ଜାତି ପ୍ରେମ ଏମିତି କି ବାଇଆ କଲା ଯେ, କେନ୍ଦ୍ର ସରକାର ଜାତି ଜନଗଣନାକୁ ଆକସ୍ମିକ ‘ହଁ’ ମାରିଲେ । ଜାତି ଜନଗଣନା ଗୁଗୁଲିରେ ବିରୋଧୀଙ୍କୁ କରିଦେଲେ କ୍ଲିନ୍ ବୋଲଡ୍ । ହଠାତ୍ ଏ ଜାତିପ୍ରେମ କାହିଁକି? ଏହା ଏବେ ଛିଡ଼ା କରାଇଛି ମିଲିୟନ ଡଲାର୍ର ପ୍ରଶ୍ନ ।
ପ୍ରେମ, ଯୁଦ୍ଧ ଓ ରାଜନୀତିରେ ସବୁ ସମ୍ଭବ । କାଲି ବିରୋଧ, ଆଜି ସମର୍ଥନ । ପହଲଗାମ ନାରକୀୟ କାଣ୍ଡ ସାରା ଦେଶରେ ବଡ଼ ଖବର ପାଲଟିଥିଲା ବେଳେ ପ୍ରଧାନମନ୍ତ୍ରୀ ମୋଦି ଖୋଲିଛନ୍ତି ଜାତି ଜନଗଣନାର ପେଡ଼ି । ଜାତି ଜନଗଣନାକୁ କେନ୍ଦ୍ର ବିଜେପି ସରକାରର କ୍ୟାବିନେଟ୍ ମାରିଛି ମୋହର । ଆସନ୍ତା ଜନଗଣନା ବେଳେ ଦେଶରେ ହେବ ଜାତିଗତ ଜନଗଣନା । ବିରୋଧୀଙ୍କ ଦୀର୍ଘଦିନର ଏ ଦାବିକୁ ମୋଦି ସରକାର ନା କହି ଆସୁଥିଲେ । ମାତ୍ର ହଠାତ୍ କେନ୍ଦ୍ର ନେଇଛି ୟୁ-ଟର୍ନ । ମୋଦି ଖେଳିଛନ୍ତି ମାଷ୍ଟରଷ୍ଟ୍ରୋକ୍ । ପହଲଗାମ ଆତଙ୍କବାଦୀ କାଣ୍ଡକୁ ନେଇ ଭାରତୀୟଙ୍କ ମଧ୍ୟରେ ପାକିସ୍ତାନ ବିରୋଧୀ ରକ୍ତ ଟକମକ ଫୁଟୁଥିଲା । ଠିକ୍ ଏତିକି ବେଳେ ମୋଦିଙ୍କ ଏଭଳି ଅପ୍ରତ୍ୟାଶିତ ନିଷ୍ପତ୍ତିରେ ସମସ୍ତେ ଆଶ୍ଚର୍ଯ୍ୟଚକିତ । ବିହାର ଭୋଟ ପୂର୍ବରୁ ବିରୋଧୀଙ୍କ ଉପରେ ଏହା ମୋଦିଙ୍କ ବଡ଼ ସର୍ଜିକାଲ ଷ୍ଟ୍ରାଇକ୍ ବୋଲି ସବୁଆଡ଼େ ଚର୍ଚ୍ଚା ଓ ଆଲୋଚନା ।
ଆକସ୍ମିକ ଓ ଅପ୍ରତ୍ୟାଶିତ
ଜାତିପ୍ରେମ କି ମନ୍ତର କଲା । ଜାତି ପ୍ରେମ ଏମିତି କି ବାଇଆ କଲା ଯେ, କେନ୍ଦ୍ର ସରକାର ଜାତି ଜନଗଣନାକୁ ‘ହଁ’ ମାରିଲେ । ଚର୍ଚ୍ଚା, ଆଲୋଚନା କିଛି ନଥିଲା । ଜାତି ଜନଗଣନା ଗୁଗୁଲିରେ ବିରୋଧୀଙ୍କୁ କରିଦେଲେ କ୍ଲିନ୍ ବୋଲଡ୍ । ହଠାତ୍ ଏ ଜାତିପ୍ରେମ କାହିଁକି? ଏହା ଏବେ ଛିଡ଼ା କରାଇଛି ମିଲିୟନ୍ ଡଲାର୍ର ପ୍ରଶ୍ନ । କଂଗ୍ରେସ ସମେତ ତମାମ ବିରୋଧୀ ଦଳ ଜାତିଗତ ଜନଗଣନା କରାଇବା ପାଇଁ ଦାବି କରି