ନୂଆଦିଲ୍ଲୀ,୨୨/୦୭: ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି । ସ୍ୱାସ୍ଥ୍ୟଗତ କାରଣରୁ ସେ ପଦ ଛାଡ଼ିଥିବା କହିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି । ସମ୍ବିଧାନ ଅନୁସାରେ, ଏବେ ଆଗାମୀ ୬୦ ଦିନ ଭିତରେ ଉପରାଷ୍ଟ୍ରପତି ପଦ ଲାଗି ଔପଚାରିକ ଭାବେ ନିର୍ବାଚନ କରାଯିବ । ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ଅତିରିକ୍ତ ଭାବେ ଉପରାଷ୍ଟ୍ରପତିଙ୍କ ଦାୟିତ୍ୱ ତୁଲାଇବେ । ତେବେ କିପରି ହେବ ନୂଆ ଉପରାଷ୍ଟ୍ରପତି ନିର୍ବାଚନ । କ'ଣ କହୁଛି ସମ୍ବିଧାନ ଜାଣନ୍ତୁ ଏହି ରିପୋର୍ଟରେ ।
କାହିଁକି ଇସ୍ତଫା ଦେଲେ ଜଗଦୀପ ଧନଖଡ଼ ? ଜଗଦୀପ ଧନଖଡ଼ ଗତକାଲି ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି । ସ୍ୱାସ୍ଥ୍ୟଗତ କାରଣରୁ ସେ ପଦ ଛାଡ଼ିଥିବା କହିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦେଇଥିବା ଇସ୍ତଫା ପତ୍ରରେ ଧନଖଡ଼ ଲେଖିଛନ୍ତି, ସ୍ୱାସ୍ଥ୍ୟକୁ ପ୍ରାଧାନ୍ୟ ଦେଇ ଏବଂ ଡାକ୍ତରଙ୍କ ପରାମର୍ଶକୁ ପାଳନ କରି ସେ ଏହି ନିଷ୍ପତ୍ତି ନେଇଛନ୍ତି । ସମ୍ବିଧାନର ଧାରା ୬୭(ଏ) ଅନୁଯାୟୀ ସେ ପଦକ୍ଷେପ ନେଇଛନ୍ତି । ୨୦୨୨ ଅଗଷ୍ଟରେ ଉପରାଷ୍ଟ୍ରପତି ହୋଇଥିଲେ ଜଗଦୀପ ଧନଖଡ଼ । ତାଙ୍କ କାର୍ଯ୍ୟକାଳ ୨୦୨୭ ଯାଏ ଥିଲା । ଏହା ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି । ନିକଟରେ ଦିଲ୍ଲୀ ଏମ୍ସରେ ଧନଖଡ଼ଙ୍କର ଏନଜିଓପ୍ଲାଷ୍ଟିକ ହୋଇଥିଲା । ଚଳିତବର୍ଷ ମାର୍ଚ୍ଚରେ କିଛି ଦିନ ପାଇଁ ହସ୍ପିଟାଲେ ଭର୍ତ୍ତି ହୋଇଥିଲେ ।
ଉପରାଷ୍ଟ୍ରପତି କିପରି ନିର୍ବାଚିତ ହୁଅନ୍ତି ? ଭାରତୀୟ ସମ୍ବିଧାନର ଧାରା ୬୬ ଅନୁଯାୟୀ, ଉପରାଷ୍ଟ୍ରପତିଙ୍କୁ ଆନୁପାତିକ ପ୍ରତିନିଧିତ୍ୱ ପ୍ରଣାଳୀ ଅନୁସାରେ ସଂସଦର ଉଭୟ ଗୃହର ସଦସ୍ୟଙ୍କୁ ନେଇ ନିର୍ବାଚନ କରାଯାଏ । ଏହି ପ୍ରକ୍ରିୟାରେ, ଭୋଟରମାନେ ପ୍ରାର୍ଥୀମାନଙ୍କୁ ସେମାନଙ୍କ ପସନ୍ଦ ଅନୁସାରେ କ୍ରମାନୁସାରେ ସ୍ଥାନିତ କରନ୍ତି । ସେମାନେ ସେମାନଙ୍କର ପ୍ରଥମ, ଦ୍ୱିତୀୟ, ତୃତୀୟ ଏବଂ ଅନ୍ୟାନ୍ୟ ପସନ୍ଦ ମଧ୍ୟ ବାଛନ୍ତି । ଭୋଟରମାନଙ୍କ ମଧ୍ୟରେ ଲୋକସଭା ଏବଂ ରାଜ୍ୟସଭାର ସଦସ୍ୟ ଅନ୍ତର୍ଭୁକ୍ତ ।
