ନୂଆଦିଲ୍ଲୀ ୧୧/୦୪: ଜଣେ ୧୪ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ବାଳକ ଟେକ୍ନୋଲୋଜି ଓ ଚିକିତ୍ସା କ୍ଷେତ୍ରରେ ଚର୍ଚ୍ଚାର ବିଷୟ ହୋଇଛନ୍ତି । ଡଲାସ ବାସିନ୍ଦା ସିଦ୍ଧାର୍ଥ ନାନ୍ଦିଆଲା ଏକ ସର୍କାଡିଆନ୍ ଏଆଇ ଉଦ୍ଭାବନ କରିଛନ୍ତି । ଏହି ଆପ୍ ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଜରିଆରେ ମାତ୍ର ୭ ସେକେଣ୍ଡ୍ରେ କେବଳ ହୃତ୍ସ୍ପନ୍ଦନର ଶବ୍ଦ ରେକର୍ଡ କରି ସମସ୍ୟା ଚିହ୍ନିପାରେ । ସିଦ୍ଧାର୍ଥ ବିଶ୍ୱର ସର୍ବକନିଷ୍ଠ ଏଆଇ- ପ୍ରମାଣିତ କର୍ମଜୀବୀ, ଯିଏକି ଓରାକଲ୍ ଓ ଏଆର୍ଏମ୍ରୁ ପ୍ରମାଣପତ୍ର ହାସଲ କରିଛନ୍ତି । ତାଙ୍କ ଉଦ୍ଭାବନକୁ କେବଳ ହଜାର ହଜାର ରୋଗୀଙ୍କଠାରେ ପରୀକ୍ଷା କରାଯାଇଛି ତାହା ନୁହେଁ, ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ଓ ଜୋ ବାଇଡେନ୍ଙ୍କଠୁ ସେ ପ୍ରଶଂସା ପତ୍ର ପାଇଛନ୍ତି । ସେତିକି ନୁହେଁ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।
ହାଇଦ୍ରାବାଦର ମୂଳ ବାସିନ୍ଦା ସିଦ୍ଧାର୍ଥ ପିଲାଦିନୁ ଆମେରିକା ଚାଲିଯାଇଥିଲେ । ତାଙ୍କ ଲିଙ୍କ୍ଡଇନ୍ ପ୍ରୋଫାଇଲ ଅନୁସାରେ, ସିଦ୍ଧାର୍ଥ ଫେବ୍ରୁଆରୀ, ୨୦୨୪ରେ ଫ୍ରିସ୍କୋ ଚାମ୍ବର ଅଫ୍ କମର୍ସ ଦ୍ୱାରା ୨୦୨୩ ମସିହାର ଉଦ୍ଭାବକ ଟାଇଟଲ୍ ଲାଭ କରିଥିଲେ । ନଭେମ୍ବର, ୨୦୨୩ରେ ଆମେରିକା ପ୍ରତିନିଧି ସଭାରୁ ଏକ ମାନ୍ୟତା ପ୍ରମାଣପତ ମଧ୍ୟ ପାଇଥିଲେ । ଏକ ଭାରତୀୟ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ସିଦ୍ଧାର୍ଥ ନିଜର ଆପ୍ ବିଷୟରେ ଆଲୋଚନା କରିଛନ୍ତି । ସେ କହିଛନ୍ତି, ସମଗ୍ର ବିଶ୍ୱରେ ସର୍ବାଧିକ ମୃତ୍ୟୁର ସବୁଠୁ ବଡ଼ କାରଣ ହେଉଛି ହୃତ୍ପିଣ୍ଡ ରୋଗ । ଏହି ସମସ୍ୟା ଦିନକୁ ଦିନ ବଢୁଛି । ତେଣୁ ସର୍କାଡିଆନ୍ ଏଆଇ ହେଉଛି ଏକ ସ୍ୱୟଂଚାଳିତ ଟୁଲ୍ । ଆପଣଙ୍କ ହୃତ୍ପିଣ୍ଡରେ କିଛି ସମସ୍ୟା ଅଛି କିମ୍ବା ଏହା ସମ୍ପୂର୍ଣ୍ଣ ସୁସ୍ଥ, ୭ ସେକେଣ୍ଡ୍ର ହାର୍ଟ ସାଉଣ୍ଡ୍ ରେକର୍ଡିଂ ଜରିଆରେ ଏହା ଜଣାଇପାରେ ।