ଆସୁଥିଲେ । ଏହା ସାମାଜିକ ବିଭାଜନକାରୀ ଓ ‘ଅର୍ବାନ୍ ନକ୍ସଲ୍’ ଚିନ୍ତାଧାରା ବୋଲି ବିଜେପି ଆକ୍ରମଣ କରୁଥିଲା । ମାତ୍ର ଆକସ୍ମିକ ଭାବେ କେନ୍ଦ୍ର କ୍ୟାବିନେଟ୍ ଏଥିପାଇଁ ମଞ୍ଜୁରୀ ଦେବାର ଅସଲ କାରଣ ଦରାଣ୍ଡୁଛନ୍ତି ରାଜନୀତି ବିଶାରଦ ।
ଜାତିପ୍ରେମ ନା ରାଜନୀତି? ସମୟର ଆହ୍ୱାନ ନା ପରିସ୍ଥିତିର ଚାପ? ଜାତି ଜନଗଣନାକୁ ନେଇ ଆରମ୍ଭ ହୋଇଛି ଛକାପଞ୍ଝା । ଭାରତରେ ସାଧାରଣ ଜୀବନକୁ ବହୁଳ ଭାବେ ପ୍ରଭାବିତ କରିଥାଏ ‘ଜାତି’ । ସ୍ୱାଧୀନତା ପରେ ଏଯାଏଁ ରାଜନୀତିରେ ‘ଜାତି’ ହେଉଛି ଟ୍ରମ୍ପକାର୍ଡ । ଭୋଟ ରାଜନୀତିର ଏ ଗହନ ତତ୍ତ୍ୱକୁ ଭଲ ଭାବେ ପଢ଼ିଥିଲେ ଭି ପି ସିଂହ, ମୁଲାୟମ ସିଂହ ଯାଦବ, ମାୟାବତୀ, ଲାଲୁ ପ୍ରସାଦ ଯାଦବ ଓ ନୀତୀଶ କୁମାରଙ୍କ ଭଳି ହେଭିୱେଟ୍ । ଜାତିକାର୍ଡ ଖେଳି ରାଜନୀତିରେ ବି ବେଶ୍ ଚମକପ୍ରଦ ସଫଳତା ଏ ନେତାମାନେ ପାଇଥିଲେ । ଗତ କିଛି ବର୍ଷ ହେବ ରାହୁଲ ଗାନ୍ଧି ଜାତି ଜନଗଣନା ନେଇ ଯୁକ୍ତି କରି ଆସୁଥିଲେ । ହଠାତ୍ ଏ ନିଆଁରେ ପାଣି ଢାଳି ଦେଇଛି କେନ୍ଦ୍ର ।
ରାଜନୀତି ବିଶାରଦଙ୍କ ଯୁକ୍ତି, ଗତ ସାଧାରଣ ନିର୍ବାଚନରେ ବିଜେପି ଏକାକି ସଂଖ୍ୟା ଗରିଷ୍ଠତା ହାସଲ ନ କରିବା ପଛରେ କାଳେ ପଛୁଆବର୍ଗ ଭୋଟ ବଡ଼ କାରଣ । ୟୁପି ଓ ମହାରାଷ୍ଟ୍ରରେ ଦଳକୁ ଆଶାନୁରୂପ ଏମ୍ପି ସିଟ୍ ମିଳିଲାନି । ଆଗକୁ ବିହାର ଓ ୟୁପି ନିର୍ବାଚନ ଅଛି। ପଲଟୁରାମ ନୀତିଶ ବି ‘ଜାତି ଖେଳ’ରେ ବିଚକ୍ଷଣ । ବିହାର ଓ ଉତ୍ତରପ୍ରଦେଶରେ ଦଳକୁ ଅଧିକ ମଜଭୁତ କରିବାରେ ଜାତି ଜନଗଣନା ସହାୟକ ହୋଇପାରେ । ମଣ୍ଡଳ ୨.୦ ଭଳି ଏ ଜନଗଣନା ବିଜେପିକୁ ପଛୁଆବର୍ଗଙ୍କ ନିକଟତର କରିବାରେ ସହାୟକ ହେବ । ଜନଗଣନା ଆଧାରରେ ନିର୍ବାଚନମଣ୍ଡଳୀ ପୁନର୍ଗଠନ ସହ ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣର ମାପଦଣ୍ଡ ହେବ । ଏ ସବୁ ଦିଗକୁ ଧ୍ୟାନରେ ରଖି ଆରଏସ୍ଏସ୍ ସହମତିରେ ବିଜେପି ଏଭଳି ଚମକେଇଲା ଭଳି ନିଷ୍ପତ୍ତି ନେଇଛି ବୋଲି ଦିଲ୍ଲୀ ଦରବାରରେ ଚର୍ଚ୍ଚା।
