ନୂଆଦିଲ୍ଲୀ, ୧୯।୬: ଇସ୍ରାଏଲ ଓ ଲେବନାନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଆହୁରି ଭୟଙ୍କର ରୂପ ଧାରଣ କରିଛି । ଗତ ବୁଧବାର ଓ ଗୁରୁବାର ବିଳମ୍ବିତ ରାତିରେ ଇସ୍ରାଏଲ ସେନା ପକ୍ଷରୁ ଦକ୍ଷିଣ ଲେବନାନରେ ବ୍ୟାପକ ଏୟାରଷ୍ଟ୍ରାଇକ ଓ ଗୋଳାବାରୁଦ ବର୍ଷା କରାଯାଇଛି । ଏହି ଭୀଷଣ ଆକ୍ରମଣରେ କମ୍ପି ଉଠିଛି ଦକ୍ଷିଣ ଲେବନାନ । ଇସ୍ରାଏଲର ଏହି ସାମରିକ କାର୍ଯ୍ୟାନୁଷ୍ଠାନରେ ଅତିକମରେ ୧୬ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଅନ୍ୟପଟେ ଏହାର ଜବାବରେ ଲେବନାନର ସଶସ୍ତ୍ର ଗୋଷ୍ଠୀ 'ହିଜବୁଲ୍ଲା' ପକ୍ଷରୁ ଉତ୍ତର ଇସ୍ରାଏଲ ଉପରକୁ ପ୍ରତିଶୋଧମୂଳକ ରକେଟ୍ ମାଡ଼ କରାଯାଇଛି, ଯେଉଁଥିରେ ଜଣେ କମାଣ୍ଡରଙ୍କ ସମେତ ୪ ଜଣ ଇସ୍ରାଏଲୀ ସୈନିକଙ୍କ ମୃତ୍ୟୁ ହୋଇଛି ।

ଆବାସିକ ଅଞ୍ଚଳକୁ ଟାର୍ଗେଟ କଲା ଇସ୍ରାଏଲ:

ଲେବନାନର ସରକାରୀ ଗଣମାଧ୍ୟମର ସୂଚନା ଅନୁଯାୟୀ, ଦକ୍ଷିଣ ଲେବନାନର ନବାତିହ ଜିଲ୍ଲାକୁ ଟାର୍ଗେଟ କରି ଇସ୍ରାଏଲ ସେନା ରାତିସାରା ବୋମାମାଡ଼ କରିଛି । ନବାତିହ ଏବଂ ହାରୁଫ୍ ସହରରେ ପ୍ରାୟ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅଲ୍-ଶର୍କିୟା ଏବଂ ଦୋଏର ମଧ୍ୟବର୍ତ୍ତୀ ଏକ ଆବାସିକ ଘର ଉପରେ ହୋଇଥିବା ଆକ୍ରମଣରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି କଫର ସର୍ ସହରରେ ଅନ୍ୟ ୩ ଜଣଙ୍କର ମୃତ୍ୟୁ ଘଟିଛି । ଦୋଏର ମ୍ୟୁନିସିପାଲିଟି ବିଲ୍ଡିଂ ନିକଟରେ ଏକ ମୋଟରସାଇକେଲକୁ ଲକ୍ଷ୍ୟ କରି ଇସ୍ରାଏଲୀ ଡ୍ରୋନ୍ ଆକ୍ରମଣ କରିବାରୁ ଜଣଙ୍କର ମୃତ୍ୟୁ ହୋଇଛି । ନବାତିହ ସହର ସମେତ କଫର ଜୌଜ, କଫର ରେମନ, ଜେବଦୀନ ଏବଂ ରେହାନ ପାହାଡ଼ିଆ ଅଞ୍ଚଳରେ ଇସ୍ରାଏଲୀ ସେନା ଘନ ଘନ ଏୟାରଷ୍ଟ୍ରାଇକ କରିଛି । ଏହି ଆକ୍ରମଣରେ ବହୁ ବାସଗୃହ ଧ୍ୱଂସ ହୋଇଯାଇଥିବା ବେଳେ ଏବେ ମଧ୍ୟ କିଛି ଲୋକ ନିଖୋଜ ଥିବା ଜଣାପଡ଼ିଛି ।

