ନୂଆଦିଲ୍ଲୀ, ୨୨/୦୬ : ପ୍ରାୟ ଦୁଇ ସପ୍ତାହ ଧରି ସ୍ଥିର ରହିବା ପରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗକୁ ବଢ଼ିଛି। ଆରବ ସାଗରରୁ ଆସୁଥିବା ଆର୍ଦ୍ରତାଯୁକ୍ତ ବାୟୁ ଯୋଗୁ ମୌସୁମୀ ମୁମ୍ଵାଇ ଓ ତାର ଆଖପାଖ ଅଞ୍ଚଳ ସମେତ ଦକ୍ଷିଣ-ପୂର୍ବ ଗୁଜରାଟକୁ ଅଗ୍ରସର ହୋଇଛି। ଯାହାଫଳରେ ସେହିସବୁ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି। ବର୍ଷା ହୋଇଥିଲେ ମଧ୍ୟ ଜୁନରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ବିଶେଷଜ୍ଞଙ୍କ କହିବାନୁସାରେ ୧୪୬ ବର୍ଷରେ ଚଳିତବର୍ଷର ଜୁନ ମାସ ସବୁଠୁ ଶୁଷ୍କ । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ସଦ୍ୟତମ ତଥ୍ୟ ଅନୁସାରେ ଜୁନ ୪ରୁ ୨୨ ତାରିଖ ମଧ୍ୟରେ ମାତ୍ର ୫୩.୧ ମିଲିମିଟର ବର୍ଷା ହୋଇଛି । ଏହି ସମୟରେ ସାଧାରଣତଃ ୯୭.୬ ମିଲିମିଟର ବର୍ଷା ହେବା କଥା । ଅର୍ଥାତ ଦେଶରେ ଜୁନ ମାସରେ ଏପର୍ଯ୍ୟନ୍ତ ୪୬ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି । ତେବେ ଭାରତର କେନ୍ଦ୍ରୀୟ, ଉତ୍ତର ଓ ଉପଦ୍ୱୀପ ଅଞ୍ଚଳରେ କମ୍ ବର୍ଷା ଏବଂ କେତେକ ସ୍ଥାନରେ ବହୁତ କମ୍ ବର୍ଷା ହୋଇଛି ।

ଆଇଏମଡି ପକ୍ଷରୁ ଜାରି କରାଯାଇଥିବା ମାନଚିତ୍ରକୁ ଦେଖିଲେ ଜଣାପଡୁଛି ଯେ ମୌସୁମୀର କେନ୍ଦ୍ରୀୟ ଜୋନ୍ ଭାବେ ପରିଚିତ ମଧ୍ୟପ୍ରଦେଶରେ ୫୮ ଓ ମହାରାଷ୍ଟ୍ରରେ ୮୫ ପ୍ରତିଶତ କମ୍ ବର୍ଷିଛି । ସେହିଭଳି ଗୁଜରାଟରେ ସ୍ୱାଭାବିକ ଠାରୁ ୮୪ ପ୍ରତିଶତ କମ୍ ବର୍ଷା ହୋଇଛି । ଛତିଶଗଡରେ ୭୧, ଝାଡଖଣ୍ଡରେ ୭୧ ଓ ମେଘାଳୟରେ ୮୧ ପ୍ରତିଶତ ବର୍ଷା କମ୍ ହୋଇଛି । ଉପଗ୍ରହ ଚିତ୍ରରୁ ଗତ କିଛିଦିନ ହେଲା ବଙ୍ଗୋପ ସାଗର, ପୂର୍ବ ଭାରତ ଓ ହିମାଳୟ ଅଞ୍ଚଳରେ ବାଦଲ ଦେଖିବାକୁ ମିଳୁଥିଲା ବେଳେ କେନ୍ଦ୍ରୀୟ ଓ ପଶ୍ଚିମ ଭାରତର ଅଧିକାଂଶ ଅଞ୍ଚଳ ବାଦଲମୁକ୍ତ ରହିଛି । ତେବେ ମହାରାଷ୍ଟ୍ର, ଗୁଜରାଟ ଓ କେନ୍ଦ୍ରୀୟ ଭାରତର କିଛି ଅଞ୍ଚଳକୁ ଆଜି ମୌସୁମୀ ପ୍ରବେଶ କରିଥିବାରୁ ଆଗାମୀ ୨୪ରୁ ୪୮ ଘଣ୍ଟା ଭିତରେ ସେଠାରେ ବର୍ଷା ହେବାର ସମ୍ଭାବନା ରହିଛି । କିନ୍ତୁ ଯେତିକି ବର୍ଷ ହେବ ତାହା ନିଅଣ୍ଟକୁ ଭରଣା କରିପାରିବ ନାହିଁ ।

ପାଣିପାଗ ବିଶେଷଜ୍ଞଙ୍କ ମତରେ ଚଳିତବର୍ଷର ଜୁନ ପାଣିପାଗ ସଂକ୍ରାନ୍ତ ତଥ୍ୟ ରେକର୍ଡିଂ ହେବା ପରେ ଅର୍ଥାତ ଶତାଧିକ ବର୍ଷ ପରେ ସବୁଠାରୁ ଅଧିକ ଶୁଷ୍କ ବୋଲି କୁହାଯାଇପାରିବ । କେବଳ ମରୁଡି ବର୍ଷରେ କମ୍ ବର୍ଷା ଦେଖିବାକୁ ମିଳିଥାଏ । ଦୁର୍ବଳ ମୌସୁମୀ ଯୋଗୁ ଚଳିତବର୍ଷ ଦେଶରେ ଚାଷକାର୍ଯ୍ୟ ପ୍ରଭାବିତ ହୋଇଛି । ଅନେକ ରାଜ୍ୟରେ ପାଣିର ଅଭାବ ଯୋଗୁ ବୁଣାବୁଣି ଆଗେଇ ପାରୁନାହିଁ । ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ ଓ ଛତିଶଗଡ ଚାଷୀମାନେ ଖରିଫ ଚାଷ ପାଇଁ ବର୍ଷାକୁ ଅପେକ୍ଷା କରିଛନ୍ତି । ତେଣୁ ଆଗାମୀ ସପ୍ତାହ ସେମାନଙ୍କ ଲାଗି ବେଶ୍ ଗୁରୁତ୍ଵପୂର୍ଣ୍ଣ ହେବ। କାରଣ ମୌସୁମୀ ଅଗ୍ରସର ହୋଇଥିବାରୁ ସେହି ସବୁ ଅଞ୍ଚଳରେ ବର୍ଷାର ପରିମାଣ ବଢିବ ଏବଂ ଚାଷକାର୍ଯ୍ୟ ସ୍ଵାଭାବିକ ଭାବେ ହୋଇପାରିବ ବୋଲି ଆଶା କରାଯାଉଛି।

ଆହୁରି ପଢନ୍ତୁ- BLO Suspended : SIR କାର୍ଯ୍ୟରେ ଅବହେଳା ମହଙ୍ଗା ପଡିଲା, ଚାକିରିରୁ ନିଲମ୍ବିତ ହେଲେ ବିଏଲଓ

ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସତର୍କ ସୂଚନା ! ଏଣିକି ଏହିସବୁ ନିୟମ ବଦଳାଇଲା ରେଳ ବିଭାଗ