ଖସିଗଲା ବିରୋଧୀଙ୍କ ବ୍ରହ୍ମାସ୍ତ୍ର
କଂଗ୍ରେସ ହାତରୁ ଖସିଗଲା ବ୍ରହ୍ମାସ୍ତ୍ର । ଗତ କିଛି ବର୍ଷ ହେବ ‘ଜାତି ଜନଗଣନା’ ଓ ‘ସଂରକ୍ଷଣ’କୁ ଅସ୍ତ୍ର କରି ରାହୁଲ ବିଜେପି ଶିବିରକୁ ଅସ୍ତବ୍ୟସ୍ତ କରୁଥିଲେ । ମାତ୍ର ଏବେ ଖସିଗଲା ବଡ଼ ଅସ୍ତ୍ର । ମୋଦି କ୍ୟାବିନେଟ୍ ଜାତି ଜନଗଣନାରେ ମୋହର ମାରିବା ପରେ ବିରୋଧୀମାନେ ଖୁସିରେ ଗଦ୍ ଗଦ୍ ହୋଇ ସ୍ୱାଗତ କରିଛନ୍ତି । ବିଜେପି ବି ମାରୁଛି କୁହାଟ । କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ଶେଷରେ ସରକାର ଜାତି ଜନଗଣନାକୁ ମାନି ନେଇଛନ୍ତି । ଏହା କଂଗ୍ରେସର ବଡ଼ ବିଜୟ । ସରକାର କେବେ ଗଣନା ଆରମ୍ଭ କରିବେ । କେବେ ସରିବ ସମୟସୀମା ଧାର୍ଯ୍ୟ କରାଯାଉ । ତେଲଙ୍ଗାନା ଜାତି ଜନଗଣନାକୁ ମଡେଲ ଭାବେ ଗ୍ରହଣ କରାଯାଉ ।
କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କିନ୍ତୁ ଯୁକ୍ତି ଦର୍ଶାଇଛନ୍ତି, କଂଗ୍ରେସ ସରକାର ସବୁବେଳେ ଜାତିଗତ ଜନଗଣନାକୁ ବିରୋଧ କରିଆସୁଥିଲେ । ଆଗାମୀ ମୁଖ୍ୟ ଜନଗଣନାରେ ଜାତିଗତ ଗଣନାକୁ ସାମିଲ କରାଯିବ। ମୋଦି ସରକାର ରାଷ୍ଟ୍ରର ସାମଗ୍ରିକ ସ୍ୱାର୍ଥ ତଥା ମୂଲ୍ୟବୋଧ ପ୍ରତି ଯେ ପ୍ରତିଶ୍ରୁତିବଦ୍ଧ ଏହି ନିଷ୍ପତ୍ତି ହିଁ ଦର୍ଶାଉଛି । ତେବେ ରାଜନୀତିର ଖଟିରେ ଏହାକୁ ନେଇ ନାନା ଟୁପୁରୁ ଟାପୁରୁ। ମିଶନ୍ ବିହାର ସଫଳ କରିବାକୁ ବିଜେପି ନିର୍ବାଚନ ପୂର୍ବରୁ ରାଜନୀତିର ଗୋଟି ଚଳାଇଛନ୍ତି । କଂଗ୍ରେସ, ଆରଜେଡି ସହ ତମାମ ବିରୋଧୀଙ୍କ ହାତରେ ଥିବା ବ୍ରହ୍ମାସ୍ତ୍ର ‘ଜାତି ଜନଗଣନା’କୁ ଅପହରଣ କରି ନେଇଛନ୍ତି । ବିରୋଧୀଙ୍କ ତୂଣୀରରୁ ଗାଏବ ଏ ବଡ଼ ଅସ୍ତ୍ର । ମଣ୍ଡଳ ବନାମ କମଣ୍ଡଳ ରାଜନୀତିର ଛକି-ଶୂନ ଖେଳ ଭଳି ବିଜେପି ପୁଣି ସମୟର ଆହ୍ୱାନକୁ ଆଖିରେ ରଖି ଜାତି ଜନଗଣନାକୁ ଗ୍ରହଣ କରି ନେଇଛି । କିନ୍ତୁ ଶାସକ ଓ ବିରୋଧୀଙ୍କର ଏହା ପଛରେ ପଛୁଆ ବର୍ଗ ଭୋଟ୍ବ୍ୟାଙ୍କର ଯେ ଲୋଭ, ଏହା ଜଳଜଳ ।
ହଟିବ ସଂରକ୍ଷଣ ସୀମା
ଦେଶରେ ପ୍ରଥମ ଥର ପାଇଁ ହେବ ଜାତିଗତ ଜନଗଣନା । ୯୪ ବର୍ଷ ପରେ ଏ ଐତିହାସିକ ନିଷ୍ପତ୍ତି ନେଇଛି କେନ୍ଦ୍ର ସରକାରଙ୍କ ରାଜନୈତିକ ବ୍ୟାପାର କ୍ୟାବିନେଟ୍ କମିଟି (ସିସିପିଏ) । ଦେଶରେ ଆଗକୁ ହେବାକୁ ଥିବା ମୁଖ୍ୟ ଜନଗଣନା ସହ ଜାତିଗତ ଜନଗଣନା ହେବ । ଯଦି ସବୁକିଛି ଠିକଠାକ୍ ହୁଏ ତେବେ, ଚଳିତବର୍ଷ ସେପ୍ଟେମ୍ବରରେ ଏ ଜାତିଗତ ଜନଗଣନା ଆରମ୍ଭ ହେବ । ୨୦୨୭ ଆରମ୍ଭରେ ଜନଗଣନାର ପୂର୍ଣ୍ଣାଙ୍ଗ ତଥ୍ୟ ମିଳିବ ବୋଲି ଅନୁମାନ । ୧୮୮୧ରେ ଦେଶରେ ପ୍ରଥମ ଥର ଇଂରେଜମାନେ କରିଥିଲେ ଜନଗଣନା । ଏଥିରେ ଜାତିଗୁଡ଼ିକର ଗଣନା ବି ହୋଇଥିଲା । ୧୯୩୧ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିଥିଲା । ୧୯୪୧ରେ ଜାତିଗତ ଜନଗଣନା ହେଲା, କିନ୍ତୁ ସଂଖ୍ୟା ସାର୍ବଜନୀନ ହେଲାନି । ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ୧୯୫୧ରେ ହେଲା ଜନଗଣନା । ଏଥିରେ ସବୁ ଜାତି ପରିବର୍ତ୍ତେ କେବଳ ଅନୁସୂଚିତ ଜାତି ଓ ଜନଜାତିଙ୍କର ଗଣନା କରାଗଲା । ଏହି ଦୁଇ ବର୍ଗଙ୍କୁ ସଂରକ୍ଷଣ ଦେବାକୁ ସାମ୍ବିଧାନିକ ନିୟମ ରହିଥିଲା । ନାମଲେଖା ଓ ଚାକିରିରେ ପଛୁଆବର୍ଗଙ୍କୁ ୨୭% ସଂରକ୍ଷଣ ଦେବାରେ ସୁପ୍ରିମକୋର୍ଟ ପ୍ରତିବନ୍ଧକ ରହିଛି । ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରହିବାର ନିୟମ ଅଛି । ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ୪୦ ଧ ସଂରକ୍ଷଣ ଥିଲା ବେଳେ ଓବିସିଙ୍କୁ ମାତ୍ର ୧୧% ମିଳିପାରୁଛି । ଜାତି ଜନଗଣନା ହେଲେ ଏ ବର୍ଗ ସଂଖ୍ୟା ଆଧାରରେ କୋର୍ଟ ଅଧିକ ସଂରକ୍ଷଣକୁ ଅନୁମତି ଦେବେ । ସଂରକ୍ଷଣର ସୀମା ୫୦%ରୁ ବଢ଼ିବାରେ ଆଇନଗତ ପ୍ରତିବନ୍ଧକ ରହିବନି ।
