ନୂଆଦିଲ୍ଲୀ ୧୫/୧୧: ଭାରତର ଅନେକ ଜିଲ୍ଲାରେ ଏକ୍ୟୁଆଇ (ଏୟାର କ୍ୱାଲିଟି ଇଣ୍ଡେକ୍ସ) ସ୍ତର ଖରାପରୁ ଅତି ଖରାପ ଶ୍ରେଣୀରେ ପହଞ୍ଚିଛି । ବାୟୁ ପ୍ରଦୂଷଣ ବୃଦ୍ଧିର ସବୁଠୁ ବଡ଼ କାରଣ ପିଏମ୍‌ ୨.୫ । ଏହା ଏକ ପ୍ରକାର ପ୍ରଦୂଷକ, ଯାହା ମଣିଷ କେଶଠୁ ମଧ୍ୟ ୧୦୦ ଗୁଣ ଅଧିକ ପତଳା । ଏହା ଏତେ ସୂକ୍ଷ୍ମ କଣିକା ଯେ ଶ୍ୱାସକ୍ରିୟା ଜରିଆରେ ଶରୀର ମଧ୍ୟରେ ପ୍ରବେଶ କରେ ଏବଂ ଅନେକ ଗମ୍ଭୀର ରୋଗର କାରଣ ହୁଏ । 

ଗତ ବୁଧବାର ଦିଲ୍ଲୀର ବାୟୁ ଗୁଣବତ୍ତା ସ୍ତର ଅତ୍ୟନ୍ତ ଖରାପ ସ୍ଥିତିରେ ପହଞ୍ଚିଗଲା । ଅନେକ ଅଞ୍ଚଳରେ ଏକ୍ୟୁଆଇ ସ୍ତର ୪୦୦ ଅତିକ୍ରମ କରିଥିଲା, ଯାହା ଗମ୍ଭୀର ସ୍ଥିତି ରୂପେ ବିବେଚିତ । କେବଳ ଦିଲ୍ଲୀ ନୁହେଁ, ଏନ୍‌ସିଆର୍‌ର ଅନେକ ଜିଲ୍ଲାରେ ବି ସମାନ ସ୍ଥିତି । ପଡ଼ୋଶୀ ଦେଶ ପାକିସ୍ତାନ ଓ ବାଂଲାଦେଶରେ ମଧ୍ୟ ସମାନ ସ୍ଥିତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ବାୟୁରେ ଯଦି ପିଏମ୍‌ ୨.୫ ମାତ୍ରା କ୍ୟୁବିକ୍‌ ମିଟର ପିଛା ୫ ମାଇକ୍ରୋଗ୍ରାମ୍‌, ଏହାର ଅର୍ଥ ଆପଣ ପରିଷ୍କାର ବାୟୁରେ ଶ୍ୱାସକ୍ରିୟା କରୁଛନ୍ତି । କିନ୍ତୁ ଏହି ମାନକ ମଧ୍ୟରେ ଖୁବ୍‌ କମ୍‌ ସହର ଅଛନ୍ତି । ଭାରତ, ପାକିସ୍ତାନ ଓ ବାଂଲାଦେଶରେ ପିଏମ୍‌ ୨.୫ ମାତ୍ରା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ସ୍ଥିର ମାନକଠୁ ଅନେକ ଗୁଣ ଅଧିକ । ନିକଟରେ ଲାହୋରରେ ଏକ୍ୟୁଆଇ ସ୍ତର ୧୯୦୦ ଅତିକ୍ରମ କରିଥିଲା । 

ବୈଜ୍ଞାନିକ ପତ୍ରିକା ଲାନ୍‌ସେଟ୍‌ର ଅଧ୍ୟୟନ ଅନୁସାରେ, ୨୦୧୯ ମସିହାରେ ବାୟୁ ପ୍ରଦୂଷଣ ଯୋଗୁ ଭାରତରେ ୧୬.୭ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ବିଶ୍ୱରେ ପ୍ରତି ବର୍ଷ ପ୍ରଦୂଷିତ ବାୟୁ ଯୋଗୁ ୭୦ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି । ପ୍ରଦୂଷିତ ବାୟୁ ଏଚ୍‌ଆଇଭି-ଏଡ୍‌ସ ଭଳି ରୋଗଠୁ ମଧ୍ୟ ଅଧିକ ବିପଦପୂର୍ଣ୍ଣ । ୟୁଏନ୍‌ଏଡ୍ସର ରିପୋର୍ଟ ଅନୁସାରେ, ଏଚ୍‌ଆଇଭି-ଏଡ୍ସ ଯୋଗୁ ପ୍ରତି ବର୍ଷ ୬.୩ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି । ଷ୍ଟେଟ୍‌ ଅଫ୍‌ ଗ୍ଲୋବାଲ ଏୟାର-୨୦୨୦ର ରିପୋର୍ଟ ଅନୁସାରେ, ୨୦୧୯ ମସିହାରେ ବାୟୁ ପ୍ରଦୂଷଣ ଯୋଗୁ ଭାରତରେ ୧.୧୬ ଲକ୍ଷ ନବଜାତକଙ୍କ ମୃତ୍ୟୁ ହୋଇଥିଲା । 

