ଟ୍ରମ୍ପଙ୍କ ଅଚାନକ ଗରିଲା ଯୁଦ୍ଧ ଭଳି ଟାରିଫ ଘୋଷଣା ଭାରତ ସହିତ ଆମେରିକାର ସଂପର୍କକୁ ନିମ୍ନସ୍ତରକୁ ଖସାଇ ଦେଇଛି । ସମଗ୍ର ଦେଶରେ ଆମେରିକା ବିରୋଧୀ ମନୋଭାବର ଲହରୀ ଉଠୁଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ କୃଷି, କୃଷକ ଓ ଦୁଗ୍ଧଚାଷୀଙ୍କ ସ୍ୱାର୍ଥରକ୍ଷାକୁ ଗୁରୁତ୍ୱ ତାଙ୍କ ବ୍ୟକ୍ତିତ୍ୱର ପ୍ରାଧାନ୍ୟକୁ ବଳବତ୍ତର କରିଛି । ସେ ସମଗ୍ର ବିଶ୍ୱର ନେତୃମଣ୍ଡଳୀଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।
ଏବେ ଟ୍ରମ୍ପଙ୍କ ଅନ୍ୟ ଦେଶଗୁଡ଼ିକ ଉପରେ ଟାରିଫ ମାଡ଼ ସମଗ୍ର ବିଶ୍ୱକୁ ଅଣନିଶ୍ୱାସୀ କରିବାକୁ ଆରମ୍ଭ କରିଛି । କେହି ଜାଣନ୍ତିନାହିଁ କେଉଁ ଦେଶ ଉପରେ କେତେ ଟାରିଫ ସେ ଘୋଷଣା କରିବେ । ଏହା ତାଙ୍କର ଅହଂକାର ବ୍ୟତୀତ ଆଉ କିଛି ନୁହେଁ । ଆମ ଦେଶ ଉପରେ ୨୫ରୁ ୫୦% ଟାରିଫ ବୃଦ୍ଧି ଅଚାନକ ଘଟିଛି । ତାକୁ ସେ ବୃଦ୍ଧିକରିବେ କି ହ୍ରାସକରିବେ କେହି କହିପାରିବେ ନାହିଁ । ଭାରତ ସବୁବେଳେ ରକ୍ଷଣାତ୍ମକ ଭାବରେ ପଦକ୍ଷେପ ନେଇଛି । ଟ୍ରମ୍ପଙ୍କ ଅଚାନକ ଗରିଲା ଯୁଦ୍ଧ ଭଳି ଟାରିଫ ଘୋଷଣା ଭାରତ ସହିତ ଆମେରିକାର ସଂପର୍କକୁ ନିମ୍ନସ୍ତରକୁ ଖସାଇ ଦେଇଛି । ସମଗ୍ର ଦେଶରେ ଆମେରିକା ବିରୋଧୀ ମନୋଭାବର ଲହରୀ ଉଠୁଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ କୃଷି, କୃଷକ ଓ ଦୁଗ୍ଧଚାଷୀଙ୍କ ସ୍ୱାର୍ଥରକ୍ଷାକୁ ଗୁରୁତ୍ୱ ତାଙ୍କ ବ୍ୟକ୍ତିତ୍ୱର ପ୍ରାଧାନ୍ୟକୁ ବଳବତ୍ତର କରିଛି । ସେ ସମଗ୍ର ବିଶ୍ୱର ନେତୃମଣ୍ଡଳୀଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଆମେରିକା ସହିତ ଆମ ସଂପର୍କର ଜୁଆର ଓ ଭଟ୍ଟା ଅନେକ ସମୟରେ ସୃଷ୍ଟି ହୋଇଛି । ପରମାଣୁ ବୋମା ପରୀକ୍ଷା ପରେ ପରେ ଅନେକ କଟକଣା ଆମେରିକା ତତକ୍ଷଣାତ୍ ଲାଗୁ କରିଦେଇଥିଲା, କାରଣ ଆମେରିକା ସାଟେଲାଇଟ୍ର ତୀକ୍ଷ୍ଣଦୃଷ୍ଟିକୁ ଫାଙ୍କିଦେଇ ଆମ ଦେଶ କେମିତି ପରୀକ୍ଷା କରିପାରିଲା?
