ସିନ୍ଧୁଜଳ ଚୁକ୍ତିକୁ କାର୍ଯ୍ୟରହିତ କରିବା  ସ୍ୱାଭାବିକ କୂଟନୀତିଠାରୁ ଭିନ୍ନ । ଏହା  ବିକଶିତ ଭାରତ-୨୦୪୭ ଲକ୍ଷ୍ୟ  ହାସଲ କରିବା ନିମନ୍ତେ ଭାରତର ଦୃଢ଼  ସଂକଳ୍ପ । ଏହି ଜଳ ଉପରେ ନିଜର  ନିୟନ୍ତ୍ରଣକୁ ପୁଣିଥରେ ଦାବି କରି  ଭାରତ ନିଜର ଜଳବାୟୁ ସହନଶୀଳ  ସଂସାଧନକୁ ଆଗେଇ ନେଇପାରିବ । ଏଥିସହିତ ଜଳସେଚନ ସୁଦୃଢ଼ୀକରଣ  ଏବଂ ଶିଳ୍ପ ବିକାଶକୁ ମଧ୍ୟ ଏହା  ପ୍ରୋତ୍ସାହନ ଯୋଗାଇବ । ଭାରତକୁ  ଏକ ବିକଶିତ ରାଷ୍ଟ୍ରରେ ପରିଣତ  କରିବା ଦିଗରେ ଏହା ଏକ ଶକ୍ତିଶାଳୀ ସାଧନ ।


ଭାରତରେ ମୌସୁମୀ ଶବ୍ଦ ଲୋକମାନଙ୍କ ମନରେ ଉତ୍ସାହ ଏବଂ  ଗୌରବ ସୃଷ୍ଟି କରିଥାଏ । ଏହା ନବସୃଜନ, ନବଜାଗରଣର  ପ୍ରତୀକ ଏବଂ ରାଷ୍ଟ୍ରର ଆର୍ଥିକ ଇଞ୍ଜିନକୁ ଏହା ତତ୍କାଳ ଶକ୍ତିପ୍ରଦାନ  କରିଥାଏ । ଭାରତର ଭୌଗୋଳିକ ସୁବିଧା, ଯାହାକି ବିପୁଳ ବୃଷ୍ଟିପାତ  ଦ୍ୱାରା ପୁଷ୍ଟ ଏବଂ ଅସଂଖ୍ୟ ନଦୀନାଳ ଏହାକୁ ବିତରିତ କରିଥାନ୍ତି, ତାହା ଦେଶକୁ ଜଳସମ୍ପଦ ଦାନ କରିଥାଏ । ଏହା ହେଉଛି ପ୍ରଗତିର  ଋତୁ ଏବଂ ଯେତେବେଳେ ଏହା ସ୍ୱାଧୀନତା ଦିବସ ଉତ୍ସବ ପାଳନ  ସହିତ ମିଳିତ ହୋଇଥାଏ ତାହା ଦେଶପ୍ରେମର ଏକ ଅଭିନବ  ଭାବନା ପ୍ରସାରିତ କରିଥାଏ । ନୂଆଦିଲ୍ଲୀର ଲାଲକିଲ୍ଲା ମଞ୍ଚ ଉପରୁ  ପ୍ରଧାନମନ୍ତ୍ରୀଙ୍କ ଜାତି ଉଦ୍ଦେଶ୍ୟରେ ଉଦ୍‌ବୋଧନ ପୁଣିଥରେ ଦେଶର  ନାଗରିକମାନଙ୍କ ଆଶା ଆକାଂକ୍ଷାର ନୀଳନକ୍ସାକୁ ଉପସ୍ଥାପନ କରିଛି ।  ଏହା ବିକଶିତ ଭାରତ ନିର୍ମାଣର ବୃହତ୍ତମ ଲକ୍ଷ୍ୟକୁ ଅଧିକ  ସୁଗମ କରିଛି । 

