ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ଜଣେ ଇଞ୍ଜିନିୟର ସ୍ତ୍ରୀର ନିର୍ଯାତନା ସହି ନପାରି ଆତ୍ମହତ୍ୟା କରିବା ଘଟଣାକୁ ନେଇ ଚର୍ଚ୍ଚା ଥମିନାହିଁ । ଏହାରି ଭିତରେ ନୋଏଡାରେ ଆଉ ଜଣେ ଯୁବ ଇଞ୍ଜିନିୟର ନିଜ ଲିଭ୍‌-ଇନ ପାର୍ଟନରଙ୍କ ଅପମାନ ସହ୍ୟ କରିନପାରି ଆତ୍ମହତ୍ୟା କରିଛନ୍ତି । ନୋଏଡାର ଜଣେ ୨୭ ବର୍ଷୀୟ ଯୁବକ ବେରୋଜଗାର ଥିବା ବେଳେ ତାଙ୍କର ପ୍ରେମିକା (ଲିଭ୍‌-ଇନ ପାର୍ଟନର) ଏନେଇ ସବୁ ବେଳେ ତାଙ୍କୁ ଥଟ୍ଟା ପରିହାସ କରୁଥିଲେ ।  ଶେଷରେ ସହ୍ୟ କରିବାର ସୀମା ଟପିଯିବା ପରେ ଚରମ ନିଷ୍ପତ୍ତି ନେଇଛି ବୋଲି ସୁଇସାଇଡ୍‌ ନୋଟ୍‌ରେ ଲେଖିଛନ୍ତି ଯୁବକ । 

ପୋଲିସ ଅନୁସାରେ, ମୟଙ୍କ ଚାନ୍ଦେଲ୍‌ ଉତ୍ତର ପ୍ରଦେଶର ଜଲାଲବାଦର ବାସିନ୍ଦା । ୭ ବର୍ଷ ପୂର୍ବରୁ ବନ୍ଦା ସହରରେ ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ଦୁଇ ଜଣ ସାଙ୍ଗରେ ପଢ଼ୁଥିଲେ ଏବଂ ୪ ବର୍ଷ ହେଲା ନୋଏଡାର ସେକ୍ଟର ୭୩ରେ ଥିବା ସୌର୍ଯ୍ୟ ବଙ୍କିଟ ହଲ୍‌ ପାଖରେ ଗୋଟିଏ ଘରେ ଲିଭ୍‌-ଇନରେ ରହୁଥିଲେ । ଯୁବତୀଜଣଙ୍କ ଏକ ଘରୋଇ କମ୍ପାନିରେ କାର୍ଯ୍ୟ କରୁଥିବା ବେଳେ ଯୁବକ ବେରୋଜଗାର ଥିଲେ । 

ଚାନ୍ଦେଲ ନିଜ ସୁଇସାଇଡ୍‌ ନୋଟରେ ଲେଖିଛନ୍ତି, ଲିଭ୍‌-ଇନ ପାର୍ଟନର ତାଙ୍କୁ ଚାକିରି ଖୋଜିବାକୁ କହିବା ସହ ପରିହାସ କରୁଥିଲେ । ସବୁବେଳେ ବସିକି ଖାଉଛୁ କାମ କର ବୋଲି କହୁଥିଲେ ଯୁବତୀ । ଏହା ପରେ ଚାନ୍ଦେଲ ମାନସିକ ଅବସାଦର ଶିକାର  ହୋଇଥିଲେ ବୋଲି ସୁଇସାଇଡ୍‌ ନୋଟରେ ସେ ଲେଖିଛନ୍ତି । ଏହି ସବୁ କାରଣ ଲାଗି ଆତ୍ମହତ୍ୟା କରୁଛି ଏବଂ ଏଥିପାଇଁ କେହି ଦାୟୀ ନୁହଁନ୍ତି ବୋଲି ଫ୍ୟାନ୍‌ରେ ରଶି ଲଗାଇ ଝୁଲିପଡ଼ିବା ପୂର୍ବରୁ ଲେଖିଦେଇ ଯାଇଛନ୍ତି ମୟଙ୍କ ଚାନ୍ଦେଲ ।  ମୟଙ୍କଙ୍କ ଲିଭ୍‌-ଇନ ପାର୍ଟନର ଶୁକ୍ରବାର ଦିନ ଅଫିସ୍‌ରୁ ଫେରିବା ପରେ ତାଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ଏହା ପରେ ସେ ପୋଲିସକୁ ଖବର ଦେଇଥିଲେ । ମୟଙ୍କ ଆତ୍ମହତ୍ୟା କରିଥିବା ନେଇ ତାଙ୍କ ପରିବାରକୁ ଜଣାଯାଇଥିବା ବେଳେ ଅଧିକ ତଦନ୍ତ କରୁଛି ପୋଲିସ ।