ନୂଆଦିଲ୍ଲୀ,୨୩/୧୨:ବାଂଲାଦେଶରେ ବର୍ତ୍ତମାନ ହିଂସା ଏବଂ ଅଶାନ୍ତି ଲାଗି ରହିଛି। ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶର ମାୟମନାସିଂହ ଜିଲ୍ଲାର ଭିଡ଼ ହିଂସାରେ ହିନ୍ଦୁ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ମୃତ ଯୁବକଙ୍କ ପରିବାରର ଦୁର୍ଦ୍ଦଶା ବିଷୟରେ ଏକ ସୋସିଆଲ ମିଡିଆ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଯାହାପରେ ଭାରତ ସମେତ ସାରା ବିଶ୍ୱରୁ ସାହାଯ୍ୟର ସୁଅ ଛୁଟିଛି। ଭାରତ, ଆମେରିକା ଏବଂ ସିଙ୍ଗାପୁର ସମେତ ଅନେକ ଦେଶରୁ ବାଂଲାଦେଶରେ ରହୁଥିବା ଦାସ ପରିବାର ପାଇଁ ସହାୟତା ଆସୁଛି।
ସୋମବାର ସୁଦ୍ଧା ବାଂଲାଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟର ସଦସ୍ୟମାନେ ଦାସ ପରିବାର ପାଇଁ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲେ। ପରିବାରକୁ ଆର୍ଥିକ ସହାୟତା କିପରି ଦିଆଯିବ ସେ ବିଷୟରେ ସୋସିଆଲ ମିଡିଆରେ ପ୍ରଶ୍ନ ଉଠୁଥିଲା । ହେଲେ ଆକାଉଣ୍ଟ ଖୋଲିବା ମାତ୍ରେ ହିଁ ସନ୍ଧ୍ୟା ସୁଦ୍ଧା ଦେଶ ବିଦେଶରୁ ଦାନ ଆସିବା ଆରମ୍ଭ ହୋଇଯାଇଥିଲା । ଚିଟାଗଙ୍ଗା ବିଶ୍ୱବିଦ୍ୟାଳୟର ସଂସ୍କୃତ ପ୍ରଫେସର କୁଶଳ ବରଣ ଚକ୍ରବର୍ତ୍ତୀ କହିଛନ୍ତି , ଆମେ ପରିବାରକୁ ସାହାଯ୍ୟ କରିବା ପାଇଁ ସୋସିଆଲ ମିଡିଆରେ ବ୍ୟାଙ୍କ ଆକାଉଣ୍ଟ ବିବରଣୀ ସେୟାର କରିଛୁ । ଆମେ ବର୍ତ୍ତମାନ ଦାନ ଗଣନା କରୁନାହୁଁ, କିନ୍ତୁ ଆମେ ସୂଚନା ପାଇଛୁ ଯେ ବିଶ୍ୱର ବିଭିନ୍ନ ସ୍ଥାନରୁ ଲୋକମାନେ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଟଙ୍କା ଦାନ କରିଛନ୍ତି ।
ସେ ଆହୁରି ବି କହିଛନ୍ତି , ପରିବାରର ଅବସ୍ଥା ଅତ୍ୟନ୍ତ ଖରାପ ଥିଲା । ପରିବାରର ସଦସ୍ୟମାନେ ମାନସିକ ଭାବରେ ଭାଙ୍ଗି ପଡିଛନ୍ତି । ସେମାନଙ୍କ ପାଖରେ ଗୋଟିଏ ସପ୍ତାହ ପାଇଁ ବଞ୍ଚିବା ପାଇଁ ଯଥେଷ୍ଟ ଟଙ୍କା ମଧ୍ଯ ନଥିଲା । ଦୀପୁ ଦାସ ଏକମାତ୍ର ରୋଜଗାରକ୍ଷମ ଥିଲେ । ସେ ଏକ କପଡା ନିର୍ମାଣକାରୀ କମ୍ପାନୀରେ କାମ କରୁଥିଲେ ଏବଂ ସ୍ୱଳ୍ପ ଦରମା ପାଉଥିଲେ ।