ପ୍ରମୂଖ ଖବର
  • ପୁରୀ : ଦୀଘା ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ଅର୍ଥ ପ୍ରଲୋଭନ: ଜଗତଗୁରୁ ଶଙ୍କରାଚାର୍ଯ୍ୟ
  • ||
  • Operation Sindoor: ଅର୍ଦ୍ଧ ସାମରିକ ବାହିନୀର ଛୁଟି ରଦ୍ଦ, ଆଲର୍ଟରେ ଗୃହ ମନ୍ତ୍ରାଳୟ
  • ||
  • ଭୁବନେଶ୍ୱର : ଯୁଦ୍ଧ ଛାନିଆରେ ପରିବା ଦୋକାନରେ ଖଚାଖଚ୍ ଭିଡ଼, ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଛନ୍ତି ଲୋକେ
  • ||
  • Operation Sindoor: ପାକିସ୍ତାନ ଛାତିରେ ଏୟାରଷ୍ଟ୍ରାଇକ୍, ଦେଖନ୍ତୁ ୯ ଆତଙ୍କୀ ଆଡ୍ଡାର ଲିଷ୍ଟ
  • ||
  • Operation Sindoor: ଭାରତୀୟ ସେନାର ତିନି ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଜି ଦିନ ୧୦ଟାରେ ହେବ ପ୍ରେସ କନଫରେନ୍ସ
  • ||
  • ଆଇସିଏଆର୍‌ରେ ପିଜି ଏବଂ ପିଏଚ୍‌ଡି ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁନ୍‌ ୫ ଯାଏ ଆବେଦନ
  • ||
  • ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ BMC ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ବୌଦ୍ଧ : ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||

ଗଣିତ : ହିସାବରେ ନା କିତାବରେ

Published By : Prameya | May 8, 2025 10:04 AM

ରବିବାର ପରିବାକିଣା ଲାଗି ବାପ-ପୁଅ ବ୍ୟାଗ ଖଣ୍ଡେ ଧରି ହାଟ ଆଡ଼ିକି ବାହାରି ପଡ଼ିଲେ। ଦୁଇ-ତିନି ଘଣ୍ଟା ପରେ ଘରକୁ ଫେରିଲା ବେଳକୁ ପୁଅ କାନ୍ଦିକାନ୍ଦି ଘରକୁ ଫେରୁଥାଏ । ପିଲାଟିର ମା' ତାହା ଦେଖି ବ୍ୟସ୍ତହୋଇ ଦୌଡ଼ିଆସିଲେ, କାଳେ କିଛି ଦୁର୍ଘଟଣା ଘଟିଲା କି! ହେଲେ ପୁଅକୁ ପଚାରିବାରୁ ସେ କିଛି ନକହି