ନୂଆପଡା, ୨୪।୧୧ : କର୍ତ୍ତବ୍ୟରେ ଅବହେଳା ପାଇଁ ଜୋଙ୍କ ଥାନା ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁ୍ଷ୍ଠାନ । ଜୋଙ୍କ ଥାନା ଆଇଆଇସି ଗୁରୁଦେବ କର୍ମୀଙ୍କୁ ଡିଜିପି ନିଲମ୍ବିତ କରିଛନ୍ତି। ଆଇଆଇସିଙ୍କ କାର୍ଯ୍ୟର ତଦାରଖ ପରେ ଡିଜିପି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।
ରବିବାର ସନ୍ଧ୍ୟାରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ତତ୍ତ୍ୱାବଧାନରେ ଛତିଶଗଡ ସୀମା ନୂଆପଡା ଜିଲ୍ଲା ଖରିଆର ରୋଡ଼ ଜୋଙ୍କ ଥାନା ଚାଲମୁଣ୍ଡା ଅଞ୍ଚଳରେ ଏକ ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉ କରିଥିଲା। ଚଢ଼ାଉ ସମୟରେ ପୋଲିସ ଘଟଣାସ୍ଥଳରୁ ୨୯ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ କରିବା ସହ ୮୦ ଜଣଙ୍କୁ ଗିରଫ କରିଛି। ଏହାସହ ୭୪ଟି ମୋବାଇଲ ଫୋନ ଏବଂ ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ ମଧ୍ୟ ଜବତ କରିଥିଲା। ଏହି ଘଟଣା ପରେ ଆଇଆଇସିଙ୍କ ବିରୋଧରେ ଡିଜିପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।