ନୂଆଦିଲ୍ଲୀ, ୧୯।୬: ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କୁ ନେଇ ପୁଣି ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆଗାମୀ ଚଳଚ୍ଚିତ୍ର ‘କାଲା ହିରନ: ଦ ବ୍ୟାଟେଲ ଫର୍ ଲିଗେସି’ ରିଲିଜ୍‌ ହେବା ପୂର୍ବରୁ ହିଁ ବଡ଼ ବିବାଦରେ ଛନ୍ଦି ହୋଇପଡ଼ିଛି । ଏହି ଫିଲ୍ମର ରିଲିଜ୍‌ ଉପରେ ଆପତ୍ତି ଜଣାଇ ସଲମାନ ଖାନ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହି ମାମଲାକୁ ନେଇ ଆଜି କୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ମଧ୍ୟ ହେବାର ଅଛି । ଏହା ପୂର୍ବରୁ ସଲମାନ ଫିଲ୍ମର ନିର୍ମାତାମାନଙ୍କୁ ଆଇନଗତ ନୋଟିସ ପଠାଇ ଫିଲ୍ମର ପ୍ରମୋଶନ ଓ ରିଲିଜ୍‌କୁ ବିରୋଧ କରିଥିଲେ ।

ସଲମାନଙ୍କ କୃଷ୍ଣସାର ମୃଗ ମାମଲା ଉପରେ ଆଧାରିତ ଫିଲ୍ମ:

ସୂଚନା ଅନୁଯାୟୀ, ‘କାଲା ହିରନ’ ଫିଲ୍ମଟି ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କ ସହ ଜଡ଼ିତ ଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲା ଉପରେ ଆଧାରିତ । ଏଥିରେ କୋର୍ଟରୁମ୍ ଡ୍ରାମା ଏବଂ କ୍ରାଇମ ଥ୍ରୀଲର ଦେଖିବାକୁ ମିଳିବ । ସବୁଠାରୁ ବଡ଼ କଥା ହେଉଛି, ଏହି ଫିଲ୍ମରେ ସଲମାନ ଖାନ ଏବଂ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ମଧ୍ୟରେ ଥିବା ଶତ୍ରୁତାକୁ ସିନେମାଟିକ୍ ଶୈଳୀରେ ଉପସ୍ଥାପନ କରାଯାଇଛି । ଫିଲ୍ମର ପ୍ରୋମୋ ରିଲିଜ୍ ହେବା ମାତ୍ରେ ହିଁ ସଲମାନ ଏହାକୁ ରୋକିବା ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି ।

ଫିଲ୍ମକୁ ନେଇ ସଲମାନଙ୍କର କ’ଣ ରହିଛି ଆପତ୍ତି ?

ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ସଲମାନ ଖାନ କେତେକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି । ସଲମାନଙ୍କ ଅଭିଯୋଗ ଅନୁଯାୟୀ, ଫିଲ୍ମ ନିର୍ମାତାମାନେ ତାଙ୍କ ଭଳି ଦେଖାଯାଉଥିବା ଜଣେ କଳାକାରଙ୍କୁ ଏଥିରେ ରଖାଯାଇଛି । ବିନା ଅନୁମତିରେ ଫିଲ୍ମର ପ୍ରମୋଶନ ପାଇଁ ସଲମାନଙ୍କ ନାମ ଏବଂ ତାଙ୍କ ଛବିର ସହାରା ନିଆଯାଉଛି, ଯାହା ତାଙ୍କର 'ପବ୍ଲିସିଟି ଏବଂ ପର୍ସନାଲିଟି ରାଇଟ୍ସ'ର ସିଧାସଳଖ ଉଲ୍ଲଂଘନ । ସଲମାନ କହିଛନ୍ତି ଯେ ଏହି ଫିଲ୍ମ ରିଲିଜ୍ ହେଲେ ତାଙ୍କ ବିରୋଧରେ ଚାଲିଥିବା ଆଇନଗତ ପ୍ରକ୍ରିୟା ପ୍ରଭାବିତ ହୋଇପାରେ ଏବଂ ସମାଜରେ ତାଙ୍କର ପବ୍ଲିକ୍ ଇମେଜ୍ ଖରାପ ହୋଇପାରେ । ସଲମାନ ଫିଲ୍ମର ପ୍ରଡକ୍ସନ, ପ୍ରମୋଶନ, ରିଲିଜ୍, ଓଟିଟି ଷ୍ଟ୍ରିମିଂ ଏବଂ ଏହା ସହ ଜଡ଼ିତ ସମସ୍ତ ପ୍ରମୋଶନାଲ କଣ୍ଟେଣ୍ଟ ଉପରେ ରୋକ୍ ଲଗାଇବାକୁ ଦାବି କରିଛନ୍ତି ।

ନୋଟିସ୍ ଫାଡ଼ିଲେ ପ୍ରୋଡ୍ୟୁସର, କହିଲେ 'ଡରିବାର ନାହିଁ':

ଏସବୁ ବିବାଦ ମଧ୍ୟରେ ଫିଲ୍ମର ପ୍ରୋଡ୍ୟୁସର ଅମିତ ଜାନୀ ଏକ ଭିଡିଓ ବୟାନ ଜାରି କରି ଚର୍ଚ୍ଚାକୁ ଆସିଛନ୍ତି । ସେ ଭିଡିଓରେ ସଲମାନ ଖାନଙ୍କ ପକ୍ଷରୁ ପଠାଯାଇଥିବା ଆଇନଗତ ନୋଟିସକୁ ଫାଡ଼ୁଥିବାର ଦେଖିବାକୁ ମିଳିଛି । ପ୍ରୋଡ୍ୟୁସର ଦାବି କରିଛନ୍ତି ଯେ ଫିଲ୍ମ ଘୋଷଣା ହେବା ପରଠାରୁ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳୁଛି, କିନ୍ତୁ ସେ କାହାକୁ ଡରିବା ବାଲା ନୁହନ୍ତି । 'କାଲା ହିରନ' ଫିଲ୍ମର ଭବିଷ୍ୟତ କ’ଣ ହେବ, ତାହା ଆଜି ଦିଲ୍ଲୀ ହାଇକୋର୍ଟରେ ହେବାକୁ ଥିବା ଶୁଣାଣି ପରେ ସ୍ପଷ୍ଟ ହେବ । କୋର୍ଟ ଫିଲ୍ମ ଉପରେ ରୋକ୍ ଲଗାଉଛନ୍ତି ନା ରିଲିଜ୍ ପାଇଁ ଅନୁମତି ଦେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଆହୁରି ପଢ଼ନ୍ତୁ... Suhasini Mulay Love Story: ୬୦ ବର୍ଷରେ ବଧୂ ସାଜିଥିଲେ ଆମିର୍ ଖାନଙ୍କ ଅନ୍‌ସ୍କ୍ରିନ ମା', ଫେସ୍‌ବୁକ୍ ବନାଇଲା ଯୋଡ଼ି