳବନ୍ଦୀ ଥିବାରୁ ଛାତ ଉପରେ ଫସି ରହିଛନ୍ତି ।
ଲଗାଣ ବର୍ଷା ପାଇଁ ଅନେକ ଅଞ୍ଚଳରେ ଭୂସ୍ଖଳନ ହୋଇଛି । ଫଳରେ ସବୁ ରାସ୍ତା ବନ୍ଦ ହୋଇଛି । ୬୨, ୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଭିଏତନାମା ଏକ କୃଷି ଭିତ୍ତିକ ଅଞ୍ଚଳ । ଏଠାକାର ଅଧିକ ଲୋକ କଫି ଚାଷ କରି ନିଜର ଗୁଜୁରାଣ ମେଣ୍ଟାଇଥାଆନ୍ତି । ପ୍ରବଳ ବର୍ଷା ସହ ବନ୍ୟା ଏବଂ ଭୂସଂଖଳନ ଏଠାକାର କଫି ଫସଲ ନଷ୍ଟ ହୋଇଛି । ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଜରୁରୀକାଳୀନ ଆଶ୍ରୟସ୍ଥଳ ସ୍ଥାପନ କରିବା ପାଇଁ ସାମରିକ ବାହିନୀ ଏବଂ ପୁଲିସ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି। ବନ୍ୟାବିପ୍ନଙ୍କୁ ସହାୟତା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।