ଭୁବନେଶ୍ଵର, ୧୨/୦୫ : ଧର୍ମ ଆଧାରରେ ଦେଶ ବିଭାଜନ ହେଲା। ପାକିସ୍ତାନ ଭାରତ ଠାରୁ ଅଲଗା ହେଲା। ହେଲେ ଦେଶ ବିଭାଜନ ପୂର୍ବରୁ ପାକିସ୍ତାନ ଭାରାତର ଅଂଶବିଶେଷ ଥିଲା, ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ। ଏଣୁ ଅନେକ ହିନ୍ଦୁ ମନ୍ଦିର ସେପଟେ ରହିଗଲା। ହେଲେ ଅବହେଳା କାରଣରୁ ଅନେକ ମନ୍ଦିର ନଷ୍ଟଭ୍ରଷ୍ଟ ହୋଇଗଲାଣି। ତଥାପି କେତେକ ମନ୍ଦିର ଆଧ୍ୟାତ୍ମିକ ଔଜଲ୍ୟ ସହ ଏବେବି ମୁଣ୍ଡ ଟେକି ରହିଛନ୍ତି। ହିଙ୍ଗଲାଜ୍ ମାତା ମନ୍ଦିର ହେଉଛି ଏହାର ଉଦାହରଣ। ଯେଉଁଠାରେ କେବଳ ହିନ୍ଦୁ ନୁହନ୍ତି ମୁସଲମାନମାନେ ମଧ୍ୟ ଶ୍ରଦ୍ଧା ଓ ଭକ୍ତିରେ ମଥାନତ କରନ୍ତି।
ଭାରତୀୟ ଉପମହାଦେଶର ୫୧ଟି ପ୍ରମୁଖ ଶକ୍ତିପୀଠ ମଧ୍ୟରୁ ହିଙ୍ଗଲାଜ୍ ମାତା ମନ୍ଦିର ଅନ୍ୟତମ। ବେଲୁଚିସ୍ତାନର ଲସବେଲା କସବେ ଇଲାକାରେ କିର୍ଥର ପାହାଡ଼ ଗୁମ୍ଫାରେ ଅବସ୍ଥିତ। ଏଠାରେ ମାତା ସତୀଙ୍କର ମସ୍ତକ ପଡ଼ିଥିଲା। କରାଚୀଠାରୁ ପ୍ରାୟ ଅଢ଼େଇଶହ କିଲୋମିଟର ଦୂରରେ ଅବସ୍ଥିତ ଏହି ମନ୍ଦିରକୁ ଯିବା ବାଟରେ ରହିଛି ହଜାର ହଜାର ଫୁଟ ଉଚ୍ଚର ପାହାଡ଼। ଧୂସର ମରୁଭୂମି, ଘନ ଜଙ୍ଗଲ ଦେଇ ଯିବାକୁ ପଡ଼େ ମାତାଙ୍କ ମନ୍ଦିର। ବାଟରେ ଜଙ୍ଗଲୀ ପଶୁ, ଡକାୟତ ତଥା ଆତଙ୍କବାଦୀ ଆକ୍ରମଣ ସମ୍ମୁଖୀନ ହେବାର ବି ରହିଛି ଭୟ। ହିଙ୍ଗଲାଜ୍ ମାତାଙ୍କ ଦର୍ଶନ ଲାଗି ଯାତ୍ରା ଅମରନାଥ ଯାତ୍ରାଠାରୁ ବି ଆହୁରି କଠିନ।
ହିଙ୍ଗଲାଜ୍ ମାତାଙ୍କ ଦର୍ଶନ ଲାଗି ଯାଉଥିବା ଶ୍ରଦ୍ଧାଳୁମାନଙ୍କୁ ନା ପାକିସ୍ତାନ ପୋଲିସ କି ସେନା କେହି ଦିଅନ୍ତିନି ସୁରକ୍ଷା। ଏଣୁ ଶ୍ରଦ୍ଧାଳୁମାନେ ଏକାଠି ଦଳବାନ୍ଧି ନିଜ ହେପାଜତରେ ମାତାଙ୍କ ଦର୍ଶନ ପାଇଁ ଯାଇଥାନ୍ତି। ପୂର୍ବକାଳରେ ୨ଶହ କିଲୋମିଟର ଯାଏ ପାଦରେ ଚାଲି ଚାଲି ଯାତ୍ରା କରିବାକୁ ହେଉଥିଲା। ଏଣୁ ୨ ରୁ ୩ ମାସ ସମୟ ଲାଗିଯାଉଥିଲା। କିନ୍ତୁ ଚୀନ କରିଡର ନିର୍ମାଣ କରିବା ପରଠାରୁ ଏବେ ଏଠାକୁ ଯିବା ସହଜ ହୋଇଛି। ମାତାଙ୍କ ପୀଠକୁ ଯୁବାକୁ ୫୫ କିଲୋମିଟର ରାସ୍ତା ପାଦରେ ଅତିକ୍ରମ କରିବାକୁ ପଡୁଛି।
ହିଙ୍ଗୋଲ ନଦୀ କୂଳରେ ଅବସ୍ଥିତ ହିଙ୍ଗଲାଜ୍ ଦେବୀଙ୍କ ମନ୍ଦିର ମୁସଲମାନ ଶ୍ରଦ୍ଧାଳୁମାନଙ୍କ ପାଇଁ ‘ବିବି ନାନୀ ପୀର’, ‘ନାନୀ ମନ୍ଦିର’ ନାମରେ ପରିଚିତ। ଏହି ମନ୍ଦିରର ଯାତ୍ରାକୁ ମୁସଲମାନ ‘ନାନୀ କା ହଜ୍’ ବି କହିଥାନ୍ତି । ଅନେକ କଷ୍ଟ ସହି ଯେଉଁମାନେ ମାତାଙ୍କ ଦର୍ଶନ କରିବାର ସୌଭାଗ୍ୟ ପାଇଥାନ୍ତି,ସେମାନଙ୍କର ଦୁଃଖ,ପାପ ଅଚିରେ ଦୂର ହୋଇଯାଇଥାଏ ବୋଲି ଦୃଢ଼ ବିଶ୍ୱାସ ରହିଛି।
ଏହି ଖବରଟିକୁ ପଢନ୍ତୁ-ଏହି ପଡୋଶୀ ଦେଶକୁ ୪୨୦ କୋଟି ଟଙ୍କାର ଋଣ ଦେଲା ଭାରତ, ଆର୍ଥିକ ସଙ୍କଟର କରିବ ସହାୟତା