ଭାରତର ପ୍ରାଚୀନତା, ସଭ୍ୟତା, ସଂସ୍କାର, ମେଧା, ଯୁବଶକ୍ତି ଓ ରାଷ୍ଟ୍ରବାଦ ଭାରତକୁ ଏକା ଚାଲିବା ପାଇଁ ପ୍ରଚୁର ସାମର୍ଥ୍ୟ ଦେଇଚନ୍ତି । ରାଜନୈତିକ ନେତୃତ୍ୱ ମଜଭୁତ, ଗଣତନ୍ତ୍ର ପୂର୍ଣ୍ଣ କାର୍ଯ୍ୟକ୍ଷମ, ଆର୍ଥିକ ସ୍ଥିତି ସକାରାତ୍ମକ, ରାଷ୍ଟ୍ରର ସ୍ୱାଭିମାନୀ ଭାବମୂର୍ତ୍ତି ଓ ସଂକଳ୍ପର ଦୃଢ଼ତା ବିଶ୍ୱବିଦିତ । ଏଭଳି ସମୟରେ ବିଦେଶ ନୀତି କୂଟରେ ପରିଣତ ନହେଉ । ନିରପେକ୍ଷ, ସମର୍ଥ, ବିଜ୍ଞ ଓ ଶାନ୍ତିକାମୀ ଭାରତର ସମ୍ପନ୍ନ ରୂପ ହେବ ଭାରତୀୟଙ୍କ ଗର୍ବ ଓ ଗୌରବ । କୂଟନୀତି ବାମ ହାତରେ ଥାଉ, ଡାହାଣ ହାତରେ କରମର୍ଦ୍ଦନ ।
ବର୍ତ୍ତମାନର ଅନ୍ତର୍ଜାତୀୟ ରାଜନୀତି ଆଉ କୂଟନୀତିର ବିଷୟ ନୁହେଁ ବା ପୁଞ୍ଜି, ବଜାର, ନିବେଶ ବା କୋମଳ ଋଣର ବ୍ୟାପାର ନୁହେଁ । କୂଟନୀତିରେ ଆଉ ରହସ୍ୟ ନାହିଁ କି ଗୋପନୀୟତା ନାହିଁ । ଲୁଚିବାବେଳେ ଗୋଡ଼ ଦୁଇଟି ଦିଶୁଚି । ପୁଞ୍ଜିର ଯେଉଁ ଡଲାର ଅର୍ଥନୀତି ବିଶ୍ୱକୁ ନିୟନ୍ତ୍ରିତ କରିଆସିଥିଲା, ସେ ଏବେ ଦୁର୍ବଳ, ନିର୍ଭରଶୀଳ ଓ ପ୍ରଭାବହୀନ । ବଜାର ବି ଖୋଲା, ପ୍ରତି ଦେଶ ତାଙ୍କ ନିଜ ସ୍ୱାର୍ଥ ଦେଖି ସଉଦା କରୁଚନ୍ତି, କେହି ଆଉ କାହା ହାତର ଖେଳଣା ନୁହେଁ । ନିବେଶ ବି ନିଜ ସ୍ୱାର୍ଥରେ । ବିଶ୍ୱବ୍ୟାଙ୍କର ଋଣ ନେଇ କେହି ଫେରେଇବା କଥା ଭାବୁନାହାନ୍ତି । ଅନ୍ତର୍ଜାତୀୟ ରାଜନୀତି ଆଉ ଅର୍ଥନୀତି, ବଜାର ବା ବାହୁବଳ ଉପରେ ନିର୍ଭର କରୁନାହିଁ । ସବୁ ମୁଖା ଓ ପର୍ଦା ହଟିଗଲା ପରେ ଏବେ ସ୍ଥିତି କ’ଣ? ଅନ୍ୟ ଭାବରେ କହିଲେ ବିଶ୍ୱରେ ଏବେ ପ୍ରଭୁତ୍ୱର ଭାଷା ଧନର, ବଳର, କପଟର, ସୌହାର୍ଦ୍ଦ୍ୟର, ଲୋକସଂଖ୍ୟାର, ନେତୃତ୍ୱର ନା ନୀତିର?
