ପ୍ରମୂଖ ଖବର

ଏମିତି ଏକ ସ୍ଥାନ; ଯେଉଁଠାରେ ଲୋକେ ମନେ ପକାନ୍ତି ଜୀବନର ଦୁଃଖଦ ଘଟଣା…

Published By : Swapna Ray | March 11, 2025 1:58 PM

ଗୁଜୁରାଟ, ୧୧।୩: ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ଲାଗି ହେଲ୍‌ଥ କ୍ଲବ୍ ଖୋଲାଯାଉଥିବାର ଶୁଣିଛେ । ସେଥିପାଇଁ ଅନେକ ସ୍ଥାନରେ ଲାଫିଂ କ୍ଲବ୍ ରହିଥାଏ । ଯେଉଁଠାକୁ ଲୋକମାନେ ଲାଫିଂ ଏକ୍ସରସାଇଜ୍ କରି ମାନସିକ ଚାପରୁ ଦୂରେଇ ରୁହନ୍ତି । କିନ୍ତୁ, କୌଣସି ଜାଗାରେ କ୍ରାଇଂ କ୍ଲବ୍ ରହିବା କଥା ଶୁଣିଛନ୍ତି କି ? ସୁରଟରେ ରହିଛି’ ହେଲଦି କ୍ରାଇଂ କ୍ଲବ୍’ । ୨୦୧୭ରେ ଏହାକୁ ପ୍ରତିଷ୍ଠା କରାଯାଇଥିଲା । ଏହାକୁ ଦେଶର ପ୍ରଥମ କ୍ରାଇଁ କ୍ଲବ୍ ବୋଲି କୁହାଯାଏ । ସେବେଠାରୁ ଏହା ସେଠାରେ ଖୁବ୍ ଲୋକପ୍ରିୟ ହୋଇପାରିଛି । ଆପଣ ଭାବୁଥିବେ ହସିବା ପାଇଁ ଲାଫିଂ କ୍ଲବ୍ ଖୋଲାଯାଏ । ଯେଉଁଠାକୁ ଲୋକେ ଦୈନିକ ଷ୍ଟ୍ରେସ୍‌ରୁ ମୁକ୍ତି ପାଇଁ ଯାଇଥାନ୍ତି । କିନ୍ତୁ, କ୍ରାଇଂ କ୍ଲବ୍‌ରେ ଲୋକେ କାନ୍ଦିବା କଥା ଅଜବ ଲାଗୁଥାଇପାରେ ।   

କ୍ରାଇଂ କ୍ଲବ୍‌ର ପ୍ରତିଷ୍ଠାତା କମଲେଶ ମସାଲାୱାଲାଙ୍କ କହିବାନୁସାରେ, କାନ୍ଦିବା ସ୍ୱାସ୍ଥ୍ୟ ପାଇଁ ହିତକର । କାନ୍ଦିବା ମଧ୍ୟ ଏକ ବ୍ୟାୟାମ । ଏହାଦ୍ୱାରା ମାନସିକ ଚାପ କମିଥାଏ । କାରଣ ଲୋକମାନଙ୍କର ବୟସ ବୃଦ୍ଧି ହେବା ସହିତ ଦାୟିତ୍ୱ ବଢ଼ିଥାଏ । ଏଭଳି କ୍ଷେତ୍ରରେ ପରିସ୍ଥିତିର ଚାପରେ ସେମାନେ ନିଜ ଭିତରର ସମ୍ୱେଦନଶୀଳ ଦିଗଗୁଡ଼ିକୁ ଲୁଚାଇଥାନ୍ତି । ଧିରେ ଧିରେ ମାନସିକ ଅବସାଦଗ୍ରସ୍ତ ହୋଇପଡ଼ିଥାନ୍ତି । ଲୋକଙ୍କୁ ଏଭଳି ସମସ୍ୟାରୁ ମୁକ୍ତି କରିବା ପାଇଁ କ୍ରାଇଂ କ୍ଲବ୍ ପ୍ରତିଷ୍ଠା କରିବା ପଛର ଉଦ୍ଦେଶ୍ୟ । ଏହି କ୍ଲବ୍‌କୁ ଆସୁଥିବା ଲୋକମାନଙ୍କୁ କନ୍ଦାଇବା ଲାଗି ନିଜ ଜୀବନର ଦୁଃଖଦ ଘଟଣା ସବୁ ମନେ ପକାଇଦିଆଯାଏ । ସେସବୁ ଘଟଣାକୁ ମନାପକାଇବା ପାଇଁ ସେମାନଙ୍କୁ କିଛି ସମୟ ଭାବିବାକୁ ଦିଆଯାଏ । ଯାହା ପରେ ସମସ୍ତେ ଭାବୁକ ହୋଇଯାନ୍ତି । ଏଠାରେ ଲୋକମାନେ ମନଖୋଲି କାନ୍ଦିପାରିବେ । ଏହାର ସଦସ୍ୟଙ୍କ ମଧ୍ୟରେ ଗୃହିଣୀ, ଡାକ୍ତର, ଇଞ୍ଜିନିୟର, ଓକିଲ ଓ ସମାଜର ସବୁ ବର୍ଗର ଲୋକେ ସାମିଲ ଅଛନ୍ତି । 

ବିଶେଷଜ୍ଞଙ୍କ ମତରେ, ନିଜ କାନ୍ଦକୁ ରୋକିବା ଆଦୌ ଉଚିତ୍ ନୁହେଁ । ମନରେ ଥିବା କଷ୍ଟ ଯନ୍ତ୍ରଣାକୁ ଲୁହ ଆକାରରେ ବାହାର କରିଦେଲେ ମନକୁ ହାଲକା ଲାଗେ । ମଣିଷଙ୍କ ଲୁହରେ ଏକ ପ୍ରକାର କେମିକାଲ ରହିଛି, ଯାହାର ନାଁ କୋର୍ଟିସୋଲ । ଏହି କେମିକାଲ ମଣିଷ ଶରୀର ପାଇଁ ଖୁବ୍ କ୍ଷତିକାରକ । ତେଣୁ ଏହି କେମିକାଲ ଲୁହ ମାଧ୍ୟମରେ ଶରୀରରୁ ବାହାରିଯିବା ଭଲ । କହିରଖୁ କି, କ୍ରାଇଂ ଥେରାପି ଏକ ପ୍ରକାର ଭେଣ୍ଟିଲେଟର ଥେରାପି । ଏଥିରେ ଜଣେ କାନ୍ଦିବା ପରେ ଶରୀରରୁ ସମସ୍ତ ହାନିକାରକ ଟକ୍ସିନ ବାହାରିଯାଇଥାଏ । ଆଖିରେ ଯନ୍ତ୍ରଣା ଦେବା ଭଳି କେମିକାଲ ଲୁହ ଆକାରରେ ବାହାରିଯାଇଥାଏ । ଚିକିତ୍ସକଙ୍କ ମତରେ, କାନ୍ଦିବା ଫଳରେ ମନର କଷ୍ଟ ଦୂର ହୁଏ ଓ ମନ ହାଲକା ହୋଇଯାଏ । ରକ୍ତଚାପ ନିୟନ୍ତ୍ରଣ ରହିବା ସହ ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ରହେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.