ଭୁବନେଶ୍ୱର,୨୨/୧୧: ଜାଗା ମିଶନରେ ଜାଲିଆତି କରି ଭୂମି ହାତେଇଥିଲେ ସାବଧାନ । ସାବାଡ ହେବେ ଅଯୋଗ୍ୟ ହିତାଧିକାରୀ । ଗାଁରେ ଦୁଇ ଦୁଇଟା ଜମି ରହିଛି । ସହରାଞ୍ଚଳରେ ବି  ପ୍ଲଟ ଅଛି । କିନ୍ତୁ ନିଜକୁ ଭୂମିହୀନ ଦର୍ଶାଇ ମାଡ଼ି ବସିଥିବା ସରକାରୀ ଜାଗା ।  ଜାଗା ମିଶନରେ ଯୋଡ଼ି ଭୂମି ଅଧିକାର ପ୍ରମାଣପତ୍ର ବି ନେଇଛନ୍ତି । ଏମିତି ଶହ ଶହ ଅଯୋଗ୍ୟ ହିତାଧିକାରୀ ସରକାରଙ୍କ ହାବୁଡ଼ରେ ପଡିଛନ୍ତି । ସେମାନଙ୍କୁ ଖୋଜି ଖୋଜି ତଡ଼ିବେ । ତାଙ୍କ  ଜାଗାରେ ଯେଉଁମାନେ ସତରେ ଗରିବ ଆଉ ଯୋଗ୍ୟ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ ।

ଜାଗା ମିଶନରେ ବସ୍ତି ବାସିନ୍ଦା ପାଇଥିବା ଭୂମି ଅଧିକାର ପ୍ରମାଣପତ୍ରର ପୁଣି  ଥରେ ଯାଞ୍ଚ ହେବ ।  ଅଯୋଗ୍ୟ ହିତାଧିକାରୀ ଯଦି ଚଞ୍ଚକତା କରି  ଜାଗା ହାତେଇଥିବେ ସେମାନଙ୍କୁ ବାଦ୍‌  ଦିଆଯିବ । ଯୋଗ୍ୟ  ହିତାଧିକାରୀଙ୍କୁ ଜାଗା ବଦଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୨.୦ରେ ଘର ନିର୍ମାଣ କରି ଯୋଗାଇ ଦେବେ ।  ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏନେଇ ସର୍ଭେ ଆରମ୍ଭ  ହେବ । ପରୀକ୍ଷାମୂଳକ ଭାବେ ପ୍ରଥମେ ୧୯ ବସ୍ତିରୁ ଏହି ସର୍ଭେ ଆରମ୍ଭ  ହେବ । ସେଥିରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସିର) ୧୭ଟି  ବସ୍ତି ଓ କଟକ ମହାନଗର ନିଗମର ୨ଟି ବସ୍ତି ରହିଛି । ଏହି ବସ୍ତିରେ  ଯଦି ଜାଗା ମିଶନର ଭୂମି ପ୍ରମାଣପତ୍ର ଫେରାଇ ଆଣି ପ୍ରଧାନମନ୍ତ୍ରୀ ଆବାସ  ଯୋଜନା ଘର ଯୋଗାଇ ଦେବେ । ଯଦି ପ୍ରଥମ ପର୍ଯ୍ୟାୟରେ ସରକାର ସଫଳ ହେବେ, ଆଗକୁ  ରାଜ୍ୟର ସମସ୍ତ ପୌରାଞ୍ଚଳରେ ଏହା କାର୍ଯ୍ୟକାରୀ ହେବ ।

ବିଶ୍ୱସ୍ତସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଯେଉଁ  ବସ୍ତିରେ ଭୂମି ପ୍ରମାଣପତ୍ର ଦିଆଯାଇଛି, ସେଠାରେ  ଘର ନିର୍ମାଣ କରି ସେମାନଙ୍କୁ ହସ୍ତାନ୍ତର କରାଯିବ ।  ଯେଉଁମାନେ ଜଙ୍ଗଲ ଜମି, ରେଲୱେ ଅଞ୍ଚଳରେ  ବସ୍ତି କରିଛନ୍ତି, ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ  କରି ସେଠାରେ ଘର ଯୋଗାଇ ଦିଆଯିବ ।  ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୋଟ ୫ ଲକ୍ଷ  ଘର ଯୋଗାଇ ଦେବାକୁ ନିବେଦନ କରାଯାଇଛି ।  

ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର  ମହାପାତ୍ର କହିଛନ୍ତି, ପୂର୍ବ ସରକାର ଲୋକଙ୍କୁ ଭୁଆଁ  ବୁଲାଇଛନ୍ତି । ଭୋଟ ବ୍ୟାଙ୍କ ବଢ଼ାଇବାକୁ ମିଛ ପ୍ରତିଶ୍ରୁତି  ଦେଇଛନ୍ତି । ଭୂମି ଅଧିକାର ପ୍ରମାଣପତ୍ର ନାଁରେ  ଲିଫ୍‌ଲେଟ୍‌ ବାଣ୍ଟିଛନ୍ତି । ଏହାର ପୁଣି ଥରେ ସମୀକ୍ଷା  କରାଯିବ । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)  ଓ ସାଧାରଣ ପ୍ରଶାସନ ବିଭାଗ ମନଇଚ୍ଛା ଭୂମି ଅଧିକାର ପ୍ରମାଣପତ୍ର ବାଣ୍ଟିଛନ୍ତି । ଏହା ଆଦୌ ଗ୍ରହଣୀୟ ନୁହେଁ । ଏହି ସବୁ ଜମିରେ ମିଳିଥିବା ପଟ୍ଟାକୁ ରାଜସ୍ୱ ବିଭାଗ ସମୀକ୍ଷା କରିବ । ଏହା ପରେ ଜମି ଅଧିକାର ପ୍ରମାଣପତ୍ର ବୈଧ ନା ନାହିଁ ତାହା ନିଷ୍ପତ୍ତି ହେବ ।  

ମନ୍ତ୍ରୀଙ୍କ ଏହି ବୟାନ ପରେ ଏବେ ଦ୍ୱନ୍ଦ୍ୱରେ ବସ୍ତି ବାସିନ୍ଦା । ପୂର୍ବ ସରକାର ଦେଇଥିବା ଭୂମି  ଅଧିକାର ପ୍ରମାଣପତ୍ର ପାଇବା ପରେ ଭୁବନେଶ୍ୱରରେ  ଖଣ୍ଡେ ଜାଗା ମିଳିଥିଲା । ନୂଆ ସରକାରଙ୍କ ତର୍ଜମା ବୟାନ ପରେ ହାତରେ ଜାଗା ରହିବ  ନା କଟିଯିବ ତାକୁ ନେଇ ଚିନ୍ତା ବଢିଲାଣି । ବିଏମ୍‌ସି ସମେତ ୫ ମହାନଗର ନିଗମ ଓ ପୌରାଞ୍ଚଳରେ ଭୂମିହୀନ ବସ୍ତି ବାସିନ୍ଦାଙ୍କୁ ଜାଗା ମିଶନ ଜରିଆରେ ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟା ଯାଇଥିଲା । 

ପ୍ରଥମେ ବସ୍ତିରେ ଡ୍ରୋନ ସର୍ଭେ କରାଯାଇଥିଲା । ଏହା ପରେ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯାଇଥିଲା । ୨ଲକ୍ଷ ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ମିଳିଥିଲା । ବିଏମ୍‌ସି ଅଞ୍ଚଳରେ ସର୍ବାଧିକ ୭୫  ହଜାର ଲୋକଙ୍କୁ ମିଳିଛି । ଏକାଧିକ ସ୍ଥାନରେ ଜଣେ ଜଣେ ଲୋକ ବାପା, ପୁଅ, ପତ୍ନୀ ନାଁରେ ଏକାଧିକ  ଜାଗା ହାତେଇଛନ୍ତି । କିଛି ବଡ଼ବଡ଼ିଆ  ବି ତାଲିକାରେ ଯୋଡ଼ି ହୋଇଛନ୍ତି । ଯାହାକୁ ନେଇ  ବିବାଦ ଦେଖା ଦେଇଛି । ଖାଲି ସେତିକି ନୁହେଁ ଜଳାଶୟ, ଡ୍ରେନ୍‌ ଜମିକୁ ବି ପୂର୍ବ ସରକାର ଟେକି ଦେଇଛନ୍ତି । ଫଳରେ ରାଜଧାନୀରେ ଜଳବନ୍ଦୀ ସମସ୍ୟା ଉପୁଜୁଛି ।  ଆଉ କିଛି ଜମି ନେବାକୁ ବିଏମ୍‌ସି ଚିଠି କରିଛି । ଏମିତି ହେଲେ ଆଗକୁ ସ୍ଥିତି ଭୟଙ୍କର ହେବ ।