- ରାଫେଲ SCALP ଏବଂ S-400 କ୍ଷେପଣାସ୍ତ୍ର କ୍ରୟକୁ ଅନୁମୋଦନ କରିଛି ଡିଏସି
- ଭାରତରେ ନିର୍ମିତ ହେବ ୧୧୪ଟି ରାଫେଲ ଜେଟ୍, ୨୦୨୮ ରୁ ଆରମ୍ଭ ହେବ ବିତରଣ
- ନୂତନ ଚୁକ୍ତିରେ ସ୍ୱଦେଶୀ ଅସ୍ତ୍ରଶସ୍ତ୍ରର ସମନ୍ୱୟ ପାଇଁ ପୂର୍ଣ୍ଣ କ୍ଷମତା ରହିବ
ନୂଆଦିଲ୍ଲୀ,୧୪/୦୨: ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ରାଫେଲ ଜେଟ୍ ପାଇଁ ଦୀର୍ଘ ଦୂରଗାମୀ SCALP କ୍ଷେପଣାସ୍ତ୍ର ଏବଂ ରୁଷ ନିର୍ମିତ S400 ଏରିୟଲ୍ ସିଲ୍ଡ ସିଷ୍ଟମ୍ ପାଇଁ ଅଧିକ କ୍ଷେପଣାସ୍ତ୍ର କ୍ରୟକୁ ଅନୁମୋଦନ କରିଛି। ଡିଏସି ୧୧୪ଟି ରାଫେଲ୍ ଜେଟ୍ କ୍ରୟକୁ ଅନୁମୋଦନ କରିବାର ଗୋଟିଏ ଦିନ ପରେ, ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ ଶୁକ୍ରବାର କହିଛନ୍ତି ଯେ ପ୍ରଥମ ଥର ପାଇଁ ଫ୍ରାନ୍ସର ଯୁଦ୍ଧ ବିମାନଗୁଡ଼ିକ ଫ୍ରାନ୍ସ ବାହାରେ ନିର୍ମାଣ କରାଯିବ ଏବଂ ଭାରତକୁ ସେଗୁଡ଼ିକର ବିତରଣ ୨୦୨୮ ରୁ ଆରମ୍ଭ ହେବ।ନୌସେନା ଭାରିଏଣ୍ଟ ଏବଂ ବାୟୁସେନା ଭାରିଏଣ୍ଟ ମିଶାଇଲ ପ୍ରଥମେ ଆସିବ ବୋଲି ଏକ ସରକାରୀ ସୁତ୍ରରୁ ମିଳିଥିବା ସୂଚନା ପ୍ରକାଶ କରିଛି ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍ ଇଣ୍ଡିଆ।
ଅପରେସନ ସିନ୍ଦୁରରେ ନିଭାଇଥିଲା ନିର୍ଣ୍ଣାୟକ ଭୂମିକା:
ଗଭୀରତାକୁ ଯାଇ ଆକ୍ରମଣ କରିବା ପାଇଁ ଡିଜାଇନ୍ ହୋଇଥିବା ୨୫୦ କିଲୋମିଟର ଦୂରଗାମୀ SCALP ଏୟାର-ଲଞ୍ଚଡ୍ ମିସାଇଲ୍ ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନର ମୁରିଦକେ ଏବଂ ବାହାୱଲପୁରରେ ଥିବା ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୈବା ଆତଙ୍କବାଦୀ ମୁଖ୍ୟାଳୟକୁ ଧ୍ୱଂସ କରିବା ପାଇଁ ବ୍ୟବହାର କରାଯାଇଥିଲା। S-400 ସିଷ୍ଟମ୍ ଗତ ବର୍ଷ ମେ ମାସରେ କ୍ରୁଜ୍ ମିସାଇଲ୍ ବ୍ୟବହାର କରି ପାକିସ୍ତାନୀ ବାୟୁ ଆକ୍ରମଣକୁ ମଧ୍ୟ ପଣ୍ଡ କରିଥିଲା। SCALP କ୍ଷେପଣାସ୍ତ୍ରଗୁଡ଼ିକ ଇନର୍ସିଆଲ୍ ନାଭିଗେସନ୍, ଜିପିଏସ୍, ଟେରେନ-ରେଫରେନ୍ସ ନାଭିଗେସନ୍ ଏବଂ ଟର୍ମିନାଲ ପର୍ଯ୍ୟାୟରେ ଏକ ଇନଫ୍ରାରେଡ୍ ଇମେଜିଂ ସିକର୍ ର ମିଶ୍ରଣ ସହିତ ସଜ୍ଜିତ ଅଟେ। ଏହି କ୍ଷେପଣାସ୍ତ୍ରଗୁଡ଼ିକ ପାକିସ୍ତାନରେ ଥିବା ଆତଙ୍କବାଦୀ ଏବଂ ସାମରିକ ଘାଟିଗୁଡ଼ିକୁ ସଠିକ୍ ଭାବରେ ଆକ୍ରମଣ କରିଥିଲା।
ଅଧିକ ପଢ଼ନ୍ତୁ: ଚୀନ୍କୁ ଡାଇରେକ୍ଟ ମେସେଜ୍; ବର୍ଡରରେ ଗର୍ଜିଲେ ସୁଖୋଇ-ରାଫେଲ-ବାହୁବଳୀ ସି-୧୩୦, ପରାକ୍ରମ ଦେଖିଲେ ପ୍ରଧାନମନ୍ତ୍ରୀ
ସଚିବ କ’ଣ କହିଲେ ପ୍ରତିରକ୍ଷା ?
