ପ୍ରମୂଖ ଖବର
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ପ୍ରକୃତି ସଂରକ୍ଷଣ ଅନ୍ତରାଳେ

Published By : Rasmita Pradhan | August 20, 2025 11:46 AM

ପ୍ରକୃତି ସଦାବେଳେ ଉଦାର । ମାଆର ମମତା ପରି ନିଜର ସବୁକିଛି ସମର୍ପି ଦେଇ, ସେ ମନୁଷ୍ୟ ଓ ଜୀବଜଗତର ପାଳନ ତଥା ପ୍ରତିପୋଷଣ କରିଆସୁଛି । ଏହି ପୃଷ୍ଠଭୂମିରେ ପ୍ରକୃତି ଏବଂ ପ୍ରାକୃତିକ ସମ୍ବଳର ସୁରକ୍ଷା ତଥା ସଂରକ୍ଷଣ ବିଶ୍ୱବାସୀଙ୍କର ଏକ ନୈତିକ ଦାୟିତ୍ୱ । ୨୦୨୨ ମସିହାରେ ପ୍ରକାଶିତ ଆଇ.ପି.ସି.ସି. ରିପୋର୍ଟରେ ଲକ୍ଷ୍ୟ ନିର୍ଦ୍ଦିଷ୍ଟ କରାଯାଇଛି, ୨୦୩୦ ମସିହା ସୁଦ୍ଧା ୩୦% ଭୂମି ଓ ସାମୁଦ୍ରିକ ଜଳରାଶି ଯେପରି ସୁରକ୍ଷିତ ରହିପାରିବ ।

ଚଳିତ ବର୍ଷ ଜୁଲାଇ ମାସ ୨୪କୁ ବିଶ୍ୱ ସୀମା ଅତିକ୍ରମଣ ତାରିଖ ଭାବେ ଘୋଷଣା କରାଯାଇଛି । ବିଗତ ୨୦୨୪ ମସିହାର ସୀମା ଅତିକ୍ରମଣ ତାରିଖ ଥିଲା ଅଗଷ୍ଟ ୧ । ଅର୍ଥାତ୍‌ ଗତବର୍ଷ ତୁଳନାରେ ଚଳିତ ବର୍ଷ ଏହା ଏକସପ୍ତାହ ପଛକୁ ଫେରିଯାଇଛି । ପରିବେଶ ବିଶେଷଜ୍ଞଙ୍କ ମତରେ, ପୃଥିବୀର ଅନ୍ୟତମ ପ୍ରାକୃତିକ ଅଙ୍ଗାରକ କୁଣ୍ଡ ସମୁଦ୍ର ବାୟୁମଣ୍ଡଳରୁ ଯେତେ ପରିମାଣରେ ଅଙ୍ଗାରକାମ୍ଳ ବିଶୋଷିତ କରୁଥିଲା, ଚଳିତ ବର୍ଷ ତାହା ହ୍ରାସ ପାଇଛି । ତେଣୁ ପୃଥିବୀର ଜୈବିକ ଉତ୍ପାଦନ କ୍ଷମତା ପ୍ରାୟତଃ ସ୍ଥିର ଥିଲାବେଳେ ପରିବେଶ ପାଦଚିହ୍ନ ବଢ଼ିଯାଇଛି । ତାହାର ପରିପ୍ରକାଶ ହେଲା, ସୀମା ଅତିକ୍ରମଣ ତାରିଖର ପଶ୍ଚାତ୍‌ ଧାବନ, ଗ୍ଲୋବାଲ ଫୁଟପ୍ରିଣ୍ଟ ନେଟୱର୍କ ନାମକ ଏକ ସଂସ୍ଥା ପ୍ରତିବର୍ଷ ଏହି ତାରିଖକୁ ଧାର୍ଯ୍ୟ ବା ସ୍ଥିର କରିଥାନ୍ତି । ଚଳିତ ବର୍ଷ କାନାଡ଼ାର ଟରଣ୍ଟୋ ସ୍ଥିତ ୟୋର୍କ ବିଶ୍ୱବିଦ୍ୟାଳୟ ମଧ୍ୟ ତଥ୍ୟ ସଂଗ୍ରହ କରି ଏହି କାର୍ଯ୍ୟକ୍ରମରେ ସହାୟତା କରିଛି । 

