ଭୁବନେଶ୍ୱର, ୧୦/୦୪: ଶୁକ୍ରବାର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଅପରାହ୍ନ ୧ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ସିଧା କଟକ ଯାଇ ବାଲିଯାତ୍ରା ପଡ଼ିଆରେ ଆୟୁଷ୍ମାନ ଭାରତର ମେଗା କାର୍ଯ୍ୟକ୍ରମ ଶୁଭାରମ୍ଭ କରିବେ। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ମୁଖ୍ୟ  ଅତିଥି ଭାବେ ଯୋଗଦେବେ। କଟକକୁ ଛାଡ଼ି ଆଉ ୧୨ ଜିଲ୍ଲାରେ ମଧ୍ୟ ଆୟୁଷ୍ମାନ ଭାରତର ଶୁଭାରମ୍ଭ ଉତ୍ସବ ହେବ । ଏହା ପରେ କଟକ ଠାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଇନଷ୍ଟିଟ୍ୟୁଟ ଅଫ ପେଡିଆଟ୍ରିକ୍ସ ନୂଆ ବିଲ୍ଡିଂର ଲୋକାର୍ପଣ କରିବେ। ସେହିପରି ସିପେଟ୍ ଏବଂ ଭୁବନେଶ୍ଵର ଏମ୍ସକୁ ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି ।ଶନିବାର ଅର୍ଥାତ ୧୨ ତାରିଖରେ ପୁରୀରେ ବିଜେପି ପ୍ରଶିକ୍ଷଣ ଶିବିର ଉଦ୍‌ଘାଟନ କରିବେ।ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। 

ଶନିବାର ସକାଳେ ପୁରୀରେ ବିଜେପିର ପ୍ରଶିକ୍ଷଣ ଶିବିର ଉଦ୍‌ଘାଟନ୍‌ କରିବେ।  ୧୨ ତାରିଖ ସନ୍ଧ୍ୟାରୁ ୧୩ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ବିଧାୟକ ଏବଂ ସାଂସଦ ମାନଙ୍କ ଚାଲିବ ପ୍ରଶିକ୍ଷଣ ଶିବିର । ପ୍ରଶିକ୍ଷଣ ଶିବିରରେ ଦଳର ସମସ୍ତ ୧୦୪ ବିଧାୟକ ଏବଂ ସାଂସଦ ଯୋଗ ଦେବେ । ପ୍ରଶିକ୍ଷଣ ଶିବିରରେ ବିଧାୟକ, ସାସଂଦ ଠାରୁ ଆରମ୍ଭ କରି ଦଳର ନେତାଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦେବେ ଗୁରୁମନ୍ତ୍ର ।

ଦୀର୍ଘବର୍ଷର ଅପେକ୍ଷା ପରେ ଏହି ବହୁ  ପ୍ରତୀକ୍ଷିତ କେନ୍ଦ୍ରୀୟ ଯୋଜନା ରାଜ୍ୟରେ ଲାଗୁ  ହେବାକୁ ଯାଉଛି । ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଳିତ ଭାବେ ଲାଗୁ  ହେବ । ଉଭୟ ସ୍ୱାସ୍ଥ୍ୟ ଯୋଜନାରେ ରାଜ୍ୟର  ୩ କୋଟି ୪୬ ଲକ୍ଷ ଲୋକ ଉପକୃତ ହେବେ। ପରିବାର ପିଛା ବାର୍ଷିକ ୫ ଲକ୍ଷ  ଓ ମହିଳାଙ୍କୁ ଅତିରିକ୍ତ ୫ ଲକ୍ଷ ଟଙ୍କାର କ୍ୟାସଲେସ୍‌ ଚିକିତ୍ସା  ସୁବିଧା ମିଳିବ । ଦେଶର ୨୯ ହଜାର ଘରୋଇ ଓ ସରକାରୀ  ହସ୍ପିଟାଲରେ ଏହି ଯୋଜନାରେ ଚିକିତ୍ସା ସୁବିଧା ମିଳିପାରିବ ।  ଦୁଇ ଯୋଜନା ଲାଗୁ ହେବା ପରେ ଆଉ ୬ ଲକ୍ଷ ନୂଆ  ହିତାଧିକାରୀ ଏଥିରେ ଯୋଡ଼ି ହେବେ । ୭୦ ବର୍ଷରୁ ଅଧିକ  ବୟସ୍କ ବ୍ୟକ୍ତିଙ୍କ ପାଇଁ ଆୟୁଷ୍ମାନ ବୟୋ-ବନ୍ଦନା ଯୋଜନା ଲାଗୁ କରାଯିବ । ସେମାନଙ୍କ ପରିବାରକୁ ସର୍ବାଧିକ ୧୫ ଲକ୍ଷ ଟଙ୍କାର  ଚିକିତ୍ସା ସୁବିଧା ମିଳିବ । ଯୋଜନା ଶୁଭାରମ୍ଭ ପାଇଁ ରାଜ୍ୟର  ୧୪୩୮ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେବ ।  ଯୋଜନାର ପ୍ରଚାର ଓ ପ୍ରସାର ପାଇଁ ବ୍ୟାପକ ସଚେଚନତା  ଅଭିଯାନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଛି ।