ନୂଆଦିଲ୍ଲୀ,୧୯/୦୪: ଦକ୍ଷିଣ ଆଫ୍ରିକାର ଯୁବ ବ୍ୟାଟିଂ ବିସ୍ମୟ ଡେୱାଲ୍ଡ ବ୍ରେଭିସ୍‌ ଆଇପିଏଲ୍‌କୁ ଫେରୁଛନ୍ତି । ଏଥର ସେ ଚେନ୍ନାଇ ସୁପରକିଙ୍ଗ୍‌ସ ପକ୍ଷରୁ ଆଇପିଏଲ୍‌ ଖେଳିବେ । ସୁପରକିଙ୍ଗ୍‌ସ ଆହତ ପେସ୍‌ ବୋଲର ଗୁରଜପନୀତ ସିଂହଙ୍କ ସ୍ଥାନରେ ତାଙ୍କୁ ଦଳରେ ସାମିଲ କରିଛି । ସେ ୨.୨କୋଟି ଟଙ୍କାରେ ଚୁକ୍ତିବଦ୍ଧ ହୋଇଛନ୍ତି ।

ଗୁରଜପନୀତ ଆହତ ହୋଇ  ସମ୍ପୂର୍ଣ୍ଣ ଆଇପିଏଲ୍‌ ସିଜନରୁ ବାଦ୍‌ ପଡ଼ିଛନ୍ତି । ସେ ଗୋଟିଏ ବି ମ୍ୟାଚ୍‌ ଖେଳିବାକୁ ସୁଯୋଗ ପାଇନଥିଲେ । ଗତ ବର୍ଷ ଆଇପିଏଲ୍‌ ମେଗା ନିଲାମରେ ବ୍ରେଭିସ୍‌ଙ୍କୁ କୌଣସି ଫ୍ରାଞ୍ଚାଇଜ ଦଳ କିଣିବା ପାଇଁ ଆଗ୍ରହ ଦେଖାଇ  ନଥିଲେ । ତାଙ୍କ ମୂଳ ଦର ୭୫ଲକ୍ଷ ଥିଲା । ମାତ୍ର ଗୁରଜପନୀତ  ଆହତ ହେବା ଫଳରେ ତାଙ୍କୁ ଆଇପିଏଲ୍‌ ଖେଳିବାକୁ ସୁଯୋଗ ମିଳିଛି । ସେ ଖୁବଶୀଘ୍ର ସୁପରକିଙ୍ଗ୍‌ସ ଶିବିରରେ ଯୋଗଦେଇ ଅଭ୍ୟାସ କରିବେ । ପୂର୍ବରୁ ଅଧିନାୟକ ଋତୁରାଜ ଗାଏକ୍ୱାଡ଼ ଆହତ ହୋଇ ବାଦ୍ ପଡିଛନ୍ତି । ମହେନ୍ଦ୍ର ସିଂହ ଧୋନୀ ଦଳର ନେତୃତ୍ୱ ନେଉଛନ୍ତି ।

ଅଧିକ ପଢନ୍ତୁ...IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ

ବ୍ରେଭିସ୍‌ ପୂର୍ବରୁ ୨୦୨୨ ଓ ୨୦୨୪ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ସଦସ୍ୟ ରହିଥିଲେ । ଉଭୟ ସିଜନରେ  ସେ ୧୦ଟି ମ୍ୟାଚ୍‌ ଖେଳି ୨୩୦ରନ୍‌ ସଂଗ୍ରହ କରିଥିଲେ । ସେ  ଟି-ଟ୍ୱେଣ୍ଟି ଫର୍ମାଟରେ ୮୧ଟି ମ୍ୟାଚ୍‌ ଖେଳି ୧୭୮୭ ରନ୍‌ ସଂଗ୍ରହ  କରି ସାରିଛନ୍ତି । ତାଙ୍କର ବ୍ୟକ୍ତିଗତ ସ୍କୋର ୧୬୨ ରହିଛି । ଚଳିତ  ବର୍ଷ ସେ ଏମ୍‌ଆଇ କେପ୍‌ ଟାଉନ୍‌ ଦଳକୁ ଏସ୍‌ଏ-୨୦ ଚାମ୍ପିଅନ୍‌  କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ଫାଇନାଲ୍‌ରେ  ସେ ୧୮ବଲ୍‌ରୁ ୩୮ରନ୍‌ର ଧୂଆଁଧାର ପାଳି ଖେଳିଥିଲେ । ଦକ୍ଷିଣ ଆଫ୍ରିକାର ଏହି ଷ୍ଟାର ପ୍ଲେୟାରଙ୍କୁ ବେବି ଏଭି ଡିଭିଲିୟର୍ସ କୁହାଯାଏ ।

ଆଇପିଏଲ ଇତିହାସର ସବୁଠୁ ସଫଳ ଦଳ ଚେନ୍ନାଇ ସୁପରକିଙ୍ଗସ । ଦଳ ୫ ଥର ଚମ୍ପିଆନ୍ ହୋଇଛି । ଚଳିତ ସିଜିନ୍‌ରେ ଦଳ ଏଯାବତ୍ ୭ଟି ମ୍ୟାଚ ଖେଳି ୨ଟି ଜିତିଛି । ଆସନ୍ତାକାଲି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଦଳ ତାର ଅଷ୍ଟମ ମ୍ୟାଚ ଖେଳିବ ।