ଧନ ସେଇଠି, ଯେଉଁଠି ପ୍ରାକୃତିକ ସମ୍ପଦ । ବିଧ୍ୱଂସକ ବଳ କ୍ଷୁଦ୍ରର ବି ଅଛି । ତେଣୁ ସାମରିକ ବଳ, ବଳର ଭଣ୍ଡାରଣ ଓ ପ୍ରୟୋଗରେ ଆଉ ଯୋଦ୍ଧା ରାଷ୍ଟ୍ରଙ୍କ ଆଧିପତ୍ୟ ନାହିଁ । ସମସ୍ତେ ଭୟଭୀତ ସମସ୍ତଙ୍କୁ । କପଟ କରି ଆଉ କିଛି ଲୁଚେଇ ହେଉନି । ସୌହାର୍ଦ୍ଦ୍ୟ ଅପ୍ରାକୃତିକ, ପରସ୍ପରକୁ କୋଳାଗ୍ରତ କରିଥିବା ସୁହୃଦ ବି ଜାଣନ୍ତି । ଲୋକସଂଖ୍ୟାର ପ୍ରଭାବ ଆଧୁନିକ ରାଷ୍ଟ୍ରଶକ୍ତିରେ । ଅର୍ଥାତ୍ ଗଣତନ୍ତ୍ରରେ, ନେତୃତ୍ୱରେ ଓ ନୀତିରେ ।
ବର୍ତ୍ତମାନ ସମସ୍ତେ ଗଣତନ୍ତ୍ର, ୟୁରୋ- ଆମେରିକାନ ମଡେଲର । ଏହାର ବିକାଶ, ବିବର୍ତ୍ତନ ବା ପ୍ରଗତି ଆକଳିତ ହେବାର ଯେଉଁ ପଦ୍ଧତି ଆମେ ଜାଣୁ ତାହା ସେଇ ମଡେଲର ବିଚାର ପାଇଁ ବି ଉପଯୁକ୍ତ ନୁହେଁ, ଆମ କଥା ତ ଅତି ଜଟିଳ । ତାଙ୍କର ମଡେଲ ନିର୍ବାଚନ, ପ୍ରତିନିଧିତ୍ୱ, ନେତୃତ୍ୱ ଓ ନିରନ୍ତରତା ଏହିଭଳି କେତୋଟି ପରିସଂଖ୍ୟାନ ପ୍ରତିଶତ ଉପରେ ଆଧାରିତ । କ୍ଷୁଦ୍ର ସାମ୍ପଲ ସାଇଜରେ ବିରାଟ ଏକ ଦେଶକୁ ମାପିହେବ କିପରି । କ୍ଷୁଦ୍ର ସ୍କାଣ୍ଡିନେଭିଆନ ଦେଶ ଏ ହିସାବରେ ସବୁଠୁ ଭଲ, ସବୁଠୁ ସୁଖୀ, ସବୁଠୁ ସଫଳ । ଏତେ ବଡ଼ ମୂର୍ଖତା ଚାଲୁଚି କେମିତି? କେମିତି ଆମେ ତାଙ୍କର ତତ୍ତ୍ୱ ଓ ଆକଳନ ଗ୍ରହଣ କରି ବସିଚେ। ଆମର ବିପୁଳ ଲୋକସଂଖ୍ୟା, ତେଣୁ ସାମ୍ପଲ ଆକାରରେ ଆମ ସ୍ଥିତି ଜଣାପଡ଼ିବ କେମିତି । ପୁଣି ଆମର ମାନସ କ୍ଷେତ୍ର ଓ ଲୋକକ୍ଷେତ୍ର ବିବିଧତାମୟ । ଏଠି କୌଣସି ସାମ୍ପଲ ପ୍ରତିନିଧିମୂଳକ ନୁହେଁ । ମତବୈଚିତ୍ର୍ୟ ଓ ବହୁଳତାବୋଧ ଗଣତନ୍ତ୍ରର ଯେଉଁ ରୂପ ବିକଶିତ କରେ ତାହା ପାଶ୍ଚାତ୍ୟ ତତ୍ତ୍ୱ ଅନୁସାରେ କ୍ଷୁଦ୍ରକୁ ହିଁ ମାପେ, ବିରାଟ ତାର କଳ୍ପନାର ବାହାରେ ।