ଏଇଟା ଆମେରିକାକୁ ଘୋର ଅପମାନ ଭଳି ଲାଗିଲା । ଏବେ ରୁଷିଆଠୁ ଶସ୍ତାରେ ଜାଳେଣି ତୈଳ କ୍ରୟ ବି ସେଇ କଥାକୁ ଦୋହରାଇଛି । ରୁଷିଆ ସହିତ ଆମ ସଂପର୍କର ଜୁଆର ଭଟ୍ଟା ନାହିଁ । ୟୁରୋପୀୟ ରାଷ୍ଟ୍ର ସମୁଦାୟ, ନାଟୋ ରାଷ୍ଟ୍ରଗୁଡ଼ିକ ଓ ଖୋଦ୍ ଆମେରିକା ରୁଷିଆ ସହିତ କ’ଣ କାରବାର କରୁନାହାଁନ୍ତି? ଆମେରିକା ତ ୟୁରାନିୟମ ସମେତ ଅନେକ ପଣ୍ୟ କ୍ରୟ କରିଚାଲିଛି ରୁଷିଆଠାରୁ । ଆମେ କେବଳ କେମିତି ରୁଷିଆର ଯୁଦ୍ଧ ଇଞ୍ଜିନକୁ ଅର୍ଥ ଦେଇ ଗତିଶୀଳ କରୁଛୁ! ୟୁରୋପୀୟ ଦେଶସମୂହ ମିଶି ଯେତିକି ମୂଲ୍ୟର ଅସ୍ତ୍ରଶସ୍ତ୍ର ୟୁକ୍ରେନକୁ ଯୋଗାଇଛନ୍ତି ତା’ଠାରୁ ଅଧିକ ମୂଲ୍ୟର ତୈଳ ଓ ଜାଳେଣି ଗ୍ୟାସ କିଣିଛନ୍ତି ରୁଷିଆ ପାଖରୁ । ଆମଠାରୁ ଅଧିକ ଅର୍ଥର ତୈଳ କିପରି ଚୀନ କିଣିଚାଲିଛି ରୁଷିଆ ପାଖରୁ । ଟ୍ରମ୍ପ ତ ଆମ ଦେଶଭଳି ସେତେ ଅଧିକ ଟାରିଫ୍ ସେହି ଦେଶଗୁଡ଼ିକ ଉପରେ ଘୋଷଣା କରିନାହାଁନ୍ତି ।
ଏଠାରେ ଆଶ୍ଚର୍ଯ୍ୟର କଥା, ଚୀନ ସହିତ ଆମେରିକାର ବାଣିଜ୍ୟ ଯୁଦ୍ଧ ସବୁବେଳେ ଲାଗିରହିଚି । ତଥାପି ଚୀନର ଏଲାଇଟ୍ ମାସ୍ ବା ସମ୍ଭ୍ରାନ୍ତ ବର୍ଗ କିପରି ଆମେରିକୀୟ ବିଚାରଧାରାକୁ ତାଙ୍କ ଆଡ଼କୁ ଆକର୍ଷିତ କରିପାରୁଛନ୍ତି? ଯେକୌଣସି ବୈଶ୍ୱିକ ଅନୁଷ୍ଠାନରେ, ଏପରିକି ଜାତିସଂଘରେ ବି ଚାଇନିଜମାନଙ୍କର ଅତ୍ୟଧିକ ଉଚ୍ଚ ପଦବିରେ ଉପସ୍ଥିତି କେମିତି ଘଟୁଛି । କୋଭିଡ ଭଳି ମହାମାରୀ ଚୀନ ଦ୍ୱାରା ସୃଷ୍ଟିହୋଇ ବି ତା’ ପ୍ରତି କୌଣସି କଠୋର ପଦକ୍ଷେପ ଆମେରିକା ସମେତ କୌଣସି ରାଷ୍ଟ୍ର ନେଇପାରିଲେ ନାହିଁ କିପରି? ଏଭଳି ଲିଡର ସବୁ ସୃଷ୍ଟି କରିପାରିଛି ଚୀନ କିପରି? ଯେଉଁମାନେ ବିଶ୍ୱ ଜନମତକୁ ପ୍ରଭାବିତ କରିବାରେ କ୍ଷମତା ଅର୍ଜନ କରିପାରୁଛନ୍ତି?
