ନୂଆଦିଲ୍ଲୀ,୧୭/୦୭: ଭେଟେରାନ ରୋହିତ ଶର୍ମାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ହୁଏତ ଶେଷ ହୋଇ ଆସୁଛି । ଇଂଲଣ୍ଡ ବିପକ୍ଷରେ ଭାରତ ଆସନ୍ତା ୧୯ ତାରିଖରେ ଦିନିକିଆ ସିରିଜର ଅନ୍ତିମ ମ୍ୟାଚ ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଖେଳିବ । କୁହାଯାଉଛି ଏହି ମ୍ୟାଚ ରୋହିତଙ୍କ କ୍ୟାରିୟରର ଶେଷ ମ୍ୟାଚ ହେବ ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ୨୦୨୭ ବିଶ୍ୱକପ୍ ପାଇଁ ଏବେଠୁ ଜାତୀୟ ଚୟନକର୍ତ୍ତା ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ରୋହିତଙ୍କୁ ବିଶ୍ୱକପ୍ ପାଇଁ ପ୍ରସ୍ତୁତ ଯୋଜନାରେ ସେମାନେ ରଖି ନାହାନ୍ତି । ଏ ବିଷୟରେ ସେମାନେ ତାଙ୍କୁ ଅବଗତ କରାଇ ଦେଇଛନ୍ତି । ଫିଟନେସ ବଢ଼ାଇବା ପରେ ରୋହିତ ଖେଳ ଜାରି ରଖିବାକୁ ଚାହାନ୍ତି । ହେଲେ ଚୟନକର୍ତ୍ତା ଆଗାମୀ ଭବିଷ୍ୟତ ସଂପର୍କରେ ନିଜେ ନିଷ୍ପତ୍ତି ନେବାକୁ ତାଙ୍କୁ ପରାମର୍ଶ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ  :-  Nicholas Pooran: ୩୩ ବଲ୍ , ୧୩ ଛକା, ୧୦୬ ରନ୍...ଏମଏଲ୍ସିରେ ନିକୋଲାସ ଝଡ଼, ଭାଙ୍ଗିଲେ ରେକର୍ଡ

ରୋହିତ ଏମିତି ନିଷ୍ପତ୍ତିରେ ଆଦୌ ଖୁସି ନୁହଁନ୍ତି । ଏ ବିଷୟରେ ସେ ବିସିସିଆଇର କିଛି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିବା ଜଣା ପଡ଼ିଛି । ରୋହିତ ଗତ ଇଂଲଣ୍ଡ ବିପକ୍ଷ ୨ଟି ମ୍ୟାଚରେ ଭଲ ପ୍ରଦର୍ଶନ କରି ପାରି ନାହାନ୍ତି । ପ୍ରଥମ ମ୍ୟାଚରେ ୧୧ ଓ ଦ୍ୱିତୀୟ ମ୍ୟାଚରେ ୨୬ ରନ କରିଥିଲେ । ପୂର୍ବରୁ ଏଭଳି ବିବାଦୀୟ ନିଷ୍ପତ୍ତି ପାଇଁ ରୋହିତ ଓ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଦଳ ଘୋଷଣା ହେବା ପୂର୍ବରୁ ସେମାନେ ଆଗ ପଛ ହୋଇ ସନ୍ନ୍ୟାସ ନେଇଥିଲେ । ଫିଟ୍ନେସ ବଢ଼ାଇବା ପରେ ରୋହିତ ୨୦୨୭ ବିଶ୍ୱକପ୍ ଖେଳିବାକୁ ଇଚ୍ଛା ରଖିଥିଲେ । ମାତ୍ର ଜାତୀୟ ଚୟନକର୍ତ୍ତା ତାଙ୍କୁ ସେ ସୁଯୋଗ ହୁଏତ ଦେବ ନାହିଁ ।