ଆକାରରେ ବଡ଼ ଆମେରିକାରେ ଲୋକ କାହାନ୍ତି, ଆମର ବିବିଧତା କାହିଁ? ଏମ.ଆଇ.ଟି.ର ସଂଖ୍ୟାଲଘୁ ବିଚାରରେ ବୈଚିତ୍ର୍ୟ ତିଷ୍ଠିଲା କୋଉଠି, ସବୁତ ଆମେରିକୀୟ ଅସ୍ତିତ୍ୱରେ ମିଳେଇଗଲେ । କହୁଚନ୍ତି କୁଆଡ଼େ ସଂଖ୍ୟାଲଘୁ ସମ୍ପ୍ରଦାୟ ତାଙ୍କ ମତ ପ୍ରତିଷ୍ଠାରେ ଆଗ୍ରହୀ । ମିଛ । କୋଉ ଭିନ୍ନମତ ପାଇଁ ସୁଯୋଗ ଅଛି? ସେଇ ଆମେରିକୀୟ ଅସ୍ତିତ୍ୱ ଭିତରେ ଯାହା ସମ୍ଭବ । ଧର୍ମ, ଜାତି, ସମ୍ପ୍ରଦାୟ, ଆସ୍ଥା, ବିଚାର, କ୍ଷେତ୍ର, ବୃତ୍ତି, ସଂସ୍କାର ଏସବୁ ପାଇଁ ଗଣତାନ୍ତ୍ରିକ ସୁଯୋଗ କାହିଁ? ଆମର ବହୁଦଳୀୟ ଗଣତନ୍ତ୍ର, କ୍ଷେତ୍ରୀୟ ଓ କେନ୍ଦ୍ରୀୟ ଉଭୟ ସ୍ତରର, ପୁଣି ଲୋକଚିନ୍ତା ବହୁସ୍ତରୀୟ । ଏହି ପରିପ୍ରେକ୍ଷୀରେ, ଭାରତର ଗଣତନ୍ତ୍ର ଏକମାତ୍ର ଗଣତନ୍ତ୍ର, ଯାହା ବିଶ୍ୱର ସବୁ ଗଣତନ୍ତ୍ରର ପ୍ରତିନିଧିତ୍ୱ କରିପାରେ ।
ଏଠି ଧନୀଙ୍କର, ଅଳ୍ପ ଧନୀଙ୍କର, ମଧ୍ୟବିତ୍ତଙ୍କର, ଚାକିରିଆଙ୍କର, ଶିଳ୍ପ ଶ୍ରମିକଙ୍କର, କୃଷି ଶ୍ରମିକଙ୍କର, କାରିଗରଙ୍କର, ସୂଚନାକର୍ମୀଙ୍କର, ଯନ୍ତ୍ରଚାଳକଙ୍କର, କଳାକାରଙ୍କର, ଶିକ୍ଷକଙ୍କର, ଓକିଲଙ୍କର, ଡାକ୍ତରଙ୍କର, ଛାତ୍ରଙ୍କର, ନାରୀଙ୍କର, ପୁରୁଷଙ୍କର, ଭିନ୍ନଲିଙ୍ଗୀଙ୍କର, ଓଃ ଏ ତାଲିକା ଲମ୍ବି ଚାଲିଥିବ, ସମସ୍ତଙ୍କର ପ୍ରଭାବ କ୍ଷେତ୍ର ଅଛି । ଏଠି ବଜାର ନୁହେଁ, ବିବେକ ଗଣତନ୍ତ୍ର ଚଳାଏ । ସେ ବିବେକ ସବୁ ମତର, ସବୁ ଆକାଂକ୍ଷାର, ସବୁ ଗୋଷ୍ଠୀର, ସବୁ ଆବଶ୍ୟକତାର । ବ୍ୟବସ୍ଥା ପରିଚାଳକ ସରକାର । ଏଠି ଆମର ଗୋଟିଏ ଯୋଗ୍ୟ, ସଚେତ, ଶିକ୍ଷିତ ସ୍ଥାୟୀ ଅମଲାତନ୍ତ୍ର ଅଛି । ଏଠି ସବୁ ଉତ୍ତରଦାୟିତ୍ୱ ସରକାରଙ୍କର । ଆମର ରାଜନୈତିକ ନେତୃସ୍ଥାନରେ ଥିବା ମନ୍ତ୍ରିପରିଷଦ ନୀତି ଅନୁସାରେ ମୁଖ୍ୟ ବା ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଶାସନ କରନ୍ତି ।
ଟ୍ରମ୍ପଙ୍କ ଭଳି ଜଣେ ରାଷ୍ଟ୍ରମୁଖ୍ୟ ଏ ଗଣତନ୍ତ୍ରରେ ସମ୍ଭବ ନୁହେଁ । ଏଠି ଜଣେ ଧନୀ ସ୍ୱେଚ୍ଛାଚାରୀ ବା ମତିଭ୍ରଷ୍ଟ ବ୍ୟକ୍ତି ଶାସନ ନିଜ ହାତକୁ ନେଇପାରିବ ନାହିଁ । ଏଠି କୌଣସି ଶାସକ ଦଳ ତାର ନେତାକୁ ଲଗାମଛଡ଼ା କରେନାହିଁ କି ଲୋକବିରୋଧୀ କାର୍ଯ୍ୟ କରିବାର ସୁଯୋଗ ଦିଏନାହିଁ । ସେ ଚିନ୍ତା କାହା ମନରେ ବି ନଥାଏ । ଆମର ଶାସକ ଅନୁଗତ ବା ଗୋଦି ମିଡିଆ ଗୋଟେ ସତର୍କ ବା ଅସନ୍ତୁଷ୍ଟ ଗୋଷ୍ଠୀର ପରିକଳ୍ପନା । ଏହା ଯେ ମିଡିଆରେ ପ୍ରସାରିତ ହେଉଚି, ଲୋକେ ନିରପେକ୍ଷତା ନାଁରେ ମିଡିଆ ହାଉସ୍ ବି ଖୋଲିଚନ୍ତି, ଏ କ’ଣ ପ୍ରମାଣ ନୁହେଁ ଯେ ଭାରତରେ ଗଣତନ୍ତ୍ର ମୁକ୍ତ? ସରକାର ବିରୋଧରେ ବିବୃତି କେବଳ ପ୍ରତିନିଧି ସଭା ନୁହେଁ, ଅତ୍ର-ତତ୍ର-ସର୍ବତ୍ର ସବୁଠି ସମ୍ଭବ ହେଉଚି, ଏ କ’ଣ କମ୍ ବଡ଼ କଥା? ଏ ସ୍ୱାଧୀନତା ଆଉ କେଉଁଠି ନାହିଁ ।
ଆମେରିକାର ମିଡିଆ ବିଷୟରେ ନକହିଲେ ଭଲ । ସବୁ ବଡ଼ କାଗଜ ଉଭୟ ଡିମୋକ୍ରାଟ ଓ ରିପବ୍ଲିକାନଙ୍କ ସହିତ ସ୍ୱତନ୍ତ୍ର ବୁଝାମଣା କରନ୍ତି । ଏମିତିକି ଡିମୋକ୍ରାଟ ଓ ରିପବ୍ଲିକାନଙ୍କ ଭିତରେ ବି ବୁଝାମଣା ଅଛି । ଏବେ ଏଲନ ମସ୍କଙ୍କ ପ୍ରସ୍ତାବିତ ଆମେରିକାନ ପାର୍ଟିକୁ ସଫଳ ନକରାଇବାର ବୁଝାମଣା କି ରଙ୍ଗ ନେବ ଆମେ ଦେଖିବା । ଇଏ ଗୋଟେ ରାଜନୈତିକ ବ୍ଲଫ୍ ବି ହୋଇପାରେ । ମୋଟ୍ ଉପରେ ଆମେରିକା ତାର ଗଣତନ୍ତ୍ରକୁ ବଢ଼େଇ ଚଢ଼େଇ ଯୋଉ ଯାଏଁ ଆଣିଲା, ଆଣିଲା । ଏବେ ଆକଳନ ବାକି ବିଶ୍ୱ ହାତରେ । ଆମର ଆମେରିକା ନିଶା ଆଉ ନାହିଁ । ଆମ ପିଲାମାନେ ଆଉ ଆମେରିକାରେ ସନ୍ତୁଷ୍ଟ ନୁହଁନ୍ତି । ବହୁମୁଖୀ ମିଥ୍ୟାର ଦୁର୍ଗ ପତନ ଦୁର୍ବଳ ଭିତ୍ତିଭୂମି