ପ୍ରଥମତଃ, ସଂସଦର ଚଳିତବର୍ଷର ମୌସୁମୀ  ଅଧିବେଶନ ସ୍ୱତନ୍ତ୍ର ଥିଲା । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି  ଅଧିବେଶନ କାଳରେ ଭାରତର ଗୌରବକୁ ଉପସ୍ଥାପନ  କରିବାର ଅବସର ବୋଲି ବର୍ଣ୍ଣନା କରିଥିଲେ । ଭାରତର  ବୀର ଯବାନମାନେ ଅପରେସନ ସିନ୍ଦୂରର ସଫଳତା  ସହ ପାକିସ୍ତାନ ଦ୍ୱାରା ପ୍ରେରିତ ଆତଙ୍କବାଦୀମାନଙ୍କ  ଉପରେ ନିର୍ଣ୍ଣାୟକ ପ୍ରହାର କରିଥିଲେ । ଏହାର ପରିଣାମ  ସ୍ୱରୂପ ସିନ୍ଧୁ ଜଳଚୁକ୍ତିକୁ ଭାରତ ତୁରନ୍ତ ବାତିଲ କରିଥିଲା, ଯାହାକି  ଭାରତର ଦୃଢ଼ ଇଚ୍ଛାଶକ୍ତିର ପ୍ରମାଣ । ଏହା ଦେଶର ଭାବନାରେ ଏକ  ଅଲିଭା ଗାର ହୋଇ ରହିଛି । ତଥାପି ସବୁ ପ୍ରସଙ୍ଗ ଉପରେ ସରକାର  ଆଲୋଚନା କରିବାକୁ ପ୍ରସ୍ତୁତ ଥିବା ସତ୍ତେ୍ୱ ବିରୋଧୀପକ୍ଷ ଏଥିରେ  ପ୍ରତିରୋଧ କରିବା ଲାଗି ନିଷ୍ପତ୍ତି ନେଇଥିଲା । 

କଂଗ୍ରେସର ପୁରୁଣା ଅଭ୍ୟାସ ହେଉଛି ଜାତୀୟ ସ୍ୱାର୍ଥକୁ ଜଳାଞ୍ଜଳି  ଦେଇ ନିଜ ସ୍ୱାର୍ଥସାଧନ । ଦୀର୍ଘଦିନରୁ ଏହି ସମସ୍ୟାକୁ ଦେଶ ମୁଣ୍ଡାଇ  ଆସିଛି । ଦୁଃଖଦ ଦେଶ ବିଭାଜନ ଥିଲା ନେହେରୁଙ୍କ କୂଟନୀତିର  ସବୁଠାରୁ ବଡ଼ ବିଫଳତା । ଇତିହାସ ଏହା ସୂଚାଏ ଯେ କିପରି  ଭାବେ ଏହି ନିଷ୍ପତ୍ତି ଭାରତୀୟ ଚିନ୍ତାଧାରାକୁ ଦୁର୍ବଳ କରିଦେଇଥିଲା ।  ଯଦି ଆମେ ସିନ୍ଧୁ ଜଳଚୁକ୍ତି (୧୯୬୦)କୁ ନିର୍ଦ୍ଦିଷ୍ଟ ଭାବେ ବିଚାର  କରି ଦେଖିବା ତେବେ ସେଥିରୁ ସୂଚନା ମିଳେ, ଏହା ତୁଷ୍ଟିକରଣ  ଏବଂ ଅତିମାତ୍ରାରେ ଦୟାଶୀଳତାର ଏକ କାହାଣୀ ଥିଲା, ଯାହାକି  ଭାରତର ବିକାଶ ଏବଂ ଭାରତୀୟ ନାଗରିକଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ  ସ୍ୱାକ୍ଷରିତ ହୋଇଥିଲା । ଏହା ଦ୍ରୁତଭାବେ ରାଷ୍ଟ୍ରର ବିକାଶ ସମ୍ଭାବନାକୁ  