ଗୌହାଟୀ,୨୮ା୧୦: ଚଳିତ ମହିଳା ଦିନିକିଆ ବିଶ୍ୱକପ୍ର ପ୍ରଥମ ସେମି ଫାଇନାଲ୍ରେ ଆଜି ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ପରସ୍ପରକୁ ଭେଟିବେ । ଇଂଲଣ୍ଡ ଆଧିପତ୍ୟ ଜାରି ରଖିବାକୁ ପ୍ରସ୍ତୁତ ଥିବାବେଳେ ଦକ୍ଷିଣ ଆଫ୍ରିକା ଲିଗ୍ ପର୍ଯ୍ୟାୟ ପରାଜୟର ପ୍ରତିଶୋଧ ନେବାକୁ ଅପେକ୍ଷା କରିଛି । ମ୍ୟାଚ୍ଟି ତୀବ୍ର ସଂଘର୍ଷପୂର୍ଣ୍ଣ ରହିବା ଏକ ପ୍ରକାର ନିଶ୍ଚିତ । ଲିଗ ରାଉଣ୍ଡରେ ଇଂଲଣ୍ଡ ୨୧୫ ବଲ୍ ବାକି ଥାଇ ୧୦ ୱିକେଟ୍ରେ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା । ମାତ୍ର ଏହାପରେ ଦକ୍ଷିଣ ଆଫ୍ରିକା ଲଢୁଆ ପ୍ରତ୍ୟାବର୍ତ୍ତନ କରି କ୍ରମାନ୍ୱୟରେ ୫ଟି ମ୍ୟାଚ୍ ଜିତି ସେମି ଫାଇନାଲ୍ରେ ସ୍ଥାନ ପକ୍କା କରିଥିଲା । ଏଥର ମଧ୍ୟ ଗ୍ରାଉଣ୍ଡ ଅପରିବର୍ତ୍ତିତ ରହିଛି । ମାତ୍ର ଫଳାଫଳରେ ପରିବର୍ତ୍ତନ ଘଟାଇବା ପାଇଁ ଦକ୍ଷିଣ ଆଫ୍ରିକା ଜୋରଦାର ପ୍ରସ୍ତୁତି କରିଛି ।
ବିଶେଷ କରି ଇଂଲଣ୍ଡର ସ୍ପିନ୍ ବାହିନୀ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରିବା ପାଇଁ ଯୋଜନା ଚଳାଇଛି । ଦଳର ବ୍ୟାଟିଂ ବିଭାଗ ଫର୍ମରେ ରହିଛି । ପ୍ରାୟତଃ ସବୁ ପ୍ରମୁଖ ଖେଳାଳି ଫର୍ମ ଫେରି ପାଇଛନ୍ତି । କେବଳ ରଣନୀତି ଓ ମନୋଭାବ ଉପରେ ଦଳର ଭାଗ୍ୟ ନିର୍ଭର କରିବ । ଇଂଲଣ୍ଡ ମଧ୍ୟ ଫାଇନାଲର ପ୍ରମୁଖ ଦାବିଦାର । ତଥାପି ପ୍ରମୁଖ ବୋଲର ଶୋଫି ଏକ୍ଲେଷ୍ଟୋନଙ୍କ ଫିଟ୍ନେସ୍କୁ ନେଇ ଦଳ ସାମାନ୍ୟ ଚିନ୍ତାରେ ରହିଛି । ସେ ଲିଗ୍ ପର୍ଯ୍ୟାୟରେ ୧୩ଟି ୱିକେଟ୍ ନେଇ ସାରିଛନ୍ତି । ବର୍ଷାପଡ଼ା ଷ୍ଟାଡ଼ିୟମ୍ରେ ଗତ ୨ ସପ୍ତାହ ହେଲା କୌଣସି ମ୍ୟାଚ ହୋଇ ନଥିବାରୁ ପିଚ୍ ସତେଜ ରହିଛି । ତଥାପି ପିଚ୍ ମନ୍ଥର ରହିବ ଓ ଦ୍ରୁତ ରନ ସଂଗ୍ରହ କରିବା କଷ୍ଟକର ହେବ । ସ୍ପିନରମାନେ ପିଚ୍ର ଭରପୁର ଫାଇଦା ଉଠାଇବେ । ଧୈର୍ଯ୍ୟର ସହ ବ୍ୟାଟିଂ କଲେ ବଡ଼ ସ୍କୋର ସମ୍ଭବ । ମ୍ୟାଚ ଦିବା ରାତ୍ର ହୋଇଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।
ସମ୍ଭାବ୍ୟ ଦଳ ଦକ୍ଷିଣ ଆଫ୍ରିକା: ଲୌରା ଉଲଭାର୍ଟ (ଅଧିନାୟିକା), ତଜମିନ ବ୍ରିଟ୍ସ, ସୁନେ ଲୁସ, ମରିଜାନ କାପ, ଆନେରି ଡେରେକସନ, ସିନାଲୋ ଜାଫଟା, ଚୋଲେ ଟ୍ରିୟନ, ନାଦିନ ଡି କ୍ଲର୍କ, ମାସାବାତା କ୍ଲାସ, ଆୟାବୋଙ୍ଗା ଖାକା, ନନକୁଲୁଲେକୋ ମଲାବା ।
ଇଂଲଣ୍ଡ: ତାମି ବ୍ୟୁମୋଣ୍ଟ, ଆମି ଜୋନ୍ସ, ହିଥର ନାଇଟ, ନାତାଲି ସ୍କିଭର-ବ୍ରଣ୍ଟ (ଅଧିନାୟିକା), ଶୋଫିଆ ଡଙ୍କଲି, ଏମା ଲାମ୍ବ, ଆଲିସ କ୍ୟାପସି, ଚାର୍ଲି ଡିନ, ଶୋଫି ଏକ୍ଲେଷ୍ଟୋନ, ଲିନସେ ସ୍ମିଥ, ଲାଉରେନ ବେଲ ।