ପ୍ରମୂଖ ଖବର
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଭାରତ ସହିତ ପଙ୍ଗା ନେଲେ ୟୁନୁସ ସରକାର; ସନ୍ଥଙ୍କୁ ଗିରଫ କରିବା ପରେ ଉଭୟ ଦେଶ ମଧ୍ୟରେ ବଢ଼ିଲା ବିବାଦ

Published By : Soubhagya Ranjan | November 27, 2024 4:48 PM

Image source: NBT

ନୂଆଦିଲ୍ଲୀ,୨୭/୧୧: ବାଂଲାଦେଶରେ ଇସ୍କନ୍‌ର ସନ୍ଥ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରିଙ୍କୁ ଗିରଫ କରାଯିବା ପରେ ଭାରତ ସମେତ ଅନେକ ସ୍ଥାନରୁ ସମାଲୋଚନା କରାଯାଇଛି। ଏହି ଗିରଫ ଘଟଣା ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ବଢ଼ୁଥିବା ଆକ୍ରମଣ ମଧ୍ୟରେ ଆସିଛି। ଚିନ୍ମୟ କୃଷ୍ଣ ଦାସ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ନେତୃତ୍ୱ ନେଉଥିଲେ। ଅକ୍ଟୋବରରେ ଚାଟୋଗ୍ରାମରେ ଏକ ରାଲିରେ ତାଙ୍କ ବିରୁଦ୍ଧରେ ବାଂଲାଦେଶୀ ପତାକାକୁ ଅପମାନିତ କରିଥିବା ଅଭିଯୋଗ ହୋଇଥିଲା। ଏହି ଗିରଫଦାରୀକୁ ନେଇ ଭାରତ ସରକାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ନିଶ୍ଚିତ କରିବାକୁ ବାଂଲାଦେଶ ସରକାରଙ୍କୁ କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନେ ଖୋଲାଖୋଲି ଭାବେ ବୁଲୁଛନ୍ତି, ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ, କିନ୍ତୁ ଶାନ୍ତିପୂର୍ଣ୍ଣ ବୈଠକ ମାଧ୍ୟମରେ ଆଇନଗତ ଦାବି ଉଠାଇଥିବା ଜଣେ ଧାର୍ମିକ ନେତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ବାଂଲାଦେଶରେ ହିନ୍ଦୁ ସନ୍ଥଙ୍କୁ ଗିରଫ ମାମଲାରେ କ'ଣ କହିଲା ଭାରତ?

ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ସଂଖ୍ୟାଲଘୁ ମାନଙ୍କର ଘର ଓ ଦୋକାନଆଦିକୁ ଜାଳିଦେବା ଏବଂ ଲୁଟ୍‌ପାଟ୍‌ ହେବା ସହିତ ଚୋରି, ଭଙ୍ଗାରୁଜା ଏବଂ ଦେବୀ-ଦବତାଙ୍କୁ ମନ୍ଦିରକୁ ଅପବିତ୍ର କରିବା ଭଳି ଅନେକ ଅପମାନଜନକ ମାମଲା ରହିଛି। ଏକ ବିବୃତ୍ତିରେ କୁହାଯାଇଛି ଯେ ଦୁର୍ଭାଗ୍ୟଜନକ ବିଷୟ ହେଉଛି, ଏହି ଘଟଣାର ଅଭିଯୁକ୍ତମାନେ ଏପର୍ଯ୍ୟନ୍ତ ଖୋଲାଖୋଲି ଭାବେ ବୁଲୁଛନ୍ତି କିନ୍ତୁ ଜଣେ ସନ୍ଥ ଶାନ୍ତିପୂର୍ଣ୍ଣଭାବେ ବୈଠକ କରିବା ପରେ ମଧ୍ୟ ତାଙ୍କୁ ଗିରଫ କରିବା କେତେଦୂର ଯୁକ୍ତିଯୁକ୍ତ? ବୈଦେଶିକ ମନ୍ତ୍ରାଳୟ ଦାସଙ୍କ ଗିରଫଦାରୀ ବିରୁଦ୍ଧରେ ଶାନ୍ତିପୂର୍ଣ୍ଣ ଭାବେ ପ୍ରଦର୍ଶନ କରୁଥିବା ସଂଖ୍ୟାଲଘୁଙ୍କ ଊପରେ ହେଉଥିବା ଆକ୍ରମଣକୁ ନେଇ ଚିନ୍ତାପ୍ରକଟ କରିଛନ୍ତି। ସେପଟେ ଅନ୍ୟପକ୍ଷରେ ବୈଦେଶିକ ମନ୍ତ୍ରାଳୟର ବୟାନ ଉପରେ ବଂଲାଦେଶ ବୈଦେଶିକ ମନ୍ତ୍ରାଳୟ ଢ଼ାକାରେ କହିଛି ଯେ, ଏସବୁ ଭିତ୍ତିହୀନ ଏବଂ ଉଭୟ ଦେଶ ମଧ୍ୟରେ ବନ୍ଧୁତା ଭାବନାର ବିପରିତ ଅଟେ। 

ଭାରତ ଓ ବାଂଲାଦେଶ ମଧ୍ୟରେ ବିଗିଡ଼ିଲା ସମ୍ପର୍କ: 

