ଶୁଳ୍କ ବୃଦ୍ଧି ପରିସ୍ଥିତିକୁ ଆହୁରି ସଙ୍ଗୀନ କରିବ । ଆମଦାନୀ ଶୁଳ୍କ କୋଟି କୋଟି ଡଲାର ରାଜସ୍ୱ ବୃଦ୍ଧି କରିଛି ବୋଲି କୁହାଯାଉଛି, କିନ୍ତୁ ଏହାର ଏକ ଅଂଶ ଗ୍ରାହକଙ୍କ ଉପରେ ମୂଲ୍ୟ ବୃଦ୍ଧି ଆକାରରେ ଆସୁଛି । ସବୁଠାରୁ ବଡ଼ ବିପଦ ହେଉଛି ଡଲାର ପ୍ରତି ଥିବା ବିଶ୍ୱାସ ହ୍ରାସ ପାଇବା, ଯାହା ବିଶ୍ୱର ପ୍ରମୁଖ ରିଜର୍ଭ ମୁଦ୍ରା ଭାବରେ ଦୀର୍ଘ ସମୟ ଧରି ଆମେରିକାର ଅର୍ଥନୈତିକ ପ୍ରାଧାନ୍ୟର ମୂଳଦୁଆ ହୋଇଛି ।
୨୦୨୫ ମସିହାରେ ଆମେରିକାର ସୁରକ୍ଷାବାଦୀ ବାଣିଜ୍ୟ ନୀତି ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି । ଭାରତ-ଆମେରିକା ବାଣିଜ୍ୟ ସମ୍ପର୍କ ମଧ୍ୟ ବିବାଦ ଘେରକୁ ଠେଲି ହୋଇଯାଇଛି । ବାଣିଜ୍ୟ ନିଅଣ୍ଟ ଏବଂ ଭାରତୀୟ ବଜାରରେ ପ୍ରବେଶ ଭଳି ପ୍ରସଙ୍ଗ ଉପରେ ମତଭେଦ ରହିଛି । ଗତ ଅଗଷ୍ଟ ୬ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆଠାରୁ ଭାରତ ତୈଳ କ୍ରୟ କରୁଥିବାରୁ ଭାରତରୁ ଆମଦାନୀ ହେଉଥିବା ଅଧିକାଂଶ ଉତ୍ପାଦ ଉପରେ ୨୫% ଶାସ୍ତିମୂଳକ ବା ଦଣ୍ଡାତ୍ମକ ଟାରିଫ/ଶୁଳ୍କ ଲାଗୁ କରିଛନ୍ତି । ଯଦି କିଛି ସମାଧାନର ପନ୍ଥା ନବାହାରେ ଏହା ଅଗଷ୍ଟ ୨୭ରେ କାର୍ଯ୍ୟକାରୀ ହେବ । ଟ୍ରମ୍ପ ଜୁଲାଇ ୩୧ରେ ୨୫% ରିସିପ୍ରୋକାଲ ବା ପାରସ୍ପରିକ ଶୁଳ୍କ ଧାର୍ଯ୍ୟ କରିଥିଲେ ଯାହା ଅଗଷ୍ଟ ୮ରୁ କାର୍ଯ୍ୟକାରୀ ହୋଇଛି । ଏହାର ଅର୍ଥ ହେଉଛି, ଆଇଫାନ ଏବଂ କିଛି ଔଷଧ ଉତ୍ପାଦ ବ୍ୟତୀତ ଭାରତର ସମସ୍ତ ଆମଦାନୀ ଉପରେ ୫୦% ଟାରିଫ୍ ଆମେରିକା ଲଦି ଦେଇଛି । ଏସିଆର ସବୁ ଦେଶ ମଧ୍ୟରେ ଏହା ସର୍ବାଧିକ ଏବଂ ବିଶ୍ୱରେ ଆମେରିକାର ଅଧିକ ଆମଦାନୀ ଟାରିଫ ହାର ଦୃଷ୍ଟିରୁ ପାଞ୍ଚଟି ସର୍ବାଧିକ ଦେଶ ବ୍ରାଜିଲ (୫୦%), ସିରିଆ (୪୧%), ଲାଓସ (୪୦%) ଏବଂ ମିଆଁମାର (୪୦%) ମଧ୍ୟରେ ଭାରତ ଅନ୍ୟତମ ।
