ସମ୍ବିଧାନର ୨୦୧ ଅନୁଚ୍ଛେଦ କୌଣସି ବିଧେୟକକୁ ରାଜ୍ୟପାଳ ରାଷ୍ଟ୍ରପତିଙ୍କ ବିଚାର ନିମନ୍ତେ ସଂରକ୍ଷିତ ରଖିବା ବ୍ୟାପାର ସହିତ ଯୋଡ଼ି ହୋଇଛି । ଏହି ଅନୁଚ୍ଛେଦରେ ମଧ୍ୟ ରାଷ୍ଟ୍ରପତିଙ୍କ ପାଇଁ କୌଣସି ସମୟ ସୀମା ଧାର୍ଯ୍ୟ କରାଯାଇନାହିଁ ।
ଦେଶର ସର୍ବୋଚ୍ଚ ଅଦାଲତ ନିକଟରେ ଦେଇଥିବା ଏକ ରାୟ ନେଇ ରାଜନୈତିକ ଦଳ ମଧ୍ୟରେ ବିତର୍କର ସୂତ୍ରପାତ ହୋଇଛି । ତାମିଲନାଡୁର ରାଜ୍ୟପାଳ ଆର.ଏନ. ରବିଙ୍କ ଆଚରଣ ବିରୋଧରେ ଆପତ୍ତି ନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ଥିଲା ଯେ, ରାଜ୍ୟ ବିଧାନସଭା ଦ୍ୱାରା ଅନୁମୋଦିତ ୧୦ଟି ବିଧେୟକ ବା ବିଲ୍କୁ ରାଜ୍ୟପାଳ ରବି ଦୀର୍ଘଦିନ ଧରି ପକାଇ ରଖିଛନ୍ତି । ଏହି ଆପତ୍ତି ଉପରେ ସୁପ୍ରିମକୋର୍ଟ ଯେଉଁ ରାୟ ଶୁଣାଇଲେ ତାହା ରାଜ୍ୟ ସରକାର ବନାମ ରାଜ୍ୟପାଳଙ୍କ ଆଚରଣ ବିଧି ନେଇ ଦେଇଥିବା କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଆଦେଶନାମା ମଧ୍ୟରେ ଆଉ ଏକ ଖିଅ ଯୋଡ଼ି ଦେଇଛି । ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ପ୍ରଥମ ଥର ପାଇଁ ଦେଶର ରାଷ୍ଟ୍ରପତିଙ୍କ ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରିଛନ୍ତି । ରାଷ୍ଟ୍ରପତିଙ୍କ ବିଚାର ପାଇଁ ରାଜ୍ୟପାଳ ଯଦି ଏକ ବିଲ୍କୁ ପକାଇ ରଖନ୍ତି, ସେ କ୍ଷେତ୍ରରେ ସମ୍ବିଧାନର ଧାରା-୨୦୧ ଅଧୀନରେ ରାଷ୍ଟ୍ରପତିଙ୍କ ପାଇଁ ବି ନିର୍ଦ୍ଦିଷ୍ଟ ସମୟ (୩ମାସ) ରହିବ ବୋଲି ସୁପ୍ରିମକୋର୍ଟ ଦର୍ଶାଇଛନ୍ତି ।
ରାଜ୍ୟ ସରକାର-ରାଜ୍ୟପାଳ ବିବାଦ ମଧ୍ୟକୁ ମହାମହିମ ରାଷ୍ଟ୍ରପତିଙ୍କୁ ଟଣାଯିବା ନେଇ ରାଜନୈତିକ ତୁମ୍ବିତୋଫାନ ସୃଷ୍ଟି ହୋଇଛି । ଶାସକ ଭାରତୀୟ ଜନତା ପାର୍ଟି(ବିଜେପି)ର କେତେଜଣ ନେତା ଏବଂ ମୁଖପାତ୍ର ସେମାନଙ୍କ ମନ୍ତବ୍ୟରେ ରାଷ୍ଟ୍ରପତିଙ୍କୁ ବିବାଦ ମଧ୍ୟକୁ ଟାଣିବା ନେଇ ସର୍ବୋଚ୍ଚ ଅଦାଲତଙ୍କ ଉପରେ ପ୍ରଶ୍ନ ଚିହ୍ନ ଟାଣିଛନ୍ତି । ଅପରପକ୍ଷରେ ସୁପ୍ରିମକୋର୍ଟଙ୍କ ପଦକ୍ଷେପକୁ ଇଣ୍ଡି ଆଲାଏନସ୍ର ନେତାମାନେ ଜୋରଦାର ସମର୍ଥନ କରିଛନ୍ତି । ସେମାନଙ୍କ ମତ ହେଲା, ଦେଶର ସଂଘୀୟ ବ୍ୟବସ୍ଥାଗୁଡ଼ିକ ଏହାଦ୍ୱାରା ଦୃଢ଼ ହେବ । ବିଜେପି ଅଧ୍ୟକ୍ଷ ଜେ.ପି. ନଡ୍ଡା ଯଥାସମୟରେ ଦଳର ଯେଉଁ ନେତାମାନେ ସୁପ୍ରିମକୋର୍ଟ, ଏପରିକି ପ୍ରଧାନ ବିଚାରପତିଙ୍କ ଉପରେ ଅନାବଶ୍ୟକ ଆଲୋଚନା କରିଥିଲେ, ସେମାନଙ୍କ ମତକୁ ସିଧାସଳଖ ଖାରଜ କରିଦେଇଛନ୍ତି । ସେ କହିଛନ୍ତି, ସେମାନଙ୍କର ମତ ସହିତ ଦଳର କୌଣସି ନେଣଦେଣ ନାହିଁ । ‘ବିଜେପି ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରୁଛି ।’ ତାମିଲନାଡୁ ରାଜ୍ୟପାଳ ଆର.ଏନ. ରବି ଏକାଧିକ କାରଣ ନେଇ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ତାମିଲନାଡୁ ସରକାରଙ୍କ ବିଲ୍ଗୁଡ଼ିକ ମଧ୍ୟରୁ ଅନେକ ରାଜ୍ୟପାଳଙ୍କ ପର ବାନ୍ଧିଦେବାକୁ ଉଦ୍ଦିଷ୍ଟ ଥିଲା । ବିଲ୍ଗୁଡ଼ିକ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ କୁଳପତି ନିଯୁକ୍ତି ନେଇ ରାଜ୍ୟପାଳଙ୍କ କ୍ଷମତାକୁ ସଂକୁଚିତ କରିବା ଏବଂ ଏହି କ୍ଷମତାକୁ ରାଜ୍ୟ ସରକାରଙ୍କ ହାତକୁ ଦେବାଲାଗି ଉଦ୍ଦିଷ୍ଟ ଥିଲା ବିଧାନସଭାରେ ସମସ୍ତ ବିଲ୍ ପୁନଃଅନୁମୋଦନ ଲାଭ କରି ଆସିଥିଲା । ଜଷ୍ଟିସ୍ ଜେ.ବି. ପର୍ଦ୍ଦିୱାଲା ଏବଂ ଜଷ୍ଟିସ ଆର. ମହାଦେବନ ରାୟ ଦେଲେ ଯେ ରାଜ୍ୟପାଳଙ୍କ ପଦକ୍ଷେପ ‘ବେଆଇନ’ ଏବଂ ‘ମନମାନି’ ।
ବିଚାରପତି କହିଥିଲେ କୌଣସି ‘ଆସେଣ୍ଟ’କୁ ରାଜ୍ୟପାଳ ଦୀର୍ଘଦିନ ଧରି ଅଟକାଇ ରଖିପାରିବେ ନାହିଁ । ଯଦିଓ ସମ୍ବିଧାନର ଅନୁଚ୍ଛେଦ ୨୦୦ ରାଜ୍ୟପାଳଙ୍କ ଲାଗି ସମୟ ସୀମା ଧାର୍ଯ୍ୟ କରିନାହିଁ, ତେବେ ଏଥର ପ୍ରଥମ ଥର ପାଇଁ ରାଜ୍ୟପାଳଙ୍କୁ ୩ମାସ ମଧ୍ୟରେ ଅନୁମୋଦିତ ବିଲ୍କୁ ସ୍ୱୀକୃତି ଦେବାକୁ ପଡ଼ିବ ବୋଲି ବିଚାରପତି ଦ୍ୱୟ କହିଥିଲେ । ରାଜ୍ୟପାଳଙ୍କ ଭିଟୋ ନିରଙ୍କୁଶ ନୁହେଁ । ଯଦି ବିଧାନସଭାରେ ପୁନଃବିଚାର ପରେ କୌଣସି ବିଲ୍କୁ ତାଙ୍କ ନିକଟକୁ ପଠାଗଲା ତେବେ ରାଜ୍ୟପାଳ ଏହାକୁ ଆଉ ପକାଇ ନରଖି ମାସକ ମଧ୍ୟରେ ଛାଡ଼ିବାକୁ ବାଧ୍ୟ । ଯେଉଁ ଦଶଟି ବିଲ୍ ବିଭିନ୍ନ ସମୟରେ ରାଜ୍ୟପାଳଙ୍କ ନିକଟରେ ପୁନଃଉପସ୍ଥାପନ କରାଯାଇଛି, ଧରିନିଆଯିବ ସେହି ତାରିଖରୁ ସେଗୁଡ଼ିକୁ ସ୍ୱୀକୃତି ମିଳିଛି । ଏହି ବିଲ୍ଗୁଡ଼ିକ ୨୦୨୩ରେ ପୁନରୁଧିନିୟମିତ କରାଯାଇଥିଲା ଏବଂ ରାଜ୍ୟପାଳଙ୍କ ସମ୍ମତି ଲାଗି ଦ୍ୱିତୀୟ ଥର ପଠାଯାଇଥିଲା । ଉଲ୍ଲେଖନୀୟ କି, ସମ୍ବିଧାନର ୨୦୧ ଅନୁଚ୍ଛେଦ କୌଣସି ବିଧେୟକକୁ ରାଜ୍ୟପାଳ ରାଷ୍ଟ୍ରପତିଙ୍କ ବିଚାର ନିମନ୍ତେ ସଂରକ୍ଷିତ ରଖିବା ବ୍ୟାପାର ସହିତ ଯୋଡ଼ି ହୋଇଛି । ଏହି ଅନୁଚ୍ଛେଦରେ ମଧ୍ୟ ରାଷ୍ଟ୍ରପତିଙ୍କ ପାଇଁ କୌଣସି ସମୟ ସୀମା ଧାର୍ଯ୍ୟ କରାଯାଇନାହିଁ । ତଥାପି ସର୍ବୋଚ୍ଚ ଅଦାଲତ ରାଷ୍ଟ୍ରପତିଙ୍କ ପାଇଁ ସମୟ ସୀମା ଧାର୍ଯ୍ୟ କଲେ ଏବଂ କହିଛନ୍ତି ଯେ, ରାଷ୍ଟ୍ରପତି ୩ମାସ ମଧ୍ୟରେ ବିଧେୟକ ଉପରେ ନିଷ୍ପତ୍ତି ନେବାକୁ ବାଧ୍ୟ ।
ସ୍ୱାଧୀନତା ପରବର୍ତ୍ତୀ କିଛି ବର୍ଷ ଧରି ରାଜ୍ୟପାଳ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଏପ୍ରକାର ବିବାଦ ସୃଷ୍ଟିହେବା ବିରଳ ଥିଲା । ଏହାର କାରଣ ଗୋଟିଏ ହୋଇପାରେ ଯେ, ସେହି ସମୟରେ କେନ୍ଦ୍ରରେ କଂଗ୍ରେସ ସରକାର ଶାସନ କରୁଥିଲା ଏବଂ ଅଧିକାଂଶ ରାଜ୍ୟରେ ମଧ୍ୟ ଏହି ଦଳ ଶାସନ କରୁଥିଲା । ଆଉ ଏକ ପରୋକ୍ଷ କାରଣ ମଧ୍ୟ ରହିଥିଲା, ଯଦିଓ ରାଜ୍ୟପାଳମାନଙ୍କୁ ରାଜନୈତିକ ନିଯୁକ୍ତି ମିଳୁଥିଲା, ମାତ୍ର ସେତେବେଳେ ଅଧିକାଂଶ ରାଜ୍ୟପାଳ ଥିଲେ ସ୍ୱାଧୀନତା ସଂଗ୍ରାମୀ । ସେମାନେ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କ ସହ ସୌହାର୍ଦ୍ଦ୍ୟମୂଳକ ବୃତ୍ତିଗତ ସମ୍ପର୍କ ରକ୍ଷାକରିବାକୁ ଉଚିତ ମନେ କରୁଥିଲେ । ମାତ୍ର ଏ ସଂସ୍କୃତି