ହିଜବୁଲ୍ଲାର ଜବାବୀ ପ୍ରତିଶୋଧ: ଲେଫ୍ଟନାଣ୍ଟ କର୍ଣ୍ଣଲଙ୍କ ସହ ୪ ସୈନିକ ମୃତ

ଇସ୍ରାଏଲ ସେନାର ନର୍ଦ୍ଦନ କମାଣ୍ଡ ମୁଖ୍ୟ ମେଜର ଜେନେରାଲ ଓରି ଗୋର୍ଡିନ କହିଛନ୍ତି ଯେ ସେମାନେ କେବଳ ହିଜବୁଲ୍ଲାର ଆଡ୍ଡାକୁ ଟାର୍ଗେଟ କରୁଥିଲେ । ମାତ୍ର ଏହି ଆକ୍ରମଣର କିଛି ଘଣ୍ଟା ମଧ୍ୟରେ ହିଜବୁଲ୍ଲା ପକ୍ଷରୁ ଭୟଙ୍କର ପାଲଟା ଆକ୍ରମଣ କରାଯାଇଛି । "ଆମର ପାରାମେଡିକାଲ ସେଣ୍ଟର ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଉତ୍ତର ଇସ୍ରାଏଲର କିରୟାତ ଶମୋନା ସହର ଏବଂ ଏକ ପ୍ରମୁଖ ସାମରିକ ଘାଟିକୁ ଲକ୍ଷ୍ୟ କରି ପ୍ରାୟ ୩୦ଟି ରକେଟ୍ ମାଡ଼ କରାଯାଇଛି" ବୋଲି ହିଜବୁଲ୍ଲାର ବୟାନ ଦେଇଛି । ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ର ସୂଚନା ଅନୁସାରେ, ଏହି ରକେଟ୍ ମାଡ଼ରେ ଅନେକ ସେନା ବିଲ୍ଡିଂ କ୍ଷତିଗ୍ରସ୍ତ ହେବା ସହ ୪ ଜଣ ସୈନିକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ IDFର ୫୨ତମ ବାଟାଲିୟନର କମାଣ୍ଡର ୩୨ ବର୍ଷୀୟ ଲେଫ୍ଟନାଣ୍ଟ କର୍ଣ୍ଣଲ ଡୋର ଗେଦାଲିଆ ବେନ ସିମୋନ ସାମିଲ ଅଛନ୍ତି ।

ବିପଦରେ ଇରାନ-ଆମେରିକା ଶାନ୍ତି ଚୁକ୍ତି ! ଟ୍ରମ୍ପଙ୍କ ଚେତାବନୀକୁ ଆଖିବୁଜି ଦେଲେ ନେତନ୍ୟାହୁ

ଏହି ଆକ୍ରମଣ ପରେ ପଶ୍ଚିମ ଏସିଆରେ ଶାନ୍ତି ପ୍ରକ୍ରିୟା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆମେରିକା ଏବଂ ଇରାନ ମଧ୍ୟରେ ନିକଟରେ ଯୁଦ୍ଧ ରୋକିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଥିଲା । ଏହି ଚୁକ୍ତିର ୧୪ଟି ବିନ୍ଦୁ ମଧ୍ୟରୁ ଏକ ପ୍ରମୁଖ ସର୍ତ୍ତ ଥିଲା ଯେ, ଲେବନାନ ସମେତ ସମସ୍ତ ସାମ୍ମୁଖ୍ୟରେ ଯୁଦ୍ଧ ବିରତି ଲାଗୁ ହେବ । ଚୁକ୍ତି ପାଇଁ ଇରାନ ବିଶେଷ ଭାବେ ଲେବନାନ ଉପରେ ବୋମାମାଡ଼ ବନ୍ଦ କରିବାକୁ ଦାବି କରିଥିଲା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କୁ ଲେବନାନ ଉପରେ ଆକ୍ରମଣ ନକରିବାକୁ ଚେତାବନୀ ଦେଇଥିଲେ, କାରଣ ଏହାଦ୍ୱାରା ଶାନ୍ତି ଚୁକ୍ତି ବିପଦରେ ପଡ଼ିପାରେ । ତେବେ ଆମେରିକାର ଚେତାବନୀ ଏବଂ ଆନ୍ତର୍ଜାତୀୟ ଚାପକୁ ଖାତିର ନକରି ଇସ୍ରାଏଲ ଯେଭଳି ଭାବେ ଲେବନାନ ଉପରେ ବଡ଼ ହମଲା କରିଛି, ତାହା ଇରାନକୁ ବେଶ୍ କ୍ଷୁବ୍ଧ କରିପାରେ । ବିଶେଷଜ୍ଞଙ୍କ ମତରେ, ଇସ୍ରାଏଲର ଏହି ଆଭିମୁଖ୍ୟ ଯୋଗୁଁ ଆମେରିକା-ଇରାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତି ସମ୍ପୂର୍ଣ୍ଣ ଭାଙ୍ଗିଯିବା ଆଶଙ୍କା ଦେଖାଦେଇଛି ।

ଆହୁରି ପଢ଼ନ୍ତୁ... କତାର କି ପାକିସ୍ତାନ ନୁହେଁ, UAEର ଏହି ବ୍ୟବସାୟୀ ଇରାନ-ଆମେରିକା ମଧ୍ୟରେ କରାଇଲେ ମେଗା ଡିଲ୍ !