ଆମେରିକାର କଲେଜ ଗୁଡ଼ିକରେ ବିଦେଶୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଧିକ ଭାରତୀୟ, ଚାଇନା ଖୁବ୍ ପଛରେ : ରିପୋର୍ଟ
ନୂଆଦିଲ୍ଲୀ : ଆମେରିକୀୟ ବିଶ୍ୱବିଦ୍ୟାଳୟରେ ଆଡମିଶନ ନେଇ ଥିବା ବିଦେଶୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାରତୀୟ ମାନେ ବାଜି ମାରିଛନ୍ତି। ଓପେନ ଡୋର୍ସ ରିପୋର୍ଟ ଅନୁସାରେ , ଭାରତ ୨୦୦୯ ପରେ ଏହା ପ୍ରଥମ ଥର ସଂଯୁକ୍ତ ରାଷ୍ଟ୍ର ଆମେରିକାରେ ଅନ୍ତରାଷ୍ଟ୍ରୀୟ ଛାତ୍ରଛାତ୍ରୀଙ୍କ ପ୍ରମୁଖ ଉତ୍ସ ହୋଇ ବାହାରିଛି। ମୋଟ ଅନ୍ତରାଷ୍ଟ୍ରୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟାର ୨୯ ପ୍ରତିଶତ ଭାଗ ଭାରତୀୟଙ୍କର। ଏହି ମାମଲାରେ ଚାଇନା ଖୁବ୍ ପଛରେ ଅଛି। ୨୦୨୩-୨୦୨୪ ଶୈକ୍ଷଣିକ ବର୍ଷରେ ୩୩୦୦୦୦ରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀମାନେ ଆମେରିକୀୟ ଉଚ୍ଚ ଶିକ୍ଷା ସଂସ୍ଥାରେ ନାମ ଲେଖାଇଛନ୍ତି। ଏହା ଗତ ବର୍ଷ ତୁଳନାରେ ୨୩ ପ୍ରତିଶତରୁ ଅଧିକ।
ଏହି ବୃଦ୍ଧି ମୁଖ୍ୟ ରୂପେ ଗ୍ରାଜୁଏସନ ଛାତ୍ରଛାତ୍ରୀଙ୍କର। ଏହି ସଂଖ୍ୟା ୧୯ ପ୍ରତିଶତ ବଢି ୧୯୬,୫୬୭ ଯାଏ ପହଞ୍ଚି ଯାଇଛି। ଗ୍ରାଜୁଏସନ ପରେ ବୈକଳ୍ପିକ ବ୍ୟାବହାରିକ ପ୍ରଶିକ୍ଷଣ (ଓପିଟି) କାର୍ଯ୍ୟକ୍ରମ ଗୁଡ଼ିକରେ ଭାଗ ନେଉଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ୪୧ ପ୍ରତିଶତର ବୃଦ୍ଧି ହୋଇଛି। ମୋଟ ସଂଖ୍ୟା ୯୭, ୫୫୬ ରହିଛି।
ଆମେରିକୀୟ ରାଷ୍ଟ୍ରଦୂତ ଏରିକ୍ ଗାର୍ସେଟି ଭାରତର ଉପଲବ୍ଧିରେ ନିଜର ଖୁସି ବ୍ୟକ୍ତ କରି କହିଛନ୍ତି, ମୋତେ ଏହା କହିବାରେ ଖୁସି ଲାଗୁଛି ଯେ ୩୩୦,୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ସହ, ଭାରତ ଚଳିତ ବର୍ଷ କୌଣସି ବି ଅନ୍ୟ ଦେଶ ତୁଳନାରେ ଆମେରିକାକୁ ଅଧିକ ଷ୍ଟୁଡେଣ୍ଟ ପଠାଇଛି। ଆସନ୍ତୁ ଆମେ ଆସନ୍ତାକାଲିର ଛାତ୍ରଛାତ୍ରୀଙ୍କ ଭବିଷ୍ୟତର ନିର୍ମାଣ କରିବା ଓ ପରସ୍ପର ମଧ୍ୟରେ ସମ୍ୱନ୍ଧକୁ ନିବିଡ଼ କରିବା ପାଇଁ ଶିକ୍ଷା ଶକ୍ତିର ଉତ୍ସବ ପାଳିବା ।
ଆମେରିକାରେ ଏହା ପୂର୍ବରୁ ଚାଇନା ଛାତ୍ରଛାତ୍ରୀଙ୍କ ସଂଖ୍ୟା ସବୁଠୁ ଅଧିକ ଥିଲା, କିନ୍ତୁ ଏବେ ପଛେଇ ଯାଇଛି। ଆଡମିସନ ନେଉଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ୪ ପ୍ରତିଶତର ହ୍ରାସର ସହ ଏହା ଦ୍ୱିତୀୟ ସ୍ଥାନକୁ ଆସି ଯାଇଛି। ମୋଟ ୨୭୭୩୯୮ ଚାଇନା ଛାତ୍ରଛାତ୍ରୀ ଆମେରିକାରେ ଡିଗ୍ରୀ ନେଇଛନ୍ତି। ଏଥିରେ ସ୍ନାତକ ଓ ଅଣ-ଡିଗ୍ରୀ କାର୍ଯ୍ୟକ୍ରମ ମଧ୍ୟ ସାମିଲ ଅଛି।
ସମୁଦାୟ ମିଶାଇ ଆମେରିକା ୨୦୨୩-୨୦୨୪ଶୈକ୍ଷଣିକ ବର୍ଷ ବେଳେ ରେକର୍ଡ ସଂଖ୍ୟକ ୧.୧ ମିଲିୟନ ଅନ୍ତରାଷ୍ଟ୍ରୀୟ ଛାତ୍ରଛାତ୍ରୀମାନେ ପାଠ ପଢିଛନ୍ତି। ଏହି ସଂଖ୍ୟା ବାର୍ଷିକ ହାରରେ ୭ପ୍ରତିଶତ ଯାଏ ବଢିଛି। ଏପଟେ ଭାରତରେ ପଢୁଥିବା ଆମେରିକୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ଦେଖିବାକୁ ମିଳିଛି, ଯାହା ୨୦୨୧/୨୨ ରେ ୩୩୬ରୁ ବୃଦ୍ଧି ପାଇଁ ୨୦୨୨/ ୨୩ରେ ୧୩୫୫ ହୋଇ ଯାଇଛି।