କାନ୍ଦି-କାନ୍ଦି ଘର ଭିତରକୁ ପଳାଇଗଲା। ଘଟଣା କ'ଣ ଜାଣି ବୁଝିବାରୁ ଜଣାପଡ଼ିଲା ଯେ, ବଜାରରେ ପରିବା କିଣିଲାବେଳେ ବାପା ପୁଅକୁ ସାଧାରଣ ଗଣିତ, ଯେପରି ମିଶାଣ ଫେଡ଼ାଣ କରିବାକୁ କହିଲାବେଳେ ସେ ତାହା କରିପାରିନଥିଲା। ସପ୍ତମ ଶ୍ରେଣୀରେ ପଢୁଥିଲେ ହେଁ ସାମାନ୍ୟ ପଇସାର ହିସାବ କରିବାକୁ ସମର୍ଥ ହୋଇନଥିଲା। କିଲେ ବାଇଗଣ ଯଦି ୪୦ଟଙ୍କା, ତେବେ ଦେଢ଼କିଲୋ ବାଇଗଣ କେତେ ହେବ ଓ ୫୦୦ଟଙ୍କା ଦେଲେ ଦୋକାନୀ କେତେ ଫେରାଇବାର ହିସାବ ପୁଅ ନକରିପାରିଥିବାରୁ ବାପା ତା' ଉପରେ ବିରକ୍ତ ହୋଇଥିଲେ। 

ତା'ଠାରୁ ଆହୁରି ବିରକ୍ତିଜନକ ଥିଲା ଯେ, ସେଇ ଦୋକାନୀ ଜଣକ ତାଙ୍କ ପୁଅ ବୟସର ଓ ସେ ହିସାବ ମୁହଁରେ କରି ଦେଉଥିବାବେଳେ, ପୁଅକୁ ହିସାବ ଆସୁନଥାଏ। ଏହି ପରିପ୍ରେକ୍ଷୀରେ ବିରକ୍ତି ହେବାଟା ସ୍ୱାଭାବିକ! ହେଲେ ତାହାଠାରୁ ବେଶୀ ଜରୁରି ଜାଣିବା ଯେ, ଏପରି କାହିଁକି ହେଲା । ସ୍କୁଲରେ ପିଲାଙ୍କୁ ଗଣିତ କ'ଣ କେବଳ ପରୀକ୍ଷାରେ ଭଲ ଅଙ୍କ ରଖି ପାସ୍‌ କରିବାକୁ ଶିଖାହେଉଛି, ନା ଗଣିତର ଦୈନନ୍ଦିନ ବ୍ୟବହାର ଉପରେ ମଧ୍ୟ ତାଲିମ ଦିଆଯାଉଛି? ଗଣିତ କ'ଣ ସ୍କୁଲ ଓ ବଜାର ଲାଗି ଅଲଗା ଅଲଗା? ଭାରତରେ ଗଣିତ ହିସାବରେ ବେଶୀ ନା କିତାବରେ ବେଶୀ? ଭାରତରେ ବଜାର ଓ ସ୍କୁଲ ଗଣିତ ମଧ୍ୟରେ ଏକ ବଡ଼ ବ୍ୟବଧାନ ପରିଲକ୍ଷିତ । ବଜାର ବା ହାଟରେ ଶିଶୁ ବିକାଳିମାନେ ଅତି କମ୍‌ ସମୟରେ ଜଟିଳ ଗଣନା ମନେମନେ କରିପାରନ୍ତି, ହେଲେ ସେଇ ପିଲା ସ୍କୁଲ ପାଠ୍ୟକ୍ରମରେ ଥିବା ସରଳ ଗଣିତ ଓ ଅନ୍ୟାନ୍ୟ ବିଷୟ ସହିତ ସଂଘର୍ଷ କରିଥାଏ। 

