ସାମ୍ବାଦିକ ବାବୁ ଟିକେ ଧୀରେ ଚାଲନ୍ତୁ...
ପାର୍କରେ ପ୍ରାତଃଭ୍ରମଣ ସମୟରେ ପଛରୁ ଡାକ ଶୁଣି ଅଟକି ଗଲି । ପଛକୁ ଦେଖିଲି, ମିଶ୍ରବାବୁ । ଆଜିକାଲି କେବେ କେମିତି ପାର୍କକୁ ଆସୁଛନ୍ତି । କିଛି ଦୂର ଯିବା ପରେ ସିମେଣ୍ଟ ବେଞ୍ଚରେ ବସିଲୁ । ହଠାତ୍ କହିଲେ ସେ । ଆପଣ ତ ଆଗରୁ ଫଟୋ ଷ୍ଟୁଡିଓ କରିଥିଲେ, ଟିକେ ଜଣେ ଚିହ୍ନା କ୍ୟାମେରାବାଲା ଯୋଗାଡ଼ କରିଦିଅନ୍ତୁ । ପଚାରିଲି, ଫଟୋବାଲାଙ୍କ ସହ ଆପଣଙ୍କର କି କାମ? ଆରେ ଆଗରୁ କହିଥିଲି ପା’ ଝିଅ ବାହାଘର ଠିକ୍ ହୋଇଯାଇଛି । ଝିଅ ବରାଦ କରିଛି ରିଙ୍ଗ ସେରିମନି, ମେହେନ୍ଦୀ, ବାହାଘର ସବୁ କିଛିର ଫଟୋ ଓ ଭିଡିଓଗ୍ରାଫି ଯେମିତି ତା’ ସାଙ୍ଗମାନଙ୍କ ବାହାଘର ଭଳି ହେବ । ତା’ଠୁ ଶୁଣିଲି ଏବେ କ’ଣ ପ୍ରି-ୱେଡିଂରୁ ଫଟୋ/ଭିଡିଓ ଆରମ୍ଭ ହେଉଛି ପୋଷ୍ଟ ୱେଡିଂ ପର୍ଯ୍ୟନ୍ତ । ସେ କହୁଛି ନିଜେ ଫଟୋବାଲା ଠିକ୍ କରିବ । କାଳେ ଟିକେ କମ୍ ଖର୍ଚ୍ଚରେ ଆପଣ ଯୋଗାଡ଼ କରିବେ ବୋଲି କହୁଛି ।
ମୁଁ ଟିକେ ହସି କହିଲି, ଆପଣ କାହିଁକି ଏ ଫଟୋଉଠା ଜାଲରେ ପଡ଼ୁଛନ୍ତି? ଖର୍ଚ୍ଚ ହିସାବ କଲେ ଏକରେ ପାଞ୍ଚଟି ଶୂନ ଲାଗିଯାଇପାରେ, କମ୍ ହେବା କଷ୍ଟକର । ଆଖି ତରାଟି ମିଶ୍ରବାବୁ ଅନାଇଲେ, ନାଇଁମ ଏଇଟା କ’ଣ ମଟନ ନା କ’ଣ ଯେ ଏତେ ଖର୍ଚ୍ଚ ହେବ । କହିଲି, ନାଇଁ ସାର୍ ମଟନରେ ଭେଜାଲ ହୋଇପାରେ, ଏଥିରେ ଭେଜାଲ ହେବା କଷ୍ଟକର । ଆପଣ ଝିଅକୁ ପଚାରିବେ ସେ ବୁଝାଇଦେବ ।