ବାଂଲାଦେଶରେ ଇସ୍କନ୍‌ ସନ୍ଥଙ୍କୁ ଗିରଫଦାରି ଉଭୟ ଭାରତ ଓ ବାଂଲାଦେଶ ସମ୍ପର୍କ ମଧ୍ୟରେ ବିବାଦ ଠିଆ କରାଇଛି। ବିଶ୍ବ ହିନ୍ଦୁ ପରିଷଦ ତମାମ ଘଟଣାକୁ ଘୃଣ୍ୟ ଏବଂ ଅଗଣତାନ୍ତ୍ରୀ କହି ସମାଲୋଚନା କରିଛି। କୃଷ୍ଣ ଦାସ ବ୍ରହ୍ମଚାରିଙ୍କ ମୁକ୍ତି ପାଇଁ ବାଂଲାଦେଶ ସହ କଥାବାର୍ତ୍ତା କରିବାକୁ ଇସ୍କନ୍ ଭାରତକୁ ନିବେଦନ କରିଛି। ଇସ୍କନ୍ କୃଷ୍ଣ ଦାସଙ୍କ ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି। ସଦ୍‌ଗୁରୁ ତଥା ଶ୍ରୀ ଶ୍ରୀ ରବି ଶଙ୍କର ମଧ୍ୟ ଏହି ଗିରଫଦାରୀକୁ ସମାଲୋଚନା କରିଛନ୍ତି। ରବି ଶଙ୍କର କହିଛନ୍ତି, 'ଲୋକମାନଙ୍କ ପାଇଁ ଶାନ୍ତି ଏବଂ ନିରାପତ୍ତା ଆଣିବା ପାଇଁ ନୋବେଲ ଶାନ୍ତି ପୁରସ୍କାର ପାଇଥିବା ପ୍ରଫେସର ମହମ୍ମଦ ୟୁନୁସଙ୍କଠାରୁ ଆମେ ଅଧିକ ଆଶା କରୁଛୁ ଏବଂ ସେଥିପାଇଁ ତାଙ୍କୁ କାର୍ଯ୍ୟନିର୍ବାହୀ ସରକାରର ମୁଖ୍ୟ କରାଯାଇଛି। ଆମେ ଆଶା କରିବୁ ନାହିଁ ଯେ ସେମାନେ ଏମିତି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଯାହା ସମ୍ପ୍ରଦାୟ ମଧ୍ୟରେ ଅଧିକ ଚିନ୍ତା ଏବଂ ଭୟ ସୃଷ୍ଟି କରିବ।'

ସମସ୍ୟା ଘେରରେ ଗତି କରୁଛି ବାଂଲାଦେଶ: 

ଶେଖ ହସିନାଙ୍କୁ କ୍ଷମତାରୁ ହଟାଇବା ପରେ ବାଂଲାଦେଶ କଠିନ ସମୟ ଦେଇ ଗତି କରୁଛି। ୟୁନୁସ ସରକାର ସଂଖ୍ୟାଲଘୁ ଏବଂ ହସିନାଙ୍କୁ ଦଳୀୟ ସମର୍ଥକଙ୍କ ଉପରେ ହେଉଥିବା ଆକ୍ରମଣକୁ ରୋକିବାରେ ଅସଫଳ ରହିଛନ୍ତି। ୟୁନୁସ ହିନ୍ଦୁଙ୍କ ଉପରେ ବଢ଼ୁଥିବା ଆକ୍ରମଣର ରିପୋର୍ଟକୁ ସଂଗ୍ରହ କରି କହିଥିଲେ ଯେ, ସଂଖ୍ୟାଲଘୁଙ୍କ ପ୍ରତି ହିଂସା କେବଳ କିଛି କ୍ଷେତ୍ରରେ ଘଟିଛି। କିଛି ସମୟ ପୂର୍ବରୁ ଦିଆଯାଇଥିବା ଏକ ସାକ୍ଷାତକାରରେ ୟୁନୁସ୍ କହିଛନ୍ତି ଯେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣ ସାମ୍ପ୍ରଦାୟିକ ନୁହେଁ ବରଂ ରାଜନୈତିକ ଅସ୍ଥିରତାର ଫଳାଫଳ, କାରଣ ଏକ ଧାରଣା ଥିଲା ଯେ ଅଧିକାଂଶ ହିନ୍ଦୁ ହସିନାଙ୍କ ଆୱାମୀ ଲିଗକୁ ସମର୍ଥନ କରିଥିଲେ। ନୋବେଲ ବିଜେତା କହିଛନ୍ତି, ମୁଁ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ କହିଛି ଯେ ଏହା କଥା ସବୁ ବଢ଼େଇ ଚଢ଼େଇ କୁହାଯାଉଛି। ଏହି ମାମଲାର କୌଣସି ଦିଗ ନାହିଁ। ବାଂଲାଦେଶ ପକ୍ଷରୁ କୁହାଯାଉଛି ଯେ ଭାରତ ଏହି ଘଟଣାକୁ ବହୁ ପରିମାଣରେ ପ୍ରଚାର କରୁଛି।' ତେବେ ତମାମ ଆଲୋଚନା ଭିତରେ ବର୍ତ୍ତମାନ ବାଂଲାଦେଶ ଏବଂ ବାଂଲାଦେଶରେ ଥିବା ସଂଖ୍ୟାଲଘୁ ହିନ୍ଦୁଙ୍କୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.