ଏଠାରେ ଉଲ୍ଲେଖନୀୟ, ଚୀନରେ ଅଛି ସ୍କ୍ୱାଡମେନ ସ୍କଲାର୍ସ ପ୍ରୋଗ୍ରାମ । ଏପରି ପ୍ରୋଗ୍ରାମ ଆମ ଦେଶରେ ନାହିଁ । ଚୀନ ଏହି ପ୍ରୋଗ୍ରାମ ସୃଷ୍ଟି କରିଛି ୨୦୧୬ ମସିହାରେ । ଏହା ବେଜିଂର ସିଙ୍ଘୁଆ ବିଶ୍ୱବିଦ୍ୟାଳୟରେ ଅବସ୍ଥିତ । ଏହାର ମିଶନ ହେଲା ଭବିଷ୍ୟତ ପିଢ଼ିର ଗ୍ଲୋବାଲ ଲିଡର ସୃଷ୍ଟି କରିବା, ଯେଉଁମାନେ ଚୀନର ବିଚାରଧାରା ପ୍ରତି ଗଭୀର ଭାବରେ ଅଭ୍ୟସ୍ତ ଥିବେ । ଚୀନର ବିଶ୍ୱ ଦରବାରରେ କାର୍ଯ୍ୟ କରିବାର ଶୈଳୀ, ସିଷ୍ଟମ, ବିଶ୍ୱ ବିଚାରଧାରା ଓ ଚୀନ ବିଚାରଧାରା ମଧ୍ୟରେ ସଂପର୍କର ସେତୁ ସୃଷ୍ଟି କରିବାର କ୍ଷମତା ଅର୍ଜନ କରିବା। ତତ୍ସହିତ ଚୀନର ସାମାଜିକ ଅଭୀପ୍ସା ଓ ଅଭିଳାଷକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରାଇବାର କ୍ଷମତା ଓ ବ୍ୟକ୍ତିତ୍ୱ ଅର୍ଜନ କରିପାରିବା ଭଳି ସାମର୍ଥ୍ୟ ସୃଷ୍ଟି ହୋଇପାରିବେ । ଚୀନ ତାର ଏହି ପ୍ରୋଗ୍ରାମ ସୃଷ୍ଟି କରିଛି ରୋଡ୍ସ ସ୍କଲାରସିପ୍ ଢାଞ୍ଚାରେ । ଏହା ଅଛି ଅକ୍ସଫୋର୍ଡ ୟୁନିଭରସିଟିରେ ।
ଏହା ଏକ ସମ୍ମାନନୀୟ, ସଂପୂର୍ଣ୍ଣଭାବେ ଅର୍ଥର ସହାୟତା ଦେଇପାରୁଥିବା ପୋଷ୍ଟଗ୍ରାଜୁଏଟ ଅନୁଷ୍ଠାନ ଯାହାକି ଆକର୍ଷିତ କରିଚାଲିଛି ସମଗ୍ର ବିଶ୍ୱର ଯୁବମାନସକୁ । ଯେଉଁମାନଙ୍କର ଆକାଂକ୍ଷା ଅଛି ବିଶ୍ୱ ଦରବାରରେ ଲିଡର ହୋଇ ନିଜକୁ ପ୍ରତିଷ୍ଠିତ କରିବା ପାଇଁ । ୧୯୦୨ ମସିହାରୁ ଏହା କାର୍ଯ୍ୟରତ । ସେଭଳି ପ୍ରୋଗ୍ରାମ ଆମ ଦେଶରେ ସୃଷ୍ଟି କରାଯାଇ ପାରିନାହିଁ । ଭାରତର ୧୪୦କୋଟି ଏକ ପ୍ରାଚୀନ ସଭ୍ୟତା, ଆଣବିକ ଶକ୍ତିସଂପନ୍ନ, ପ୍ରଗତିଶୀଳ ଅର୍ଥନୀତି ଓ ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତି । କିନ୍ତୁ ଆମେରିକୀୟ ସମ୍ଭ୍ରାନ୍ତ ନେତୃମଣ୍ଡଳୀ ପାଖରେ ଏକପ୍ରାନ୍ତିକ, ଗୁରୁତ୍ୱହୀନ ରାଷ୍ଟ୍ର । ଏହି ଧାରଣା ଏଯାବତ୍ ସେମାନଙ୍କ ମଥାରେ ବସା ବାନ୍ଧିଛି ।
୧୯୫୮ରେ ରଚିତ ହାରୋଲଡ ଇସାକଙ୍କ ପୁସ୍ତକ ‘ସ୍କ୍ରାଚେସ୍ ଅନ୍ ପାୱାର ମାଇଣ୍ଡସ୍- ଆମେରିକାନ ଇମେଜ ଅଫ୍ ଚାଇନା ଆଣ୍ଡ ଇଣ୍ଡିଆ’ରେ ଏକଥା ସେ ବିଶଦ ଭାବରେ ଆଲୋଚନା କରିଛନ୍ତି କିପରି ଆମେରିକୀୟଙ୍କ ମନସ୍ତତ୍ତ୍ୱରେ ମିଡିଆ, ଶିକ୍ଷା, କୂଟନୀତି ଏଭଳି ଧାରଣା ସୃଷ୍ଟି କରିଛି ଭାରତ ବାବଦରେ । ସେମାନେ ଚୀନକୁ ଦେଖନ୍ତି ଏକ ବୈପ୍ଳବିକ, ବିପଜ୍ଜନକ, ରହସ୍ୟମୟ ଓ ନିଜକୁ ବିଶ୍ୱ ସମ୍ମୁଖରୁ ଗୋପନ ରଖୁଥିବା ରାଷ୍ଟ୍ର ଭାବେ । ଆଉ ଭାରତ ବ୍ରିଟିଶ ଅଧୀନରୁ ମୁକୁଳିଥିବା, ଶାନ୍ତ, ଅହିଂସାପ୍ରିୟ, ଅତ୍ୟଧିକ ଆଧ୍ୟାତ୍ମିକ ଓ କୋଳାହଳରେ ପରିପୂର୍ଣ୍ଣ ଏକ ଗୁରୁତ୍ୱବିହୀନ ରାଷ୍ଟ୍ର । ଚୀନ ଏକ କମ୍ୟୁନିଷ୍ଟ ପୁଞ୍ଜିବାଦୀ, ନିଷ୍ଠୁର ରାଷ୍ଟ୍ର³ ଯିଏ ବ୍ୟକ୍ତିସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଶୋଷଣ ମାଧ୍ୟମରେ ନିଜ ଅର୍ଥନୀତିକୁ ସମୃଦ୍ଧ କରିଚାଲିଛି । ଏହାକୁ ବିଶେଷ ଗୁରୁତ୍ୱ ଦିଏ ଆମେରିକା । ଏକଥା ମଧ୍ୟ ବର୍ଣ୍ଣିତ ହୋଇଛି ୧୯୮୦ ଦଶକରେ ଲିଖିତ ଫିଟ୍ଜ ଜେରାଲଡଙ୍କ ପୁସ୍ତକ ‘ଚାଇନା ଆଣ୍ଡ ଦ ଓଭରସିଜ ଚାଇନିଜ’ରେ ପାଶ୍ଚତ୍ୟ ରାଷ୍ଟ୍ରଗୁଡ଼ିକ ଚାହିଁଛନ୍ତି ଚୀନ କିପରି ଉନ୍ନତ ହୋଇପାରିବ । ସେମାନଙ୍କ ଦୃଷ୍ଟିରେ ଦାରିଦ୍ର୍ୟରୁ ସମୃଦ୍ଧି, ଗ୍ଲୋବାଲାଇଜେସନରୁ ଦୂରେଇ ରହୁଥିବା, ସ୍ୱେଚ୍ଛାଚାରୀ, ତଥାପି ପୁଞ୍ଜିବାଦୀ ରାଷ୍ଟ୍ର ଓ ଦ୍ରୁତ ବିକାଶୋନ୍ମୁଖୀ ।
