ନୂଆଦିଲ୍ଳୀ,୩୧।୩:  ମଧ୍ୟପ୍ରାଚ୍ୟ ଲଢେଇ ପୁରା ବିଶ୍ବରେ ଚିନ୍ତାର କାରଣ ପାଲଟିଛି। ଇରାନ ସହ ଆମେରିକା ଏବଂ ଇସ୍ରାଏଲର ଯୁଦ୍ଧ ଚାଲିଛି। ତେବେ ଇରାନ ସହ ଯୁଦ୍ଧ ସମୟରେ ମୋସାଦ ନୁହେଁ ଇସ୍ରାଏଲର ଏକ ୟୁନିଟ୍ ଖୁବ୍ ଚର୍ଚ୍ଚାରେ ରହିଛି। ପ୍ରାୟତଃ ଇସ୍ରାଏଲର ଯେକୌଣସି ଅପରେସନ୍‌ରେ ଗୁଇନ୍ଦା ସଂସ୍ଥା ‘ମୋସାଦ’ର ନାଁ ଚର୍ଚ୍ଚାରେ ରହିଥାଏ, କିନ୍ତୁ ଏଥର ଇସ୍ରାଏଲୀ ‘ୟୁନିଟ୍ ୮୨୦୦’ ଇରାନରେ ବିନାଶ ଘଟାଉଛନ୍ତି। ଏହା ସେନା ଭିତରେ ଏକ ଗୁପ୍ତଚର ସଂସ୍ଥା, ଯାହା ସାମରିକ ବାହିନୀକୁ ସାଇବର ଏବଂ ଅନ୍ୟାନ୍ୟ ସାମାଜିକ ସହାୟତା ପ୍ରଦାନ କରିବା ପାଇଁ ସ୍ଥାପନା କରାଯାଇଛି।

ଏହି ୟୁନିଟ୍ ବ୍ୟବହାର କରି ପ୍ରମୁଖ ଇରାନୀ ନେତାମାନଙ୍କୁ ଟାର୍ଗେଟ କରି ହତ୍ୟା କରୁଛି ଇସ୍ରାଏଲ । ଆମେରିକୀୟ ଖବରକାଗଜ, ୱାଶିଂଟନ୍ ପୋଷ୍ଟ ଦାବି କରିଛି ଯେ ୟୁନିଟ୍ ୮୨୦୦ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇ ଏବଂ ଆଇଆରଜିସି ମୁଖ୍ୟ ମହମ୍ମଦ ପାକପୁରଙ୍କ ଭଳି ଶୀର୍ଷ ଇରାନୀ ନେତାଙ୍କ ହତ୍ୟାରେ ଭୂମିକା ଗ୍ରହଣ କରିଥିଲା। ଏହି ୟୁନିଟ୍ ପୂର୍ବରୁ ପ୍ରମୁଖ ହିଜବୋଲା ନେତାମାନଙ୍କୁ ହତ୍ୟା କରି ସାରିଛି। ‘ଟାର୍ଗେଟ କିଲିଂ’ ପାଇଁ ଏହି ଇସ୍ରାଏଲୀ ୟୁନିଟ୍ ଅତ୍ୟନ୍ତ ବିପଦପୂର୍ଣ୍ଣ ବୋଲି ମନେକରାଯାଏ।

ରଏଟର୍ସର ରିପୋର୍ଟ ଅନୁସାରେ, ଏହି ସଂସ୍ଥା ଆମେରିକା ରାଷ୍ଟ୍ରୀୟ ସୁରକ୍ଷା ଏଜେନ୍ସି କିମ୍ବା ବ୍ରିଟେନର ଜିସିଏଚ୍‌କ୍ୟୁର ସମକକ୍ଷ। ଏହାକୁ ଇସ୍ରାଏଲୀ ସାମରିକ ବାହିନୀର ସବୁଠାରୁ ବଡ଼ ୟୁନିଟ୍ ଭାବରେ ମଧ୍ୟ ଜଣାଶୁଣା। ୟୁନିଟ୍ ୮୨୦୦ ଗୁପ୍ତ କାର୍ଯ୍ୟ ପରିଚାଳନା କରେ। ଏହାକୁ ସିଗନାଲ ଇଣ୍ଟେଲିଜେନ୍ସି ଠାରୁ ଆରମ୍ଭ କରି ଡାଟା ମାଇନିଂ ଏବଂ ବୈଷୟିକ ଆକ୍ରମଣ ପର୍ଯ୍ୟନ୍ତ ସବୁକିଛିରେ ‘ଧୁରନ୍ଧର’ ବୋଲି କୁହାଯାଏ। ଏହି ୟୁନିଟ୍ କ୍ୟାମେରା ହ୍ୟାକିଂ କରି ଇରାନରେ ଖାମେନେଇଙ୍କ ସ୍ଥାନ ଟ୍ରାକ୍ କରିଥିଲା।

୨୦୦୫ ରୁ ୨୦୧୦ ମଧ୍ୟରେ ଇସ୍ରାଏଲ ପକ୍ଷରୁ ଇରାନର ପରମାଣୁ ଉତ୍ପାଦନ କେନ୍ଦ୍ରଗୁଡ଼ିକୁ ଧ୍ୱଂସ କରିବା ପାଇଁ ଏକ ଗୁପ୍ତ ଅଭିଯାନ ଆରମ୍ଭ ହୋଇଥିଲା। ଇସ୍ରାଏଲ ସୂଚନା ପାଇଥିଲା ଯେ ଇରାନ ୟୁରାନିୟମ ସମୃଦ୍ଧି ମାଧ୍ୟମରେ ପରମାଣୁ ଅସ୍ତ୍ର ବିକଶିତ କରୁଛି। ତା’ପରେ ଇସ୍ରାଏଲ ଇରାନର ସେଣ୍ଟ୍ରିଫ୍ୟୁଜଗୁଡ଼ିକୁ ଧ୍ୱଂସ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ଦାୟିତ୍ୱ ‘ୟୁନିଟ୍ ୮୨୦୦’ କୁ ଦିଆଯାଇଥିଲା। ‘ୟୁନିଟ୍ ୮୨୦୦’ ଏହି କାର୍ଯ୍ୟକୁ ସହଜରେ ସମ୍ପାଦନ କରିଥିଲା। ଏହି ୟୁନିଟ୍ର ଅଧିକାଂଶ କର୍ମଚାରୀଙ୍କ ବୟସ ୨୦ ରୁ ୨୫ ବର୍ଷ ମଧ୍ୟରେ। ଏହାକୁ ଇସ୍ରାଏଲର ସବୁଠାରୁ ଯୁବ ୟୁନିଟ୍ ମଧ୍ୟରୁ ଅନ୍ୟତମ ବୋଲି କୁହାଯାଏ। ଏହାର କର୍ମଚାରୀ ଏବଂ ଅଧିକାରୀମାନେ ବଡ଼ କ୍ଷତିକୁ ଏଡାଇବା ପାଇଁ ଛୋଟ ଛୋଟ ୟୁନିଟରେ ଅପରେସନ୍ ପ୍ରସ୍ତୁତ କରନ୍ତି ଏବଂ କାର୍ଯ୍ୟକାରୀ କରନ୍ତି।

ଆହୁରି ପଢନ୍ତୁ :ପାଲେଷ୍ଟାନୀୟଙ୍କୁ ସିଧା ମୃତ୍ୟୁଦଣ୍ଡ ,ସଜା ଘୋଷଣାର କେବଳ ୯୦ ଦିନରେ ହିଁ ମିଳିବ ଫାଶୀ