ଅନ୍ୟପକ୍ଷରେ, ସ୍କୁଲ ଯାଉଥିବା ପିଲାମାନେ ପାଠ୍ୟକ୍ରମ ଗଣିତରେ ଉତ୍କର୍ଷ ହାସଲ କରୁଥିବାବେଳେ ମୌଳିକ ବାସ୍ତବ ଗଣନା ବା ମାନସାଙ୍କରେ ବିଫଳ ହୁଅନ୍ତି । ନୋବେଲ ପୁରସ୍କାର ବିଜେତା, ଏସ୍ଥର ଡୁଫ୍ଲୋ ଏବଂ ଅଭିଜିତ ବାନାର୍ଜୀଙ୍କ ସମେତ ଅନ୍ୟ ଗବେଷକଙ୍କ ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି ଯେ, ଭାରତର ଗଣିତ ଶିକ୍ଷାରେ ଏକ ସମ୍ପୂର୍ଣ୍ଣ ବିଚ୍ଛିନ୍ନତା ରହୁଛି, ଯେଉଁଠି ପିଲାମାନଙ୍କର ଗାଣିତିକ ଦକ୍ଷତା ଏକାଡେମିକ ଗଣିତରୁ ପ୍ରୟୋଗାତ୍ମକ ଗଣିତକୁ ସ୍ଥାନାନ୍ତରିତ ହୋଇପାରୁନାହିଁ । ମୂଳତଃ, ଭାରତରେ ଗଣିତ କଥା ଆସିଲେ ସ୍କୁଲ ଦକ୍ଷତା ଏବଂ ବଜାର ଦକ୍ଷତା ମଧ୍ୟରେ ଏକ ବ୍ୟବଧାନ ଦେଖିବାକୁ ମିଳୁଛି । ଏପରି ଏକ ଶିକ୍ଷାଗତ ଆଭିମୁଖ୍ୟର ଅଭାବ ରହୁଛି ଯାହା ବ୍ୟାବହାରିକ ଏବଂ ଏକାଡେମିକ ଗଣିତ ମଧ୍ୟରେ ପାର୍ଥକ୍ୟକୁ ଦୂର କରିପାରୁନାହିଁ । ଗଣିତ ସମସ୍ୟାର ମୁକାବିଲା ପାଇଁ ଅନୌପଚାରିକ ଏବଂ ଆନୁଷ୍ଠାନିକ ଉପାୟ ମଧ୍ୟରେ ଥିବା ପାର୍ଥକ୍ୟକୁ ଅତିକ୍ରମ କରିବାର ଏକ ଉପାୟ ଖୋଜିପାରିଲେ, ତାହା ପିଲାମାନଙ୍କୁ ଉଲ୍ଲେଖନୀୟ ଭାବରେ ସାହାଯ୍ୟ କରିପାରିବ । ଦୈନନ୍ଦିନ ଜୀବନରେ ଗଣିତ କିପରି ବ୍ୟବହୃତ ହୁଏ ତାହା ସହିତ ତାଳମେଳ ଓ ସାମଞ୍ଜସ୍ୟ ରଖି ସ୍କୁଲରେ ଗଣିତ କିପରି ପଢ଼ାଯାଉଛି, ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। 

ବଜାରରେ କାମ କରୁଥିବା ପିଲାମାନେ ସେମାନଙ୍କ କାର୍ଯ୍ୟରେ ଗଣନାର ନିରନ୍ତର ବ୍ୟବହାର ହେତୁ ମାନସିକ ଗଣିତ ଦକ୍ଷତା ବିକାଶ କରିଥାନ୍ତି । କିନ୍ତୁ ଏହି କୌଶଳଗୁଡ଼ିକ ଆନୁଷ୍ଠାନିକ ଶିକ୍ଷା ପଦ୍ଧତି ସହିତ ମେଳ ଖାଏନାହିଁ । ଆଗରୁ ପାଠ୍ୟପୁସ୍ତକ ଏତେମାତ୍ରାରେ ପାଠ ପଢ଼ିବାରେ ବ୍ୟବହୃତ ହେଉନଥିଲା । ଏହାର ଏକ ସକାରାତ୍ମକ ପ୍ରଭାବ ହେଲା ଯେ, ପିଲାଟି ଅନେକ ପ୍ରକାରର ଗଣିତ ପାଟିରେ ବା ମନ ମଧ୍ୟରେ କଷୁଥିଲା । ସେଗୁଡ଼ିକୁ ପାଟୀଗଣିତ ବା ମାନସାଙ୍କ କୁହାଯାଉଥିଲା । ଆଜିକାଲି ପାଠ ବହିର ଚାପରେ ପିଲା ଓ ଶିକ୍ଷକ ଏତେ ଚାପଗ୍ରସ୍ତ ଯେ, ଦୈନନ୍ଦିନ ଜୀବନରେ ବ୍ୟାବହାରିକ ଗଣିତ କରିବାର ସୁଯୋଗ ରହୁନାହିଁ । ସ୍କୁଲ ଯାଉଥିବା ପିଲାମାନେ ପରୀକ୍ଷାରେ ଉତ୍କର୍ଷ ହାସଲ କରନ୍ତି, କିନ୍ତୁ ବାସ୍ତବ ଜୀବନରେ ସ୍ୱତଃସ୍ଫୂର୍ତ୍ତ ଗଣିତ ସହିତ ସଂଘର୍ଷ କରନ୍ତି । ସେଥିଲାଗି ବ୍ୟାବହାରିକ ସମସ୍ୟାର ସମାଧାନକୁ ଗଣିତ ପାଠ୍ୟକ୍ରମରେ ଏକୀକୃତ କରିପାରିଲେ ତାହା ପିଲାମାନଙ୍କୁ ବାସ୍ତବ-ଜଗତ ପରିଦୃଶ୍ୟରେ ଗାଣିତିକ ଧାରଣାଗୁଡ଼ିକୁ ଭଲଭାବରେ ପ୍ରୟୋଗ କରିବାରେ ସାହାଯ୍ୟ କରିପାରିବ ଓ ପିଲାମାନଙ୍କୁ ସେମାନଙ୍କର ପୃଷ୍ଠଭୂମି ନିର୍ବିଶେଷରେ ସଂଖ୍ୟାତ୍ମକ ଦକ୍ଷତା ବିକାଶ କରିବାରେ ସାହାଯ୍ୟ କରିପାରିବ। 

ଭାରତରେ ଦେଖାଦେଉଥିବା ଗଣିତ ସମସ୍ୟା ମଧ୍ୟରୁ ଗଣିତ ପ୍ରତି ପିଲାଙ୍କ ଭୟ ମଧ୍ୟ ଅନ୍ୟତମ । ଗଣିତ ପ୍ରତି ଅହେତୁକ ଭୟ ଯୋଗୁଁ ଅନେକ ପିଲା û ‘Math Phobia’ ବା ‘Math Anxiety’ ର ଶିକାର ହେଉଛନ୍ତି । ଏହା ଗଣିତ ପ୍ରତି ଏକ ଭୟ ଯାହା ଏକ ରୋଗ ନୁହେଁ, ବରଂ ଏକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଘଟୁଥିବା ଉଦ୍‌ବେଗ । ଗଣିତ ଭୟରେ ଆକ୍ରାନ୍ତ ଛାତ୍ରଛାତ୍ରୀ ସ୍କୁଲର ଶ୍ରେଣୀରୁ ଆରମ୍ଭ କରି ହିସାବ କରି ଦୋକାନରେ ପଇସା ହିସାବ କରିବା ପର୍ଯ୍ୟନ୍ତ, ଗଣିତ ବ୍ୟବହାର କରିବାକୁ ପଡ଼ିଲେ ଏକ ଅଜଣା ଭୟ ଅନୁଭବ କରନ୍ତି । ଦୈନନ୍ଦିନ ଜୀବନରେ ଗଣିତର ଗୁରୁତ୍ୱ ହେତୁ ଗଣିତକୁ ଶିକ୍ଷାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଭାବରେ ବିବେଚନା କରାଯାଏ । ଗଣିତ ବିଶ୍ୱବ୍ୟାପୀ ଶିକ୍ଷାର ଏକ ଆଧାର, ଯାହା ଅନେକ କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୂଳଦୁଆ ହେଲେ ଯଦି ପିଲାଙ୍କ ମନରେ ଗଣିତ ପ୍ରତି ଭୟ ସୃଷ୍ଟି ହୋଇଯାଏ ଓ ଆମେ ତାହାକୁ ଏକ ରୋଗ ବା ମାନସିକ ବିଶୃଙ୍ଖଳାର ଆଖ୍ୟା ଦେଇଦିଅନ୍ତି, ପିଲାକୁ ବାରମ୍ବାର କୁହନ୍ତି ଯେ ତା' ଦ୍ୱାରା ଅଙ୍କ ହେଉନାହିଁ, ଗଣିତ କରିବାକୁ ତା'ର ମୁଣ୍ଡ ନାହିଁ, ବା ଗଣିତ ବୁଝାଇଲାବେଳେ ନିଜେ ବିରକ୍ତି ଭାବ ପ୍ରକାଶ କରନ୍ତି, ସେତେବେଳେ ଗଣିତ ପ୍ରତି ଭୟ ଓ ସମସ୍ୟା ଆହୁରି ବଢ଼ିଚାଲେ। 

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଅନୁଯାୟୀ, ଗଣିତ ସମ୍ବନ୍ଧୀୟ ଚାପ ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି, ଯାହା ଶିକ୍ଷାଗତ ପ୍ରଦର୍ଶନରେ ହ୍ରାସ ଏବଂ କେତେକ କ୍ଷେତ୍ରରେ ବିଦ୍ୟାଳୟ ଓ ପାଠପଢ଼ା ଛାଡ଼ିବା ଭଳି ସମସ୍ୟାର କାରଣ ମଧ୍ୟ । ଗଣିତ ଶିକ୍ଷାର ଗୁରୁତ୍ୱ ସତ୍ତେ୍ୱ ଅନେକ ମୌଳିକ ସମସ୍ୟା ଗଣିତ ଶିକ୍ଷାରେ ବାଧା ସୃଷ୍ଟି କରୁଛି । ଭାରତରେ ଗଣିତ ଶିକ୍ଷା ସମସ୍ୟା ସ୍ଥିତିରେ ଯୋଗଦାନ କରୁଥିବା ପ୍ରାଥମିକ କାରକଗୁଡ଼ିକ ଉପରେ ଯଦି ଧ୍ୟାନ ଦେବା, ତେବେ ଦେଖିବାକୁ ପାଇବା ଯେ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଘୋଷା-ଘୋଷି କରି ପାଠ ପଢ଼ିବାର ପ୍ରଥା ଅତି ପୁରୁଣା, ଯାହା ପାଠକୁ ବୁଝି ଶିଖିବା ପ୍ରଣାଳୀକୁ ପ୍ରାୟତଃ ଅଣଦେଖା କରେ । ସାଧାରଣତଃ ଖରାଛୁଟିରେ ଆମେ ପିଲାଙ୍କୁ ପଣିକିଆ ଘୋଷିବାକୁ କୁହନ୍ତି ଓ ଛୁଟି ପରେ ସ୍କୁଲ ଖୋଲିଲେ ପଣିକିଆର ପ୍ରୟୋଗ ଖାତା କଲମରେ ଶିଖାଇ ଦିଅନ୍ତି । ଆଉ ଯଦି ପିଲାଟା ପଣିକିଆ ମନେ ନରଖିଥିବ ତେବେ ଶ୍ରେଣୀରେ ମାଡ଼ ଖାଇବା ଥୟ । ଯେହେତୁ ଆଜିକାଲି ଦଣ୍ଡମୁକ୍ତ ଶିକ୍ଷା ହୋଇଗଲାଣି, ସେଥିଲାଗି ଶିକ୍ଷକ ଆଉ ନମାରି ଖାଲି ପଢ଼େଇ ଦେଇଯାଉଛନ୍ତି, ତେଣିକି ପିଲା ବୁଝୁ ବା ନବୁଝୁ । 