ଏହି ପାରସ୍ପରିକ ଶୁଳ୍କ "ମୁକ୍ତି ଦିବସ' ଶୁଳ୍କ ସହିତ ଜଡ଼ିତ, ଯାହା ଟ୍ରମ୍ପ ଏପ୍ରିଲ ୨ରେ ଆମେରିକା ସହିତ ବାଣିଜ୍ୟ ସରପ୍ଲସ୍ ବା ବଳକା ବା ଉଦ୍ବୃତ୍ତ ଥିବା ପ୍ରାୟ ୬୦ ବାଣିଜ୍ୟିକ ଅଂଶୀଦାର ଦେଶ ଉପରେ ଘୋଷଣା କରିଥିଲେ । ଏଠି ଆମେରିକା ସହିତ ବାଣିଜ୍ୟ ସରପ୍ଲସ୍ କହିଲେ ଆମେରିକାର ଆମଦାନୀଠାରୁ ସେହିସବୁ ଦେଶର ଆମେରିକାକୁ କରୁଥିବା ରପ୍ତାନି ମୂଲ୍ୟ ଅଧିକ । ତାର ଠିକ୍ ବିପରୀତକୁ ବାଣିଜ୍ୟ ନିଅଣ୍ଟ କୁହାଯାଏ । ୨୦୨୪ରେ ବିଶ୍ୱରେ ଆମେରିକା ରପ୍ତାନି ଅପେକ୍ଷା ୧.୨ ଟ୍ରିଲିୟନ ଡଲାର ମୂଲ୍ୟର ଅଧିକ ସାମଗ୍ରୀ ଆମଦାନୀ କରିଥିଲା, ଯାହା ଏକ ରେକର୍ଡ ବାର୍ଷିକ ବାଣିଜ୍ୟ ନିଅଣ୍ଟ ଥିଲା ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଇଁ ଏକ ପ୍ରମୁଖ ଆର୍ଥିକ ଚିନ୍ତାର କାରଣ। କିନ୍ତୁ ବାଣିଜ୍ୟିକ ଅଂଶୀଦାରଙ୍କ ସହିତ ଚୁକ୍ତି ସ୍ୱାକ୍ଷର କରିବା ପାଇଁ ସେ ଏପ୍ରିଲ ୯ରୁ ଜୁଲାଇ ୯ ପର୍ଯ୍ୟନ୍ତ ବିରତି ନେଇଥିଲେ । ଅନ୍ୟ ଏକ କାରଣ ଥିଲା ଯେ, ଟ୍ରମ୍ପଙ୍କ ବିପୁଳ ଆମଦାନୀ ଶୁଳ୍କକୁ ନିଜ ଦେଶରେ ତଥା ବିଦେଶରେ ଜୋରଦାର ବିରୋଧ ହେଲା । କିଛି ବିଚାରାଳୟକୁ ଗଲେ । ଏହା ବଜାରକୁ ଅସ୍ଥିର କରିଦେଲା ଏବଂ ଆମେରିକା ବଣ୍ଡ ବା ଋଣ ବଜାରରୁ ନିବେଶକମାନେ ମଧ୍ୟ ପୁଞ୍ଜି ପ୍ରତ୍ୟାହାର କଲେ । ଟ୍ରମ୍ପ ଭୟଭୀତ ହୋଇ ଧାର୍ଯ୍ୟ କରିବାର ସମୟ ଘୁଞ୍ଚାଇ ଦେଲେ । ଅନେକ ଅର୍ଥନୀତିଜ୍ଞଙ୍କ ସମେତ ଅନେକ ପର୍ଯ୍ୟବେକ୍ଷକ ଟ୍ରମ୍ପ ପ୍ରଶାସନର ଏପରି ସିଦ୍ଧାନ୍ତକୁ ସମାଲୋଚନା କରିଛନ୍ତି ଏବଂ ସେ ଅଯଥାରେ ସୁରକ୍ଷାବାଦ ନୀତି ଆପଣାଉଛନ୍ତି ଏବଂ ଅନ୍ତର୍ଜାତୀୟ ବାଣିଜ୍ୟ ଆଇନକୁ ଉଲ୍ଲଙ୍ଘନ କରୁଛନ୍ତି ବୋଲି ନିନ୍ଦା କରିଛନ୍ତି ।
ଟ୍ରମ୍ପ ଭାରତକୁ "ଶୁଳ୍କ ରାଜା’ ବୋଲି ଅଭିଯୋଗ କରିଛନ୍ତି, ଅର୍ଥାତ୍ ଭାରତ ଅଧିକ ଆମଦାନୀ ଶୁଳ୍କ ଧାର୍ଯ୍ୟ କରିଛି । କିନ୍ତୁ ତଥ୍ୟ ଦର୍ଶାଉଛି ଯେ, ଭାରତ ନିକଟ ଅତୀତରେ ଧୀରେ ଧୀରେ ଶୁଳ୍କ ଏବଂ ଅଣ-ଶୁଳ୍କ ପ୍ରତିବନ୍ଧକଗୁଡ଼ିକୁ କମ୍ କରିଛି, ବିଶେଷକରି ଯାହା ଆମେରିକାକୁ ଲାଭ ପହଞ୍ଚାଇଛି । ଟ୍ରମ୍ପଙ୍କ ଅଭିଯୋଗ ହେଉଛି ଭାରତ ରୁଷିଆଠାରୁ ତୈଳ କ୍ରୟ କ୍ରୟ କରିବା ଯୋଗୁଁ ରୁଷିଆ ତଦ୍ଜନିତ ଅର୍ଥରେ ୟୁକ୍ରେନ ସହିତ ଯୁଦ୍ଧ ଜାରି ରଖିଛି । ଏଣୁ ଭାରତ ରୁଷିଆଠାରୁ ତୈଳ କିଣିବା ବନ୍ଦ ନକଲେ ଶାସ୍ତିମୂଳକ ଶୁଳ୍କ ୨୫% ଜାରି ରହିବ । କିନ୍ତୁ ଭାରତ ଏକମାତ୍ର ପ୍ରମୁଖ ଅର୍ଥନୀତି ନୁହେଁ, ଯାହା ରୁଷିଆଠାରୁ ତୈଳ ଆମଦାନୀ କରୁଛି । ଚାଇନା, ଭାରତଠାରୁ ଅଧିକ ତୈଳ ରୁଷିଆରୁ ଆମଦାନୀ କରୁଛି ।
ଟ୍ରମ୍ପଙ୍କ ଏହି ବେଆଇନ ତଥା ମନମୁଖୀ ନିଷ୍ପତ୍ତି ଆମେରିକାର ସାମ୍ରାଜ୍ୟବାଦ ଚିନ୍ତାଧାରା ଏବଂ ଭାରତବିରୋଧୀ ତଥା ପକ୍ଷପାତ ନୀତିର ପ୍ରତିଫଳନ ଅଟେ । ଏହା ଭାରତର ଆର୍ଥିକ ସାର୍ବଭୌମତ୍ୱ ଉପରେ ଆକ୍ରମଣ ଅଟେ । ଗୋଟିଏ ସ୍ୱାଧୀନ ଓ ସାର୍ବଭୌମ ଦେଶ ଛୋଟ ହେଉ କି ବଡ଼ ହେଉ, କ’ଣ ସିଦ୍ଧାନ୍ତ ନେବ, କେଉଁ ନୀତି ଆପଣାଇବ, କେଉଁ ଦେଶରୁ କ’ଣ ଆମଦାନୀ ଓ ରପ୍ତାନି କରିବ ତାହା ନିଜସ୍ୱ । ଅନ୍ୟ ଦେଶ ହସ୍ତକ୍ଷେପ କରିବା ଅନୁଚିତ୍ । ରୁଷିଆ ଦୀର୍ଘବର୍ଷ ଧରି ଭାରତର ଏକ ସମୟ-ପରୀକ୍ଷିତ ବନ୍ଧୁ ହୋଇଆସିଛି । ରୁଷିଆ ସହିତ କିପରି ଭାରତ ସମ୍ପର୍କ ରଖିବ ତାହା ଆମେରିକା ଭାରତକୁ କୌଣସି ନିର୍ଦ୍ଦେଶ ଦେବା ଅନୁଚିତ୍ । ଭାରତ ଯଥାର୍ଥରେ ଆମେରିକାର ଶାସ୍ତିମୂଳକ ଶୁଳ୍କକୁ "ଅନ୍ୟାୟ, ଅନୁଚିତ ଏବଂ ଅଯୌକ୍ତିକ’ ବୋଲି ଅଭିହିତ କରିଛି । ପୁନଶ୍ଚ ସେବା କ୍ଷେତ୍ରରେ ଆମେରିକା ଏକ ଯଥେଷ୍ଟ ବାଣିଜ୍ୟ ବଳକା ରହିଛି । ଏହି ସତ୍ୟକୁ ଅଣଦେଖା କରିବା ଉଚିତ୍ ନୁହେଁ । ଶିଶୁ-ଶିଳ୍ପ ଯୁକ୍ତି (ଇନ୍ଫାଣ୍ଟ ଇଣ୍ଡଷ୍ଟ୍ରି ଆର୍ଗୁମେଣ୍ଟ) ଅନୁସାରେ ବିକାଶଶୀଳ ଦେଶମାନେ ଉନ୍ନତ ଦେଶରୁ ଆମଦାନୀ ହୋଇ ଆସୁଥିବା ଦ୍ରବ୍ୟ ଉପରେ ଅଧିକ ଶୁଳ୍କ ଧାର୍ଯ୍ୟ କରିବା ଯଥାର୍ଥ । ଏହାଦ୍ୱାରା ଶିଶୁକୁ ଯେପରି ସୁରକ୍ଷା ଆବଶ୍ୟକ ସେମିତି ବିକାଶଶୀଳ ଦେଶମାନଙ୍କର ଶିଳ୍ପକୁ ବହୁରାଷ୍ଟ୍ରୀୟ କମ୍ପାନୀଙ୍କ ଉଗ୍ର ପ୍ରତିଯାଗିତାରୁ ସୁରକ୍ଷା ଦେଇପାରିବ । କିନ୍ତୁ ବାଣିଜ୍ୟ ନିଅଣ୍ଟ ଅଧିକ ହେବା ଅର୍ଥ ଆମେରିକାବାସୀ ବେଶି କ୍ରୟ କରୁଛନ୍ତି, ଯାହା ସବୁବେଳେ ଖରାପ ନୁହେଁ ।
ଅନେକ ପ୍ରଶ୍ନ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଖୋଲାଖୋଲି ଭାବରେ କହୁଥିଲେ ଯେ, ଟ୍ରମ୍ପ ଭାରତର ବନ୍ଧୁ ଏବଂ ଟ୍ରମ୍ପ କହୁଥିଲେ ଭାରତ ଆମେରିକାର ବନ୍ଧୁ ବୋଲି, ତେବେ ଟ୍ରମ୍ପ କାହିଁକି ଏପରି ଭାରତବିରୋଧୀ ପଦକ୍ଷେପ ନେଲେ । ପ୍ରକୃତରେ ଯେଉଁ ଦେଶ ଆମେରିକାର ଆଧିପତ୍ୟକୁ ଗ୍ରହଣ କରିନାହାଁନ୍ତି, ସେମାନଙ୍କ ବିରୁଦ୍ଧରେ ଆମେରିକା ଯୁଦ୍ଧ କରିଛି ବା ଆର୍ଥିକ ବାସନ୍ଦ କରିଛି, ବା ବିଭିନ୍ନ ପ୍ରତିବନ୍ଧକ ଲଗାଇଛି । କେବଳ ଏହାର ନିଜର ସାମ୍ରାଜ୍ୟବାଦୀ ଆଧିପତ୍ୟ ବିସ୍ତାର କରିବା ବ୍ୟତୀତ ଆମେରିକା କେବେବି କୌଣସି ଦେଶକୁ ନିଜର ବନ୍ଧୁ ଭାବରେ ବିବେଚନା କରେନାହିଁ । ଏହା ସେହି ନୀତିକୁ ବିଶ୍ୱର ନୀତି ଭାବରେ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରେ, ଯାହା ଏହାକୁ ସର୍ବାଧିକ ଲାଭ ପହଞ୍ଚାଏ । ଏକଦା ଉଦାରୀକରଣର ନାୟକ ଥିବା ଆମେରିକା ଏବେ ନିଜ ଅର୍ଥନୀତିକୁ ବଞ୍ଚାଇବା ପାଇଁ କୁତ୍ସିତ ସୁରକ୍ଷାବାଦର ଆଶ୍ରୟ ନେଉଛି ।
ବ୍ରାଜିଲ, ରୁଷିଆ, ଭାରତ, ଚୀନ୍ ଏବଂ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ବ୍ରିକ୍ ବ୍ଲକ ଆମେରିକୀୟ ଡଲାର ଉପରେ ନିର୍ଭରଶୀଳତା ହ୍ରାସ କରିବା (ଡି-ଡଲାରାଇଜେସନ୍) ପାଇଁ ଏକ ମୁଦ୍ରା ପ୍ରଚଳନ ପାଇଁ ଆଲୋଚନା କରୁଥିବାରୁ ଡଲାର ଆଧିପତ୍ୟ ହରାଇବା ଭୟରେ ଫେବ୍ରୁଆରୀ, ୨୦୨୫ରେ ଟ୍ରମ୍ପ ରାଗିଯାଇ ବ୍ରିକକୁ ମୃତ ଘୋଷଣା କଲେ ଏବଂ ବ୍ରିକ ରାଷ୍ଟ୍ରଗୁଡ଼ିକୁ ଏକ ସ୍ପଷ୍ଟ ଚେତାବନୀ ଦେଇ ଆମେରିକାକୁ ତାଙ୍କ ରପ୍ତାନି ଉପରେ ୧୦୦% ଶୁଳ୍କ ଲଗାଇବାକୁ ଧମକ ଦେଇଥିଲେ । ଯେକୌଣସି ରାଷ୍ଟ୍ରର ଯେକୌଣସି ମୁଦ୍ରାରେ ବାଣିଜ୍ୟ କରିବାର ସ୍ୱାଧୀନତା ଅଛି । ଆମେରିକାର ଏହାକୁ ବିରୋଧ କରିବାର କୌଣସି ଅଧିକାର ନାହିଁ । ପ୍ରକୃତରେ, ଡଲାର ଆଧିପତ୍ୟ ଯୋଗୁଁ ଆମେରିକା ଆର୍ଥିକ ଭାବରେ ଶକ୍ତିଶାଳୀ । ଏହା ବିଶ୍ୱର ରିଜର୍ଭ ମୁଦ୍ରା ହୋଇଥିବାରୁ ଯେକୌଣସି ପରିସ୍ଥିତିର ସମ୍ମୁଖୀନ ହେବାପାଇଁ ଅଧିକ ଋଣ କରିବା କିମ୍ବା ଡଲାର ମୁଦ୍ରଣ କରିବାକୁ ଅନୁମତି ଦିଏ । ଯଦି କୌଣସି କାରଣରୁ ଡଲାର ଆଧିପତ୍ୟ ହରାଇବ, ଆମେରିକୀୟ ଅର୍ଥନୀତି ଭୁଶୁଡ଼ି ପଡ଼ିବ ।
