ନୂଆଦିଲ୍ଲୀ,୦୪/୦୭: ପେଟ୍ରୋଲ ପମ୍ପରେ  ପୁରୁଣା ଗାଡ଼ିକୁ ପେଟ୍ରୋଲ ଓ ଡିଜେଲ ଦିଆ ନଯିବା ଓ ତାକୁ ଜବତ କରାଯିବା ଘଟଣାକୁ ନେଇ ବିବାଦ  ଦେଖାଦେବା ପରେ ଦିଲ୍ଲୀ ସରକାର ଆଭିମୁଖ୍ୟ  ପରିବର୍ତ୍ତନ କରିଛନ୍ତି । କହିଛନ୍ତି ବର୍ତ୍ତମାନ ପାଇଁ  କୌଣସି ପୁରୁଣା ଗାଡିକୁ ଜବତ କରାଯିବ ନାହିଁ ।  ପୁରୁଣା ଗାଡି ପାଇଁ ସରକାର ଏକ ନୂଆ ନୀତି  ଆଣିବେ ବୋଲି ଗୁରୁବାର ସୂଚନା ଦେଇଛନ୍ତି ଦିଲ୍ଲୀର  ପରିବେଶ ମନ୍ତ୍ରୀ ମନ୍‌ଜିନ୍ଦର ସିଂହ ସିର୍‌ସା । ସେ  କହିଛନ୍ତି ଦିଲ୍ଲୀର ପରିବେଶକୁ କ୍ଷତି ପହଞ୍ଚାଇବାକୁ  ଦିଆଯିବ ନାହିଁ କିମ୍ବା ଲୋକଙ୍କ ପୁରୁଣା ଗାଡିକୁ ଜବତ କରିବାକୁ ଅନୁମତି ଦିଆଯିବ ନାହିଁ । 

ଏଥିପୂର୍ବରୁ ପରିବେଶ ମନ୍ତ୍ରୀ ଦିଲ୍ଲୀର  ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ କମିଶନଙ୍କୁ ଚିଠି  ଲେଖିଥିଲେ । ସେଥିରେ ପୁରୁଣା ଗାଡି ଜବତ ସଂକ୍ରାନ୍ତ  ଅଦେଶନାମା ନଂ-୮୯କୁ ତତ୍କାଳ ସ୍ଥଗିତ ରଖିବାକୁ  ଅନୁରୋଧ କରିଥିଲେ । ସମଗ୍ର ଜାତୀୟ ରାଜଧାନୀ  ଅଞ୍ଚଳରେ ଯେପର୍ଯ୍ୟନ୍ତ ଅଟୋମେଟିକ ନମ୍ବର ପ୍ଲେଟ  ରିକଗ୍‌ନିସନ (ଏଏନ୍‌ପିଆର) ବ୍ୟବସ୍ଥା ଲାଗୁ ନ  ହୋଇଛି ସେପର୍ଯ୍ୟନ୍ତ ଉକ୍ତ ଆଦେଶ ସ୍ଥଗିତ ରଖିବାକୁ ଚିଠିରେ ଦର୍ଶାଯାଇଥିଲା । ଆଦେଶ ନଂ-୮୯ ଅନୁସାରେ  ଦିଲ୍ଲୀରେ ୧୫ ବର୍ଷରୁ ଅଧିକ ପେଟ୍ରୋଲ ଓ ୧୦ବର୍ଷରୁ  ଅଧିକ ଡିଜେଲ ଗାଡିକୁ ପେଟ୍ରୋଲ ପମ୍ପରେ ତେଲ ନ  ଦେବାକୁ କୁହାଯାଇଥିଲା । ସେହିଭଳି ଏଏନ୍‌ପିଆର  ଦ୍ୱାରା ପୁରୁଣା ଗାଡି ଚିହ୍ନଟ କରାଯାଇ ତାକୁ ଜବତ  କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଯାହାକୁ ନେଇ  ପୁରୁଣା ଗାଡି ମାଲିକଙ୍କ ଚିନ୍ତା ବଢ଼ିଯାଇଥିଲା । ଏଭଳି  ଆଦେଶକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା  ଦେଖିବାକୁ ମିଳିଥିଲା । ଚିଠିରେ ଆହୁରି ମଧ୍ୟ କୁହାଯାଇଛି କି  ଏଏନ୍‌ପିଆର ବ୍ୟବସ୍ଥାରେ ବୈଷୟିକ ତ୍ରୁଟି ରହିଛି ।  

କ୍ୟାମେରା ପ୍ଲେସମେଣ୍ଟ, ଡାଟା ଇଣ୍ଟିଗ୍ରେସନ ଓ  ପଡୋଶୀ ରାଜ୍ୟ ସହିତ ସମନ୍ୱୟର ଅଭାବ ଭଳି  ସମସ୍ୟା ରହିଛି । ଦିଲ୍ଲୀରେ ଏହି ନିୟମ ଲାଗୁ କରାଗଲେ ଲୋକମାନେ ଗୁରୁଗ୍ରାମ ଓ ନୋଏଡା  ଭଳି ଅଞ୍ଚଳକୁ ଯାଇ ଗାଡିରେ ଇନ୍ଧନ ପକାଇବେ ।  ଫଳରେ ଅବୈଧ ଇନ୍ଧନ କାରବାର ବୃଦ୍ଧି ପାଇବ ।  ଦିଲ୍ଲୀ ସାଂସଦ ପରଭେଶ ବର୍ମା ମଧ୍ୟ ସରକାରଙ୍କ  ଏଭଳି ପଦକ୍ଷେପକୁ ସମାଲୋଚନା କରିଥିଲେ ।  କହିଥିଲେ କୌଣସି ଯାନବାହନକୁ ବୟସ ନୁହେଁ,  ବରଂ ତାର ପ୍ରଦୂଷଣ ମାତ୍ରାକୁ ଦେଖି ନିଷିଦ୍ଧ କରାଯିବା  ଉଚିତ । ସେହିଭଳି ପେଟ୍ରୋଲ ପମ୍ପ ଆସୋସିଏସନ ସରକାରଙ୍କ ଏଭଳି ନିଷ୍ପତ୍ତି ବିରୋଧରେ  ହାଇକୋର୍ଟରେ ପିଟିସନ ଦାଖଲ କରିଛନ୍ତି ।  ହାଇକୋର୍ଟ ଏହା ଉପରେ ଦିଲ୍ଲୀ ସରକାରଙ୍କୁ ଜବାବ ଦାଖଲ କରିବା ଲାଗି ନୋଟିସ ମଧ୍ୟ ଜାରି କରିଛନ୍ତି ।