ତାହାଛଡ଼ା, ଶିକ୍ଷକଙ୍କ ଶିକ୍ଷାଦାନ ପ୍ରଣାଳୀକୁ କିଏ ବା ପ୍ରଶ୍ନ କରିବ! ଭାରତୀୟ ଶିକ୍ଷା ପ୍ରଣାଳୀରେ ପ୍ରଶ୍ନ କରିବାର ଅଧିକାର ବିଶେଷକରି ଶିକ୍ଷକଙ୍କର ଓ ଛାତ୍ରଛାତ୍ରୀଙ୍କ କାମ ହେଲା ଉତ୍ତର ଦେବା । ଭାରତରେ ଅନେକ ଗଣିତ ଶିକ୍ଷକଙ୍କ ପାଖରେ ଉପଯୁକ୍ତ ପ୍ରଶିକ୍ଷଣର ଅଭାବ ରହିଛି ଏବଂ ସେମାନେ ଅବୈଜ୍ଞାନିକ ଶିକ୍ଷାଦାନ ପଦ୍ଧତି ଉପରେ ନିର୍ଭର, ଯେଉଁଥିରେ ଘୋଷି ଅଙ୍କ କରିବା ପ୍ରମୁଖ । ବାସ୍ତବ ଜୀବନରେ ଗଣିତର ପ୍ରୟୋଗ କ'ଣ ତାହା ପିଲାଙ୍କୁ ନଶିଖାଇ କେବଳ ସୂତ୍ର ଏବଂ ପ୍ରକ୍ରିୟାର ଶିକ୍ଷା ଦିଆଗଲେ ତାହା ଗଣିତକୁ ଜଟିଳ କରିଦିଏ । ଗଣିତକୁ ତର୍କ ଏବଂ ଉପଯୁକ୍ତ ଯୁକ୍ତି ସହିତ ସମନ୍ୱିତ କରାଯିବା ଉଚିତ, ଯାହା ଗଣିତକୁ ଅଧିକ ଆକର୍ଷଣୀୟ ଏବଂ ମୂଲ୍ୟଯୁକ୍ତ କରିପାରିବ । ଭାରତରେ ଗଣିତ ପାଠ୍ୟକ୍ରମ ମେଞ୍ଚାଏ ବିଷୟବସ୍ତୁ ଦ୍ୱାରା ଭାରାକ୍ରାନ୍ତ, ଯାହା ସୃଜନଶୀଳ ସମସ୍ୟା ସମାଧାନ କିମ୍ବା ବାସ୍ତବ ଜୀବନରେ ପ୍ରୟୋଗ ପାଇଁ କମ୍‌ ସ୍ଥାନ ଓ ସମୟ ପ୍ରଦାନ କରିଥାଏ । ସ୍କୁଲ ଶିକ୍ଷକଙ୍କର ଉଦ୍ଦେଶ୍ୟ ରୁହେ, କେମିତି ପାଠ୍ୟକ୍ରମ ସାରିବେ । ମିଶାଣ ସରିନଥିବ କି ଫେଡ଼ାଣ, ଗୁଣନ, ହରଣ, ତା' ପଛକୁ ଲାଇନ୍‌ ଲାଗି ଯାଇଥିବ । ସମୟ ସୀମା ଭିତରେ ପାଠ୍ୟକ୍ରମ ସାରିବା ବୋଝ ଶିକ୍ଷକଙ୍କ ମୁଣ୍ଡ ଉପରେ ଥିବ । ଶୀଘ୍ର-ଶୀଘ୍ର ବହି ସାରି, ପିଲାଙ୍କୁ ଘୋଷାଇ ପରୀକ୍ଷା କରି, କିଛି ଟିକିଏ ନମ୍ବର ଦେଇ ପିଲାଙ୍କୁ ଉପର ଶ୍ରେଣୀକୁ ପଠାଇଦେବା ହେଲା ଆଜିକାର ଶିକ୍ଷାଦାନର ଲକ୍ଷ୍ୟ । 