ଉପରାଷ୍ଟ୍ରପତି ହେବାକୁ ଆବଶ୍ୟକୀୟ ଯୋଗ୍ୟତା
.ଉପରାଷ୍ଟ୍ରପତି ଭାରତର ଦ୍ୱିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦ ।
. ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ୫ ବର୍ଷ ।
. ପ୍ରାର୍ଥୀ ଭାରତର ନାଗରିକ ହେବା ଆବଶ୍ୟକ।
. ପ୍ରାର୍ଥୀଙ୍କ ବୟସ ୩୫ ବର୍ଷ ପୂରଣ ହୋଇଥିବା ଆବଶ୍ୟକ।
. ପ୍ରାର୍ଥୀ ରାଜ୍ୟସଭାର ସଦସ୍ୟ ଭାବରେ ନିର୍ବାଚିତ ହେବା ଆବଶ୍ୟକ।
.ପ୍ରାର୍ଥୀ ଭାରତ ସରକାର କିମ୍ବା ରାଜ୍ୟ ସରକାର କିମ୍ବା କୌଣସି ଅଧୀନସ୍ଥ ସ୍ଥାନୀୟ କର୍ତ୍ତୃପକ୍ଷ ଅଧୀନରେ କୌଣସି ଲାଭଜନକ ପଦବୀରେ ରହିନଥିଲେ ।
ନିର୍ବାଚନ ପର୍ଯ୍ୟନ୍ତ କିଏ ଦାୟିତ୍ୱ ସମ୍ଭାଳିବେ ?ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଏବେ ସବୁଠୁ ବଡ଼ ପ୍ରଶ୍ନ ଉଠୁଛି ତାଙ୍କ ସ୍ଥାନରେ କିଏ ଦାୟିତ୍ୱ ନେବେ । ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପୂର୍ବରୁ ଯଦି ସେ ଇସ୍ତଫା ଦିଅନ୍ତି କିମ୍ବା ବିୟୋଗ ହୁଏ ତେବେ ତାଙ୍କ ସ୍ଥାନରେ କିଏ ଦାୟିତ୍ୱ ସମ୍ଭାଳିବେ ସମ୍ବିଧାନ କିଛି ଲେଖାନାହିଁ । ତଥାପି, ସମ୍ବିଧାନର ଏକମାତ୍ର ବ୍ୟବସ୍ଥା ହେଉଛି ରାଜ୍ୟସଭାର ଅଧ୍ୟକ୍ଷ କିମ୍ବା ରାଷ୍ଟ୍ରପତିଙ୍କ ଦ୍ୱାରା ନାମିତ କୌଣସି ସଦସ୍ୟ ଉପରାଷ୍ଟ୍ରପତି ଦାୟିତ୍ୱ ତୁଲାଇବେ । କାରଣ କାମଚଳା ଉପରାଷ୍ଟ୍ରପତି ପାଇଁ କୌଣସି ନିଯୁକ୍ତି ହୁଏ ନାହିଁ । ଏହି ପଦ ଖାଲି ରହିଥାଏ ।
କଣ ସମ୍ବିଧାନ ବ୍ୟବସ୍ଥା ? ଧାରା ୬୮ ଅନୁଯାୟୀ, ଯଦି ଉପରାଷ୍ଟ୍ରପତି ଇସ୍ତଫା କିମ୍ବା ଅନ୍ୟ କୌଣସି କାରଣରୁ ଉପରାଷ୍ଟ୍ରପତି ପଦବୀ ଖାଲି ହୁଏ, ଯଥାଶୀଘ୍ର ନିର୍ବାଚନ ଅନୁଷ୍ଠିତ ହୁଏ । ସାନି ନିର୍ବାଚନ ନହେବା ପର୍ଯ୍ୟନ୍ତ ଉପରାଷ୍ଟ୍ରପତି ପଦବୀ ଖାଲି ରହିଥାଏ । ନିର୍ବାଚନ ସ୍ୱଚ୍ଛ ଭାବରେ ଅନୁଷ୍ଠିତ ହୁଏ । ଯିଏ ନିର୍ବାଚିତ ହୁଅନ୍ତି, ତାଙ୍କୁ ସେହି ଦିନଠାରୁ ୫ ବର୍ଷ ପାଇଁ କାର୍ଯ୍ୟକାଳ ମିଳିଥାଏ । ନିର୍ବାଚିତ ବ୍ୟକ୍ତି ଧାରା ୬୯ ଅନୁଯାୟୀ ଶପଥ ଗ୍ରହଣ କରନ୍ତି ।