ଯୋଗୁଁ । ଆମର ଗଣତାନ୍ତ୍ରିକ ଭିତ୍ତିଭୂମି ଆଉ କାହାର ନାହିଁ । ଆମର ବୁଦ୍ଧିଜୀବୀ ମଧ୍ୟବର୍ଗ ବିଶ୍ୱରେ ଶ୍ରେଷ୍ଠ । ସେମାନେ ଏବେ ଶାସନ, ଅର୍ଥନୀତି, ନ୍ୟାୟପାଳିକା, ବ୍ୟବସ୍ଥାପକ ସଭା ସହିତ ଆସ୍ଥା, ବଜାର, କଳା ଓ ଲୋକମାନସର ବିସ୍ତୃତ କ୍ଷେତ୍ରରେ ସକ୍ରିୟ । ସେହି ଅଦୃଶ୍ୟ ନାଗରିକ ଶକ୍ତି ଭାରତୀୟ ଗଣତନ୍ତ୍ରର ପୁଞ୍ଜି । ଭାରତୀୟ ପୁଞ୍ଜିବାଦ ବୁଦ୍ଧି ଓ ବିବେକର । ନିର୍ବୁଦ୍ଧିଆ, ଅବିବେକୀ ଏଠି ଲୋକକ୍ଷେତ୍ରରେ ନାହାନ୍ତି । ଚୀନ ଓ ଋଷ କଥା ନକହିଲେ ଚଳିବ ।
ଋଷ ସହିତ ଆମର ମିତ୍ରତା ଥିଲା, ଯେତେବେଳେ ସଂଘୀୟ ଋଷରେ ବିଚାରଧାରା ଥିଲା । ଚୀନ ସହିତ ଆମର ବିନିମୟ ଥିଲା ବିଶାଳ ବୌଦ୍ଧିକ ପରମ୍ପରାର, ସିଏ ନଷ୍ଟ ହୋଇଗଲା । ଧର୍ମର ଅଫିମଠାରୁ ବଡ଼ ହେଇଗଲା ସାମ୍ୟବାଦର ଅଫିମ । ମାଓଙ୍କ ଲାଲକିତାବ ହୋଇଗଲା ଜୀବନ ନିର୍ଦ୍ଧାରକ ଶାସ୍ତ୍ର । ଏବେ ଚୀନ ବସ୍ତୁନିର୍ମାଣରେ ଅଗ୍ରଣୀ, କିନ୍ତୁ ପ୍ରାୟୋଜିତ ବିଜ୍ଞାନର ପରିଣାମ ଆମେ ଭୋଗୁଚେ । ଆପଣ କ’ଣ ଭାବୁଚନ୍ତି ଚୀନ ଆମର ମିତ୍ର ରାଷ୍ଟ୍ର? ଚୀନ ଭାରତକୁ ଈର୍ଷା କରେ, ଭାରତ ସହିତ ତାର ଦ୍ରୋହାଚାର ବହୁ ପୁରୁଣା । ଯଦି ବ୍ରିକ୍ସ ବା ରିକ୍ସ ବା ସେହିଭଳି କିଛି ଅନୁଷ୍ଠାନ ହୁଏ, ତାର ନେତୃତ୍ୱ ନେବେ ଚୀନ ବା ଋଷ, ଭାରତ ନୁହେଁ । ଏମାନଙ୍କ କବଳରେ ପଡ଼ି ଭାରତ ନଷ୍ଟ ହେଇଯିବ । ପ୍ରଭୁତ୍ୱର କ୍ଷେତ୍ରୀୟ ଲଢ଼େଇରେ ବଳି ପଡ଼ିଯିବ । ସେମାନେ ଭାରତକୁ ଅକାମି କରିଦେବେ ।