ଏଥିମଧ୍ୟରେ ଗଣିତର ହିଁ ଗଣିତ ଖରାପ ହୋଇଯାଉଛି ଓ ଧୀରେ ଧୀରେ ତାହା ପିଲାଙ୍କ ଶତ୍ରୁ, ଭୟ ଓ ସମସ୍ୟା ପାଲଟି ଯାଉଛି । ଯେଉଁ ଛାତ୍ରଛାତ୍ରୀମାନେ ଶ୍ରେଣୀର ବେଗ ସହ ତାଳମେଳ ରଖିପାରନ୍ତି ନାହିଁ, ସେମାନେ ପ୍ରତିଯୋଗିତାମୂଳକ ଶ୍ରେଣୀଗୃହ ପରିବେଶରେ ଗଣିତରେ ପଛରେ ପଡିଯାନ୍ତି, ଯାହା ଏକ ଅସ୍ୱାସ୍ଥ୍ୟକର ପ୍ରତିଦ୍ୱନ୍ଦ୍ୱିତା ଭୟକୁ ଜାତ ଦିଏ । ଏହି ତୁଳନାତ୍ମକ ଦୌଡ଼ରେ ବାପା-ମା' ମଧ୍ୟ ପଛରେ ରୁହନ୍ତିନାହିଁ । କେତେବେଳେ ପାଖଘର ପିଲା ତ ଆଉ କେତେବେଳେ ନିଜ ଭାଇଭଉଣୀ ବା ହାଟରେ ପରିବା ବିକୁଥିବା ପିଲାଙ୍କ ସହ ତୁଳନା କରି କରି ଗଣିତକୁ ଶତ୍ରୁ କରିଦିଅନ୍ତି । ତା' ସାଙ୍ଗକୁ ଭୁଲ୍‌ ଉତ୍ତର କିମ୍ବା ଖରାପ ପ୍ରଦର୍ଶନ ପାଇଁ ପିଲାମାନଙ୍କୁ ଗାଳି ଦେବା କିମ୍ବା ଦଣ୍ଡିତ କରିବାର ଅଭ୍ୟାସ, ଗଣିତ ପ୍ରତି ସେମାନଙ୍କର ଭୟ ଓ ବ୍ୟବହାରକୁ ଗଭୀର ପ୍ରଭାବିତ କରିଥାଏ । ପିତାମାତା କିମ୍ବା ଶିକ୍ଷକ ଯେଉଁମାନେ ନିଜେ ଗଣିତ ସହିତ ସଂଘର୍ଷ କରିଥାନ୍ତି ସେମାନେ ଅଜାଣତରେ ପ୍ରାୟତଃ ପିଲାମାନଙ୍କ ପ୍ରତି ସେମାନଙ୍କର ନିଜ ଉଦ୍‌ବେଗକୁ ସ୍ଥାନାନ୍ତର କରିଥାନ୍ତି, ଯାହା ଗଣିତ ପ୍ରତି ପିଲାଙ୍କ ମନରେ ଏକ ନକାରାତ୍ମକ ରୂପ ତିଆରି କରିଥାଏ । ଶିକ୍ଷାଦାନ ଏବଂ ଶିକ୍ଷଣ କାରକଗୁଡ଼ିକ ସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଣିତ ଶିକ୍ଷାକୁ ପ୍ରଭାବିତ କରୁଥିବା ଅନ୍ୟ କାରଣ, ଯାହା ଗଣିତ ସମସ୍ୟା କିମ୍ବା ଗଣିତ ଭୟ ସହିତ ମୁକାବିଲା କରିବାରେ ପ୍ରାୟତଃ ଅଣଦେଖା, ତାହା ହେଲା ଶରୀରରେ ଆଇରନ୍‌ର ଅଭାବ । 

ଆଇରନ୍‌ର ଅଭାବ ଧ୍ୟାନ, ଏକାଗ୍ରତା ଏବଂ ସ୍ମୃତିଶକ୍ତି ପରି ଜ୍ଞାନାତ୍ମକ କାର୍ଯ୍ୟକୁ ଦୁର୍ବଳ କରିଦିଏ, ଯାହା ଗଣିତ ଶିକ୍ଷାକୁ ନକାରାତ୍ମକ ଭାବରେ ପ୍ରଭାବିତ କରିଥାଏ । ଗବେଷଣା ବା ପରୀକ୍ଷାମୂଳକ ତଥ୍ୟ ଅନୁଯାୟୀ, ନିମ୍ନ ଆଇରନ୍‌ ସ୍ତର ଥିବା ପିଲାଙ୍କ ମଧ୍ୟରେ ଗଣିତ ସ୍କୋର ଅନ୍ୟ ପିଲାଙ୍କ ତୁଳନାରେ କମ୍‌ ରହିଥାଏ, ବିଶେଷକରି ଯେତେବେଳେ ଅଭାବ ଗୁରୁତର କିମ୍ବା ଦୀର୍ଘସ୍ଥାୟୀ ହୋଇଥାଏ । ଏହିସବୁ କାରଣଗୁଡ଼ିକ ପିଲାମାନଙ୍କ ମଧ୍ୟରେ ଗଣିତ ସମସ୍ୟାର ବହୁମୁଖୀ ପ୍ରକୃତିକୁ ଦର୍ଶାଇଥାଏ, ଯାହାକୁ ବୁଝି ଏକ ପ୍ରଭାବଶାଳୀ ଗଣିତ ଶିକ୍ଷା ବ୍ୟବସ୍ଥା ସୃଷ୍ଟି କରିବା ନିହାତି ଆବଶ୍ୟକ । ଗଣିତକୁ ଅଧିକ ଛାତ୍ର-ଅନୁକୂଳ କରିବା ପାଇଁ ଅନନ୍ୟ ଏବଂ ବ୍ୟାବହାରିକ ପଦକ୍ଷେପର ଆବଶ୍ୟକତା ରହିଛି । 

ଯେପରିକି, ମୌଳିକ ଧାରଣା ଉପରେ ଅଧିକ ଧ୍ୟାନ ଦେବା ନିମନ୍ତେ ପାଠ୍ୟକ୍ରମକୁ ସୁବ୍ୟବସ୍ଥିତ କରିବା, ଅନାବଶ୍ୟକ କିମ୍ବା ଅତ୍ୟଧିକ ଜଟିଳ ଗଣିତ ବିଷୟକୁ ଅତି ଶୀଘ୍ର ପାଠ୍ୟକ୍ରମରେ ସାମିଲ ନକରିବା, ଗାଣିତିକ ଚିନ୍ତାଧାରାର ଏକ ଦୃଢ଼ ମୂଳଦୁଆ ସୃଷ୍ଟି କରିବାପାଇଁ କମ୍‌ ବୟସରୁ ପିଲାଙ୍କୁ ମାନସାଙ୍କ ସହିତ ଗଣିତର ବ୍ୟାବହାରିକ ପ୍ରୟୋଗ ସହିତ ଅଭ୍ୟସ୍ତ କରାଇବା, ଗଣିତକୁ ଆକର୍ଷଣୀୟ ଢଙ୍ଗରେ ପଢ଼ାଇବା, ଦୈନନ୍ଦିନ ଜୀବନରେ ଗଣିତର ପ୍ରାସଙ୍ଗିକତା ପ୍ରଦର୍ଶନ କରିବାକୁ ବ୍ୟାବହାରିକ ଉଦାହରଣ ସହିତ ବୁଝାଇବା ଭଳି କିଛି ପଦକ୍ଷେପ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗଣିତ ସମସ୍ୟାକୁ ହ୍ରାସ କରିବାରେ ସହାୟକ ହୋଇପାରିବ । ତାହାସହିତ ଶିକ୍ଷକ, ପିତାମାତା ଏବଂ ନୀତି ନିର୍ଦ୍ଧାରକମାନଙ୍କ ମିଳିତ ପ୍ରୟାସ ଏପରି ଏକ ପରିବେଶକୁ ପ୍ରୋତ୍ସାହିତ କରିପାରିବ, ଯେଉଁଠାରେ ଗଣିତକୁ ଏକ ପ୍ରତିବନ୍ଧକ ବା ସମସ୍ୟାଜନିତ ବିଷୟ ଭାବରେ ନୁହେଁ ବରଂ ସୁଯୋଗ ସୃଷ୍ଟି କରିବାର ଏକ ଉପକରଣ ଭାବେ ପ୍ରୟୋଗ କରାଯାଇପାରିବ । "ହିସାବ, କିତାବ' ମଧ୍ୟରେ ଗଣିତ ସେତୁକୁ ସୁଦୃଢ଼ କରିପାରିଲେ ଗଣିତ ସମସ୍ୟା କମ୍‌, ସୁଯୋଗ ବେଶୀ ହୋଇ ଉଭା ହୋଇପାରିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.