ପ୍ରମୂଖ ଖବର
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ମହାପ୍ରଭୁଙ୍କ ହେରାପଞ୍ଚମୀ ନୀତି; ନନ୍ଦିଘୋଷ ଭାଙ୍ଗିବେ ଅଭିମାନିନୀ ମହାଲକ୍ଷ୍ମୀ; ଜାଣନ୍ତୁ ଠାକୁରଙ୍କ ମାନବୀୟଲୀଳାର ବିଶେଷତ୍ୱ

Published By : Manash Sahoo | July 1, 2025 12:19 PM

ପୁରୀ, ୦୧/୦୭: ଆଜି ପବିତ୍ର ହେରାପଞ୍ଚମୀ । ଶ୍ରୀଗୁଣ୍ଡିଚା ଯାତ୍ରାର ପଞ୍ଚମ ଦିବସ ଆର୍ଥାତ୍ ଷଷ୍ଠୀ ତିଥିରେ ପଡ଼ିଥାଏ ହେରାପଞ୍ଚମୀ । ବଡ଼ଦେଉଳର ଅଭିମାନିନୀ ମାଲିକାଣି ମହାଲକ୍ଷ୍ମ ଏବଂ ମହାପ୍ରଭୁଙ୍କ ଆଜି ମନବୀୟଲୀଳା । ଶ୍ରୀଜିଉ ଶ୍ରୀଗୁଣ୍ଡିଚା ଯାତ୍ରାରେ ଆସିବା ପରେ ଶ୍ରୀକ୍ଷେତ୍ରର ‘ଶ୍ରୀ’ ଆଜି ରୋଷ କରିଛନ୍ତି । ଶ୍ରୀମନ୍ଦିରରେ ଏକୁଟିଆ ପତ୍ନୀଙ୍କୁ ଛାଡ଼ି ଭାଇଭଉଣୀକୁ ଘେନି କାଳିଆ ଠାକୁର ଗୁଣ୍ଡିଚାଘରକୁ ଚାଲି ଆସିଛନ୍ତି । ଦୀର୍ଘଦିନ ଧରି ମହାପ୍ରଭୁଙ୍କ ସହ ମହାଲକ୍ଷ୍ମୀଙ୍କ ସାକ୍ଷାତ ହୋଇନାହିଁ । ମହାଲକ୍ଷ୍ମୀ ବ୍ୟସ୍ତ ବିବ୍ରତ ହୋଇପଡିଛନ୍ତି । ଆଜି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ । ସେପଟେ ମହାଲକ୍ଷ୍ମୀଙ୍କ ଆଗମନ ଖବର ପହଞ୍ଚିବା ପରେ ମହାପ୍ରଭୁ ଗତକାଲି ବନକଲାଗି ହୋଇଛନ୍ତି ।

ରଥଯାତ୍ରା ଅବସରରେ ‘ହେରାପଞ୍ଚମୀ’ ଉତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଯାହା ଭାଗବତରେ କୁହାଯାଇଛି- “ତତୋ ଗୁଣ୍ଡିଚାନନ୍ତରଂ ପଞ୍ଚମ ଦିବସେ ହେରାପଞ୍ଚମୀ ଭବତି” । ବାମଦେବ ସଂହତିର ବର୍ଣ୍ଣନାନୁଯାୟୀ ସ୍ୱୟଂ ବାମଦେବ ଶ୍ରୀ ଜଗନ୍ନାଥଙ୍କ ଲୀଳା ବର୍ଣ୍ଣନା କ୍ରମରେ ଦେବୀ ପାର୍ବତୀଙ୍କୁ କହିଥିଲେ, “ଦ୍ୱିତୀୟା ପଞ୍ଚମ ଦିନେ ତୟାଯାତ୍ରାକୃତା ପ୍ରିୟେ ଧବଂସା ବୀକ୍ଷିତୁଂ ତତ୍ର ଗୁପ୍ତଯାତ୍ରା କୃତାତୟା” । “ହରଂ ଚ ମନସା କୃତ୍ୱା ହେରେତି ନାମ ଯୋଗତଃ ରାଜେ୍ଞ କୃଦ୍ଧବତୀ ଚାପି ସାୟଂ ପୂଜା ସମାପନେ” । ଅର୍ଥାତ ବାମଦେବ କହୁଛନ୍ତି, ହେ ପ୍ରିୟେ! ଏହା ପରେ ମହାଲକ୍ଷ୍ମୀ ଆଷାଢ ଦ୍ୱିତୀୟା ତିଥୀ ଘୋଷଯାତ୍ରାର ପଞ୍ଚମ ଦିନରେ ସ୍ୱାମୀ ପ୍ରଭୁ ଜଗନ୍ନାଥଙ୍କୁ ଦେଖିବାକୁ ଗୋପନରେ ଯାତ୍ରା କରିଥିଲେ । ହରଙ୍କୁ ମନରେ ଧ୍ୟାନ କରି ଯାତ୍ରା କରିଥିବାରୁ ମହାଲକ୍ଷ୍ମୀଙ୍କର ଏହି ଯାତ୍ରା ହେରାପଞ୍ଚମୀ ନାମରେ ପ୍ରସିଦ୍ଧ । ଏହି ଯାତ୍ରା ଜଗନ୍ନାଥ ସଂସ୍କୃତିର ଏକ ମହତ୍ୱପୂର୍ଣ୍ଣ ବିଭବ ଅଟେ । ପ୍ରତ୍ୟେକ ଯୁଗରେ ଯେତେବେଳେ ଭଗବାନ ବିଷ୍ଣୁ ଧରାବତରଣ କରିଛନ୍ତି ସେତେବେଳେ ତାଙ୍କ ଅନୁରୋଧ ରକ୍ଷାକରି ମହାଲକ୍ଷ୍ମୀ ସର୍ବଦା ମର୍ତ୍ତ୍ୟାବରଣ କରିଥାନ୍ତି ।

ପରମ୍ପରା ଅନୁଯାୟୀ ପ୍ରଭୁ ଶ୍ରୀଜଗନ୍ନାଥ କୃଷ୍ଣ ଭାବରେ ଜ୍ୟେଷ୍ଠ ଶୁକ୍ଲ ଏକାଦଶୀ ଦିନ ଲକ୍ଷ୍ମୀ ସ୍ୱରୁପା ରୁକ୍ମଣୀଙ୍କୁ ବିବାହ କରିଥାନ୍ତି । ଶୁକ୍ଲ ଚତୁଦର୍ଶୀ ରାତ୍ରରେ ତାଙ୍କର ଚତୁର୍ଥୀ ହୋମ ହୋଇଥାଏ । କିନ୍ତୁ ମହାପ୍ରଭୁ ଚତୁର୍ଥୀ ସ୍ନାନ କରିବାକୁ ଯାଇ ଗୋପ୍ୟ ହୋଇଯାଇଥାନ୍ତି, ମାତା ଲକ୍ଷ୍ମୀଙ୍କ ସହ ଆଉ ଦେଖା ସାକ୍ଷାତ ହୁଏ ନାହିଁ । ଏପଟେ ମହାପ୍ରଭୁଙ୍କୁ ସ୍ନାନ ପରେ ଜ୍ୱରାଗ୍ରସ୍ତ ହୋଇ ଅଣସର ଘରେ ରହିବାକୁ ପଡ଼ିଥାଏ ଓ ପରେ ନବଯୌବନ ଦର୍ଶନ ଦେଇ ବଡ଼ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଭଦ୍ରାଙ୍କୁ ନେଇ ଲକ୍ଷଲକ୍ଷ ଭକ୍ତ ଗହଣରେ ଗୁଣ୍ଡିଚା ରାଣୀ ଘରକୁ ଘୋଷଯାତ୍ରାରେ ବାହାରି ପଡ଼ନ୍ତି । ଏଥିରେ ମହାଲକ୍ଷ୍ମୀ କ୍ରୋଧିତ ହୋଇ ଏକ ସାଧାରଣ ଲୌକିକ ନାରୀ ରୂପେ ନିଜ ଦୁଃଖ ସମ୍ପର୍କରେ ଶ୍ରୀକ୍ଷେତ୍ର ରାଜେଶ୍ଵରୀ ମା’ ବିମଳାଙ୍କୁ କହିଥାନ୍ତି । ଏହାପରେ ବିମଳା ଦେବୀ ଲକ୍ଷ୍ମୀଙ୍କୁ ସାନ୍ତ୍ୱନା ଦେବାକୁ ଯାଇ କହିଥିଲେ, “ସ୍ୱାମୀ ଯଦି ବିବେକ ଶୂନ୍ୟ ହୋଇ ଅକରଣୀୟକୁ କରଣୀୟ ବୋଲି ମନେ କରନ୍ତି, ତେବେ ତାଙ୍କୁ ଉଚ୍ଚାରିତ କରିବାକୁ ପଡିଥାଏ । ତେଣୁ ତୁମେ ମୋହଚୂର୍ଣ୍ଣ ନେଇ ସ୍ୱାମୀଙ୍କ ନିକଟକୁ ଯିବା ଉଚିତ୍ । ଏହା ପରେ ମା’ ବିମଳାଙ୍କ ପରାମର୍ଶ କ୍ରମେ ମା’ ଭଗବତୀ କଲ୍ୟାଣମୟୀ ରଥ ଯାତ୍ରାର ପଞ୍ଚମ ଦିନ ଆଜିର ପବିତ୍ର ହେରାପଞ୍ଚମୀରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି। କାଳିଆ ସାଆନ୍ତ ଆଜି ମା’ ସାଆନ୍ତାଣୀଙ୍କୁ ଦେଖିବେ। ମା’ ସାଆନ୍ତାଣୀ ଆଜି କାଳିଆ ସାଆନ୍ତଙ୍କୁ ଦେଖିବେ ।

