ଭୁବନେଶ୍ବର ୩୦/୦୧: ଉତ୍କର୍ଷ ଓଡ଼ିଶାର ସୁଭଦ୍ରା ସ୍କଲାର୍ସ କାର୍ଯ୍ୟକ୍ରମରେ ସହଯୋଗ ପାଇଁ ଦେଶର ଅନ୍ୟତମ ପ୍ରମୁଖ ମ୍ୟାନେଜମେଂଟ ଅନୁଷ୍ଠାନ ଆଇଆଇଏମ୍ ସମ୍ବଲପୁର ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ (ଡବ୍ଲ୍ୟୁସିଡି) ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ରାଜ୍ୟରେ ପ୍ରମାଣ ଭିତିକ ହସ୍ତକ୍ଷେପ ଏବଂ ସହାୟତା ମାଧ୍ୟମରେ ମହିଳା ସଶକ୍ତୀକରଣ ଏବଂ ଶିଶୁ ଓ କିଶୋର କଲ୍ୟାଣରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।
ଏହି ସହଯୋଗରେ ଆଇଆଇଏମ ସମ୍ବଲପୁର ମହିଳାଙ୍କ ନେତୃତ୍ୱାଧୀନ ଉଦ୍ୟୋଗ ଏବଂ ଆର୍ôଥକ ସାକ୍ଷରତା କାର୍ଯ୍ୟକ୍ରମକୁ ସମର୍ଥନ କରୁଥିବା ନୀତିଗତ ପଦକ୍ଷେପଗୁଡ଼ିକୁ ସୁଦୃଢ଼ କରିବା ପାଇଁ ଗବେଷଣା ଦକ୍ଷତା ଏବଂ ଶୈକ୍ଷିକ ଉତ୍କର୍ଷତାକୁ ଉପଯୋଗ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଏହାବ୍ୟତୀତ ଅନୁଷ୍ଠାନର ଅଧ୍ୟାପକମାନେ ସୁଭଦ୍ରା ଉପ-ଯୋଜନାକୁ କାର୍ଯ୍ୟକାରୀ ଓ କାର୍ଯ୍ୟକ୍ଷମ କରିବା ପାଇଁ ରଣନୀତିଗତ ଢାଞ୍ଚା ପ୍ରସ୍ତୁତ କରିବା ଏବଂ ବିକଶିତ କରିବା ସହିତ ନୀତି ମୂଲ୍ୟାଙ୍କନ ପାଇଁ ଗବେଷଣା କରିବେ।
ଏହି ଅବସରରେ ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ କହିଛନ୍ତି ଯେ, “ସୁଭଦ୍ରା ଯୋଜନାର ଉଦ୍ଦେଶ୍ୟକୁ ଆଗକୁ ବଢ଼ାଇବାରେ ମହିଳା ଓ ଶିଶୁ ବିକାଶ ବିଭାଗ ସହ ହାତ ମିଳାଇ ଆମେ ଗର୍ବ ଅନୁଭବ କରୁଛୁ। ଓଡ଼ିଶାରେ ସ୍ଥାୟୀ ଅଭିବୃଦ୍ଧି ଏବଂ ମହିଳା ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ଦିଗରେ ଅନୁଷ୍ଠାନର ପ୍ରତିବଦ୍ଧତା ସହ ଏହି ପଦକ୍ଷେପ ଯୋଡ଼ି ହୋଇଛି। ଗବେଷଣା ଏବଂ ବୁଝାମଣା ସହ ଆମେ ପ୍ରଭାବଶାଳୀ ନୀତିଗତ ହସ୍ତକ୍ଷେପକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛୁ ଯାହା ଗୋଷ୍ଠୀର ଉନ୍ନତି କରିବ ଏବଂ ଦୀର୍ଘକାଳୀନ ସାମାଜିକ-ଅର୍ଥନୈତିକ ଲାଭ ସୃଷ୍ଟି କରିବ।”
ସୂଚନାଯୋଗ୍ୟ ଯେ, ସୁଭଦ୍ରା ଯୋଜନା ଓଡ଼ିଶା ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ ଯାହାର ଉଦ୍ଦେଶ୍ୟ ହେଉଛି ମହିଳାମାନଙ୍କ ମଧ୍ୟରେ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବା ଏବଂ ସାମଗ୍ରିକ ଶିଶୁ ବିକାଶ ସୁନିଶ୍ଚିତ କରିବା ଯାହା ଓଡ଼ିଶାର ଏକ କୋଟିରୁ ଅଧିକ ମହିଳାଙ୍କୁ ପ୍ରତ୍ୟକ୍ଷ ଆର୍ôଥକ ସହାୟତା ପ୍ରଦାନ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ଏହି ସହଯୋଗିତା ମାଧ୍ୟମରେ ଆଇଆଇଏମ୍ ସମ୍ବଲପୁର ଗବେଷଣା, ରଣନୀତି ଏବଂ ନୀତି ଉଦ୍ଭାବନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରଦାନ କରି ଓଡ଼ିଶାର ଅଭିବୃଦ୍ଧି ପାଇଁ ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରିଛି।
ଏହି ସହଯୋଗ ଏକ ଅର୍ନ୍ତଭୁକ୍ତୀକରଣ ବିକାଶ ଏବଂ ମହିଳାଙ୍କ ନେତୃତ୍ୱାଧୀନ ଅର୍ଥନୈତିକ ପ୍ରଗତିରେ ଅନୁଷ୍ଠାନ ଏବଂ ସରକାରଙ୍କ ସାମୂହିକ ପ୍ରୟାସର ଏକ ଉଦାହରଣ । ଆଇଆଇଏମ୍ ସମ୍ବଲପୁର ପରିବର୍ତନର ଏକ ସ୍ତମ୍ଭ ଭାବରେ ଠିଆ ହୋଇଛି ଯାହା ଗୋଷ୍ଠୀକୁ ସଶକ୍ତ କରିବା ଏବଂ ପ୍ରଶାସନିକ ଢାଂଚାକୁ ସୁଦୃଢ଼ କରିବା ପାଇଁ ସହଯୋଗୀ ଯୋଗଦାନ ମାଧ୍ୟମରେ ପ୍ରଭାବଶାଳୀ ପରିବର୍ତନକୁ ପ୍ରୋତ୍ସାହିତ କରିବା ପାଇଁ ସମର୍ପିତ।