ଜୟପୁର, ୧୯/୦୬ : କୋରାପୁଟ କୋଟପାଡ଼ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ସେଠୀଙ୍କ ଅମାପ ସମ୍ପତ୍ତି। ମାଳ ମାଳ ପ୍ଲଟ୍, ବିଡା ବିଡ଼ା ଟଙ୍କା, ପୁଳା ପୁଳା ସୁନା ଗହଣା ଏବଂ ଗଣ୍ଡା ଗଣ୍ଡା ହାତୀ ମୂର୍ତ୍ତି। ଘରେ ରେଡ୍ ବେଳେ ଏସବୁ ଦେଖି ତାଜୁବ ଭିଜିଲାନ୍ସ। 

ସହକାରୀ ଯନ୍ତ୍ରୀ ସତ୍ୟ ନାରାୟଣ ସେଠୀଙ୍କ ସମ୍ପତ୍ତି ତାଲିକା ବେସ ଲମ୍ବା । ବାବୁଙ୍କର ୩୨ଟି ମୂଲ୍ୟବାନ ପ୍ଲଟ, ୨ଟି ଫାର୍ମ ହାଉସ ଠାବ ହୋଇଛି । କୋରାପୁଟ,  ଜୟପୁର, ବୋରିଗୁମ୍ମା, କୋଟପାଡ, ପଟାଙ୍ଗି ତହସିଲରେ ଏହି ସବୁ ପ୍ଲଟ୍ ରହିଛି। ସେହିଭଳି ବୋରିଗୁମ୍ମା ତରାଗାଁରେ ୧୦ ଏକର ବିଶିଷ୍ଟ ଫାର୍ମ ହାଉସ ଏବଂ ୪ ଏକରରୁ ଅଧିକ ଯାଗାରେ ଆଉ ଏକ ଫାର୍ମ ହାଉସ୍ ରହିଛି । କେବଳ ଏତିକି ନୁହେଁ ଖୋର୍ଦ୍ଧା ଜଟଣୀ ମାଧିପୁର ମୌଜାରେ ୧ ହଜାର ବର୍ଗଫୁଟ ବିଶିଷ୍ଟ ଗୋଟିଏ ଫ୍ଲାଟ୍ ରହିଛି । ଏଥିସହିତ ଯନ୍ତ୍ରୀ ଘରୁ ୩୦୦ ଗ୍ରାମର ସୁନା, ରୂପା ଗହଣା, ରୂପା ହାତୀ ମୂର୍ତ୍ତି ସହ ନଗଦ ୫ ଲକ୍ଷ ୪୮ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ ।  

ସୂଚନା ଥାଉକି, ସହକାରୀ ଯନ୍ତ୍ରୀ ସତ୍ୟ ନାରାୟଣ ସେଠୀଙ୍କ ଘରେ ଭିଜିଲାନ୍ସ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରିଛି। ଜୟପୁର ସମେତ କୋରାପୁଟ, ଖୋର୍ଦ୍ଧା ଏବଂ କେନ୍ଦ୍ରାପଡାର ୭ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଛି। କୋରାପୁଟ ସ୍ଥିତ ଅଫିସ୍‍ , ଜୟପୁରସ୍ଥିତ ସରକାରୀ କ୍ବାର୍ଟର, ଜୟପୁର ପାରାବେଡାସ୍ଥିତ ଭଡା ଘର, କୋରାପୁଟ ବୋରିଗୁମ୍ମାସ୍ଥିତ ୨ଟି  ଫାର୍ମ ହାଉସ,  ଖୋର୍ଦ୍ଧା ଜଟଣୀ ମାଧିପୁରରେ ଥିବା ଫ୍ଲାଟ୍, କେନ୍ଦ୍ରାପଡା ଚାନ୍ଦୋଳରେ ଥିବା ପୈତୃକ ଘରେ ରେଡ କରୁଛି ଭିଜିଲାନ୍ସ  ଟିମ୍। କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ପୈତୃକ ଗାଁ ଜହଙ୍ଗର ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଉଛି। ଚଢାଉରେ ୭ ଜଣ ଡିଏସ୍ପି, ୯ ଜଣ ଇନସ୍ପେକ୍ଟର, ୧୧ ଜଣ ASI ଏବଂ ଅନ୍ୟ ଜଣେ କର୍ମଚାରୀ ସାମିଲ ଅଛନ୍ତି।

ଆହୁରି ପଢନ୍ତୁ- Vigilance Raid : ଭିଜିଲାନ୍ସ ପଞ୍ଝାରେ କୋଟପାଡ଼ ବ୍ଲକ AEE, ଠୁଳ କରିଥିଲେ ଆୟଠୁ ଅଧିକା

Kotpada AEE Under Odisha Vigilance Scanner ! ବିଡ଼ା ବିଡ଼ା ଟଙ୍କା ସମେତ ଦାମୀ ସୁନାଗହଣା ଜବତ