ହାନି ପହଞ୍ଚାଇଥିଲା। ଏହା ଅତି ଦୁଃଖଦ ଘଟଣା ଯେ, ଭାରତର  ଏଭଳି ବିକାଶମୂଳକ ତ୍ୟାଗ ରାଜନୈତିକ ହିସାବକିତାବ ଅନୁସାରେ  କରାଯାଇଥିଲା ଏବଂ ଆମ ନିଜ ନାଗରିକଙ୍କ କଲ୍ୟାଣ ପରିବର୍ତ୍ତେ ତାହା  ପାକିସ୍ତାନର ସ୍ୱାର୍ଥକୁ ଅଧିକମାତ୍ରାରେ ପୂରଣ କରୁଥିଲା । 

ଏହାର ମୂଳରେ ରହିଛି ବିଶ୍ୱବ୍ୟାଙ୍କ ମଧ୍ୟସ୍ଥତାରେ କରାଯାଇଥିବା  ଚୁକ୍ତିନାମା, ଯାହା ସିନ୍ଧୁନଦୀ ବ୍ୟବସ୍ଥାରୁ ସଂଗୃହୀତ ଜଳ ଯାହାକି  ମୁଖ୍ୟତଃ ଭାରତରୁ ହିଁ ସଂଗୃହୀତ, ତାହା ବିପୁଳ ଭାବେ ପାକିସ୍ତାନକୁ  ପ୍ରଦାନ କରାଯାଉଥିଲା । ଏହାର ଅନୁପାତ ଥିଲା ୮୦:୨୦ । ଭାରତ  ଏହାଫଳରେ ପଶ୍ଚିମାଞ୍ଚଳର ନଦୀ- ସିନ୍ଧୁ, ଚେନାବ ଓ ଝେଲମର  ବିପୁଳ ଜଳ ଉପରେ ନିଜର ନିୟନ୍ତ୍ରଣ ହରାଇବାକୁ ବାଧ୍ୟ ହୋଇଥିଲା ।  ଏହି ଜଳ ଯଦି ଭାରତର ପଞ୍ଜାବ, ହରିଆଣା, ରାଜସ୍ଥାନ ଓ ଗୁଜରାଟର  ମରୁଡ଼ି ପ୍ରପୀଡ଼ିତ ଜଳକ୍ଳିଷ୍ଟ ବିଶାଳ କ୍ଷେତ୍ରକୁ ବିତରିତ କରାଯାଇଥାନ୍ତା  ତେବେ ବର୍ତ୍ତମାନ ଦୃଶ୍ୟପଟ୍ଟ ବଦଳି ସାରିଥାନ୍ତା । ଯଦି ଜାତୀୟ ସ୍ୱାର୍ଥକୁ  ସୁରକ୍ଷିତ ରଖାଯାଇଥାନ୍ତା ଏବଂ ଜଳ ସଂସାଧନର ସୁପରିଚାଳନା  କରାଯାଇଥାନ୍ତା, ତେବେ ତାହା ଏହି କ୍ଷେତ୍ରର ସମଗ୍ର ବିକାଶ  ପରିଦୃଶ୍ୟକୁ ସୁଦୃଢ଼ କରିଥାନ୍ତା ।

 କିନ୍ତୁ ଏଭଳି ଗୁରୁତ୍ୱପୂର୍ଣ୍ଣ ତ୍ୟାଗପାଇଁ ଯେଉଁ ଆଶା କରାଯାଉଥିଲା  ତାହା କୂଟନୈତିକ ମାପକ ଦର୍ପଣରେ କେବଳ ମରୀଚିକା ବୋଲି  ସାବ୍ୟସ୍ତ ହୋଇଥିଲା । ଏହି ଚୁକ୍ତିନାମାର ସର୍ତ୍ତାବଳୀ ଦେଶର  ଉଦ୍‌ବେଗକୁ ଆହୁରି ବଢ଼ାଇ ଦେଇଥିଲା । ୧୯୬୦ ମସିହା ସେପ୍ଟେମ୍ବର  ୧୯ ତାରିଖ ଦିନ ସ୍ୱାକ୍ଷରିତ ଏହି ଚୁକ୍ତିକୁ ଦୁଇମାସ ପରେ ସେହିବର୍ଷ  ନଭେମ୍ବର ମାସରେ ସଂସଦ ନିକଟରେ ଉପସ୍ଥାପନ କରାଯାଇଥିଲା ।  