ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସରକାରୀ ନିୟମ ଅନୁଯାୟୀ ସମବାୟ ସମିତି ଗୁଡିକ ଧାନ ସଂଗ୍ରହ କରନ୍ତୁ , ନହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ : ମୁଖ୍ୟମନ୍ତ୍ରୀ

Published By : Suraj Kumar | November 14, 2024 7:29 PM

 ଭୁବନେଶ୍ୱର, ୧୪।୧୨ :  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର ସ୍ଥିତ ସମବାୟ ଭବନ ପରିସରରେ ୭୧ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନର  ଉଦ୍‌ଘାଟନ କରିଛନ୍ତି। ସୂଚନାଯୋଗ୍ୟ ଯେ ନଭେମ୍ବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ସମବାୟ ସପ୍ତାହ ପାଳନ କରାଯାଉଛି। 

ଏହି ଅବସରରେ ଉପସ୍ଥିତ ବିଭିନ୍ନ ସମବାୟ ୟୁନିୟନର ସଦସ୍ୟ, ସମବାୟବିତ୍ ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାର ୨୬୦୦ରୁ ଅଧିକ ପ୍ରାଥମିକ ସମବାୟ ସଂସ୍ଥା ସରକାର ଓ ଚାଷୀଙ୍କ ମଧ୍ୟରେ ସେତୁ ସଦୃଶ କାମ କରୁଛନ୍ତି। ଫସଲ ୠଣ, ଫସଲ ବୀମା, ସାର, ବିହନ, କୀଟନାଶକ ଇତ୍ୟାଦି ସେମାନଙ୍କ ମାଧ୍ୟମରେ ଚାଷୀଙ୍କ ପାଖକୁ ଯାଇଥାଏ। ତେଣୁ ଏହି ସବୁ ସଂସ୍ଥା ଗୁଡିକୁ ସଶକ୍ତ କରିବାର ଆବଶ୍ୟକତା ରହିଛି। ଏହି ସବୁ ଅନୁଷ୍ଠାନ ଗୁଡିକ ହେଉଛି ସମାଜର ତଳ ସ୍ତରରେ ରହିଥିବା ଗରିବ ଓ ନିଷ୍ପେଷିତଙ୍କ ଆଶା ଓ ଭରସା। ଆଜି ଓଡିଶାର ପ୍ରାୟ ୫୦ଲକ୍ଷରୁ ଉର୍ଦ୍ଧ୍ବ ଚାଷୀ ପରିବାର ସମବାୟ ଆନ୍ଦୋଳନ ସହ ଅଙ୍ଗାଙ୍ଗୀଭାବେ ଜଡିତ। ସେମାନ ସମସ୍ତେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏହି ଅନୁଷ୍ଠାନମାନଙ୍କ ଉପରେ ନିର୍ଭରଶୀଳ। ମୁଖ୍ୟତଃ ଚାଷୀ, କାରିଗର, ହସ୍ତଶିଳ୍ପୀ, ବୁଣାକାର, ମତ୍ସ୍ୟଜୀବୀ, ଦୁଗ୍ଧ ଉତ୍ପାଦକ ପ୍ରଭୃତି ପ୍ରାଥମିକ ଅର୍ଥନୀତି ସହ ଜଡିତ ସମସ୍ତ ନାଗରିକ ଏହି ସମବାୟ ଆନ୍ଦୋଳନରେ ସାମିଲ ଅଛନ୍ତି । 

 ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମବାୟ ଅନୁଷ୍ଠାନର ସୁଦୂର ପ୍ରସାରୀ ଭୂମିକାକୁ ଉପଲବ୍ଧ କରି ଉତ୍କଳ ଗୌରବ ମଧୁସୂଦନ ଦାସ ପ୍ରଥମେ ଆମ ଓଡିଶାରେ ସମବାୟର ମୂଳଦୁଆ ପକାଇଥିଲେ। ୧୮୯୮ ମସିହାରେ କଟକ ଠାରେ ଏକ ସମବାୟ ଷ୍ଟୋର ପ୍ରତିଷ୍ଠା ହୋଇଥିଲା ଏବଂ ପରେ ୧୯୦୪ ମସିହାରେ ସମବାୟ ଅନୁଷ୍ଠାନ ପ୍ରତିଷ୍ଠା ପାଇଁ ପ୍ରଥମ ଆଇନ୍‌ ପ୍ରଣୟନ ହେଲା। କଟକ ଜିଲ୍ଲା ବାଙ୍କୀରେ ସମବାୟ ଅନୁଷ୍ଠାନର ବିଧିବଦ୍ଧ ଭାବେ ଗଠନ ଆରମ୍ଭ ହୋଇଥିଲା।

 ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଆଉ ସପ୍ତାହେ ପରେ ଧାନ କିଣା କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହାର ସମ୍ପୂର୍ଣ୍ଣ ଦାୟିତ୍ବ ସମବାୟ ବିଭାଗ ଉପରେ ନ୍ୟସ୍ତ। ଚଳିତ ବର୍ଷ ବିଭାଗ ଅଧୀନରେ ଥିବା ପ୍ରାଥମିକ କୃଷି ସମବାୟ ସମିତି (PACS) ଏବଂ ବୃହତ୍ତ ଆଦିବାସୀ ବହୁମୁଖୀ ସମବାୟ ସମିତି(LAMPCS) ଗୁଡିକ ରାଜ୍ୟରେ ୪୦୦୦ରୁ ଉର୍ଦ୍ଧ୍ବ ଧାନ ସଂଗ୍ରହ କେନ୍ଦ୍ର ପରିଚାଳନା କରିବେ। ଚାଷୀମାନେ ଯେପରି ସ୍ବଚ୍ଛ, ସରଳ ଏବଂ ପାରଦର୍ଶୀ ପ୍ରକ୍ରିୟାରେ ସେମାନଙ୍କର ଧାନ ବିନା କଟନୀ ଛଟନୀରେ ସରକାରଙ୍କୁ ବିକ୍ରୟ କରିପାରିବେ ଏବଂ ସେମାନଙ୍କ ପ୍ରାପ୍ୟ ୪୮ ଘଣ୍ଟା ମଧ୍ୟରେ ଯେପରି ସେମାନେ ପାଇବେ ସେଥି ପ୍ରତି ଯତ୍ନର ସହ ନିୟମ ମାନି କାର୍ଯ୍ୟ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ ନଚେତ୍  ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ। ଓଡିଶାରେ ମୋଟ୍ ଫସଲ ୠଣର ୬୦ ପ୍ରତିଶତରୁ ଅଧିକ ସମବାୟ ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥାଏ। ପୂର୍ବରୁ ଅଭିଯୋଗ ରହିଛି ଯେ ପ୍ରାଥମିକ ସମବାୟ ସଂସ୍ଥା ଗୁଡିକ ଚାଷୀଙ୍କ ୠଣକୁ Ever Greening କରାଇଥାନ୍ତି। ଏହାକୁ ବନ୍ଦ କରିବାକୁ ହେଲେ ସମିତି ଗୁଡିକର ଖାତାପତ୍ର ଏବଂ ଆକାଉଣ୍ଟ୍‌ସକୁ ଅପଟୁଡେଟ୍‌ କରିବାକୁ ପଡିବ। ସେଥିପ୍ରତି ନିବନ୍ଧକ ମାନେ ଦୃଷ୍ଟି ଦେବା ସହିତ ସମସ୍ତ ପ୍ରକ୍ରିୟାକୁ କମ୍ପ୍ୟୁଟରୀକରଣ କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।  ମୁଖ୍ୟମନ୍ତ୍ରୀ ଏହି ଅବସରରେ ସମବାୟ ଭବନ ପରିସରରେ ସମବାୟ ପତାକା ଉତ୍ତୋଳନ କରିଥିଲେ ଏବଂ ମାର୍ଗଦର୍ଶିକା ପୁସ୍ତିକା ଉନ୍ମୋଚନ କରିଥିଲେ।

 ଅନ୍ୟତମ ଅତିଥି ଭାବେ ରାଜ୍ୟ ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଥିଲେ ଯେ ସମବାୟ ହେଉଛି ଗ୍ରାମ୍ୟ ବିକାଶର ଏକ ବଳିଷ୍ଠ ମାଧ୍ୟମ। ରାଜ୍ୟ କୃଷି ଅର୍ଥନୀତିକୁ ସମୃଦ୍ଧ କରିବାରେ ଏହାର କ୍ରାନ୍ତିକାରୀ ଭୂମିକା ରହିଛି। ସମବାୟ ବ୍ୟକ୍ତିଙ୍କୁ ସ୍ବାବଲମ୍ବୀ କରାଇବା ସହ ସାମାଜିକ, ସାଂସ୍କୃତିକ ଓ ଅର୍ଥନୀତିକ ବିକାଶ ପାଇଁ  ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସମବାୟ ଆନ୍ଦୋଳନ ଦ୍ବାରା ସମାଜର ଦରିଦ୍ରତମ ଲୋକଙ୍କ ନିକଟରେ ବିକାଶର ସୁଫଳ ପହଞ୍ଚାଇବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ୍ ଶାହାଙ୍କ ନେତୃତ୍ବରେ ସମବାୟ ମନ୍ତ୍ରାଳୟ ପକ୍ଷରୁ ଆରମ୍ଭ ହୋଇଥିବା ନୂତନ ଜାତୀୟ ସମବାୟ ନୀତିର ବିଭିନ୍ନ ଦିଗ ଉପରେ ସେ ଆଲୋକପାତ କରିଥିଲେ। 

 ବିଭାଗୀୟ କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ ରାଜ୍ୟରେ ଚାଷୀ ଓ ଚାଷର ଉନ୍ନତି କ୍ଷେତ୍ରରେ ସମବାୟର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ ଏବଂ ନୂଆ ସରକାର ଆସିବା ପରେ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ କଲ୍ୟାଣକାରୀ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ।

 କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ସମବାୟ ୟୁନିୟନ ସଭାପତି ପ୍ରବାସିନୀ ଷଡଙ୍ଗୀ ସ୍ବାଗତ ଭାଷଣ ଦେଇଥିଲେ ଏବଂ ସମବାୟ ସମିତି ସମୂହ ନିବନ୍ଧକ ପଭୁ କଲ୍ୟାଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.