ଭାରତ ଗଣତାନ୍ତ୍ରିକ, ଆତ୍ମନିର୍ଭରଶୀଳ ହେବା ପଥରେ ବିକାଶଶୀଳ ରାଷ୍ଟ୍ର, ସାର୍ବଭୌମତ୍ୱକୁ ସମ୍ମାନ ପ୍ରଦର୍ଶନ କରୁଥିବା, ବିବିଧତା ମଧ୍ୟରେ ଏକତା ସୃଷ୍ଟି କରିପାରିଥିବା ସାଂସ୍କୃତିକ ସମୃଦ୍ଧିରେ ଭରପୂର । କୌଣସି ଦେଶର ରାଜନୀତିରେ ଅନୁପ୍ରବେଶ କରେନାହିଁ, ଅପକ୍ଷପାତି, ଧୀରେ ଧୀରେ, ବିକାଶ ଉନ୍ମୁଖୀ ରାଷ୍ଟ୍ର ହେବା ପଥରେ ଗତିଶୀଳ । କିନ୍ତୁ ଚୀନ ଉପରେ ଗବେଷଣା, ଚାଇନିଜ ରିସର୍ଚ୍ଚରମାନଙ୍କୁ ଅଧିକ ଗୁରୁତ୍ୱ ଦେବା, ସେମାନଙ୍କୁ ପ୍ରତିଷ୍ଠାନିକ ସମର୍ଥନ ପହଞ୍ଚାଇଦବା ଆମେରିକୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଦେଖିବାକୁ ମିଳେ । ଆଧୁନିକ ଭାରତ ଯେପରି ଟେକ୍ନୋଲୋଜିକୁ ଗୁରୁତ୍ୱ ଦେଇଛି, ମହାକାଶ ଗବେଷଣାକୁ ପ୍ରାଧାନ୍ୟ ଦେଇଛି, ଜଳବାୟୁ ପରିବର୍ତ୍ତନର ସ୍ୱରକୁ ଶାଣିତ କରିଛି ଏହା ଶିରୋନାମା ଭାବରେ ହୁଏତ ପାଶ୍ଚାତ୍ୟ ମିଡିଆରେ ସ୍ଥାନ ପାଏ ।
ଡୋନାଲଡ ଟ୍ରମ୍ପ କହିବୁଲୁଛନ୍ତି ଭାରତ-ପାକିସ୍ତାନ ମଧ୍ୟରେ ସଦ୍ୟ ଯୁଦ୍ଧକୁ ସେ ବନ୍ଦ କରିଦେଇଛନ୍ତି ମଧ୍ୟସ୍ଥତା କରି । ତାକୁ ଭାରତ ଯେତେ ଖଣ୍ଡନ କଲେ ହିଁ ସେ କର୍ଣ୍ଣପାତ କରୁନାହାଁନ୍ତି । ବିଭିନ୍ନ ଫୋରମ୍ରେ କହି ବାହାବା ନେଉଛନ୍ତି । ପାକିସ୍ତାନର ଆର୍ମି ମୁଖ୍ୟକୁ ଡାକି ଡିନର କରୁଛନ୍ତି । ଏହା ତାଙ୍କର ବ୍ୟକ୍ତିଗତ ଅସମୀଚୀନ ବକ୍ତବ୍ୟ ମାତ୍ର ନୁହେଁ, ବରଂ ଏହା ପ୍ରତିଫଳିତ କରୁଛି ସେ ଦେଶ କିପରି ସତ୍ୟକୁ ଗ୍ରହଣ କରିବାକୁ ଅନିଚ୍ଛୁକ । ନିଜର ମାନସିକ ଚିତ୍ରକୁ ସଂଶୋଧନ କରି ଜିଓ ପଲିଟିକ୍ସର ବାସ୍ତବତାକୁ ଗ୍ରହଣ କରିବାପାଇଁ ଅସମର୍ଥ । ସମଗ୍ର ବିଶ୍ୱରେ ଭାରତର ଗୁରୁତ୍ୱ ବୃଦ୍ଧି ଘଟିଚାଲିଥିବା ବେଳେ ଆମେରିକା ଏକ ରୁଦ୍ଧ କୋଠରି ମଧ୍ୟରେ ଆବଦ୍ଧ ରହି ନିଜ ଗାଥା ଗାୟନ କରି ନିଜର ଗୁରୁତ୍ୱକୁ ଅଧିକ ବଖାଣିବାରେ ସିଦ୍ଧହସ୍ତ ସାବ୍ୟସ୍ତ ହେଉଛି । ସେଥିପାଇଁ ଚିନ୍ତା କରିବାର ସମୟ ଆସିଛି । ଏମିତି କାହିଁକି? ଆମ ଦେଶରେ ଚୀନ ଭଳି ସ୍କ୍ୱାର୍ଜମେନ ସ୍କଲାର୍ସ ପ୍ରୋଗ୍ରାମ ଭଳି କିଛି ନାହିଁ, ଯେଉଁଠାରୁ ସୃଷ୍ଟ ଯୁବାବର୍ଗ ବିଶ୍ୱ ଜନମତକୁ ପ୍ରଭାବିତ କରିବା ଭଳି ସାମର୍ଥ୍ୟ ଅର୍ଜନ କରିପାରିବେ ଓ ଏହାଦ୍ୱାରା ଅଧିକ ଦାବି ହେବ ଅନ୍ୟରାଷ୍ଟ୍ରରେ ଭାରତୀୟ ଉପଲବ୍ଧିକୁ ସମ୍ମାନ ଦେବାପାଇଁ । ସେ ଦେଶଗୁଡ଼ିକର ଯୁବାବର୍ଗ ଚାହିଁବେ ବିଶ୍ୱର ଏହି ବିଶାଳ ଗଣତନ୍ତ୍ର ସହିତ ଗଭୀର ବ୍ୟସ୍ତତା ବା ଡିପର ଏନଗେଜମେଣ୍ଟରେ ନିଜକୁ ସାମିଲ କରିବାକୁ ।
ଆମ ଦେଶରେ ଉତ୍କୃଷ୍ଟ ଟେକନିକାଲ ଇନଷ୍ଟିଚ୍ୟୁସନ୍ସ ଆଇଆଇଟି, ଆଇଆଇଏସସି, ଆଇଆଇଏମ୍ ଆଦି ରହିଛି । ଏଗୁଡ଼ିକ ଅପେକ୍ଷା ଚୀନର ସେହି ସ୍କ୍ୱାର୍ଜମେନ ସ୍କଲାର୍ସ ପ୍ରୋଗ୍ରାମ ଅଧିକ ଗ୍ଲୋବାଲ ରେକଗ୍ନିସନ ପାଉଛି । ଆମ ଦେଶରେ ଲିବେରାଲ ଆର୍ଟସ ୟୁନିଭରସିଟି ରୂପେ ଅଶୋକ, କ୍ରେଆ ଆଦି ପ୍ରତିଷ୍ଠିତ ହୋଇଛି, ଯହିଁରେ ଆର୍ଟସ, ସାଇନ୍ସ ଓ ମ୍ୟାନେଜମେଣ୍ଟରେ ଗୋଟିକ ସହିତ ଅନ୍ୟଟି ଜଡ଼ିତ ଥିବା ଭଳି ଲର୍ଣ୍ଣିଙ୍ଗ ମଡେଲ ସୃଷ୍ଟି କରାଯାଇଛି, ଯାହା ଗୁରୁତ୍ୱ ଦେଉଛି କ୍ରିଟିକାଲ ଥିଙ୍କିଙ୍ଗ, ସୃଜନଶୀଳତା ଉପରେ । ମାତ୍ର ଏହି ମେସେଜକୁ ବିଶ୍ୱଦବାରରେ ଉପସ୍ଥାପିତ କରିବା ପାଇଁ ଯେଉଁ ନ୍ୟାରେଟିଭ ଅର୍ଥାତ୍ ଗଳ୍ପ, ଆଖ୍ୟାନ ଆବଶ୍ୟକ ତାହା ହୋଇପାରୁନାହିଁ । କରିବ କିଏ?