ସେତେବେଳେ ମଧ୍ୟ ମାତ୍ର ଦୁଇଘଣ୍ଟା ପାଇଁ ସାଙ୍କେତିକ ଭାବେ ଏହା  ଉପରେ ଆଲୋଚନା ହୋଇଥିଲା । ଯେତେବେଳେ ଏହି ଚୁକ୍ତିର  ବାସ୍ତବତା ସଂପର୍କରେ ଲୋକମାନେ ଅବଗତ ହେଲେ ସେତେବେଳେ  ଦେଶର ପ୍ରମୁଖ ସମ୍ବାଦପତ୍ର ସେମାନଙ୍କ ଶିରୋନାମାରେ ଏଥିଘେନି  ପ୍ରତିକୂଳ ମନ୍ତବ୍ୟ ଥିବା ସମ୍ବାଦମାନ ପ୍ରକାଶ କରିଥିଲେ । କାରଣ  ଚୁକ୍ତିନାମାର ବିଭିନ୍ନ ସର୍ତ୍ତକୁ ତର୍ଜମା ପରେ ଏଭଳି ଆଶଙ୍କା ଉତ୍ପନ୍ନ  ହୋଇଥିଲା । ସଂସଦର ଏଭଳି ତ୍ୱରିତ ସ୍ୱୀକୃତି ଯାହାକି ଗୁରୁତର  ପ୍ରଶ୍ନମାନ ଉତ୍ପନ୍ନ କରିଥିଲା । ଏହାକୁ ଗଣତାନ୍ତ୍ରିକ ଅଣଦେଖା, ସ୍ୱଚ୍ଛତାର  ଅଭାବ ଏବଂ ତତ୍କାଳୀନ ନେତୃତ୍ୱଙ୍କ ମନୋଭାବକୁ ସ୍ପଷ୍ଟ କରେ ।  ଏଭଳି ସୀମିତ ସଂସଦୀୟ ତର୍ଜମା ସତ୍ତେ୍ୱ ସିନ୍ଧୁଜଳ ଚୁକ୍ତି ଭାରତର  ସଂସଦରେ ବ୍ୟାପକ ବିରୋଧାଭାଷର ସମ୍ମୁଖୀନ ହୋଇଥିଲା ।  ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳବିହାରୀ ବାଜପେୟୀ ସେତେବେଳେ  ଜଣେ ଯୁବ ସାଂସଦ ଥିଲେ । ସେ ପ୍ରଧାନମନ୍ତ୍ରୀ ନେହେରୁଙ୍କ ଯୁକ୍ତିରେ  ସତର୍କ କରାଇ ଦେଇ କହିଥିଲେ, ପାକିସ୍ତାନର ଅଯୌକ୍ତିକ ଦାବିକୁ  ମାନିନେବା ଦେଶପାଇଁ ଆଦୌ ଶୁଭଙ୍କର ନୁହେଁ । ଏଭଳି ବନ୍ଧୁତା ଓ  ସୌହାର୍ଦ୍ଦ୍ୟପୂର୍ଣ୍ଣ ମନୋଭାବ ପ୍ରଦର୍ଶନ ମୂଳତଃ ତ୍ରୁଟିଯୁକ୍ତ । 

୧୯୬୦ ମସିହା ନଭେମ୍ବର ୩୦ ତାରିଖ ଦିନ ସଂସଦରେ  ହୋଇଥିବା ଆଲୋଚନା ଦର୍ଶାଏ ଯେ, ଏହି ଚୁକ୍ତି ଦଳମତ  ନିର୍ବିଶେଷରେ ସମସ୍ତଙ୍କ ଦ୍ୱାରା ସମାଲୋଚିତ ହୋଇଥିଲା । ସରକାରଙ୍କ  ଏଭଳି ତୁଷ୍ଟିକରଣ ଏବଂ ପାକିସ୍ତାନ ନିକଟରେ ଆତ୍ମସମର୍ପଣ କରିବା  ଭଳି ନିଷ୍ପତ୍ତିକୁ ଅଧିକାଂଶ ସଦସ୍ୟ କଟୁ ସମାଲୋଚନା କରିଥିଲେ ।  ଏହାଦ୍ୱାରା ଭାରତର ବୃହତ୍ତର ସ୍ୱାର୍ଥହାନି ଘଟୁଛି ବୋଲି ସେମାନେ ମତପୋଷଣ କରିଥିଲେ । ରାଜସ୍ଥାନର ତତ୍କାଳୀନ କଂଗ୍ରେସ ସାଂସଦ  ହରିଶ ଚନ୍ଦ୍ର ମାଥୁର, ଅଶୋକ ମେହେଟ୍ଟା, ଏ.ସି. ଗୁହା, କମ୍ୟୁନିଷ୍ଟ ଦଳର ସାଂସଦ କେ.ଟି.କେ. ତଙ୍ଗମଣି, ସର୍ଦ୍ଦାର ଇକବଲ ସିଂ,  ବ୍ରଜରାଜ ସିଂ, ନିର୍ଦ୍ଦିଷ୍ଟ ଭାବେ ସେମାନଙ୍କର ହୃଦୟର ଉଦ୍‌ବେଗ  ପ୍ରକଟ କରିଥିଲେ ଏବଂ ଏଭଳି ଜଳ କୂଟନୀତିର ପରିଣାମ ବିଫଳ  ହେବ ବୋଲି ସତର୍କ କରାଇ ଦେଇଥିଲେ । ସାମଗ୍ରିକ ଭାବେ ଏହି  ଚୁକ୍ତିନାମାକୁ ନିମ୍ନମତେ କୁହାଯାଇପାରେ- "ଗୋଟିଏ ପକ୍ଷ ଦେଉଛି,  ଏହା ଦେଣ-ନେଣ ନୁହେଁ ।'

ଏହି ପରିପ୍ରେକ୍ଷୀରେ ଲୋକସଭାରେ  ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନେହରୁ ଆଶ୍ଚର୍ଯ୍ୟଜନକ ଭାବେ  ଅନ୍ୟମାନଙ୍କୁ ପ୍ରଶ୍ନ କରିଥିଲେ ଏବଂ ମାନ୍ୟବର ସାଂସଦମାନଙ୍କ ପ୍ରଜ୍ଞା  ଓ ଆଶଙ୍କାକୁ ଅଣଦେଖା କରିଥିଲେ । ସେ ଉତ୍ତର ଦେଇ କହିଥିଲେ  ଯେ ସଂସଦୀୟ ସମାଲୋଚନା ବାସ୍ତବ ତଥ୍ୟ ଏବଂ ଏଥିରେ ନିହିତ  ଥିବା ଚିନ୍ତାଧାରା ସଂପର୍କରେ ବୋଧଶକ୍ତିର ଅଭାବ ଉପରେ ଆଧାରିତ ।  ସେ (ନେହରୁ) ଆହୁରି କହିଥିଲେ ଯେ "ମୁଁ ବିଚଳିତ ଯେ ଏଭଳି  ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ, ଯାହାକି କେବଳ ବର୍ତ୍ତମାନ ପାଇଁ ଅଭିପ୍ରେତ  ନୁହେଁ, ଭବିଷ୍ୟତ ପାଇଁ ମଧ୍ୟ ଉଦ୍ଦିଷ୍ଟ । ଏହାକୁ ଏଭଳି ସମାଲୋଚନା  ଦୃଷ୍ଟିରେ ବିବେଚନା କରାଯାଉଛି ।