ନୂଆ ପ୍ରଭୁତ୍ୱ ନୀତିର, ବିବେକର, ବିକାଶର । ଏବେ ଶ୍ରୀ ମୋଦି ଓ ଶ୍ରୀ ଜୟଶଙ୍କର ଯେଭଳି ଭାରତୀୟ ନେତୃତ୍ୱକୁ ଉପସ୍ଥାପିତ କରିପାରୁଚନ୍ତି, ତାହା ସମ୍ଭବ ହେବନାହିଁ, ଯଦି ଭାରତ ଚୀନ ଓ ଋଷ ସହିତ ମିଶି ଏକ ପ୍ରତିସ୍ପର୍ଦ୍ଧି ଶକ୍ତିର ଅଂଶ ହୁଏ । ଏକେ ତ ଏ ଶକ୍ତିକେନ୍ଦ୍ର ବିଶ୍ୱକୁ ପରିଚାଳିତ କରିପାରିବ ନାହିଁ । ଦ୍ୱିତୀୟରେ ଆମେରିକା ଓ ୟୁରୋପ ସହିତ ଦୀର୍ଘକାଳୀନ ପ୍ରତ୍ୟକ୍ଷ ଶତ୍ରୁତା ଭାରତ ପାଇଁ ଲାଭପ୍ରଦ ହେବନାହିଁ । ବ୍ରାଜିଲ, ୟୁରୋପୀୟଙ୍କ ଛାୟା ରାଷ୍ଟ୍ର, ତାଙ୍କ ଭାଷା ପର୍ତ୍ତୁଗୀଜ, ପର୍ତ୍ତୁଗାଲ ଗୋଟିଏ ପୂର୍ବତନ ସମ୍ରାଜ୍ୟବାଦୀ ୟୁରୋପୀୟ ଦେଶ । ସେମାନେ ୟୁରୋପ ଛାଡ଼ି ଚୀନ ଓ ଭାରତ ସାଙ୍ଗେ ମିଶିବେ? ଅସମ୍ଭବ । ବ୍ରିକ୍ସ ସକ୍ଷମ ଗୋଷ୍ଠୀ ବନ୍ଧନରେ ପରିଣତ ହେବନାହିଁ ।
ୟୁକ୍ରେନ ସହିତ ଯୁଦ୍ଧ ଜାରି ରଖିବା ଭିତରେ ଋଷ ଭିତରେ ଭିତରେ ଦୁର୍ବଳ ହେଇଚାଲିଚି । କିନ୍ତୁ ଆମେରିକା ୟୁକ୍ରେନକୁ ୟୁରୋପ କୋଳରେ ବସେଇଦେଇ ମୁକ୍ତ ହେବାକୁ ଚାହେଁ । ପରିଶେଷରେ ୟୁକ୍ରେନ ଓ ଋଷ ତାଙ୍କ ବନ୍ଦୋବସ୍ତ କରିନେବେ । ଭାଇ-ଭାଇ ସମ୍ପର୍କ । ଆମର ହିନ୍ଦୀ-ଚୀନୀ ଭାଇ-ଭାଇ ଛଳନା । ୟୁରୋପୀୟମାନେ ବିନା ଆମେରିକାରେ ଖୁସି । ସମସ୍ୟା କେବଳ ଆମେରିକାରେ ନିବେଶ ହୋଇଥିବା ତାଙ୍କ ପୁଞ୍ଜିର ସୁରକ୍ଷା । ଶେଷରେ ଏଇଆ ହେବ ଯେ ଡିମୋକ୍ରାଟମାନେ ୟା’ପରେ ନିର୍ବାଚନ ଜିତିବେ ଓ ଶକ୍ତି ସମୀକରଣ ବଦଳିବ । ସ୍ଥିତି ପୂର୍ବ ଅବସ୍ଥାକୁ ଫେରିଲା ବେଳକୁ ସେଇ ଚୀନ, ଋଷ ଓ ବ୍ରାଜିଲ ମୁହଁ ବୁଲେଇ ଦେବେ । ବ୍ରିକ୍ସ ବା ରିକ୍ସ ଆଲୋଚନା ସଭାରେ ପରିଣତ ହେବେ । କେହି କାହାର ହେବେନାହିଁ ।
ମୋଟ୍ ଉପରେ ଭାରତର ପ୍ରାକୃତିକ ବନ୍ଧୁ କେହି ନାହାନ୍ତି, ଏମିତିକି ହିନ୍ଦୁ ବା ବୌଦ୍ଧ ଧର୍ମ ବି ନେପାଳକୁ ଆମ ସହିତ ବାନ୍ଧିପାରିନି । ଭାରତର ବୌଦ୍ଧ ପରମ୍ପରା ଦକ୍ଷିଣ- ପୂର୍ବ ଏସିଆକୁ ନିଜର କରିପାରିନାହିଁ । ଗୋଷ୍ଠୀବନ୍ଧିତ ବନ୍ଧୁ ସୁଯୋଗବାଦୀ ।
ହଁ, ପୂର୍ବ ଗୋଲାର୍ଦ୍ଧ ଏକାଠି ହେଲେ ପଶ୍ଚିମ ଗୋଲାର୍ଦ୍ଧରେ ଆମେରିକା ଏକା ହୋଇଯିବ । ଲାଟିନ ଆମେରିକାର ଅର୍ଥନୀତି ଆମେରିକା ନିର୍ଭର, କିନ୍ତୁ ତାଙ୍କର ହୃଦବନ୍ଧନ ଭାଷାରେ, ୟୁରୋପକୁ ଛାଡ଼ିପାରିବେ ନାହିଁ । ଆଫ୍ରିକା ବରାବର ଅସୁବିଧାରେ ରହିବ, କିନ୍ତୁ ଶେଷରେ ଆମେରିକା ସହିତ ଭାଗ୍ୟ ଯୋଡ଼ିବ । ନିଷ୍କର୍ଷ ଏହି ଯେ ଭାରତ ଏବେ ତାର ଶ୍ରେଷ୍ଠତମ ପତିଆରା ସହିତ ବିଶ୍ୱମଞ୍ଚରେ ଭୂମିକା ନିର୍ବାହ ପାଇଁ ପ୍ରସ୍ତୁତ । କିନ୍ତୁ ନାଟକରେ ନୂଆପାତ୍ରକୁ ନାୟକ ଭୂମିକା ଦେବ କିଏ? କିଏ ନାୟକତ୍ୱ ଛାଡ଼ିବ?
ଭାରତର ପ୍ରାଚୀନତା, ସଭ୍ୟତା, ସଂସ୍କାର, ମେଧା, ଯୁବଶକ୍ତି ଓ ରାଷ୍ଟ୍ରବାଦ ଭାରତକୁ ଏକା ଚାଲିବା ପାଇଁ ପ୍ରଚୁର ସାମର୍ଥ୍ୟ ଦେଇଚନ୍ତି । ରାଜନୈତିକ ନେତୃତ୍ୱ ମଜଭୁତ, ଗଣତନ୍ତ୍ର ପୂର୍ଣ୍ଣ କାର୍ଯ୍ୟକ୍ଷମ, ଆର୍ଥିକ ସ୍ଥିତି ସକାରାତ୍ମକ, ରାଷ୍ଟ୍ରର ସ୍ୱାଭିମାନୀ ଭାବମୂର୍ତ୍ତି ଓ ସଂକଳ୍ପର ଦୃଢ଼ତା ବିଶ୍ୱବିଦିତ । ଏଭଳି ସମୟରେ ବିଦେଶ ନୀତି କୂଟରେ ପରିଣତ ନହେଉ । ନିରପେକ୍ଷ, ସମର୍ଥ, ବିଜ୍ଞ ଓ ଶାନ୍ତିକାମୀ ଭାରତର ସମ୍ପନ୍ନ ରୂପ ହେବ ଭାରତୀୟଙ୍କ ଗର୍ବ ଓ ଗୌରବ । କୂଟନୀତି ବାମ ହାତରେ ଥାଉ, ଡାହାଣ ହାତରେ କରମର୍ଦ୍ଦନ । ମିଛ କହିବା, ଠକିବା, ବିଶ୍ୱାସଘାତକତା କରିବା ଭାରତ ଭଳି ଏକ ସଭ୍ୟତାସମ୍ପନ୍ନ ଦେଶକୁ ଶୋଭା ପାଏନି । ଭାରତୀୟମାନେ ବି ୟାକୁ ଭଲପାଆନ୍ତି ନାହିଁ । ନିଜର ସ୍ୱତନ୍ତ୍ରତା, ଜ୍ଞାନଗାରିମା, ସାଂସ୍କୃତିକ ଉଦାରତା, ସହନଶୀଳ ବହୁଳତାବାଦ, ଯୁଦ୍ଧସାମର୍ଥ୍ୟ ସହିତ ଶାନ୍ତିପାଠ, ଭାରତକୁ ବିଶ୍ୱର ନୈତିକ ନେତୃତ୍ୱ ଆପେ ଦେଇଦେବ । ଭାରତର ବନ୍ଧୁ ଭାରତ, ସେଇ ହେବ ଭାରତୀୟ ରାଷ୍ଟ୍ରୀୟତାର ତର୍କ ନିଜ ସପକ୍ଷରେ ।