ପ୍ରତି କ୍ୟାଲେଣ୍ଡର ବର୍ଷ ବିଶ୍ୱ ସୀମା ଅତିକ୍ରମଣ ତାରିଖ ଭିନ୍ନ ଭିନ୍ନ ହୋଇଥାଏ । ନିର୍ଦ୍ଦିଷ୍ଟ ତାରିଖଟିର ତାତ୍ପର୍ଯ୍ୟ ହେଲା, ବର୍ଷର ସେହିଦିନ ମନୁଷ୍ୟ ସମାଜର ପ୍ରାକୃତିକ ପରିବେଶୀୟ ଆବଶ୍ୟକତା, ପୃଥିବୀର ବାର୍ଷିକ ପ୍ରାକୃତିକ ସମ୍ବଳ ଉତ୍ପାଦନ କ୍ଷମତା ସହ ବରାବର ହୋଇଯାଏ । ସରଳ ଭାଷାରେ କହିଲେ, ପ୍ରାକୃତିକ ସମ୍ବଳର ବାର୍ଷିକ ଉତ୍ପାଦନ କ୍ଷମତା ହିଁ ଆମ ଗ୍ରହ ପୃଥିବୀର ବଜେଟ୍‌ । ପ୍ରାକୃତିକ ସମ୍ବଳ ଭିତରେ ରହିଛି ନବୀକରଣୀୟ ସଂପଦ ବାୟୁ, ଜଳ ଏବଂ ମୃତ୍ତିକା । ପ୍ରାକୃତିକ ପରିବେଶର ଉଦ୍ଭିଦ, ଜୀବଜଗତ ଓ ବିଭିନ୍ନ ପରିସଂସ୍ଥା । ଅନ୍ୟ ଅଣନବୀକରଣୀୟ ପ୍ରାକୃତିକ ସମ୍ବଳର ଉତ୍ସ ମଧ୍ୟରେ କୋଇଲା, ପ୍ରାକୃତିକ ଗ୍ୟାସ ଓ ଜୀବାଶ୍ମ ଇନ୍ଧନ ଇତ୍ୟାଦି । ଶକ୍ତି ଉତ୍ପାଦନ ନିମନ୍ତେ ବ୍ୟବହୃତ ହେଉଥିବା ଏହିସବୁ ଅଣନବୀକରଣୀୟ ସମ୍ବଳର ଉତ୍ସ ଅସୀମ ବା ଅସରନ୍ତି ନୁହେଁ । ଯେତିକି ବିନିଯୋଗ ହେଉଛି, ଭଣ୍ଡାର ସେତିକି ଶୂନ୍ୟ ହେଉଛି । ଅନ୍ୟପଟେ ପୃଥିବୀର ଲୋକସଂଖ୍ୟା କ୍ରମାଗତ ବଢ଼ିଚାଲିଛି । 

୧୯୭୧ରେ ବିଶ୍ୱ ଜନସଂଖ୍ୟା ୩୭୭ କୋଟି ଥିଲାବେଳେ ଏବେ ତାହା ବଢ଼ି ବଢ଼ି ୮୨୦ କୋଟିରେ ପହଞ୍ଚିଲାଣି । ଏ ଭିତରେ ବିଶ୍ୱବାସୀଙ୍କର ହାରାହାରି ଜୀବନକାଳ ଅବଧି ମଧ୍ୟ ବଢ଼ିଛି । ଆଗେ କୁହାଯାଉଥିଲା, କଳିଷଠା ଷାଠିଏ । ଲୋକମାନେ ଅତି ବେଶିରେ ୬୦ବର୍ଷ ଯାଏଁ ବଞ୍ଚୁଥିଲେ । ଏବେ ୮୦ବର୍ଷ ବା ତଦୁଦ୍ଧ୍ୱର୍ ବଞ୍ଚିରହିବା ଏକ ସାଧାରଣ କଥା ହେଇଗଲାଣି । ଜୀବନଯାପନ ଶୈଳୀ ବଦଳିବା ସହିତ ଆବଶ୍ୟକତା ମଧ୍ୟ ବଢ଼ିଚାଲିଛି । ଉନ୍ନତ ଜୀବନଶୈଳୀର ଚକ୍କରରେ ପଡ଼ି ଆମେ ପୃଥିବୀର ପ୍ରାକୃତିକ ସମ୍ବଳ ଉପରେ ଅଧିକ ଚାପ ସୃଷ୍ଟି କରୁଛେ । ପୃଥିବୀର ପ୍ରାକୃତିକ ସମ୍ବଳ ଜମି, ଜଳ, ଜଙ୍ଗଲ, ଆର୍ଦ୍ରଭୂମି, ସମୁଦ୍ରର ପୁନଃପୌନିକତା ଓ ଉତ୍ପାଦନ କ୍ଷମତା ସୀମିତ । ପରିବେଶୀୟ ଅବଦାନ ଓ ପରିସଂସ୍ଥୀୟ ସେବା ଆମକୁ ବିନାମୂଲ୍ୟରେ ଉପଲବ୍‌ଧ ହେଉଛି ବୋଲି ସେଗୁଡ଼ିକ ଅକ୍ଷୟ ଓ ଅସରନ୍ତି ବୋଲି ଭାବିବା ଠିକ୍‌ ନୁହଁ । ବିଶ୍ୱ ସୀମା ଅତିକ୍ରମଣ ତାରିଖଟି ସୂଚାଇଦିଏ, ଏହି ତାରିଖ ଭିତରେ ଆମେ ପୃଥିବୀର ବାର୍ଷିକ ଜୈବ ଉତ୍ପାଦନ କ୍ଷମତାକୁ ଆମର ଦୈନନ୍ଦିନ ଆବଶ୍ୟକତା ପୂରଣ ପାଇଁ ଖର୍ଚ୍ଚ କରିଦେଉଛେ । 

ବାର୍ଷିକ ବଜେଟ ଶେଷ ହେଇଗଲା ପରେ ଦରକାର ପଡ଼ୁଛି ନିଅଣ୍ଟିଆ ବଜେଟ, ଯାହାକି ବର୍ଷର ଅବଶିଷ୍ଟ ଦିନଗୁଡ଼ିକରେ ଆମର ଆବଶ୍ୟକତା ପୂରଣ କରିପାରିବ । ପ୍ରକାରାନ୍ତରେ ଏହା ପ୍ରାକୃତିକ ସମ୍ବଳ ଉପରେ ଚାପ ସୃଷ୍ଟିକରୁଛି, ଯାହାର କୁପରିଣାମ ଅପରିମିତ । ଉଦାହରଣ ସ୍ୱରୂପ, ୧୯୭୦ ପରଠାରୁ ପୃଥିବୀର ବନ୍ୟଜୀବ ସଂଖ୍ୟା ପ୍ରାୟ ୭୩% ହ୍ରାସପାଇଛି । ଏହି ସମୟ ମଧ୍ୟରେ ୧୩ଲକ୍ଷ ପ୍ରଜାତିର ପ୍ରାଣୀ ଓ ଉଦ୍ଭିଦ ଲୋପ ପାଇଗଲେଣି । ମଧୁର ଜଳଜୀବ କ୍ଷେତ୍ରରେ ୮୦% ପ୍ରଜାତି ହ୍ରାସ ପାଇଲେଣି । କାରଣ ବିଭିନ୍ନ ସୂତ୍ରରୁ ନିର୍ଗତ ବର୍ଜ୍ୟ, ନଦୀ, ନାଳ, ହ୍ରଦ ଓ ସମୁଦ୍ରର ଜଳକୁ ପ୍ରଦୂଷିତ କରୁଛି । ବିଷାକ୍ତ କରୁଛି । ୧୯୭୦ ପରଠାରୁ ଏହି ଆକଳନ କରିବାର ଅନ୍ୟତମ କାରଣ ହେଉଛି, ୧୯୭୦ରେ ‘ଆଣ୍ଡ୍ରୁ ସିମ୍‌ସ’ଙ୍କ ଦ୍ୱାରା ନିରୂପିତ କରାଯାଇଥିବା ବିଶ୍ୱ ସୀମା ଅତିକ୍ରମଣ ତାରିଖ ଡିସେମ୍ବର ମାସ ୨୯ ବା ୩୦ ତାରିଖରେ ପଡ଼ିଥିଲା । ଅର୍ଥାତ୍‌ ସେହିବର୍ଷ ପୃଥିବୀବାସୀଙ୍କର ଆବଶ୍ୟକତା ପରିପୂରଣ ପାଇଁ ପୃଥିବୀର ପ୍ରାକୃତିକ ସମ୍ବଳ ଓ ଜୈବ ଉତ୍ପାଦନ କ୍ଷମତା ବରାବର ଥିଲା । ଏହା ଥିଲା ସମତୁଲ ବଜେଟ । 