ଶ୍ରୀମନ୍ଦିର ନୀତି ମୁତାବକ, ପ୍ରଥମେ ଶ୍ରୀମନ୍ଦିର ଭଣ୍ଡାର ଘରେ ବିଜେ ହୋଇଥିବା ଲକ୍ଷ୍ମୀଙ୍କୁ ପାଳିଆ ମହାଜନମାନେ ମାଜଣା କରନ୍ତି । ତା’ ପରେ ବନକଲାଗି, ପାଟ ଓ ଅଳଙ୍କାର ଲାଗି ହୁଏ । ପାଳିଆ ମେକାପ, ପ୍ରତିହାରୀ ଓ ମୁଦୁଲି ଦେଇଥିବା ପନ୍ତି ଭୋଗ ପୂଜାପଣ୍ଡା କରନ୍ତି । ଏହାପରେ ମହାଜନମାନେ ଲକ୍ଷ୍ମୀଙ୍କୁ ନେଇ ବଟବୃକ୍ଷ ତଳେ ଥିବା ବିମାନରେ ବିଜେ କରାନ୍ତି । ବିମାନବଡ଼୍ରୁମାନେ ବିମାନ କାନ୍ଧେଇ, ଘଣ୍ଟଘଣ୍ଟା, କାହାଳୀ ବାଜା, ଛତାର ଛତ୍ର ସହ ସିଂହଦ୍ୱାର ଦେଇ ବଡ଼ଦାଣ୍ଡରେ ଗୁଣ୍ଡିଚା ଘର ସାମନାରେ ଶ୍ରୀଜଗନ୍ନାଥଙ୍କ ରଥ ପାଖରେ ଠିଆ ହୁଅନ୍ତି । ଏଠାରେ ପତି ମହାପାତ୍ର ପ୍ରସାଦ ଲାଗି ବନ୍ଦାପନା ଓ ଚାମର ଆଲଟ କରନ୍ତି । ଘଷା ବିଡ଼ିଆ ଓ ଦହିପଟି ମଣୋହି କରନ୍ତି । ଏ ମଧ୍ୟରେ ଗୁଣ୍ଡିଚା ଘରେ ତିନିବାଡ଼ରେ ସର୍ବାଙ୍ଗ ପରେ ବେଶ ହୋଇ ଓ ସଂଧ୍ୟାଧୂପ ଉଠି ପୂଜାପଣ୍ଡା ପୂଜାରେ ବସିଥାନ୍ତି । ଲକ୍ଷ୍ମୀ ରଥ ପାଖରୁ ଜଗମୋହନ ଜୟ ବିଜୟ ଦ୍ୱାରଠାକୁ ଆସିଥାନ୍ତି । ପତି ମହାପାତ୍ର ସିଂହାସନ ଉପରକୁ ଉଠି ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଆଣି ଲକ୍ଷ୍ମୀଙ୍କୁ ଦେଲା ପରେ ପୂଜାପଣ୍ଡା ପୂଜା ବଢ଼ାଇ ଧୂପ ଦୀପ ଦେଇ ଟେରା ପକାନ୍ତି । ଲକ୍ଷ୍ମୀଙ୍କ ବିମାନକୁ ଜଗମୋହନରୁ ନାକଚଣା ଦ୍ୱାର ଦେଇ ତେନ୍ତୁଳିଗଛ ପାଖରେ ରଖାଯାଏ । ସେଠାରେ ଭିତରଚ୍ଛ ମହାପାତ୍ର ଗରାବଡ଼ୁଠାରୁ ହାତୁଆଣି ନେଇ ବନ୍ଦାପନା କରନ୍ତି ଓ ଦହିପଟି ମଣୋହି କରାନ୍ତି । ଏହାପରେ ତାଙ୍କର ବିମାନକୁ ଶ୍ରୀଜଗନ୍ନାଥଙ୍କ ରଥ ପାଖକୁ ନିଆଯାଏ । ପ୍ରେମର ସୂଚକ ଭାବର ସୂଚକ ରୂପରେ ନନ୍ଦିଘୋଷ ରଥର ହଂସ ପଟାରୁ ଗୋଟିଏ ଅଂଶକୁ ସେବକଙ୍କ ଭିତରୁ ଜଣେ ଭାଙ୍ଗି ଦେବା ପରେ ହରଗୌରୀ ସାହି ଦେଇ ବଡ଼ ଦେଉଳକୁ ବିଜେ କରନ୍ତି ।

ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ଶ୍ରୀଜିଉଙ୍କ ଦର୍ଶନ ନିମନ୍ତେ ଗୁପ୍ତରେ ଯାଇ ଏକାନ୍ତରେ ଦର୍ଶନ କରି ମୋହାଞ୍ଜନରେ ପ୍ରଭୁଙ୍କୁ ମୁଗ୍ଧ କରିବାରେ ସଫଳ ହେବାପରେ ଏହାର  ପରଦିନ  ପ୍ରତ୍ୟାବର୍ତ୍ତନ ପାଇଁ ରଥକୁ ଦକ୍ଷିଣାଭିମୁଖି କରିବା ନିମନ୍ତେ ଆଦେଶ ଦିଆଯାଇଥାଏ । ଫଳରେ ହେରାପଞ୍ଚମୀର ପରଦିନ ପ୍ରଭୁଙ୍କର ଆଜ୍ଞାମାଳ ଦିଆଯାଇ ରଥ ଦକ୍ଷିଣ ମୋଡ଼ କରାଯାଇଥାଏ।

ଶ୍ରୀମନ୍ଦିର ଇତିହାସରୁ ଜଣାଯାଏ, ହେରାପଞ୍ଚମୀ ଉତ୍ସବ ମହାରାଜା କପିଳେନ୍ଦ୍ରଦେବଙ୍କ ସମୟରୁ ପାଳିତ ହୋଇଆସୁଅଛି । ଏହାପୂର୍ବରୁ ଏହି ଉତ୍ସବ କେବଳ ପ୍ରତୀକାତ୍ମକ ଭାବେ ଏକ ପୂଜାମନ୍ତ୍ର ବିଧିରେ ପାଳିତ ହେଉଥିଲା । ମାଦଳା ପାଞ୍ଜିର ବର୍ଣ୍ଣନାନୁସାରେ, ସେତେବେଳେ ମା’ ମହାଲକ୍ଷ୍ମୀ ଓ ଶ୍ରୀ ଜଗନ୍ନାଥଙ୍କୁ ଦୀପ ତଥା ଅନ୍ୟାନ୍ୟ ପବିତ୍ର ଦ୍ରବ୍ୟରେ ପୂଜା କରାଯାଉଥିଲା । ପରବର୍ତ୍ତୀ ସମୟରେ ରାଜା କପିଳେନ୍ଦ୍ର ଦେବଙ୍କଦ୍ୱାରା ମହାଲକ୍ଷ୍ମୀଙ୍କ ଏକ ସୁବର୍ଣ୍ଣ ପ୍ରତିମାନେଇ ଲୌକିକ ପୂଜାଚାର ପଦ୍ଧତିରେ ମହାଡମ୍ବରରେ ଏହି ଉତ୍ସବ ପାଳନ କରାଗଲା । ଏହି ପବିତ୍ର ହେରାପଞ୍ଚମୀ ପାଳନ ମାଧ୍ୟମରେ ସାମାଜିକ ଜୀବନରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଅନାବିଳ ପ୍ରେମର ଏକ ଭିନ୍ନ ପରିପ୍ରକାଶ ହେବା ସହ ଏହା ଗୃହସ୍ଥମାନଙ୍କ ପାଇଁ ଏକ ଶିକ୍ଷଣୀୟ ଚଳଣୀର ବାର୍ତ୍ତା ବହନ କରୁଛି । ଆଜି ହେରାପଞ୍ଚମୀ ପରି ଏହି ପବିତ୍ର ଦିନରେ ମା’ ଲକ୍ଷ୍ମୀ ସାଆନ୍ତାଣୀ ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ଜଗତବାସୀଙ୍କୁ କହିଦେବାକୁ ଚାହାଁନ୍ତି ଯେ, ମାନ-ଅଭିମାନ, ରାଗ-ରୁଷା ସଂସାର କରିଥିଲେ ସମ୍ମୁଖୀନ ହେବାକୁ ପଡ଼ିଥାଏ । ପାରିବାରିକ କଳହ ସାଂସାରିକ ଜୀବନରେ ଅପରିହାର୍ଯ୍ୟ । କଳହ ପରର ପ୍ରେମ ସୋହାଗ ପ୍ରତ୍ୟେକ ଦମ୍ପତ୍ତିଙ୍କ ବୈବାହିକ ଜୀବନର ମଧୁର ସମ୍ପର୍କକୁ ଆହୁରି ଅଧିକ ମଧୁମୟ କରିଦେଇଥାଏ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆଶ୍ରାକରି ଚାଲିଲେ ଆମେ ସମସ୍ତେ ଏହି ସଂସାର ତରୀକୁ ତାରି ପାରିବା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.