ନୂଆଦିଲ୍ଲୀ,୯।୧୦:  ଭାରତ ଗସ୍ତରେ ଅଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ। ଏହି ଅବସରରେ ମୁମ୍ବାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବ୍ରିଟିସ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମରଙ୍କ ମଧ୍ୟରେ ହୋଇଛି ଦ୍ବିପାକ୍ଷିକ ବୈଠକ। ଏଥିରେ ବାଣିଜ୍ୟ, ପ୍ରତିରକ୍ଷା ଓ ବୈଷୟିକ ଜ୍ଞାନ ଆଦାନ ପ୍ରଦାନ ଉପରେ ଦୁଇଦେଶର ପ୍ରଧାନମନ୍ତ୍ରୀ ବିସ୍ତୃତ ଆଲୋଚନା କରିଛନ୍ତି । ପୂର୍ବରୁ ସ୍ବାକ୍ଷରିତ ବାଣିଜ୍ୟ ଚୁକ୍ତିର ସଫଳ ରୂପାୟନ ପାଇଁ ଆଲୋଚନା ବେଶ୍ ସକାରାତ୍ମକ ହୋଇଛି । ମୋଦୀ ଓ ଷ୍ଟାର୍ମର ସନ୍ତୋଷ ପ୍ରକାଶ କରିଛନ୍ତି । ଭିଜନ ୨୦୩୦ ରୋଡମ୍ୟାପ୍ ମଧ୍ୟ ପ୍ରସ୍ତୁତ କରିଛନ୍ତି। ଏହି ସମୟରେ ଭାରତ ଓ ବ୍ରିଟେନ ୪୬୮ ମିଲିୟନ ଡଲାର ବା ପ୍ରାୟ ୩୮୮୪ କୋଟି ଟଙ୍କାର  ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷର କରିଛନ୍ତି। ଏହି ଚୁକ୍ତି ଅନୁସାରରେ ବ୍ରିଟେନ୍‌ ଭାରତୀୟ ସେନାକୁ ହାଲକା ଓଜନ ଥିବା ବା ଲାଇଟଓ୍ବେଟ୍ ମଲ୍ଟି ରୋଲ ମିସାଇଲ ଉପଲବ୍ଧ କରାଇବ ।ଏହି ମିସାଇଲର ନିର୍ମାଣ ଫ୍ରାନ୍ସ କମ୍ପାନୀ ’ଥେଲ୍ସ’ ଦ୍ବାରା କରାଯିବ।

ରଏଟର୍ସ’ର ରିପୋର୍ଟ ଅନୁସାରେ, ବ୍ରିଟିସ୍‌ ସରକାର ଏହି ଚୁକ୍ତିକୁ ନିଜର ପ୍ରତିରକ୍ଷା କ୍ଷେତ୍ର ଓ ଭାରତ ସହ ସୃଷ୍ଟି ହେଉଥିବା ସାମରିକ ସମ୍ପର୍କ ପାଇଁ  ଏକ ଐତିହାସିକ ମାଇଲଷ୍ଟୋନ୍ ପାଲଟିବ। ଏହି ମିସାଇଲ ଉତ୍ତର ଆୟରଲ୍ୟାଣ୍ଡରେ ଥିବା ଥେଲ୍ସ ପ୍ଲାଣ୍ଟରେ ନିର୍ମିତ ହେବ। ବ୍ରିଟିସ୍ ଅଧିକାରୀଙ୍କ କହିବା ଅନୁସାରେ, ଏହି ଡିଲ୍‌ରେ ପ୍ରାୟ ୭୦୦ ବ୍ରିଟିସ୍ ନାଗରିକଙ୍କ ଚାକିରୀ ସୁରକ୍ଷିତ ହୋଇଯିବ, ଯିଏକି ବର୍ତ୍ତମାନ ୟୁକ୍ରେନକୁ ହତିଆର ସପ୍ଲାଇ କରୁଥିବା ଏହି ପ୍ଲାଣ୍ଟରେ କାମ କରୁଛନ୍ତି। ସରକାରଙ୍କ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ଏହି ଡିଲ୍ ଭାରତ-ବ୍ରିଟେନ୍ ଭିତରେ ଜଟିଳ ହତିଆର ପାର୍ଟନରସିପ୍‌ ଦିଗରେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ।

ମୁମ୍ବାଇର ଏହି ଶିଖର ବୈଠକ ବେଳେ ଦୁଇ ନେତା ଭାରତ-ବ୍ରିଟେନ୍ ବ୍ୟାପାରିକ ସମ୍ପର୍କକୁ ମଧ୍ୟ ବଢାଇବା ନେଇ ଆଲୋଚନା କରିଥିଲେ। ନିକଟରେ ମୁକ୍ତ ବାଣିଜ୍ୟ ଚୁକ୍ତି ପରେ ଏବେ ପ୍ରତିରକ୍ଷା ଓ ପ୍ରଯୁକ୍ତି ସହଯୋଗକୁ ନୂତନ ଶକ୍ତି ମିଳିବ। ବ୍ରିଟେନ ଅତିରିକ୍ତ ଭାବରେ ଘୋଷଣା କରିଛି ଯେ, ଭାରତ ସହ ନୌସେନା ଜାହାଜ ପାଇଁ ଇଲେକ୍ଟ୍ରିକ୍ ଇଞ୍ଜିନ ଟେକ୍ନାଲୋଜି ଉପରେ ନୂଆ ଚୁକ୍ତି କରିଛି। ଯାହାର ପ୍ରାରମ୍ଭିକ ମୂଲ୍ୟ ୨୫୦ ମିଲିୟନ ପାଉଣ୍ଡ।