ଏହି ସଂଖ୍ୟା ବିଶ୍ୱରେ ସର୍ବାଧିକ ଥିଲା । ଭାରତ ପରେ ନାଇଜେରିଆରେ ପ୍ରାୟ ୬୮ ହଜାର ନବଜାତକଙ୍କ ମୃତ୍ୟୁ ହୋଇଥିଲା । ପ୍ରଦୂଷିତ ବାୟୁ ଶ୍ୱାସକ୍ରିୟାରେ ଶରୀରକୁ ଯିବା ଦ୍ୱାରା ଲୋକଙ୍କ ଆୟୁଷ ମଧ୍ୟ କମୁଛି । ଶିକାଗୋ ବିଶ୍ୱବିଦ୍ୟାଳୟର ଏୟାର କ୍ୱାଲିଟି ଲାଇଫ୍‌ ଇଣ୍ଡେକ୍ସ ରିପୋର୍ଟ ଅନୁସାରେ, ବିଶ୍ୱରେ ପିଏମ୍‌ ୨.୫ ମାତ୍ରା କ୍ୟୁବିକ୍‌ ମିଟର ପିଛା ଯଦି ୫ ମାଇକ୍ରୋଗ୍ରାମ୍‌ ହୋଇଯାଏ, ତେବେ ଲୋକଙ୍କ ଆୟୁଷ ୧.୯ ବର୍ଷ ବଢ଼ିଯିବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ସ୍ଥିର ମାନକଠୁ ଢେର ଅଧିକ ଥିବା ସ୍ଥାନରେ ଅଧିକାଂଶ ଭାରତୀୟ ବାସ କରୁଛନ୍ତି ।

ଶିକାଗୋ ବିଶ୍ୱବିଦ୍ୟାଳୟର ସଦ୍ୟତମ ରିପୋର୍ଟ ଅନୁସାରେ, ବାୟୁ ପ୍ରଦୂଷଣ ଯୋଗୁ ପ୍ରତ୍ୟେକ ଭାରତୀୟଙ୍କ ହାରାହାରି ବୟସ ୩.୬ ବର୍ଷ କମିପାରେ । ଅନ୍ୟପକ୍ଷେ, ପାକିସ୍ତାନରେ ୩.୩ ବର୍ଷ ଓ ବାଂଲାଦେଶରେ ୧.୭ ବର୍ଷ କମିପାରେ । ଏଥିରୁ ସ୍ପଷ୍ଟ, ପାକିସ୍ତାନ ଓ ବାଂଲାଦେଶ ତୁଳନାରେ ଭାରତୀୟ ଅଧିକ ପ୍ରଦୂଷିତ ବାୟୁରେ ଶ୍ୱାସକ୍ରିୟା କରୁଛନ୍ତି । ଯଦି ଆପଣ ଦିଲ୍ଲୀରେ ଅଛନ୍ତି, ତେବେ ପ୍ରଦୂଷିତ ବାୟୁ ଯୋଗୁ ଆପଣଙ୍କ ଆୟୁଷ ୭.୩ ବର୍ଷ କମିପାରେ । ଉତ୍ତରପ୍ରଦେଶରେ ରହୁଥିଲେ, ୫.୯ ବର୍ଷ, ବିହାରରେ ୫.୫ ବର୍ଷ, ହରିଆଣାରେ ୫.୨ ବର୍ଷ ଏବଂ ପଞ୍ଜାବରେ ୪.୬ ବର୍ଷ ପର୍ଯ୍ୟନ୍ତ ଆୟୁଷ କମିବାର ଆଶଙ୍କା ରହିଛି ।