ସିଦ୍ଧାର୍ଥଙ୍କ ଆପ୍ର ବ୍ୟବହାର ଖୁବ୍ ସହଜ । ଏହାକୁ ହୃତ୍ପିଣ୍ଡ ପାଖରେ ରଖି ୭ ସେକେଣ୍ଡ୍ ହାର୍ଟ ସାଉଣ୍ଡ୍ ରେକର୍ଡ କରିବାକୁ ହେବ । ତା’ପରେ ଆପ୍ ହୃତ୍ପିଣ୍ଡ ରୋଗ ଚିହ୍ନଟ କରିବ । ଏହା ୪୦ରୁ ଅଧିକ ପ୍ରକାର ହୃତ୍ପିଣ୍ଡ ରୋଗ ଚିହ୍ନଟ କରିପାରେ । ତେବେ ଏହା ବ୍ୟକ୍ତିଗତ ବ୍ୟବହାର ପାଇଁ ନୁହେଁ । ହସ୍ପିଟାଲରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରୋଗ ଚିହ୍ନଟ ପାଇଁ ସେ ଏହାକୁ ପ୍ରସ୍ତୁତ କରିଛନ୍ତି । ଆପ୍ର ସଠିକତା ହାର ୯୬ ପ୍ରତିଶତ, ଯାହାକୁ ଆମେରିକାରେ ୧୫ ହଜାର ରୋଗୀ ଏବଂ ଭାରତରେ ୧୦୦୦ରୁ ଅଧିକ ରୋଗୀଙ୍କ ଉପରେ ପରୀକ୍ଷା କରାଯାଇଛି । ଆନ୍ଧ୍ରପ୍ରଦେଶର ଜିଜିଏଚ୍ ଗୁଣ୍ଟୁର ଓ ଜିଜିଏଚ୍ ବିଜୟୱାଡ଼ାରେ ଆପ୍ର ସଦ୍ୟ ପରୀକ୍ଷଣ ହୋଇଛି । ଗୋଟିଏ ପରୀକ୍ଷାରେ ଜିଜିଏଚ୍ ଗୁଣ୍ଟୁରରେ ଏହି ଏଆଇ ଆପ୍ ୫୦୫ ଜଣ ରୋଗୀଙ୍କୁ ପରୀକ୍ଷା କରି ୧୦ ଜଣଙ୍କର ହୃଦ୍ରୋଗ ସମସ୍ୟା ଚିହ୍ନଟ କରିଥିଲା । ଅନ୍ୟତମ ପରୀକ୍ଷା ସେହି ହସ୍ପିଟାଲରେ ୮୬୩ ଜଣ ରୋଗୀଙ୍କ ଉପରେ କରାଗଲା । ୧୬ ଜଣଙ୍କର ହୃଦ୍ରୋଗ ସମସ୍ୟା ଆପ୍ ଚିହ୍ନଟ କଲା । ଜିଜିଏଚ୍ ବିଜୟୱାଡ଼ାରେ ୯୯୨ ଜଣଙ୍କୁ ଆପ୍ ଦ୍ୱାରା ପରୀକ୍ଷା କରାଗଲା । ତନ୍ମଧ୍ୟରୁ ୧୯ ଜଣଙ୍କଠାରେ ହୃଦ୍ରୋଗ ଚିହ୍ନଟ କରାଗଲା ।
ଆପ୍ ଦ୍ୱାରା ଯେଉଁମାନଙ୍କର ହୃଦ୍ରୋଗ ଚିହ୍ନଟ ହେଲା, ସେମାନଙ୍କୁ ଇସିଜି ଓ ୨ଡି ଇକୋ ସ୍କାନ୍ ପାଇଁ ପଠାଗଲା । ଚୂଡ଼ାନ୍ତ ରିପୋର୍ଟରୁ ହୃଦ୍ ଚିକିତ୍ସକ ସ୍ପଷ୍ଟ କଲେ ଯେ ପ୍ରାରମ୍ଭିକ ପରୀକ୍ଷଣ ଟୁଲ୍ ଭାବେ ଏହି ଆପ୍ ଭରସାଯୋଗ୍ୟ । ଆପ୍ର ବିକାଶ ପ୍ରକ୍ରିୟାରେ ସିଦ୍ଧାର୍ଥଙ୍କୁ ୭ ମାସ ସମୟ ଲାଗିଥିଲା । ସିଦ୍ଧାର୍ଥ ମଧ୍ୟ ଷ୍ଟେମ୍ ଆଇଟି ପ୍ରତିଷ୍ଠା କରିଛନ୍ତି, ଯାହା ଏକ ଶିକ୍ଷା ଷ୍ଟାର୍ଟଅପ୍ । ସେ କହିଛନ୍ତି, ବାସ୍ତବ ଦୁନିଆରେ ଟେକ୍ନୋଲୋଜି କେମିତି କାମ କରୁଛି, ପାରମ୍ପରିକ ଶିକ୍ଷଣ ତାହା ଦେଖାଏ ନାହିଁ । ଷ୍ଟେମ୍ ଆଇଟି ଜରିଆରେ ବିଦ୍ୟାର୍ଥୀଙ୍କୁ ଶିଖିବା, ନିର୍ମାଣ କରିବା ଏବଂ ଅନ୍ୱେଷଣ ପାଇଁ ବ୍ୟବହାରିକ ଟୁଲ୍ ପ୍ରଦାନ କରି ଏହି ତାରତମ୍ୟକୁ ସେ ଦୂର କରିବାକୁ ଚାହୁଁଥିଲେ । କେବଳ ଟେକ୍ ଦୁନିଆ ନୁହେଁ, ସିଦ୍ଧାର୍ଥ ଜଣେ ଭଲ ଗଲ୍ଫର ଓ ଚେସ୍ ଖେଳାଳି ମଧ୍ୟ । ଏହା ତାଙ୍କ ନିଷ୍ପତ୍ତି ନେବାର କୌଶଳକୁ ସ୍ପଷ୍ଟ କରିବାରେ ସାହାଯ୍ୟ କରେ ବୋଲି ସେ କହିଛନ୍ତି । ଭାରତର ପୂର୍ବତନ ରାଷ୍ଟ୍ରପତି ଦିବଂଗତ ଏପିଜେ ଅବଦୁଲ କଲାମ ତାଙ୍କର ପ୍ରେରଣା ।