ଟ୍ରମ୍ପଙ୍କ ଏହି ‘ବେଗର ଦାଏ ନେବର୍ ପଲିସି' ବା ଅନ୍ୟ ରାଷ୍ଟ୍ରର କ୍ଷତି କରି ନିଜ ଅର୍ଥନୀତିକୁ ଉନ୍ନତ କରିବା ଚିନ୍ତାଧାରା ଆମେରିକା ଅର୍ଥନୀତିର କ୍ଷତି କରିବା ସହିତ ମାନ୍ଦାବସ୍ଥାକୁ ମୁହାଁଇଥିବା ବିଶ୍ୱ ଅର୍ଥନୀତିକୁ ଆହୁରି ଅସ୍ଥିର କରିବ । କାରଣ ଗ୍ରେଟ ଡିପ୍ରେସନ ବା ମହାମନ୍ଦିକୁ ସମ୍ମୁଖୀନ ହେବାପାଇଁ ୧୯୩୦ର ସ୍ମୁଟ୍-ହାଲି ଟାରିଫ୍ ଆଇନ ମାଧ୍ୟମରେ ବ୍ୟାପକ ଶୁଳ୍କ ବୃଦ୍ଧି କରିବା ଯୋଗୁଁ ଆମେରିକା ବେଶି କ୍ଷତିଗ୍ରସ୍ତ ହୋଇଥିଲା । ଆମେରିକାର ଅର୍ଥନୀତି ବର୍ତ୍ତମାନ ଭଲ ସ୍ଥିତିରେ ନାହିଁ । ରାଷ୍ଟ୍ରପତି ରିଗାନ ଠାରୁ ଆରମ୍ଭ ଟ୍ରମ୍ପଙ୍କ ପ୍ରଥମ ପାଳିରେ ଯେଉଁପରି ଭାବରେ ଧନୀ ଓ କର୍ପୋରେଟଙ୍କ ଟିକସ ହ୍ରାସ କରାଯାଇଛି, ତାହାଦ୍ୱାରା ଆମେରିକାର ଋଣ ସଙ୍କଟ ଅସମ୍ଭାଳ ହୋଇଛି ।
୨୦୨୪ରେ ଆମେରିକାର ଋଣ ୩୫.୩୯୪ ଟ୍ରିଲିୟନ ଡଲାରକୁ ବୃଦ୍ଧିପାଇଛି, ଯାହା ଜିଡିପିର ୧୩୨% ଏବଂ କିଛି ନିର୍ଦ୍ଦିଷ୍ଟ ସମୟରେ ଋଣ ସର୍ବାଧିକ ସୀମା ଛୁଇଁଛି । ସଦ୍ୟତମ ସଂଖ୍ୟା କହୁଛି ଋଣ ୩୭ ଟ୍ରିଲିୟନ ଡଲାରକୁ ବୃଦ୍ଧିପାଇଛି । ଏକ ବଡ଼ ସୁନ୍ଦର ବିଲ୍ ଆଇନରେ ପରିଣତ ହେବା ଯୋଗୁଁ ଟ୍ରମ୍ପ ପୁଣି ରିହାତି ଦେବେ ଓ ପୂର୍ବ ରିହାତିକୁ ବଜାୟ ରଖିବେ । ଏଣୁ ଟିକସ ହ୍ରାସଜନିତ କ୍ଷତିଭରଣା ପାଇଁ ଶୁଳ୍କ ବୃଦ୍ଧି କରୁଛନ୍ତି । ଏଣୁ ଦୀର୍ଘକାଳୀନ ବାଣିଜ୍ୟିକ ଅଂଶୀଦାରମାନଙ୍କ ଉପରେ ଚଢ଼ା ଶୁଳ୍କ ଲାଗୁକରି, ଆମେରିକା ଏକ ଗୁରୁତର ଭୁଲ୍ କରୁଛି, ନିଜକୁ ବିଚ୍ଛିନ୍ନ କରୁଛି ଏବଂ ନିଜ ଅର୍ଥନୀତିକୁ ପ୍ରଚୁର କ୍ଷତି ପହଞ୍ଚାଉଛି ।