 ଏହି ଚୁକ୍ତି ଭାରତର ସ୍ୱାର୍ଥକୁ ଖିନଭିନ୍‌ କରିଦେଇଥିଲା ଏବଂ  ପାକିସ୍ତାନ ପାଇଁ ଏହା ଥିଲା ଏକ ନିର୍ଣ୍ଣାୟକ ମାଇଲଖୁଣ୍ଟ । ପାକିସ୍ତାନୀ  ନେତା ଆୟୁବ ଖାନ୍‌ ଏକ ଜନଉଦ୍‌ବୋଧନରେ ଏକଥା ସ୍ୱୀକାର  କରିଥିଲେ ଯେ, ଏହି ଚୁକ୍ତିର ଆଇନସିଦ୍ଧତା ଏବଂ ସୁବିଧା ପାକିସ୍ତାନ  ବିରୁଦ୍ଧରେ ଯାଉଛି । କିନ୍ତୁ ନେହରୁଙ୍କ କୂଟନୈତିକ ବିଫଳତା ଯୋଗୁଁ  ଏହା ପାକିସ୍ତାନକୁ ଅଧିକ ସୁବିଧା ପ୍ରଦାନ କରୁଛି । 

ନିରଞ୍ଜନ ଡି. ଗୁଲାପି ତାଙ୍କର ପୁସ୍ତକ "ସିନ୍ଧୁଜଳ ଚୁକ୍ତି:  ଅନ୍ତଃରାଷ୍ଟ୍ରୀୟ ମଧ୍ୟସ୍ଥତା'ରେ ୧୯୬୦ ମସିହା ଫେବ୍ରୁଆରୀ ୨୮  ତାରିଖ ଦିନ ଉଲ୍ଲେଖ କରିଥିଲେ ଯେ ପ୍ରଧାନମନ୍ତ୍ରୀ ନେହରୁ ନିଜେ  ଏହି ବିଫଳତାକୁ ସ୍ୱୀକାର କରିଥିଲେ । ସେ କହିଥିଲେ ‘ମୁଁ ଆଶା  କରିଥିଲି ଯେ ଏହି ରାଜିନାମା ଅନ୍ୟାନ୍ୟ ସମସ୍ୟା ଭଳି ସମାଧାନ  ପାଇଁ ପଥ ଉନ୍ମୋଚନ କରିବ । କିନ୍ତୁ ଆମେ ଯେଉଁଠି ଥିଲୁ ସେଇଠି  ରହିଯାଇଛୁ' । ୧୯୬୨ ମସିହା ଫେବ୍ରୁଆରୀ ମାସରେ ୱାଶିଂଟନ  ପୋଷ୍ଟକୁ ଏକ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ ନେହରୁ ସିନ୍ଧୁ  ଜଳଚୁକ୍ତି ସ୍ୱାକ୍ଷରକୁ "ପ୍ରଗତିପଥରେ ଏକ ବିରାଟ ପଦକ୍ଷେପ ଏବଂ  ବାସ୍ତବତା ଦୃଷ୍ଟିରୁ କ୍ଷେତ୍ରୀୟ ପ୍ରସଙ୍ଗ (କାଶ୍ମୀର)ଠାରୁ ଢେର୍‌ ଅଧିକ  ଗୁରୁତ୍ୱପୂର୍ଣ୍ଣ’ ବୋଲି କହିଥିଲେ । 