ଜୈବବିବିଧତା ଦୃଷ୍ଟିକୋଣରୁ ବିଚାର କଲେ ତାହା ପ୍ରାକୃତିକ ବିଲୁପ୍ତି ହାରଠାରୁ ୧୦୦୦ ଗୁଣ ବା ତହିଁରୁ ଅଧିକ ଦ୍ରୁତବେଗରେ ହ୍ରାସପାଉଛି । ପୂର୍ବେ ପ୍ରତି ୧୦୦ ବର୍ଷରେ ୯୯ ବା ୧୦୦ଟି ପ୍ରଜାତି ବିଲୁପ୍ତି ହୋଇଯାଉଥିଲେ । ଏହା ଏକ କ୍ରମବିବର୍ତ୍ତନ ପ୍ରକ୍ରିୟା । କିନ୍ତୁ ବର୍ତ୍ତମାନ ମନୁଷ୍ୟର ଅବୈଧ ହସ୍ତକ୍ଷେପ ଫଳରେ ପ୍ରତି ଘଣ୍ଟାରେ ବିଶ୍ୱର ତିନିଟି ପ୍ରଜାତି ଲୋପ ପାଇଯାଉଛନ୍ତି । ‘ନେଚର’ ପତ୍ରିକାରେ ପ୍ରକାଶିତ ତଥ୍ୟ ଅନୁସାରେ, ଏକଦା ବିଶ୍ୱରେ ୩.୦୪ ଟ୍ରିଲିୟନ ବା ୩ଲକ୍ଷ ଗଛ ଥିଲା । ଗବେଷଣାଲବ୍‌ଧ ତଥ୍ୟରୁ ଜଣାପଡ଼େ, ପ୍ରତିବର୍ଷ ପ୍ରାୟ ୧୫.୮ ବିଲିୟନ ଅର୍ଥାତ୍‌ ୧୫୮୦ କୋଟି ଗଛ କଟାହେଉଛି । ବିଗତ ୧୨୦୦୦ ବର୍ଷ ଭିତରେ ବିଶ୍ୱର ୪୬% ଗଛକଟା ସରିଲାଣି । ଅର୍ଥାତ୍‌ ପୃଥିବୀର ଉଦ୍ଭିଦ ସମ୍ପଦର ଅର୍ଦ୍ଧେକ ହ୍ରାସ ପାଇସାରିଛି । ଅବଶ୍ୟ ପ୍ରତିବର୍ଷ କେତେ ପରିମାଣରେ ବୃକ୍ଷ ରୋପଣ କରାଯାଉଛି ଏବଂ ତନ୍ମଧ୍ୟରୁ ପରିଶେଷରେ କେତେ ବଞ୍ଚିରହୁଛି, ସେ ବିଷୟ ଏଠାରେ ବିଚାରକୁ ନିଆଯାଇନାହିଁ । ପୃଥିବୀପୃଷ୍ଠରେ ଜୀବସତ୍ତା ତିଷ୍ଠିରହିବା ପାଇଁ ପ୍ରକୃତି ଓ ପରିବେଶର ଅବଦାନ ଗୁରୁତ୍ୱପୂର୍ଣ୍ଣ । ପରିସଂସ୍ଥୀୟ ସେବାର ଅବଦାନ ଅସୀମ । ପ୍ରକୃତି, ପରିସଂସ୍ଥା ଓ ପରିବେଶକୁ ସୁସ୍ଥ ରଖିବାକୁ ହେଲେ ଆମର ଆଚାର ବ୍ୟବହାର, ଚାଲିଚଳଣି, ଜୀବନଶୈଳୀ, ଇଚ୍ଛା ଓ ଆବଶ୍ୟକତା ପରିବେଶ ସହାୟକ ହେବା ଉଚିତ । ଚଳିତବର୍ଷ ଜୁଲାଇ ୨୪ ତାରିଖ ବିଶ୍ୱ ସୀମା ଅତିକ୍ରମଣ ତାରିଖକୁ ବିଚାର କଲେ ଆମେ ବୁଝିପାରିବା, ଆମେ ମାତ୍ର ୬ମାସ ୨୪ଦିନ ଅର୍ଥାତ୍‌ ୨୦୫ ଦିନ ଭିତରେ ବର୍ଷକ ୩୬୫ ଦିନର ପୃଥିବୀର ଜୈବିକ ଉତ୍ପାଦନ କ୍ଷମତାକୁ ଶେଷ କରିଦେଇଛେ । 

ବର୍ତ୍ତମାନର ଜୀବନଶୈଳୀ ହିସାବରେ ଖର୍ଚ୍ଚ କଲେ ବିଶ୍ୱବାସୀଙ୍କର ଆବଶ୍ୟକତା ପୂରଣ ପାଇଁ ୧.୭ ବା ୧.୮ଟି ପୃଥିବୀର ଆବଶ୍ୟକତା ପଡ଼ିବ । ଯଦି ଆମେ ଆମେରିକୀୟଙ୍କର ଜୀବନଶୈଳୀ ଆପଣେଇବା, ତେବେ ୫ଟି ପୃଥିବୀର ଆବଶ୍ୟକତା ପଡ଼ିବ । କିନ୍ତୁ ଏଯାବତ୍‌ ଆମ ନିକଟରେ ଗୋଟିଏ ମାତ୍ର ପୃଥିବୀ ଉପଲବ୍ଧ । ପୃଥିବୀର ଜୈବିକ ଉତ୍ପାଦନ କ୍ଷମତା ଓ ବିଶ୍ୱବାସୀଙ୍କର ପରିବେଶ ପାଦଚିହ୍ନ ମଧ୍ୟରେ ତାଳମେଳ ରଖିବାକୁ ହେଲେ ମନୁଷ୍ୟର ଜୀବନଯାପନ ଶୈଳୀରେ ସୁଧାର ଆଣିବା ସହିତ ତାର ଆବଶ୍ୟକତା ସହନୀୟ ବା ପୋଷଣୀୟ ହେବା ଦରକାର । ୨୦୧୫ ମସିହାରେ ‘ପରିବେଶ ଓ ପ୍ରଗତି’ ମଧ୍ୟରେ ସମନ୍ୱୟ ଆଣିବା ପାଇଁ ମିଳିତ ଜାତିସଂଘ ୧୭ଟି ସହନୀୟ ବିକାଶ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି । ସମସ୍ତ ୧୭ଟି ସହନୀୟ ବିକାଶ ଲକ୍ଷ୍ୟ କୌଣସି ନା କୌଣସି ସୂତ୍ରରେ ପରସ୍ପର ସହିତ ଊଣାଅଧିକେ ସଂପୃକ୍ତ । କିନ୍ତୁ ପ୍ରକୃତି ସଂରକ୍ଷଣ ନିମନ୍ତେ ଯେଉଁ କେତୋଟି ଲକ୍ଷ୍ୟ ନିର୍ଦ୍ଦିଷ୍ଟ ଭାବେ ଅଭିପ୍ରେତ, ସେଗୁଡ଼ିକ ହେଲା ଲକ୍ଷ୍ୟ ୬- ସ୍ୱଚ୍ଛ ଜଳ ଓ ପରିମଳ, ଲକ୍ଷ୍ୟ ୭- ସୁଲଭ ସ୍ୱଚ୍ଛ ନବୀକରଣୀୟ ଶକ୍ତି, ଲକ୍ଷ୍ୟ ୧୨- ଦାୟିତ୍ୱପୂର୍ଣ୍ଣ ଉପଯୋଗ ଓ ଉତ୍ପାଦନ, ଲକ୍ଷ୍ୟ ୧୩- ଜଳବାୟୁ ଆଚରଣ, ଲକ୍ଷ୍ୟ ୧୪- ଜଳ ଭିତରେ ଜୀବନ ଏବଂ ଲକ୍ଷ୍ୟ ୧୫- ଭୂପୃଷ୍ଠରେ ଜୀବନ । ବିକାଶ କ୍ଷେତ୍ରରେ ଏହି ୬ଟି ଲକ୍ଷ୍ୟ ପୂରଣ କରିବାକୁ ହେଲେ ଆମର ଜୀବନଶୈଳୀ, ଆବଶ୍ୟକତା, ଉପଯୋଗ ବା ବିନିଯୋଗ ବିଜ୍ଞ ତଥା ଦାୟିତ୍ୱସଂପନ୍ନ ହେବା ଦରକାର । ଭାରତ ସରକାର ଏଥିପାଇଁ ‘ମିଶନ ଲାଇଫ’ର ପରିକଳ୍ପନା କରିଛନ୍ତି । ଜୀବନ ତଥା ଜୀବନଶୈଳୀକୁ ନିୟନ୍ତ୍ରିତ କରିବାପାଇଁ ମିଶନ ଲାଇଫ୍‌ରେ ଯେଉଁ ଉପାୟଗୁଡ଼ିକର ଅବତାରଣା କରାଯାଇଛି ସେଗୁଡ଼ିକ ହେଲା– ୧) ଏକକ ବ୍ୟବହୃତ ପ୍ଲାଷ୍ଟିକ ନିଷେଧ । 

୨୦୨୨ ମସିହା ଠାରୁ ଭାରତ ସରକାର ଦେଶର ସମସ୍ତ ପୌରାଞ୍ଚଳ ଓ ଗ୍ରାମାଞ୍ଚଳରେ ଅନେକ ପ୍ରକାର ଏକକ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ ନିଷେଧ କରିଛନ୍ତି । ୨) ଶକ୍ତି ସଂରକ୍ଷଣ- ଶକ୍ତି ହିଁ ବିକାଶର ଚାବିକାଠି । ଶକ୍ତି ସଂରକ୍ଷଣ ଅର୍ଥ, ବ୍ୟବହୃତ ହେଉଥିବା ଶକ୍ତିର ଅପଚୟ ରୋକିବା । ଏବେ ଯେଉଁ ଶକ୍ତି ଆମେ ବ୍ୟବହାର କରୁଛେ ତାର ସିଂହଭାଗ ହେଉଛି ତାପଜ ଶକ୍ତି ଏବଂ ଜଳବିଦ୍ୟୁତ ଶକ୍ତି । କଳକାରଖାନାରେ ତାପଜ ଶକ୍ତିର ବ୍ୟବହାର ବାୟୁ ପ୍ରଦୂଷଣର ମୂଳ କାରକ । ଏହା ବ୍ୟତୀତ ପରିବହନ କ୍ଷେତ୍ରରେ ବ୍ୟବହୃତ ହେଉଥିବା ଶକ୍ତି ମୂଳତଃ ଜୀବାଶ୍ମ ଇନ୍ଧନରୁ ଆସିଥାଏ । ଏହାର ବ୍ୟବହାରରେ ବାୟୁମଣ୍ଡଳକୁ ନିଷ୍ପାସିତ ହେଉଥିବା ଅଙ୍ଗାରକାମ୍ଳ ବାଷ୍ପର ପରିମାଣ ବୃଦ୍ଧି ସହିତ ଜଳବାୟୁରେ ଅସ୍ୱାଭାବିକ ପରିବର୍ତ୍ତନ ଦେଖାଯାଉଛି । ବର୍ତ୍ତମାନ ଆମ ପୃଥିବୀ ଓ ବିଶ୍ୱବାସୀଙ୍କ ସମ୍ମୁଖରେ ଦେଖାଦେଇଥିବା ପ୍ରମୁଖ ସମସ୍ୟାଗୁଡ଼ିକ ମଧ୍ୟରେ ରହିଛି ଜଳବାୟୁ ପରିବର୍ତ୍ତନ, ପ୍ରଦୂଷଣ (ଜଳ, ସ୍ଥଳ, ଆକାଶ), ବର୍ଜ୍ୟ ଓ ଇ-ବର୍ଜ୍ୟ ଉତ୍ପାଦନ³ ପରିସଂସ୍ଥା ଅବକ୍ଷୟ ଓ ଜୈବବିବିଧତା ହ୍ରାସ । ଏସବୁର ନିରାକରଣ ହିଁ ମିଶନ ଲାଇଫରେ ସନ୍ନିବେଶିତ କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ । ଅନ୍ୟ ଏକ କାର୍ଯ୍ୟକ୍ରମ ହେଉଛି ଜଳସଂଚୟ । ବୃଷ୍ଟିପାତର