ପ୍ରତିରକ୍ଷା ସଚିବ କହିଛନ୍ତି, "ଏହି ୧୧୪ଟି ରାଫେଲ ଜେଟ୍ ପାଇଁ ଉଭୟ ସରକାରଙ୍କ ମଧ୍ୟରେ ଚୁକ୍ତି ହେବ, ଏଥିରେ କୌଣସି ମଧ୍ୟସ୍ଥି ରହିବେ ନାହିଁ, ପ୍ରକଳ୍ପରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଏବଂ ବିମାନରେ ଭାରତୀୟ ଅସ୍ତ୍ରଶସ୍ତ୍ର ଏବଂ ଭାରତୀୟ ସିଷ୍ଟମକୁ ଏକୀକୃତ କରିବାର ସମ୍ପୂର୍ଣ୍ଣ ଅଧିକାର ରହିବ।" ପୂର୍ବରୁ ୩୬ଟି ରାଫେଲ ଜେଟ୍ ଏବଂ ୨୬ଟି ମାରିନ୍ ରାଫେଲ୍ ପାଇଁ ହୋଇଥିବା ଚୁକ୍ତିରେ, ଫ୍ରାନ୍ସ ସରକାର ଭାରତକୁ ବିମାନର ରାଡାର ଏବଂ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ପାଇଁ ଆବଶ୍ୟକୀୟ ସୋର୍ସ କୋଡ୍ ଦେଇ ନଥିଲେ, ଯାହା ସ୍ୱାଧୀନ ଭାବରେ ସ୍ୱଦେଶୀ କ୍ଷେପଣାସ୍ତ୍ରକୁ ଏକୀକୃତ କରିବାର ଭାରତର କ୍ଷମତାକୁ ସୀମିତ କରିଥିଲା। ତଥାପି, ପ୍ରତିରକ୍ଷା ସଚିବଙ୍କ ବିବୃତ୍ତି ସ୍ପଷ୍ଟ କରିଛି ଯେ ଭାରତ ୧୧୪ ରାଫେଲ ଜେଟ୍ ପାଇଁ କୌଣସି ସୋର୍ସ କୋଡ୍ ସମସ୍ୟାର ସମ୍ମୁଖୀନ ହେବ ନାହିଁ ଏବଂ ସ୍ୱଦେଶୀ କ୍ଷେପଣାସ୍ତ୍ରକୁ ସଂଯୋଜିତ କରିବାର ପୂର୍ଣ୍ଣ ଅଧିକାର ରହିବ।
କ’ଣ କହିଲେ ସଫରାନର ସିଇଓ ?
ଏହି ସମୟରେ, ପ୍ୟାରିସ-ଭିତ୍ତିକ ଫ୍ରେଞ୍ଚ ଇଞ୍ଜିନ ନିର୍ମାତା ସଫ୍ରାନର ସିଇଓ ଓଲିଭିୟର ଆଣ୍ଡ୍ରିସ୍ ଶୁକ୍ରବାର କହିଛନ୍ତି ଯେ କମ୍ପାନୀ ସ୍ଥାନୀୟ ଉତ୍ପାଦନ ପାଇଁ ଦେଶର ଆବଶ୍ୟକତା ପୂରଣ କରିବା ପାଇଁ ଭାରତରେ ଏକ ଇଞ୍ଜିନ ଆସେମ୍ବଲ ଲାଇନ୍ ନିର୍ମାଣ କରିବାକୁ ପ୍ରସ୍ତୁତ। ଡାସଲ୍ଟ ଆଭିଏସନ୍ ଜେଟ୍ ପାଇଁ M-88 ଇଞ୍ଜିନ ତିଆରି କରୁଥିବା ସଫ୍ରାନ୍ ଭାରତର ଏରୋସ୍ପେସ୍ ଶିଳ୍ପକୁ ସମର୍ଥନ କରିବା ପାଇଁ ସ୍ଥାନୀୟ ଯୋଗାଣକାରୀଙ୍କଠାରୁ ପାର୍ଟସ ମଧ୍ୟ କ୍ରୟ କରିବ।
ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: ମହିଳାଙ୍କୁ ଫ୍ରି ସ୍କୁଟି ବାଣ୍ଟୁଛନ୍ତି ପିଏମ୍ ମୋଦି, ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଭିଡିଓ...