ଦୁବାଇ,୦୯/୦୩: ସୁପର ସନ୍ଡେରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ଫାଇଟ୍ । ଆଇସିସି ଟୁର୍ଣ୍ଣାମେଣ୍ଟର ଦୁଇ ସଫଳ ଦଳ ଭାରତ ଓ ନ୍ୟୁଜିଲାଣ୍ଡ ଟାଇଟଲ ମୁକାବିଲା ପାଇଁ ମଇଦାନକୁ ଓହ୍ଲାଇବେ । ଭାରତ ଗତ ୨୦୦୦ ମସିହା ସଂସ୍କରଣ ଫାଇନାଲ୍ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ । ନ୍ୟୁଜିଲାଣ୍ଡ ପୂର୍ବ ସଫଳତାକୁ ଦୋହରାଇବାକୁ ପ୍ରସ୍ତୁତ ।
ଶେଷ ୧୪ଟି ଆଇସିସି ଟୁର୍ଣ୍ଣାମେଣ୍ଟକୁ ହିସାବକୁ ନେଲେ ଏଥିରୁ ଭାରତ ୧୨ଟି ସଂସ୍କରଣରେ ନକ୍ ଆଉଟ୍ (ସେମି ଫାଇନାଲ ଓ ଫାଇନାଲ୍) ଖେଳିଛି । ଏହି ସମୟ ମଧ୍ୟରେ ନ୍ୟୁଜିଲାଣ୍ଡ ମଧ୍ୟ ୮ଟି ନକ୍ ଆଉଟ୍ ଖେଳିଛି ।
ଆଇସିସି ଟୁର୍ଣ୍ଣାମେଣ୍ଟ ଫାଇନାଲ୍ରେ ଉଭୟ ଦଳ ପରସ୍ପରକୁ ୨ଥର ଭେଟି ସାରିଛନ୍ତି ଓ ନ୍ୟୁଜିଲାଣ୍ଡ ଉଭୟ ମ୍ୟାଚ୍ରେ ବିଜୟୀ ହୋଇଛି । ୨୦୦୦ ମସିହାରେ ଅନୁଷ୍ଠିତ ଚାମ୍ପିଅନ୍ସ ଟ୍ରଫି (ଆଇସିସି ନକ୍ ଆଉଟ୍) ଓ ୨୦୨୧ରେ ଅନୁଷ୍ଠିତ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ ଫାଇନାଲ୍ରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ ଓ ନ୍ୟୁଜିଲାଣ୍ଡ ଚାମ୍ପିଅନ୍ ହୋଇଥିଲା ।
ୱିଲିୟମସନଙ୍କ ପଞ୍ଚମ ଫାଇନାଲ୍: ନ୍ୟୁଜିଲାଣ୍ଡ ଷଷ୍ଠ ଥର ପାଇଁ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ଖେଳିବାକୁ ଯାଉଛି । କେନ ୱିଲିୟମସନଙ୍କ କ୍ୟାରିୟର୍ର ଏହା ପଞ୍ଚମ ଫାଇନାଲ୍ ହେବ । ନ୍ୟୁଜିଲାଣ୍ଡ ୨୦୦୦ ମସିହାରେ ଚାମ୍ପିଅନ୍ସ ଟ୍ରଫି ଚାମ୍ପିଅନ ହୋଇଥିଲା । ସେତେବେଳେ ୱିଲିୟମସନଙ୍କ ବୟସ ଥିଲା ମାତ୍ର ୧୦ ବର୍ଷ । ଏହାପରେ ନ୍ୟୁଜିଲାଣ୍ଡ ୨୦୧୫ ଓ ୨୦୧୯ ଦିନିକିଆ ବିଶ୍ୱକପ୍ ଫାଇନାଲ୍ରେ ପରାଜିତ ହୋଇଥିଲା । ୱିଲିମୟସନ ଉଭୟ ଦଳର ସଦସ୍ୟ ରହିଥିଲେ । ୨୦୨୧ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ମଧ୍ୟ ନ୍ୟୁଜିଲାଣ୍ଡ ରନର୍ସ ଅପ୍ ହୋଇଥିଲା । କେବଳ ୨୦୨୧ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ ଫାଇନାଲ୍ରେ ଭାରତକୁ ହରାଇ ନ୍ୟୁଜିଲାଣ୍ଡ ଚାମ୍ପିଅନ୍ ହୋଇଛି ।
ଗେଲଙ୍କୁ ଟପିବେ କୋହଲି: ବିରାଟ କୋହଲି ମଧ୍ୟ ଏକ ରେକର୍ଡ ଭଙ୍ଗ କରିବାର ସୁଯୋଗ ରହିଛି । ସେ ୪୫ରନ କଲେ ଚାମ୍ପିଅନ୍ସ ଟ୍ରଫିରେ ସର୍ବାଧିକ ରନ୍ ସ୍କୋରର ସାଜିବେ । ଚାମ୍ପିଅନ୍ସ ଟ୍ରଫିରେ ସର୍ବାଧିକ ରନ ରେକର୍ଡ କ୍ରିସ ଗେଲଙ୍କ ନାମରେ ରହିଛି । ସେ ୧୭ଟି ମ୍ୟାଚ୍ରୁ ୭୯୧ ରନ ସଂଗ୍ରହ କରିଛନ୍ତି । କୋହଲି ୧୭ଟି ମ୍ୟାଚ୍ ଖେଳି ୭୪୬ ରନ୍ ସଂଗ୍ରହ କରିସାରିଛନ୍ତି ।
ଗିଲ୍, ବରୁଣଙ୍କ ଉପରେ ନଜର: ଅନ୍ତର୍ଜାତୀୟ କ୍ରିକେଟ୍ରେ ଭାରତୀୟ ସମର୍ଥକଙ୍କ ନଜର ସର୍ବଦା କୋହଲିଙ୍କ ଉପରେ ରହିଥାଏ । ମାତ୍ର ଭାରତ ପାଇଁ ଶୁଭମନ ଗିଲ୍ ଓ ବରୁଣ ଚକ୍ରବର୍ତ୍ତୀ ମୁଖ୍ୟ ନାୟକ ସାଜିବେ ବୋଲି ଅନୁମାନ କରାଯାଉଛି । ବାଂଲାଦେଶ ବିପକ୍ଷରେ ଶତକ ପରେ ଗିଲ୍ଙ୍କ ବ୍ୟାଟ୍ରୁ ସେଭଳି ଆଖି ଦୃଶିଆ ଇନିଂସ ଦେଖିବାକୁ ମିଳିନାହିଁ । ମାତ୍ର ବଡ଼ ମ୍ୟାଚ୍ରେ ବଡ଼ ଖେଳାଳିଙ୍କ ପ୍ରଦର୍ଶନ ନିର୍ଣ୍ଣାୟକ ସାଜିଥାଏ । ତେଣୁ ଗିଲ ବଡ଼ ଇନିଂସ ଖେଳିବା ଆଶା କରାଯାଉଛି । ୨ବର୍ଷ ତଳେ ସେ ନ୍ୟୁଜିଲାଣ୍ଡ ବିପକ୍ଷ ଏକ ଦିନିକିଆରେ ଦ୍ୱିଶତକ (୨୦୮) ଅର୍ଜନ କରିଥିଲେ। ରବିବାର ତାଙ୍କ ବ୍ୟାଟ୍ରୁ ମ୍ୟାଚ୍ ବିଜୟୀ ଇନିଂସ ଦେଖିବାକୁ ଦର୍ଶକ ଆଶା ବାନ୍ଧିଛନ୍ତି । ବରୁଣ ନ୍ୟୁଜିଲାଣ୍ଡ ବିପକ୍ଷ ଗତ ଲିଗ୍ ମ୍ୟାଚ୍ରେ ୫ ୱିକେଟ୍ ନେଇ ଦଳକୁ ଜିତାଇଥିଲେ ।
ଖେଳିପାରନ୍ତି ସୁନ୍ଦର: ଭାରତ ଏକାଦଶରେ ପରିବର୍ତ୍ତନ କରିବାର ସେଭଳି କୌଣସି ଯୋଜନା ନାହିଁ । କେବଳ ନ୍ୟୁଜିଲାଣ୍ଡର ରଣନୀତିକୁ ପଣ୍ଡ କରିବା ପାଇଁ ହୁଏତ କିଛି ଚତୁର ନିଷ୍ପତ୍ତି ନିଆଯାଇପାରେ । କୁଲଦୀପ ଯାଦବଙ୍କ ସ୍ଥାନରେ ୱାସିଂଟନ ସୁନ୍ଦର ଖେଳିବା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେବ । କୁଲଦୀପ ସେଭଳି ଫର୍ମରେ ନାହାନ୍ତି । ସୁନ୍ଦର ଖେଳିଲେ ବ୍ୟାଟିଂ ବିଭାଗ ୯ନଂ ସ୍ଥାନ ପର୍ଯ୍ୟନ୍ତ ଲମ୍ବି ପାରିବ । ଖାଲି ସେତିକି ନୁହେଁ, ନ୍ୟୁଜିଲାଣ୍ଡ ଦଳରେ ୫ଜଣ ବାମ ହାତି ବ୍ୟାଟର ରହିଛନ୍ତି । ସୁନ୍ଦର ଡାହାଣ ହାତି ଅଫ ସ୍ପିନର ଓ ବଲ୍କୁ ବାଉନ୍ସ କରାଇବାର କ୍ଷମତା ରଖିଛନ୍ତି । ତେଣୁ ତାଙ୍କ ସ୍ପିନ ବୋଲିଂ ଫଳପ୍ରଦ ସାବ୍ୟସ୍ତ ହୋଇପାରିବ ।
ନ୍ୟୁଜିଲାଣ୍ଡ ଦଳରେ ଗୋଟିଏ ପରିବର୍ତ୍ତନ ହୋଇପାରେ । ପେସ୍ ବୋଲର ମାଟ ହେନରୀ ଗତ ସେମି ଫାଇନାଲ୍ ମ୍ୟାଚ୍ରେ ଆହତ ହୋଇଥିଲେ । ତାଙ୍କ ସ୍ଥାନରେ ଜାକବ ଡଫି କିମ୍ବା ନାଥାନ ସ୍ମିଥଙ୍କ ମଧ୍ୟରୁ ଜଣଙ୍କୁ ସ୍ଥାନ ମିଳିପାରେ ।
ଟସ୍ ଜିତିଲେ ବ୍ୟାଟିଂ: ଫାଇନାଲ୍ ମ୍ୟାଚ ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ ବୋଲି କ୍ୟୁରେଟର ପ୍ରକାଶ କରିଛନ୍ତି । ଏହି ପିଚ୍ରେ ଭାରତ-ପାକିସ୍ତାନ ମ୍ୟାଚ୍ ଖେଳାଯାଇଥିଲା । ଦୁବାଇରେ କାକର ପ୍ରଭାବ ନାହିଁ । ତେଣୁ ପ୍ରଥମ ଭାଗ ଅପେକ୍ଷା ଦ୍ୱିତୀୟ ଭାଗରେ ବ୍ୟାଟିଂ କଷ୍ଟକର ହେବ । ଟସ୍ ବିଜୟୀ ଦଳ ବ୍ୟାଟିଂ ନିଷ୍ପତ୍ତି ନେବା ନିଶ୍ଚିତ ।
ସମ୍ଭାବ୍ୟ ଦଳ
ଭାରତ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟାସ ଆୟର, ଅକ୍ଷର ପଟେଲ, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ/ୱାସିଂଟନ ସୁନ୍ଦର, ମହମ୍ମଦ ସାମି, ବରୁଣ ଚକ୍ରବର୍ତ୍ତୀ ।
ନ୍ୟୁଜିଲାଣ୍ଡ: ୱିଲ ୟଙ୍ଗ, ରଚିନ ରବିନ୍ଦ୍ର, କେନ ୱିଲିୟମସନ, ଡାରିଲ ମିଚେଲ, ଟମ ଲାଥମ, ଗ୍ଲେନ ଫିଲିପ୍ସ, ମାଇକେଲ ବ୍ରେସୱେଲ୍, ମିଚେଲ ସାଣ୍ଟନର (ଅଧିନାୟକ), କେଲି ଜାମିସନ, ମାଟ୍ ହେନରୀ/ଜାକବ ଡଫି/ନାଥାନ ସ୍ମିଥ୍, ୱିଲ ଓ’ରୁର୍କ ।