ଭୁବନେଶ୍ୱର, ୦୮/୦୪: ସର୍ବଭାରତୀୟ ଫୁଟବଲ ସଂଘ ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି କଳିଙ୍ଗ ସୁପର କପ୍‌ । ଟୁର୍ଣ୍ଣାମେଣ୍ଟର କ୍ରୀଡ଼ାସୂଚୀ ଘୋଷଣା ହୋଇଛି । ସମସ୍ତ ମ୍ୟାଚ୍‌ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ମୋଟ୍‌ ୧୬ ଦଳ ସୁପର କପ୍‌ରେ ଭାଗ ନେଉଛନ୍ତି । ୧୩ଟି ଦଳ  ଆଇଏସ୍‌ଏଲ ଏବଂ ୩ଟି ଦଳ ଆଇଲିଗରୁ ରହିଛନ୍ତି । ପ୍ରତିଯୋଗିତା ଆସନ୍ତା  ୨୦ରୁ ଆରମ୍ଭ ହେବ ଏବଂ ମେ’ ୩  ତାରିଖରେ ଫାଇନାଲ ମ୍ୟାଚ୍‌ ଖେଳାଯିବ ।  

ଉଦ୍‌ଘାଟନୀ ମ୍ୟାଚ୍‌ କେରଳ ବ୍ଲାଷ୍ଟର୍ସ  ଏଫ୍‌ସି ଏବଂ ଇଷ୍ଟ୍‌ବେଙ୍ଗଲ ଏଫ୍‌ସି  ମଧ୍ୟରେ ଖେଳାଯିବାର ସୂଚୀ ରହିଛି ।  ଆସନ୍ତା ୨୦ରୁ ୨୪ ତାରିଖ ମଧ୍ୟରେ  ରାଉଣ୍ଡ ୧୬ ଏବଂ ୨୬ ଓ ୨୭ରେ କ୍ୱାର୍ଟର  ଫାଇନାଲ ରହିଛି । ସେହିପରି ୩୦  ତାରିଖରେ ସେମି ଫାଇନାଲ ଏବଂ ମେ’ ୩  ତାରିଖରେ ଫାଇନାଲ ମ୍ୟାଚ୍‌ ଖେଳାଯିବ । 

ପୂର୍ବ ସଂସ୍କରଣ ମଧ୍ୟ କଳିଙ୍ଗ  ଷ୍ଟାଡିୟମରେ ଖେଳାଯାଇଥିଲା । ଘରୋଇ  ଓଡ଼ିଶା ଏଫ୍‌ସିକୁ ପରାଜିତ କରି ଇଷ୍ଟ୍‌ବେଙ୍ଗଲ  ଚାମ୍ପିଅନ ହୋଇଥିଲା । ଚଳିତ ବର୍ଷ କଳିଙ୍ଗ  ସୁପର କପ୍‌ର ଚାମ୍ପିଅନ ୨୦୨୫-୨୬  ଏଏଫ୍‌ସି ଚାମ୍ପିଅନ୍ସ ଲିଗ୍‌-୨ ପ୍ରିଲିମିନାରୀ  ରାଉଣ୍ଡକୁ ଯୋଗ୍ୟତା ହାସଲ କରିବ ।