ନୂଆଦିଲ୍ଲୀ, ୧୯/୧୧ : ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା ସକାଶେ ସରକାରଙ୍କ ପକ୍ଷରୁ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍) ମାଧ୍ୟମରେ ଦେଶର ୮୧.୪ କୋଟି ଲୋକଙ୍କୁ ମାଗଣା ଶସ୍ୟ ଯୋଗାଇ ଦିଆଯାଉଛି। ତେବେ ଦ୍ରୁତ ଡିଜିଟାଲାଇଜେସନ୍ ସତ୍ତ୍ଵେ ପିଡିଏସ୍ରେ ଏବେ ବି ତ୍ରୁଟି ରହିଛି। ଯାହାଫଳରେ ରାଜାକୋଷକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି। ଗରିବଙ୍କ ପାଇଁ ଉଦ୍ଦିଷ୍ଟ ମାଗଣା ଶସ୍ୟ ଏହାର ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚୁନାହିଁ।
ଏକ ନୂଆ ରିପୋର୍ଟ ଅନୁସାରେ, ପିଡିଏସ୍ ଜରିଆରେ ପ୍ରାୟ ୨୮% ଖାଦ୍ୟଶସ୍ୟ ଗରିବଙ୍କ ପାଖରେ ପହଞ୍ଚୁନାହିଁ। ଏଥିଯୋଗୁ ପ୍ରତିବର୍ଷ ରାଜକୋଷକୁ ୬୯,୦୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି। ଅର୍ଥାତ୍ ୬୯,୦୦୦ କୋଟି ଭୂତ ଖାଇଯାଉଛି। ଇଣ୍ଡିଆନ୍ କାଉନ୍ସିଲ୍ ଫର୍ ରିସର୍ଚ୍ଚ ଅନ୍ ଇଣ୍ଟର୍ନ୍ୟାସ୍ନାଲ ଇକୋନୋମିକ୍ ରିଲେସନ୍ସ(ଆଇସିଆର୍ଆଇଇଆର୍) ପକ୍ଷରୁ ପ୍ରସ୍ତୁତ ଏହି ରିପୋର୍ଟରେ କୁହାଯାଇଛି, ସରକାର ପ୍ରତିବର୍ଷ ୮୧.୪ କୋଟି ଲୋକଙ୍କୁ ମାଗଣା ବା ସବ୍ସିଡି ଦରରେ ଶସ୍ୟ ଯୋଗାଇବା ପାଇଁ ଚାଉଳ ଏବଂ ଗହମ କିଣିଥାନ୍ତି। କିନ୍ତୁ ଏହାର ବଡ଼ ଅଂଶ ଅର୍ଥାତ୍ ୨ କୋଟି ଟନ୍ ହୁଏତ ଖୋଲା ବଜାରରେ ବିକ୍ରି କରାଯାଉଛି କିମ୍ବା ଅନ୍ୟ ଦେଶକୁ ରପ୍ତାନି କରାଯାଉଛି ।
ଏହି ରିପୋର୍ଟକୁ ପ୍ରସ୍ତୁତ କରିବାରେ ଆଇସିଆର୍ଆଇଇଆର୍ରେ ଇନ୍ଫୋସିସ୍ର ଚେୟାର ପ୍ରଫେସର ଅଶୋକ ଗୁଲାଟି, ରାୟା ଦାସ ଏବଂ ରଞ୍ଜନା ରାୟ ଯୋଗଦାନ ଦେଇଛନ୍ତି । ସେମାନେ କୁହନ୍ତି ଯେ, ଏହା ବାର୍ଷିକ କ୍ଷତି । ଶସ୍ୟ କୁଆଡ଼େ ଯାଉଛି? ହୁଏତ ଏହା ଖୋଲା ବଜାରରେ ବିକ୍ରି ହେଉଛି କିମ୍ବା ଅନ୍ୟ ଦେଶକୁ ରପ୍ତାନି ପାଇଁ ଯାଉଛି । ରିପୋର୍ଟରେ ହାଉସ୍ହୋଲ୍ଡ କଞ୍ଜମ୍ପସନ୍ ଏକ୍ସପେଣ୍ଡିଚର ସର୍ଭେ(ଏଚ୍ସିଇଏସ୍) ଏବଂ ଭାରତୀୟ ଖାଦ୍ୟ ନିଗମ(ଏଫ୍ସିଆଇ)ର ଅଗଷ୍ଟ ୨୦୨୨ରୁ ୨୦୨୩ ଜୁଲାଇ ପର୍ଯ୍ୟନ୍ତ ମାସିକ ଡାଟାକୁ ବିଶ୍ଳେଷଣ କରାଯାଇଛି । ଏହା ଅନୁସାରେ, ବାଟମାରଣା ଯୋଗୁ ୨୦୧୧-୧୨ରେ ୪୬% ଶସ୍ୟ ବରବାଦ ହେଉଥିଲା । ଏବେ ଏହା ହ୍ରାସ ପାଇ ୨୮%କୁ ଖସିଆସିଛି। ତଥାପି ଚିନ୍ତାର ବିଷୟ ଯେ, ମାଗଣା କିମ୍ବା ସବ୍ସିଡିଯୁକ୍ତ ଶସ୍ୟର ଏକ ବଡ଼ ଅଂଶ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରୁନାହିଁ। କିରାଣା ଦୋକାନଗୁଡ଼ିକରେ ୨୦୧୬ରେ ପଏଣ୍ଟ ଅଫ୍ ସେଲ୍(ପିଓଏସ୍) ମେସିନ୍ ଲଗାଯାଇଥିଲା । ଏହା ଦ୍ୱାରା ଶସ୍ୟ ଚୋରି କମିଛି। କିନ୍ତୁ ସମସ୍ୟା ଏବେ ବି ସମ୍ପୂର୍ଣ୍ଣ ରୂପେ ସମାପ୍ତ ହୋଇନାହିଁ। ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ ଏବଂ ଗୁଜରାଟ ଭଳି ରାଜ୍ୟଗୁଡ଼ିକରେ ଶସ୍ୟ ଚୋରି ଅଧିକ ରହିଛି । ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଡିଜିଟାଲିକରଣ ଅଭାବରୁ ଏ ସମସ୍ୟା ଆହୁରି ଗମ୍ଭୀର । ବିହାର ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ଏ କ୍ଷେତ୍ରରେ ଅନେକ ସୁଧାର ଦେଖିବାକୁ ମିଳିଛି । ବିହାରରେ ୨୦୧୧-୧୨ରେ ୬୮.୭% ଶସ୍ୟ ବାଟମାରଣା ହେଉଥିଲା । ୨୦୨୨-୨୩ରେ ଏହା ୧୯.୨%କୁ ଖସିଆସିଛି । ଏହିଭଳି ଭାବେ ପଶ୍ଚିମବଙ୍ଗରେ ଏହି ଅଙ୍କ ୬୯.୪%ରୁ ଖସି ୯% ହୋଇଛି । ତେବେ ମୋଟାମୋଟି ଭାବେ ଉତ୍ତର ପ୍ରଦେଶରେ ସର୍ବାଧିକ ୩୩% ଶସ୍ୟ ଚୋରି ହେଉଛି ।
ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ମହାରାଷ୍ଟ୍ରରେ ମଧ୍ୟ ଏ ସମସ୍ୟା ଗମ୍ଭୀର ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ରିପୋର୍ଟରେ କୁହାଯାଇଛି ଯେ, ରାସନ୍ କାର୍ଡକୁ ଆଧାର ସହ ଯୋଡ଼ିବା ଦ୍ୱାରା ବିତରଣ ବ୍ୟବସ୍ଥାରେ ସୁଧାର ଆସିଛି । ତଥାପି ବଡ଼ ମାତ୍ରାରେ ଚୋରି ଚାଲିଛି । ଡିଜିଟାଲ ଟ୍ରାକିଂ ବ୍ୟବସ୍ଥା ଲାଗୁ ହେବା ସତ୍ତ୍ଵେ ବାଟମାରଣା ଜାରି ରହିଛି । ତେଣୁ ପିଡିଏସ୍ରେ ଦୁର୍ନୀତି ରୋକିବା ପାଇଁ ମନିଟରିଂ ବ୍ୟବସ୍ଥାକୁ ଅଧିକ ମଜଭୁତ କରିବା ସହ ଢାଞ୍ଚାଗତ ସୁଧାର ଆବଶ୍ୟକ । ଭାରତର ପିଡିଏସ୍ ପ୍ରଣାଳୀ ବିଶ୍ୱର ସର୍ବବୃହତ୍ ପ୍ରଣାଳୀ ମଧ୍ୟରୁ ଅନ୍ୟତମ । ଏହା ଜରିଆରେ ୮୦ କୋଟିରୁ ଊଦ୍ଧ୍ୱର୍ ଲୋକଙ୍କୁ ଶସ୍ତାରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଇଥାଏ । କିନ୍ତୁ ଏ ପ୍ରଣାଳୀରେ ଅନେକ ତ୍ରୁଟି ରହିଛି । ତେଣୁ ସରକାରଙ୍କୁ ପ୍ରତିବର୍ଷ ବଡ଼ ମାତ୍ରାରେ କ୍ଷତି ସହିବାକୁ ପଡୁଛି । ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ରିପୋର୍ଟରେ ଅନେକ ପରାମର୍ଶ ଦିଆଯାଇଛି । ଯେପରି ଅଭାବୀ ଲୋକଙ୍କୁ ଚିହ୍ନଟ କରିବା, ଫୁଡ୍ ଷ୍ଟାମ୍ପ କିମ୍ବା ଭାଉଚର ସିଷ୍ଟମ୍ ଆରମ୍ଭ କରିବା ଅବା ସିଧାସଳଖ ନଗଦ ହସ୍ତାନ୍ତର । ରିପୋର୍ଟରେ କୁହାଯାଇଛି, ଏହି ଉପାୟଗୁଡ଼ିକ ଦ୍ୱାରା ଚୋରି କମିବ ଏବଂ ଲୋକଙ୍କୁ ପୁଷ୍ଟିକର ଖାଦ୍ୟ ମିଳିପାରିବ । ବିଶେଷଜ୍ଞଙ୍କ ମତରେ, ଏହି ମହତ୍ୱପୂର୍ଣ୍ଣ କଲ୍ୟାଣମୂଳକ କାର୍ଯ୍ୟକ୍ରମରେ ତ୍ରୁଟି ଦୂର କରିବା ପାଇଁ ଖୁବ୍ଶୀଘ୍ର ଠୋସ୍ ପଦକ୍ଷେପ ନେବାକୁ ପଡ଼ିବ ।