ଅନିୟମିତତା ହେତୁ ଜଳକ୍ଳିଷ୍ଟତା ବଢ଼ିଚାଲିଛି । ମଧୁରଜଳ ବା ପେୟଜଳ ଏବଂ ଭୂତଳ ଜଳର ପରିମାଣ ହ୍ରାସ ପାଇବାରେ ଲାଗିଛି । ତେଣୁ ଜଳ ବ୍ୟବହାରରେ ମିତବ୍ୟୟିତା ଜରୁରି । ଅନ୍ୟପକ୍ଷରେ ଉଭୟ କଠିନ ଓ ତରଳ ବର୍ଜ୍ୟବସ୍ତୁ ନିଷ୍କାସନ ଏବଂ ବିଲବାଡ଼ିରେ ପ୍ରୟୋଗ କରାଯାଉଥିବା ରାସାୟନିକ ସାର ବୋହିଯାଇ ନଦୀନାଳରେ ମିଶୁଛି ଏବଂ ଭୂପୃଷ୍ଠ ଜଳକୁ ପ୍ରଦୂଷିତ କରୁଛି । ଏକ ଆକଳନରୁ ଜଣାଯାଇଛି, ଆମ ଦେଶରେ ୭୦% ଭୂପୃଷ୍ଠ ଜଳ ପ୍ରଦୂଷିତ । ପାନୀୟ ଉପଯୋଗୀ ନୁହେଁ । ଅନେକ ବିଶେଷଜ୍ଞଙ୍କ ମତରେ, ଆମର ଖାଦ୍ୟପେୟ ମଧ୍ୟ ପୋଷଣୀୟ ହେବା ଉଚିତ । 

ଆମିଷ ତୁଳନାରେ ନିରାମିଷ, ପନିପରିବାଯୁକ୍ତ ଖାଦ୍ୟ ଅଧିକ ପରିବେଶ ଉପଯୋଗୀ । ପ୍ରକୃତି ସବୁଦିନ ଉଦାର । ମାଆର ମମତା ପରି ନିଜର ସବୁକିଛି ସମର୍ପି ଦେଇ, ସେ ମନୁଷ୍ୟ ଓ ଜୀବଜଗତର ପାଳନ ତଥା ପ୍ରତିପୋଷଣ କରିଆସୁଛି । ଏହି ପୃଷ୍ଠଭୂମିରେ ପ୍ରକୃତି ଏବଂ ପ୍ରାକୃତିକ ସମ୍ବଳର ସୁରକ୍ଷା ତଥା ସଂରକ୍ଷଣ ବିଶ୍ୱବାସୀଙ୍କର ଏକ ନୈତିକ ଦାୟିତ୍ୱ । ୨୦୨୨ ମସିହାରେ ପ୍ରକାଶିତ ଆଇ.ପି.ସି.ସି. ରିପୋର୍ଟରେ ଲକ୍ଷ୍ୟ ନିର୍ଦ୍ଦିଷ୍ଟ କରାଯାଇଛି, ୨୦୩୦ ମସିହା ସୁଦ୍ଧା ୩୦% ଭୂମି ଓ ସାମୁଦ୍ରିକ ଜଳରାଶି ଯେପରି ସୁରକ୍ଷିତ ରହିପାରିବ । ତାହାହେଲେ ଜୈବ ପ୍ରଜାତି ଦ୍ରୁତଗତିରେ ବିଲୁପ୍ତିମୁହାଁ ହେବେନାହିଁ । ଅବକ୍ଷୟିତ ପରିସଂସ୍ଥା ପୁନର୍ଜୀବିତ ହୋଇପାରିବ । ପରିସଂସ୍ଥୀୟ ସେବା ପ୍ରଦାନରେ ଉନ୍ନତି ଘଟିବ । ପ୍ରକୃତି ସୁରକ୍ଷିତ ଓ ସଂରକ୍ଷିତ ରହିଲେ ଉଭୟ ବର୍ତ୍ତମାନ ଏବଂ ଭବିଷ୍ୟତ ପିଢ଼ିର ଉପକାରରେ ଆସିବ, ଏଥିରେ ଦ୍ୱିମତ ନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.