ବଦଳିଗଲା ୧୯୭୦ରେ, ଯେବେ ଇନ୍ଦିରା ଗାନ୍ଧୀ ଉଭୟ ସଂସଦ ଏବଂ ବିଧାନସଭାରେ ଧମାକାଦାର ବିଜୟ ହାସଲ କଲେ । ତାଙ୍କ ସରକାରର ଆଭିମୁଖ୍ୟ ରାଜୀବ ଗାନ୍ଧୀଙ୍କ ସମୟରେ ବି ଜାରି ରହିଲା । ସେମାନଙ୍କ ଦ୍ୱାରା ନିଯୁକ୍ତ ଅନେକ ରାଜ୍ୟପାଳ ନିଜର ପଦମର୍ଯ୍ୟାଦା ରଖିଲେ ନାହିଁ ଏବଂ ସାମ୍ବିଧାନିକ ନୀତିନିୟମ ସହ ଖେଳିଲେ, ଏପରିକି ବିଧିବଦ୍ଧ ନିର୍ବାଚିତ ସରକାରକୁ ବରଖାସ୍ତ କରିବାକୁ ପଛାଇଲେ ନାହିଁ । ରାଜ୍ୟପାଳ ପଠାଇଥିବା ବିଲ୍କୁ ସ୍ୱୀକୃତି ଦେବା ଲାଗି ରାଷ୍ଟ୍ରପତିଙ୍କ ସମୟ ସୀମା ସୁପ୍ରିମକୋର୍ଟ ନିର୍ଦ୍ଧାରଣ କରିବା ନେଇ ଅନେକେ ବିରକ୍ତି ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟ ରାଷ୍ଟ୍ରପତିଙ୍କ ବ୍ୟାପାରରେ ଏପରି ନିର୍ଦ୍ଦେଶନାମା ଜାରି କରିବା ଉଚିତ ନୁହେଁ ବୋଲି ସେମାନେ ଦର୍ଶାଇଛନ୍ତି । ତେବେ ଏପ୍ରକାର ଯୁକ୍ତି ଯେଉଁମାନେ ବାଢୁଛନ୍ତି ସେମାନେ ହୁଏତ ଭୁଲିଯାଇଛନ୍ତି ପୂର୍ବରୁ ମଧ୍ୟ ଅନେକ ଥର ସମ୍ବିଧାନର କେତେକ ଅନୁଚ୍ଛେଦକୁ ପୁନଃପରିଭାଷିତ କରିବାକୁ ଅଦାଲତ ପ୍ରୟାସ କରିଛନ୍ତି ।
ସୁପ୍ରିମକୋର୍ଟ କହିଛନ୍ତି- ଅନୁଚ୍ଛେଦ ୭୪(୨) ଅନୁସାରେ ରାଷ୍ଟ୍ରପତିଙ୍କୁ ମନ୍ତ୍ରିମଣ୍ଡଳ ଦ୍ୱାରା ଦିଆଯାଇଥିବା ପରାମର୍ଶ ସମ୍ପର୍କିତ ନଥିପତ୍ର କୋର୍ଟଙ୍କ ଦ୍ୱାରା ତଦାରଖଯୋଗ୍ୟ ନୁହେଁ ବୋଲି ଯେଉଁ ପ୍ରାବଧାନ ରହିଛି, ତାହା ଅଦାଲତଙ୍କୁ ଏହାର ତର୍ଜମା କରିବାରୁ ବଞ୍ଚିତ କରୁନାହିଁ । ଅଧିକନ୍ତୁ, ୩୦ବର୍ଷ ତଳର ୧୯୯୪ ମାର୍ଚ୍ଚର ବୋମାଇ ବନାମ କେନ୍ଦ୍ର ସରକାର ମାମଲାରେ ସୁପ୍ରିମକୋର୍ଟ ରାଷ୍ଟ୍ରପତିଙ୍କ କାର୍ଯ୍ୟଧାରା ଉପରେ ଅଧିକ କଠୋର ସର୍ତ୍ତ ଲାଗୁ କରିଛନ୍ତି । ଏହି ମାମଲାର କେନ୍ଦ୍ରବିନ୍ଦୁ ଥିଲା ସମ୍ବିଧାନର ୩୫୬ ଅନୁଚ୍ଛେଦର ବ୍ୟବହାର ଅପେକ୍ଷା ଅପବ୍ୟବହାର, ଯାହା କେନ୍ଦ୍ର ସରକାରଙ୍କୁ ଯେକୌଣସି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ କ୍ଷମତା ପ୍ରଦାନ କରେ । ଏହି ମାମଲାରେ ରାଜ୍ୟପାଳଙ୍କ ପଦକ୍ଷେପକୁ ସୁପ୍ରିମକୋର୍ଟଙ୍କ ଏକ ୯ଜଣିଆ ଉଚ୍ଚସ୍ତରୀୟ ଖଣ୍ଡପୀଠ ତନ୍ନତନ୍ନ ପର୍ଯ୍ୟବେକ୍ଷଣ କରିଥିଲେ । ମାମଲାଟି ବର୍ତ୍ତମାନ ପରିପ୍ରେକ୍ଷୀରେ ଅଧିକ ଗୁରୁତ୍ୱପୂର୍ଣ୍ଣ । ସେ ସମୟରେ ସୁପ୍ରିମକୋର୍ଟ ପ୍ରଥମ ଥର ପାଇଁ କହିଥିଲେ- ଆଗକୁ କୋର୍ଟ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ରାଜ୍ୟପାଳଙ୍କ ସୁପାରିସ ରିପୋର୍ଟକୁ ତର୍ଜମା କରିବ ଏବଂ ରାଷ୍ଟ୍ରପତିଙ୍କ ନିଷ୍ପତ୍ତିର ପରୀକ୍ଷାନିରୀକ୍ଷା ମଧ୍ୟ କରିପାରିବ ।
ଏହି ମାମଲାରେ ସଂଖ୍ୟାଗରିଷ୍ଠ ମତ ଥିଲା ଏହିପରି- ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଘୋଷଣାର ବୈଧତା ବିଚାରାଳୟ ଦ୍ୱାରା ସମୀକ୍ଷାଯୋଗ୍ୟ ଅଦାଲତ ପରୀକ୍ଷା କରିବେ କେଉଁ ଆଧାରକୁ ନେଇ ଏହି ଘୋଷଣା କରାଯାଇଛି, ରାଷ୍ଟ୍ରପତି ଶାସନ ଘୋଷଣା ପଛର କାରଣ ଯୁକ୍ତିଯୁକ୍ତ କିମ୍ବା ଉଦ୍ଦେଶ୍ୟପ୍ରଣୋଦିତ ଭାବେ ରାଜ୍ୟ ଉପରେ ଲଦି ଦିଆଯାଇଛି ରାଷ୍ଟ୍ରପତି ଯେଉଁ କାରଣସମୂହର ସନ୍ତୋଷଜନକ ଯୁକ୍ତିକୁ ନେଇ ରାଷ୍ଟ୍ରପତି ଶାସନ ଜାରି କରିବାକୁ ନିଷ୍ପତ୍ତି ନେଲେ, ସେହି କାରଣଗୁଡ଼ିକର ଛାନ୍ଭିନ୍ କରିବାକୁ ଅନୁଚ୍ଛେଦ ୭୪(୨) ଅଦାଲତଙ୍କୁ ବାରଣ କରୁନାହିଁ, ରାଷ୍ଟ୍ରପତି ଶାସନ ଘୋଷଣାନାମା ସଂସଦର ଉଭୟ ଗୃହରେ ନିହାତି ଅନୁମୋଦିତ ନହେବା ଯାଏଁ ରାଷ୍ଟ୍ରପତିଙ୍କୁ ଏ ଦିଗରେ ଅପରିବର୍ତ୍ତନୀୟ ନିଷ୍ପତ୍ତି ନେବାକୁ ଅନୁମତିପ୍ରାପ୍ତ ନୁହନ୍ତି ସଂସଦର ଉଭୟ ଗୃହରେ ରାଷ୍ଟ୍ରପତି ଶାସନ ଘୋଷଣାନାମା ଅନୁମୋଦନ ଲାଭ କରିସାରିଥିଲେ ମଧ୍ୟ ଯଦି ଘୋଷଣାନାମା ଅଯୋଗ୍ୟ ବୋଲି ଧରାଯାଏ ତେବେ କୋର୍ଟ ପୁନଶ୍ଚ ସମ୍ପୃକ୍ତ ରାଜ୍ୟ ମନ୍ତ୍ରିମଣ୍ଡଳ ଏବଂ ବିଧାନସଭାକୁ ପୁନଃକ୍ଷମ କରିପାରିବେ, ରାଷ୍ଟ୍ରପତି ଶାସନ ବିରୋଧରେ ଯଦି ଆବେଦନ କରାଯାଇଥାଏ ତେବେ ସେହି ମାମଲାର ଚୂଡ଼ାନ୍ତ ଫଇସଲା ନଆସିବା ପର୍ଯ୍ୟନ୍ତ କୋର୍ଟ ବିଧାନସଭା ନିର୍ବାଚନକୁ ରୋକିପାରିବେ । ବୋମାଇ ସରକାର ମାମଲାରେ କୋର୍ଟ ନିଜ ପକ୍ଷରୁ ହସ୍ତକ୍ଷେପ କରି କହିଥିଲେ ଯେ, ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ଯଥାର୍ଥ ନା ଉଦ୍ଦେଶ୍ୟପ୍ରଣୋଦିତ ତାହା ପରୀକ୍ଷା କରିବେ ।
ଦ୍ୱିତୀୟତଃ, ବିଶେଷ ଗୁରୁତ୍ୱପୂର୍ଣ୍ଣ ହେଲା, କୋର୍ଟ ଘୋଷଣା କରିଥିଲେ ଯେ ଅନୁଚ୍ଛେଦ ୭୪(୨) କୋର୍ଟଙ୍କ ଦ୍ୱାରା ପରୀକ୍ଷାନିରୀକ୍ଷା ଦିଗରେ ବାଧକ ହୋଇପାରିବ ନାହିଁ । ସରକାର କେଉଁସବୁ କାରଣ ପାଇଁ ରାଷ୍ଟ୍ରପତି ଶାସନ ଜାରି କରିବା ପାଇଁ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦେଲେ ସେସବୁ କାରଣ ବା ବିଷୟଗୁଡ଼ିକ କୋର୍ଟ ଜାଣିବେ । କହିବା ବାହୁଲ୍ୟ ଯେ, ଏହି ରାୟ ନଆସିବା ପର୍ଯ୍ୟନ୍ତ କେନ୍ଦ୍ର ସରକାର ଅନ୍ଧାଧୁନ୍ ଅନୁଚ୍ଛେଦ ୩୫୬ର ଉପଯୋଗ କରୁଥିଲେ ବିରୋଧୀ ଦଳ ଶାସିତ ରାଜ୍ୟ ସରକାରଙ୍କୁ ହଟାଇବା ଲାଗି । ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀଙ୍କ ଅମଳରେ ଏହି କାରବାର ଚାଲିଥିଲା । ବୋମାଇ ମାମଲାରେ ସୁପ୍ରିମକୋର୍ଟ ରାୟର ପରବର୍ତ୍ତୀ ସମୟରେ ୩୫୬ର ଦୁରୁପଯୋଗ ଆଖିଦୃଶିଆ କମିଯାଇଛି । ରାଜ୍ୟ ସରକାରଗୁଡ଼ିକୁ ଜାଣିଶୁଣି ଉଦ୍ଦେଶ୍ୟ ରଖି ବରଖାସ୍ତ କରିବା ଧାରାରେ ପୂର୍ଣ୍ଣଛେଦ ପଡ଼ିଛି । ତେବେ ବର୍ତ୍ତମାନର ତାମିଲନାଡୁ ମାମଲା ବୋମାଇ ମାମଲା ଠାରୁ ଭିନ୍ନ । କୋର୍ଟଙ୍କ ହସ୍ତକ୍ଷେପ ହୁଏତ ରାଜ୍ୟପାଳମାନଙ୍କ କାର୍ଯ୍ୟକଳାପ ଉପରେ ବଡ଼ଧରଣର ପ୍ରଭାବ ପକାଇପାରେ, କିନ୍ତୁ ଅନୁଚ୍ଛେଦ ୨୦୧ ଆଧାରରେ ରାଷ୍ଟ୍ରପତିଙ୍କ କାର୍ଯ୍ୟଧାରା ଉପରେ ଡେଡ୍ଲାଇନ ଜାରି କରିବା ସମାଲୋଚନାକୁ ଆହ୍ୱାନ କରିଛି । ଆଗାମୀ ଦିନରେ ହୁଏତ ପୁନର୍ବିଚାର ଆଡ଼କୁ ମାମଲା ଆଗେଇପାରେ ଏବଂ କୋର୍ଟଙ୍କ ରାୟର ଏହି ଆଭିମୁଖ୍ୟ ଉପରେ ସାନି ବିଚାରକୁ ବାଟ କଢ଼ାଇପାରେ ।