ନୂଆଦିଲ୍ଲୀ,୧୧/୧୧: ଖଲିସ୍ତାନୀ ଆତଙ୍କୀ ଅର୍ଶଦୀପ ସିଂହ ଓରଫ ଅର୍ଶଦୀପ ଡଲ୍ଲାକୁ କାନାଡାରେ ଗିରଫ କରାଯାଇଛି । ଗତମାସ ୨୭-୨୮ ତାରିଖରେ କାନାଡାର ମିଲଟନ ସହରରେ ଘଟିଥିବା ଏକ  ଗୁଳିକାଣ୍ଡ ମାମଲାରେ ତାକୁ ଗିରଫ କରାଯାଇଥିବା  ପୁଲିସ ସୂଚନା ଦେଇଛି । ତେବେ ଗିରଫ ପରେ ତାକୁ ଜାମିନରେ ଛଡାଯାଇଛି କି ନାହିଁ ତାହା ସ୍ପଷ୍ଟ  ହୋଇନାହିଁ । ଭାରତ ଓ କାନାଡା ମଧ୍ୟରେ କୂଟନୈତିକ  ବିବାଦ ଯୋଗୁ କୌଣସି ସୂଚନା ଆଦାନ ପ୍ରଦାନ ହୋଉନାହିଁ । ତେଣୁ  ଡଲ୍ଲା ସମ୍ପର୍କରେ  ଅଧିକ ଜାଣିବା ସମ୍ଭବ ହୋଇପାରୁନାହିଁ ।  ଡଲ୍ଲା ହେଉଛି ମୃତ  ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂହ  ନିଜ୍ଜରର ଘନିଷ୍ଠ  ସହଯୋଗୀ । ସେ ମଧ୍ୟ ଭାରତର ମୋଷ୍ଟ ୱାଣ୍ଟେଡ  ତାଲିକାରେ ରହିଛି । 

ଗତ ସେପ୍ଟେମ୍ବର ମାସରେ  ପଞ୍ଜାବର ମୋଗା ଜିଲ୍ଲାରେ କଂଗ୍ରେସ ନେତା  ବଲଜିନ୍ଦର ସିଂହ ବାଲିଙ୍କୁ ତାଙ୍କ ଘରେ ଗୁଳିକରି  ହତ୍ୟା କରାଯାଇଥିଲା। ଏହି ହତ୍ୟା ଘଟଣା ପଛରେ  ତାର ହାତ ଥିବା ନେଇ ଡଲ୍ଲା ଦାବି କରିଥିଲା ।  ଗତମାସରେ ଫରିଦକୋଟ ଜିଲ୍ଲାରେ ଗୁରପ୍ରିତ୍‌  ସିଂହ ହରି ନାଉ ନାମକ ଜଣେ ଶିଖ୍‌ କାର୍ଯ୍ୟକର୍ତ୍ତାଙ୍କୁ  ହତ୍ୟା କରାଯିବା ଘଟଣାରେ ପୁଲିସ ଡଲ୍ଲାର ଦୁଇ  ସହଯୋଗୀଙ୍କୁ ଗିରଫ କରିଥିଲା । 

ସେହିଭଳି  ତଦନ୍ତରୁ ଜଣାପଡିଛି କି ଡଲ୍ଲାର ନିର୍ଦ୍ଦେଶରେ ଗତ  ନଭେମ୍ବର ୭ ତାରିଖରେ ମଧ୍ୟପ୍ରଦେଶର ଗ୍ୱାଲିୟର  ଠାରେ ଜଶୱନ୍ତ ସିଂହ ଗିଲ୍‌ ନାମକ ଜଣେ ବ୍ୟକ୍ତିଙ୍କୁ  ହତ୍ୟା କରାଯାଇଥିଲା । ଗିଲ ୨୦୧୬ର ଏକ ହତ୍ୟା  ମାମଲାରେ ଆଜୀବନ ଜେଲ୍‌ ଭୋଗୁଥିଲା ।