ଓଡ଼ିଶା କରୁଥିଲା ଦାବି
ଜାତିଭିତ୍ତିକ ଜନଗଣନାକୁ ବିଜେଡି ଓ କଂଗ୍ରେସ ଦୀର୍ଘବର୍ଷ ହେବ ପ୍ରସଙ୍ଗ କରି ଆସୁଥିଲେ । ରାଜ୍ୟରେ ପଛୁଆ ବର୍ଗର ଜନଗଣନାର ସଠିକ୍ ପରିସଂଖ୍ୟାନ ନଥିବାରୁ ପଛୁଆବର୍ଗଙ୍କ ଗଣନା କରିବାକୁ ଗଲା ସରକାରରେ ରାଜ୍ୟ କ୍ୟାବିନେଟ୍ ସଂକଳ୍ପ ପାରିତ କରିଥିଲା । ବିଧାନସଭାରେ ମଧ୍ୟ ସଂକଳ୍ପ ପାରିତ ହୋଇଥିଲା । କେନ୍ଦ୍ର ସରକାର ଏ ବର୍ଗର ଗଣତି କରିବାକୁ ରାଜ୍ୟ ଅନୁରୋଧ କରିଥିଲା । ମାତ୍ର ଜନଗଣନା କମିଶନର ଏହାକୁ ଖାରଜ କରି ଦେଇଥିଲେ ।
ବିଜେଡି ଭଳି କଂଗ୍ରେସ ମଧ୍ୟ ଯୁକ୍ତି କରୁଥିଲା, ରାଜ୍ୟରେ ସାମାଜିକ ଓ ଆର୍ଥିକ ଅନଗ୍ରସର ବର୍ଗ ସହ ଅନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ଜନଗଣନା ଅତି ଜରୁରୀ । ଏପରିକି ବିଜେଡି ସରକାର ଅମଳରେ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ୨୦୨୩ରେ ପଛୁଆବର୍ଗ କମିଶନ ଗଠନ କରି ପଛୁଆବର୍ଗଙ୍କ ସର୍ଭେ କରିଥିଲେ । ମାତ୍ର ତା’ ପରେ ଏ ପ୍ରସଙ୍ଗ ହଜି ଯାଇଥିଲା ।
ଗତ ବିଧାନସଭା ଅଧିବେଶନରେ ଏହାକୁ ବିଜେଡି ପ୍ରସଙ୍ଗ କରିଥିଲା ବେଳେ ବିଜେପି ଯୁକ୍ତି କରିଥିଲା, ବିକାଶ ନୁହେଁ ବିଜେଡି କେବଳ ଭୋଟ୍ ପାଇଁ ବାଇଆ । ଗତ ଅଢ଼େଇ ଦଶନ୍ଧିରେ ବିଜେଡି ସରକାର ଓବିସିଙ୍କ ପାଇଁ କିଛି କଲେନି । ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । କେନ୍ଦ୍ରର ଏ ନିଷ୍ପତ୍ତି ଦେଶର ଭୋଟବ୍ୟାଙ୍କ ରାଜନୀତିରେ ହଲଚଲ୍ ଆଣିଛି । ଜାତିପ୍ରେମ ଦୁର୍ବଳ ବର୍ଗଙ୍କ ବିକାଶ ନା ଭୋଟବ୍ୟାଙ୍କରେ ଦାୟ ତା’ର ଉତ୍ତର ଆଗାମୀ ଦିନ ହିଁ କହିବ ।