ନୂଆଦିଲ୍ଲୀ,୨୦/୦୩: ଗ୍ୱାଲିୟରରେ ଲଡ୍ଡୁ ଗୋପାଳଙ୍କ ମୂର୍ତ୍ତି ହଜିବାରୁ ଜଣେ ମହିଳା ଥାନାରେ ପହଞ୍ଚିଛନ୍ତି । ପୁଲିସକୁ ମୂର୍ତ୍ତି ଖୋଜିବାକୁ ଗୁହାରି କଲେ । କହିଲେ- ଲିଖିତ ଅଭିଯୋଗ ଦାଖଲ କରନ୍ତୁ ନାହିଁ, କାରଣ ଯଦି ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ହେବ, ତେବେ ମୋ ଭଗବାନଙ୍କୁ ଥାନା ବା କୋର୍ଟରେ ହାଜର ହେବାକୁ ପଡ଼ିବ । ଭଗବାନଙ୍କୁ ଏଭଳି କୌଣସି ପ୍ରକାର କଷ୍ଟ ହେଉ ବୋଲି ମୁଁ ଚାହେଁନା । ମାମଲା ଗ୍ୱାଲିୟରର ଅଲକାପୁରୀରେ ଗତ ଜାନୁଆରୀ ୨୯ ତାରିଖର । ପ୍ରାୟ ୨ ମାସ ଧରି ଖୋଜିବା ପରେ ବି ମୂର୍ତ୍ତି ନ ମିଳିବାରୁ ମହିଳା ଗତ ଗୁରୁବାର ମୂର୍ତ୍ତି ଖୋଜିଦେବା ବ୍ୟକ୍ତିଙ୍କୁ ଉପହାର ଦେବାକୁ ଘୋଷଣା କଲେ । 

ତେବେ ଉପହାର ରାଶି ଘୋଷଣା କରିନାହାନ୍ତି । ପୁଲିସକୁ ଗୁହାରି କରିଥିବା ମହିଳା ବିଜୟା ଶର୍ମା କହିଛନ୍ତି, ଗତ ଜାନୁଆରୀ ୨୯ରେ ଭଉଣୀ ସହ ସେ କିଣାକିଣି ପାଇଁ ବଜାର ଯାଇଥିଲେ । ଲଡ୍ଡୁ ଗୋପାଳଙ୍କୁ ସାଙ୍ଗରେ ନେଇଥିଲେ । ବଜାରରେ ବୁଲିବା ସମୟରେ ମୂର୍ତ୍ତି ତଳେ ପଡ଼ିଗଲା । ବିଜୟା କହିଛନ୍ତି- ଏ ମୂର୍ତ୍ତି ମୋ ପାଇଁ କୌଣସି ଧାର୍ମିକ ପ୍ରତୀକ ନୁହେଁ, ବରଂ ମା’ଙ୍କ ସ୍ମୃତି ସହ ଜଡ଼ିତ ଅମୂଲ୍ୟ ଐତିହ୍ୟ । ପ୍ରାୟ ୩୦ ବର୍ଷ ତଳେ ମା’ ଲଡ୍ଡୁ ଗୋପାଳଙ୍କର ଏହି ମୂର୍ତ୍ତି ମୋତେ ଦେଇଥିଲେ । ୫ ବର୍ଷ ପୂର୍ବେ ମା’ଙ୍କ ଦେହାନ୍ତ ହୋଇଥିଲା । ତା’ପରେ ଏହି ମୂର୍ତ୍ତି ତାଙ୍କର ସ୍ୱତନ୍ତ୍ର ପ୍ରତୀକ ହୋଇଗଲା । ମୋର ସବୁଠୁ ବଡ଼ ଦୁଃଖ ଯେ ମା’ଙ୍କର ଶେଷ ସ୍ମୃତିକୁ ମୁଁ ସମ୍ଭାଳି ପାରିଲି ନାହିଁ । 

ଆହୁରି ପଢନ୍ତୁ - ପଶ୍ଚିମ ଏସିଆ ସଙ୍କଟ: ୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି, ଶାନ୍ତି ଓ ସ୍ଥିରତା ନେଇ ଆଲୋଚନା

ଅନେକ ଦିନ ଧରି ନିଜ ସ୍ତରରେ ବଜାର ଓ ଆଖପାଖ ଅଞ୍ଚଳରେ ଖୋଜିବା ପରେ ବି ସଫଳତା ମିଳିଲାନି । ସେଥିପାଇଁ କୋତୱାଲୀ ଯାଇ ସାହାଯ୍ୟ ମାଗିଲି । ସେ ମୂର୍ତ୍ତିର ଫଟୋ ଓ ଭିଡିଓ ଶେୟାର କରିଛନ୍ତି । କହିଛନ୍ତି, ୧ ନମ୍ବର ଆକାରଯୁକ୍ତ ଏହି ମୂର୍ତ୍ତିକୁ ସେ ଛୋଟ ଦୋଳିରେ ରଖୁଥିଲେ । ସିଏସ୍‌ପି ମନୀଷ ଯାଦବ କହିଛନ୍ତି, ଏ ପ୍ରକାର ମାମଲାରେ ମୂର୍ତ୍ତି ଖୋଜିବା ଆହ୍ୱାନଭରା । ତଥାପି ଆଖପାଖ ଅଞ୍ଚଳରେ ଯାଞ୍ଚ ଚାଲିଛି ।