ଶୁଳ୍କ ବୃଦ୍ଧି ଯୋଗୁଁ ୨୦୨୫ ମଧ୍ୟଭାଗରେ ହାରାହାରି ପ୍ରଭାବୀ ଆମେରିକା ଶୁଳ୍କ ହାର ୨୨.୫%କୁ ବୃଦ୍ଧିପାଇଛି, ଯାହା ୧୯୦୯ ପରଠାରୁ ସର୍ବାଧିକ । ଟ୍ରମ୍ପଙ୍କ ଦ୍ୱାରା ଏହି ଉଚ୍ଚ ଶୁଳ୍କ ଆମଦାନୀ ସାମଗ୍ରୀର ମୂଲ୍ୟ ବୃଦ୍ଧି କରିବ ଏବଂ ଆମେରିକୀୟମାନଙ୍କ କ୍ରୟଶକ୍ତିକୁ ହ୍ରାସ କରିବ ଏବଂ ସାମଗ୍ରିକ ଚାହିଦାକୁ ମଧ୍ୟ କମ୍ କରିବ । ଆମେରିକାର ରପ୍ତାନିରେ ହ୍ରାସ ଆଣିବ, ଯାହା ଶ୍ରମିକ ଶ୍ରେଣୀର ଆୟକୁ ସଙ୍କୁଚିତ କରିବ । ଆମେରିକୀୟମାନେ ଷ୍ଟାଗଫ୍ଲେସନ୍ ବା ସ୍ଥାଣୁତ୍ୱଯୁକ୍ତ ମୁଦ୍ରାସ୍ଫୀତି- ଉଚ୍ଚ ମୁଦ୍ରାସ୍ଫୀତି ସହିତ ଜିଡିପି ସଙ୍କୁଚିତ ହେବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ଶୁଳ୍କ ବୃଦ୍ଧି ପରିସ୍ଥିତିକୁ ଆହୁରି ସଙ୍ଗୀନ କରିବ । ଆମଦାନୀ ଶୁଳ୍କ କୋଟି କୋଟି ଡଲାର ରାଜସ୍ୱ ବୃଦ୍ଧି କରିଛି ବୋଲି କୁହାଯାଉଛି, କିନ୍ତୁ ଏହାର ଏକ ଅଂଶ ଗ୍ରାହକଙ୍କ ଉପରେ ମୂଲ୍ୟ ବୃଦ୍ଧି ଆକାରରେ ଆସୁଛି । ସବୁଠାରୁ ବଡ଼ ବିପଦ ହେଉଛି ଡଲାର ପ୍ରତି ଥିବା ବିଶ୍ୱାସ ହ୍ରାସ ପାଇବା, ଯାହା ବିଶ୍ୱର ପ୍ରମୁଖ ରିଜର୍ଭ ମୁଦ୍ରା ଭାବରେ ଦୀର୍ଘ ସମୟ ଧରି ଆମେରିକାର ଅର୍ଥନୈତିକ ପ୍ରାଧାନ୍ୟର ମୂଳଦୁଆ ହୋଇଛି । ଏଣୁ ଆମେରିକୀୟମାନେ ଟ୍ରମ୍ପଙ୍କୁ ତାଙ୍କୁ ନୀତି ବଦଳାଇବାକୁ ବାଧ୍ୟ କରିବା ଉଚିତ ।