ଚାଇନିଜମାନେ ସବୁବେଳେ ମନେକରୁଛନ୍ତି ଆମେ ଅନ୍ୟ ଦେଶରେ ଅଧିକ ପସନ୍ଦଯୋଗ୍ୟ । ଭାରତୀୟମାନଙ୍କର ଏ କ୍ଷେତ୍ରରେ ନିରବତାକୁ ସେମାନଙ୍କର ଦୁର୍ବଳତା ଭାବେ ଗ୍ରହଣ କରୁଛି ବିଶ୍ୱ। ଅର୍ଥାତ୍ ଆମେରିକୀୟ ଓ ୟୁରୋପୀୟ କଳ୍ପନାରେ ଭାରତୀୟଙ୍କ ଉତ୍କୃଷ୍ଟତା ଗୌଣ ରୂପ ନେଇଛି । ଆମକୁ ମନେରଖିବାକୁ ହେବ ଯେପରି ଭାବେ ଆମେ ଆମକୁ ଦୃଢ଼ଭାବରେ ଉପସ୍ଥାପନା କରିପାରିବା ବିଶ୍ୱ ଜନମତ ତାହାହିଁ ଗ୍ରହଣ କରିବ ।
ସେଥିପାଇଁ ଭାରତରେ ଆବଶ୍ୟକ ଏପରି ଏକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଯିବ, ଯେଉଁମାନେ ଭାରତୀୟ ମୂଲ୍ୟବୋଧରେ ପାରଙ୍ଗମ ଥିବେ ଓ ନେତୃତ୍ୱ ନେବାର ସାମର୍ଥ୍ୟ ଥିବେ ସେମାନେ ସେଠାରେ ତାଲିମ ହେବେ ଓ ଜୟଯୁକ୍ତ ହେବେ । ଯୁଦ୍ଧ କେବଳ ପାୱାର କରିଡରରେ ସଂଘଟିତ ହୁଏନାହିଁ ଅବା ଯୁଦ୍ଧକ୍ଷେତ୍ରରେ । ଏହାର ଆକାରର କଳ୍ପନା କରାଯିବ ସ୍କୁଲରୁ, ରିସର୍ଚ୍ଚ ପ୍ରତିଷ୍ଠାନରୁ, କ୍ୟାମ୍ପସରୁ, କ୍ଲାସ ରୁମ୍ରୁ । ଏହା ହେବ ସରକାରଙ୍କ ଇଚ୍ଛାଶକ୍ତି ଓ ବେସରକାରୀ ବ୍ୟକ୍ତି ଓ ଅନୁଷ୍ଠାନର ମିଳିତ ପ୍ରୟାସରେ । ଆମରିକାର ପ୍ରତି ସହରରେ ହୁଏତ ଭାରତୀୟ ରେଷ୍ଟୁରାଣ୍ଟ ମିଳିବ, ଯୋଗ ସେଣ୍ଟର ମିଳିବ, କିନ୍ତୁ ଏଗୁଡ଼ିକ ଥିବା ସତ୍ତେ୍ୱ ସେଗୁଡ଼ିକ ପ୍ରଭାବ ପକାଇ ପାରିନାହାଁନ୍ତି ସେମାନଙ୍କ ମନସ୍ତତ୍ତ୍ୱର ପରିବର୍ତ୍ତନ ଆଣିବାରେ । ଏହାକୁ ଗୁରୁତ୍ୱର ସହିତ ବିଚାର କରିବାର ସମୟ ଆସିଛି ।