ସ୍ପଷ୍ଟ ଚେତାବନୀ ସତ୍ତେ୍ୱ କଂଗ୍ରେସ ନେତୃତ୍ୱ ଶାନ୍ତି ଏବଂ  ଆନ୍ତର୍ଜାତିକ ସ୍ୱୀକୃତି ପାଇବା ଲାଳସାରେ ଭାରତର ଦୀର୍ଘକାଳୀନ ଜଳ  ନିରାପତ୍ତା ଓ ସମୃଦ୍ଧିକୁ ଜଳାଞ୍ଜଳି ଦେଇଥିଲେ । ଏଭଳି ତୁଷ୍ଟୀକରଣ  ନୀତି ପ୍ରତିକୂଳ ଜାତୀୟ ପ୍ରଗତି ପ୍ରତି ବିବିଧ ଦୃଷ୍ଟିରୁ ହାନିକାରକ  ସାବ୍ୟସ୍ତ ହୋଇଥିଲା । ଯୁଦ୍ଧ ଏବଂ ନିରନ୍ତର ଭାବେ ସୀମାନ୍ତ ଅଶାନ୍ତି  ଭଳି ଦୁର୍ଭାଗ୍ୟକୁ ଏହା ଡାକି ଆଣିଥିଲା । ଏଭଳି ଜଟିଳ ଜଳବଣ୍ଟନ  ରାଜିନାମା ଭାରତର ପ୍ରାକୃତିକ ସମ୍ପଦକୁ ନିୟନ୍ତ୍ରଣ କରିବାର କ୍ଷମତାକୁ  ମଧ୍ୟ ହ୍ରାସ କରିଥିଲା । ଫଳରେ ମରୁଡ଼ିର ସମ୍ମୁଖୀନ ହେବା,  ଜଳସେଚନ ସମ୍ପ୍ରସାରଣ ବ୍ୟାହତ ହେବା ଏବଂ ବିଭିନ୍ନ ଆପଦାଗ୍ରସ୍ତ  କ୍ଷେତ୍ରରେ କୃଷିକାର୍ଯ୍ୟକୁ ସୁଦୃଢ଼ କରାଯିବା ଭଳି ପଦକ୍ଷେପ ଦୁର୍ବଳ  ହୋଇଥିଲା । 

ବର୍ତ୍ତମାନ ମୋଦି ସରକାର ଆଉ ଏକ ନିର୍ଣ୍ଣାୟକ ଏବଂ ଦୃଢ଼  ପଦକ୍ଷେପ ଜରିଆରେ ଏଭଳି ଐତିହାସିକ ଭୁଲ୍‌କୁ ସଂଶୋଧନ  କରିବାକୁ ଯାଉଛନ୍ତି । ଭାରତ ତା'ର ସାର୍ବଭୌମତ୍ୱ ଅଧିକାର ସାବ୍ୟସ୍ତ  କରି ଅନ୍ତଃରାଷ୍ଟ୍ରୀୟ ଆଇନ ମାଧ୍ୟମରେ ସିନ୍ଧୁଜଳ ଚୁକ୍ତିକୁ ସ୍ଥଗିତ  ରଖିଛି । ପାକିସ୍ତାନ ଯେଉଁ ପର୍ଯ୍ୟନ୍ତ ସୀମାପାର ଆତଙ୍କବାଦକୁ ଗ୍ରହଣୀୟ  ଏବଂ ବିଶ୍ୱାସଯୋଗ୍ୟ ଭାବେ ପରିହାର ନକରିଛି, ସେପର୍ଯ୍ୟନ୍ତ ଭାରତର ନିଷ୍ପତ୍ତି ବଳବତ୍ତର ରହିବ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ନିର୍ଦ୍ଦିଷ୍ଟ ଭାବେ  ଜାତୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରତିପକ୍ଷଙ୍କୁ ଏକ ଦୃଢ଼ ଚେତାବନୀ ଦେଇଛନ୍ତି: "ଆତଙ୍କବାଦ ଏବଂ ଆଲୋଚନା ଏକସଙ୍ଗେ ହୋଇପାରିବ  ନାହିଁ, ଜଳ ଓ ରକ୍ତ କେବେ ଏକସଙ୍ଗେ ପ୍ରବାହିତ ହୋଇପାରିବ ନାହିଁ'। ଏଭଳି ପଦକ୍ଷେପ ପୂର୍ବର ସମସ୍ତ ନୀତିଠାରୁ ଏକ ଦୃଢ଼ ଓ  ଐତିହାସିକ ବ୍ୟତିକ୍ରମ ଭାବେ ଦଣ୍ଡାୟମାନ ହୋଇଛି । ଏହା କେବଳ  ଏକ କୂଟନୈତିକ ପୁନଃଚିନ୍ତନ ନୁହେଁ, ବରଂ ଭାରତର ସାର୍ବଭୌମ  ଅଧିକାର ପ୍ରତି ଦୃଢ଼ ରଣନୀତିକ ଉଦ୍‌ଘୋଷଣା, ଯାହାକି ନିଜର  ସମ୍ପଦ ଓ କୃଷକମାନଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ନିମନ୍ତେ ଉଦ୍ଦିଷ୍ଟ ।  ଏହାପଛରେ ଅସଂଖ୍ୟ ହିତଧାରକଙ୍କ ଜୀବନ ଜୀବିକା ପାଇଁ ସୁଯୋଗ  ନିହିତ ରହିଛି । ସାମଗ୍ରିକ ଭାବେ କହିଲେ "ରାଷ୍ଟ୍ର ସର୍ବୋପରି' ନୀତି  ହିଁ ଏହା ପଛରେ କାର୍ଯ୍ୟ କରୁଛି । ପାକିସ୍ତାନର ସୀମାପାର ଆତଙ୍କବାଦ ବିପଦ ପ୍ରତି ଏହା ଦୃଢ଼ ଜବାବ । 

ସିନ୍ଧୁଜଳ ଚୁକ୍ତିକୁ କାର୍ଯ୍ୟରହିତ କରିବା ସ୍ୱାଭାବିକ କୂଟନୀତିଠାରୁ  ଭିନ୍ନ । ଏହା ବିକଶିତ ଭାରତ-୨୦୪୭ ଲକ୍ଷ୍ୟ ହାସଲ କରିବା ନିମନ୍ତେ  ଭାରତର ଦୃଢ଼ ସଂକଳ୍ପ । ଏହି ଜଳ ଉପରେ ନିଜର ନିୟନ୍ତ୍ରଣକୁ  ପୁଣିଥରେ ଦାବି କରି ଭାରତ ନିଜର ଜଳବାୟୁ ସହନଶୀଳ  ସଂସାଧନକୁ ଆଗେଇ ନେଇପାରିବ । ଏଥିସହିତ ଜଳସେଚନ  ସୁଦୃଢ଼ୀକରଣ ଏବଂ ଶିଳ୍ପ ବିକାଶକୁ ମଧ୍ୟ ଏହା ପ୍ରୋତ୍ସାହନ  ଯୋଗାଇବ । ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା  ଦିଗରେ ଏହା ଏକ ଶକ୍ତିଶାଳୀ ସାଧନ । ସରକାରଙ୍କ ଏହି ନିଷ୍ପତ୍ତି  ସମସ୍ତ ପ୍ରକାର ସାଲିସରେ ପୂର୍ଣ୍ଣଚ୍ଛେଦ ପକାଇଛି । ଅକାମି ରାଜିନାମାକୁ  ମଧ୍ୟ ଏଡ଼ାଇ ଦେଇଛି । ଏହା ଜଳ ସାର୍ବଭୌମତ୍ୱକୁ ପ୍ରଗତିର ମୂଳଦୁଆ  ଭାବେ ସୁପ୍ରତିଷ୍ଠିତ କରିଛି । ଏହା ଏପରି ଏକ ସୁଦୃଢ ପଦକ୍ଷେପ,  ଯାହା ନିରନ୍ତରତା ସହିତ ଆତ୍ମନିର୍ଭରଶୀଳତା, ପୋଷଣୀୟତା ଏବଂ  ସମାବେଶୀ ବିକାଶକୁ ମଧ୍ୟ ସମାଯୋଜନ କରୁଛି ।