ଭାରତ ପାଇଁ ବଡ଼ ଚିନ୍ତାର କାରଣ ହେଉଛି ଆମେରିକା ବର୍ତ୍ତମାନ ଭାରତର ସବୁଠାରୁ ବଡ଼ ରପ୍ତାନି ବଜାର ଏବଂ ଏହାର ବିଦେଶୀ ନିବେଶର ପ୍ରମୁଖ ଉତ୍ସ ମଧ୍ୟରୁ ଗୋଟିଏ । ୨୦୨୪-୨୫ରେ ଆମେରିକା ସହିତ ଭାରତର ମୋଟ୍ ବାଣିଜ୍ୟ ୧୮୬ ବିଲିୟନ ଡଲାର ଥିଲା । ରପ୍ତାନି ୧୧୫.୨ ବିଲିୟନ ଡଲାର ଏବଂ ଆମଦାନି ୭୦.୮ ବିଲିୟନ ଡଲାର ଥିଲା । ଅର୍ଥାତ୍, ଭାରତ ୪୪.୪ ବିଲିୟନ ଡଲାର ବାଣିଜ୍ୟ ବଳକା ଉପଭୋଗ କରିଥିଲା । ଭାରତର ରପ୍ତାନି ପ୍ରଭାବିତ ହେବ ଏବଂ ଜିଡିପି ଅଭିବୃଦ୍ଧି ହ୍ରାସ ପାଇପାରେ ।
ବ୍ଲୁମବର୍ଗ ଇକୋନୋମିକ୍ସ ଆକଳନ କରିଛି ଯେ, ଭାରତରୁ ଆମେରିକା ଯାଉଥିବା ରପ୍ତାନି ୬୦% ହ୍ରାସ ପାଇପାରେ ଏବଂ ମୋଟ୍ ଘରୋଇ ଉତ୍ପାଦର ପ୍ରାୟ ୧% ହ୍ରାସ ପାଇପାରେ । ଆଉ କିଛି କହୁଛନ୍ତି ୦.୫% ହ୍ରାସ ପାଇପାରେ । ଟ୍ରମ୍ପଙ୍କ ଏହି ପଦକ୍ଷେପ ଉତ୍ପାଦନ କ୍ଷେତ୍ରକୁ ଗୁରୁତର ଭାବରେ ପ୍ରଭାବିତ କରିବ । "ମେକ୍ ଇନ୍ ଇଣ୍ଡିଆ’ ଅଭିଯାନ ଅର୍ଥନୀତିର ୨୫%କୁ ଉତ୍ପାଦନ ବୃଦ୍ଧି କରିବା କଥା ଥିଲା । ୨୦୧୫ରେ ଯାହା ୧୬% ଥିଲା ତାହା ବୃଦ୍ଧି ପରିବର୍ତ୍ତେ ଗତବର୍ଷ ୧୩%କୁ ହ୍ରାସପାଇଛି । ଔଷଧ, ଇଲେକଟ୍ରୋନିକ୍ସ, ଅଟୋ ପାର୍ଟସ, ଅଳଙ୍କାର, ବୟନ ଏବଂ ସାମୁଦ୍ରିକ ଖାଦ୍ୟଶିଳ୍ପଗୁଡ଼ିକର ରପ୍ତାନି କ୍ଷତିଗ୍ରସ୍ତ ହେବ ଏବଂ ନିଯୁକ୍ତି ହ୍ରାସପାଇବ । ଏଣୁ ସରକାର ସବସିଡି ପ୍ରଦାନ କରିବା ଉଚିତ । ଭାରତ ଜିଦାଜିଦିରେ ଶୁଳ୍କ ବୃଦ୍ଧି କରିବା ଅନୁଚିତ, କିନ୍ତୁ ଚାପରେ ନଇଁବା ଅନୁଚିତ୍ । ଟ୍ରମ୍ପଙ୍କୁ ଟାରିଫ୍ ପ୍ରତ୍ୟାହାର କରିବାକୁ ବାଧ୍ୟ କରିବା ପାଇଁ ସମାନ ମନୋଭାବ ଥିବା ବିଭିନ୍ନ ଦେଶ ସହିତ ଆର୍ଥିକ ସମ୍ପର୍କ ବୃଦ୍ଧି କରିବା ଉଚିତ ।