ନୂଆଦିଲ୍ଲୀ: କାନାଡ଼ାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବିସ୍ପୋରକ ବୟାନ। କହିଲେ ଆମେରିକା ଭାରମୋଣ୍ଟ ନଚେତ୍ କାଲିଫୋର୍ଣ୍ଣିଆକୁ ଜଲଦି କାନାଡ଼ାକୁ ଫେରାଇ ଦେଉ। ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡାକୁ ଅଧିଗ୍ରହଣ କରିବା ନେଇ ନିକଟରେ ଘୋଷଣା କରିଥିଲେ। ଏହାକୁ ନେଇ କାନାଡ଼ାରେ ଅସନ୍ତୋଷ ଦେଖାଯିବା ପରେ ଏନେଇ ଗଣମାଧ୍ୟମ ସାମ୍ନାରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଟ୍ରୁଡୋ। ଏହି ଘଟଣାରେ ଟ୍ରୁଡୋ ଏତେ ରାଗିଯାଇଥିଲେ ଯେ ଟ୍ରମ୍ପଙକୁ ଟ୍ରୋଲ କରିବାକୁ ବି ପଛାଇ ନଥିଲେ।
ଟ୍ରମ୍ପ କାନାଡ଼ା ଅଧିଗ୍ରହଣ ନେଇ ଟିପ୍ପଣି ଦେବା ପରେ ଟ୍ରୁଡୋ ପ୍ରଥମ ଥର ପାଇଁ କାନାଡ଼ାର ଗଣମାଧ୍ୟମ ଏମଏସଏନବିସିକୁ ସାକ୍ଷାତକାର ଦେଇଛନ୍ତି। ଏହି ଅବସରରେ ସେ ଗତବର୍ଷ ନଭେମ୍ବର ମାସରେ ଟ୍ରମ୍ଫଙ୍କ ସହ ହୋଇଥିବା ସାକ୍ଷାତକାର ସମ୍ପର୍କରେ କହିଛନ୍ତି। ଏହି ସାକ୍ଷାତକାରରେ ଟ୍ରମ୍ପ କାନାଡ଼ାକୁ ଆମେରିକାର ୫୧ ତମ ରାଜ୍ୟ ଭାବେ ମିଶାଇଦେବାପାଇଁ ଟ୍ରୁଡୋଙ୍କୁ କହିଥିଲେ। ଯଦି ଟ୍ରୁଡୋ ଏପରି ନକରନ୍ତି ତେବେ ସେ କାନାଡା ଉପରେ ଟାରିଫ ବଢାଇ ଦେବେ ବୋଲି ଧମକ ଦେଇଥିଲେ। ଟ୍ରମ୍ପଙ୍କ ଏପରି ବ୍ୟବହାରକୁ ଟ୍ରୁଡୋ ହାସ୍ୟାସ୍ପଦ କହିବା ସହିତ ଆମେରିକା ଭାରମୋଣ୍ଟ ନଚେତ୍ କାଲିଫୋର୍ଣ୍ଣିଆକୁ ଜଲଦି କାନାଡ଼ାକୁ ଫେରାଇଦେଉ ବୋଲି କହିଥିଲେ।
ମିଳିଥିବା ସୂଚନା ମୁତାବକ ଟ୍ରମ୍ପ ବହୁ ଜଲଦି କାନାଡ଼ାରୁ ଆମେରିକାକୁ ରପ୍ତାନି ହେଉଥିବା ପଣ୍ୟଦ୍ରବ୍ୟ ଉପରେ ୨୫ ପ୍ରତିଶତ ଟାରିଫ ଲଗାଇବାକୁ ଯାଉଛନ୍ତି। ଯାହା ଉଭୟ ଦେଶର ଆର୍ଥନିତି ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ଟ୍ରୁଡୋ କହିଛନ୍ତି। ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ପାଇଁ ଆମେରିକାରେ କାନାଡ଼ିୟ ଉତ୍ପାଦ ଗୁଡିକ ମହଙ୍ଗା ହୋଇଯିବା ସହ ଆମେରିକୀୟ ନାଗରିକ ମାନଙ୍କ ପକେଟରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି। ଏହା ସହ ସେ ଟ୍ରମ୍ପଙ୍କ କଥାକୁ ଅତି ରଞ୍ଜିତ ବୋଲି କହିବା ସହ ଟ୍ରମ୍ପଙ୍କୁ ରଙ୍ଗ ବଦଳାଉଥିବା ଏଣ୍ଡୁଅ ସହ ତୁଳନା କରିଛନ୍ତି।
ସୂଚନା ଅନୁସାରେ, ନିକଟରେ ଟ୍ରମ୍ପ କାନାଡ଼ାକୁ ନିଜର ୫୧ ତମ ରାଜ୍ୟ ଭାବେ ଆମେରିକାରେ ମିଶିବା ପାଇଁ ଧମକ ଦେଇଥିଲେ। ନଚେତ୍ ସେ କାନାଡ଼ା ଉପରେ ଭାରି ଟାରିଫ ଲଗେଇବେ ବୋଲି କହିଥିଲେ। ଏହା ପୂର୍ବରୁ କାନାଡ଼ା ମଧ୍ୟ ଦେଇ ଆମେରିକା ସୀମାକୁ ବେଆଇନ ପ୍ରବେଶ ହେଉଥିବା ନେଇ ଅଭିଯୋଗ କରିଥିଲେ ଟ୍ରମ୍ପ। ତେବେ ଟ୍ରମ୍ପଙ୍କ ଏହି ଧମକରେ ଟ୍ରୁଡୋ ସାମାଜିକ ଗଣମାଧ୍ୟମ ଏକ୍ସରେ ଟ୍ରମ୍ପଙକୁ ଟ୍ରୋଲ କରିଥିଲେ।