ଭୁବନେଶ୍ଵର, ୦୭/୧୧ : ଆଜିକାଲି ପ୍ରାୟ ମହିଳା ରୋଷେଇ ଘରେ କାଠର ଉପକରଣ ବ୍ୟବହାର କରୁଛନ୍ତି । କିନ୍ତୁ ଏହାକୁ ସଫା କରିବାକୁ ନେଇ ପ୍ରାୟ ସମୟ ଚିନ୍ତାରେ ରହିଥାନ୍ତି । ରୋଷେଇ ଘର ବାସନକୁ ସଫା କରିବା ପରେ ଏହାକୁ ଆମେ ତୁରନ୍ତ ଆଲମାରୀରେ ରଖି ଦେଇଥାଉ । କିନ୍ତୁ କିଛି ସମୟ ପରେ ବାହାର କରି ଦେଖିବା ବେଳକୁ ଏଥିରେ ଦାଗ ଦେଖିବାକୁ ମିଳିଥାଏ । ଏହା ମୁଖ୍ୟତଃ କାଠ ବାସନରେ ବେଶି ଦେଖାଯାଇଥାଏ । କାରଣ ଏହା ଶୁଖିବା ସମୟରେ ଆର୍ଦ୍ରତା ଯୋଗୁ ଦାଗ ସୃଷ୍ଟି ହୋଇଥାଏ । ପରେ ଏହାକୁ ସଫା କରିବା କଷ୍ଟ ହୋଇଥାଏ । ଏହି ଦାଗ ପ୍ରାୟତଃ କାଠ ଚାମଚ ବା ବାସନରେ ଦେଖିବାକୁ ମିଳିଥାଏ । କେବେ କେବେ ଏହି ଦାଗ ଯୋଗୁ କାଠ ବାସନ ନଷ୍ଟ ହୋଇଯାଇଥାଏ । ତେଣୁ ଏହାକୁ ଠିକ୍‌ ଉପାୟରେ ସଫା କରିବା ଆବଶ୍ୟକ, ଯାହା ଫଳରେ ଏହା ସଫା ରହିବା ସହ ଦୀର୍ଘାୟୁ ହୋଇଥାଏ । ଚାଲନ୍ତୁ ଦେଖିବା ୧୦ ମିନିଟ୍‌ରେ କିପରି ସଫା କରିବେ କାଠ ବାସନ । 

ଗରମ ପାଣିରେ ଭିଜାନ୍ତୁ: କାଠ ବାସନକୁ ସଫା କରିବା ପାଇଁ ଗରମ ପାଣିର ବ୍ୟବହାର କରିପାରିବେ । ଫଳରେ ସେଥିରେ ଲାଗିଥିବା ତେଲ ଭଲ ଭାବେ ସଫା ହୋଇଥାଏ । ସବୁ କାଠ ବାସନକୁ ଏକ ପାତ୍ରରେ ଗରମ ପାଣି ଦେଇ ଭିଜାଇ ନିଅନ୍ତୁ । କିଛି ସମୟ ପରେ ସ୍ପଞ୍ଜ ସାହାଯ୍ୟରେ ଏହାକୁ ସଫା କରି ନିଅନ୍ତୁ । 

ଲୁଣରେ ସଫା କରିପାରିବେ: ଲୁଣ କାଠ ଚାମଚକୁ ସଫା କରିବାରେ ବହୁତ ସାହାଯ୍ୟ କରିଥାଏ । ଏକ ପାତ୍ରରେ ପାଣି ଦେଇ ଲୁଣ ପକାଇ ଫୁଟାଇ ନିଅନ୍ତୁ । ପରେ ଏହି ପାଣିରେ କାଠ ବାସନକୁ ବୁଡାଇ ଦିଅନ୍ତୁ । କିଛି ସମୟ ପରେ ଏହାକୁ ପାଣିରୁ କାଢି ହାଲ୍‌କା ଖରାରେ ପକାଇ ଦିଅନ୍ତୁ । ଫଳରେ କାଠ ବାସନ ଚକାଚକ୍‌ ହୋଇଯିବ । 

ବେକିଂ ସୋଢା କରିପାରିବେ ବ୍ୟବହାର: କାଠ ବସନକୁ ସଫା କରିବା ପାଇଁ ବେକିଂ ସୋଢାର ବ୍ୟବହାର କରିପାରିବେ । ପ୍ରଥମେ ବେକିଂ ସୋଢା ଓ ଲେମ୍ବୁ ରସର ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣରେ କାଠ ବାସନରେ ଦାଗ ଥିବା ଅଂଶକୁ ବୁଡାଇ କିଛି ସମୟ ପାଇଁ ଛାଡି ଦିଅନ୍ତୁ । ପରେ ଏହାକୁ ଏଥିରୁ ବାହାର କରି ଖାଲି ପାଣିରେ ବୁଡାଇ ସଫା କରି ନିଅନ୍ତୁ । ଏବେ ଏହାକୁ ଭଲ ଭାବେ ପୋଛି ଶୁଖାଇ ଦିଅନ୍ତୁ । ସେହିପରି ସିର୍‌କା ମଧ୍ୟ ବ୍ୟବହାର କରିପାରିବେ ।