କିଛି ସମୟ ପରେ ମିଶ୍ରବାବୁ ଘରମୁହାଁ ହେଲେ । ମୁଁ ବି ବାଇକ୍ ଷ୍ଟାର୍ଟ କଲି । ଘରେ ପହଞ୍ଚିବା ପରେ ମୋତେ ଜଳଜଳ ଦେଖାଯାଉଥିଲା ମୋ କଥା ଶୁଣିବା ପରେ ମିଶ୍ରବାବୁଙ୍କ ମୁହଁରୁ କିପରି ହସ ଉଭେଇ ଯାଇଥିଲା । କିପରି ଏକ ଚିନ୍ତାଗ୍ରସ୍ତ ନାଚାରପଣିଆର ଛାପ ବାରି ହେଉଥିଲା । ହେବନି ବା କେମିତି? ଅବସର ପରେ ମିଳିଥିବା ଟଙ୍କାକୁ ସାଇତି ରଖିଛନ୍ତି ଝିଅ ବାହାଘର ପାଇଁ । ସନ୍ତାନ ବୋଲି ଗୋଟିଏ ମାତ୍ର ଉଚ୍ଚଶିକ୍ଷିତା ଏବଂ ଉଚ୍ଚ ବେତନପ୍ରାପ୍ତ ଝିଅ । କିନ୍ତୁ ବାହାଘରକୁ ପିତାର କର୍ତ୍ତବ୍ୟ ବିବେଚନା କରି ଝିଅଠୁ କିଛି ପଇସା ନେବେ ନାହିଁ ବୋଲି କହିଦେଇଛନ୍ତି । ଏବେ ଖର୍ଚ୍ଚର ସମ୍ଭାବ୍ୟ ତାଲିକା ଚିନ୍ତା ବଢ଼ାଇ ଦେଇଛି । ଚେଷ୍ଟା କରି ମଧ୍ୟ ଖର୍ଚ୍ଚ କମାଇବା ସମ୍ଭବ ନୁହେଁ । କାରଣ ଆମେ ଏଭଳି ଏକ ସମାଜରେ ଏବେ ବଞ୍ଚୁଛନ୍ତି ଯେଉଁଠି ପ୍ରଥା ଆଉ ପରମ୍ପରାର ଗୁରୁତ୍ୱ ଯେତିକି, ‘କିଏ କ’ଣ କହିବ? କିଏ କ’ଣ ଭାବିବ’ ଏହି ଚିନ୍ତାଧାରାର ବୋଝ ତା’ଠାରୁ ଅଧିକ ।
ମନେ ପଡ଼ିଗଲା ଜଣେ ସମ୍ପର୍କୀୟଙ୍କ ଘରେ ଏକାଦଶାହ ଅବସରରେ ଦେଖିଥିବା ଏକ ଦୃଶ୍ୟ । ଏକାଦଶାହ ଭୋଜନ ପରେ ବ୍ରାହ୍ମଣ ଭାଇମାନେ ବିଦାକି(ଛଞ୍ଚା) ନେବା ସମୟରେ କିପରି ତୁମୂଳ ହଟ୍ଟଗୋଳ ହୋଇଥିଲା । ୫୧ଟଙ୍କା ଏବଂ ୧୦୧ଟଙ୍କା ମଧ୍ୟରେ କଥା ନଛିଣ୍ଡି ଅଟକି ରହିଥିଲା । ଗ୍ରାମର ସମସ୍ତେ କ୍ରିୟାକର୍ମରେ ୧୦୧ଟଙ୍କା ମାନ୍ୟ ଦେଉଥିବା କହି ପୂଜ୍ୟ ବାହ୍ମଣ ଭାଇମାନେ ଅଡ଼ି ବସିଥିଲେ- ସେତିକି ନଦେଲେ ଆଶୀର୍ବାଦ କରିବେ ନାହିଁ । କିଛି ସମୟ ଉଚ୍ଚବାଚ ପରେ ଗାଁ ମୁରବିମାନେ ହସ୍ତକ୍ଷେପ କଲେ ଏବଂ ୭୧ଟଙ୍କାରେ କଥା ଛିଣ୍ଡିଥିଲା। ଏହାପରେ ବେଶ୍ ହସହସ ବଦନରେ ବ୍ରାହ୍ମଣ ଭାଇମାନେ ଲଣ୍ଡିତ ମସ୍ତିଷ୍କଗୁଡ଼ିକ ଉପରେ ଚାଉଳ ପକାଇ ସଂସ୍କୃତ ଉଚ୍ଚାରଣରେ ଆଶୀର୍ବାଦ କରି ଚାଲିଯାଇଥିଲେ । ମୁଁ ଭାବୁଥିଲି, ଗୋଟିଏ ଆତ୍ମା ପାଇଁ ସ୍ୱର୍ଗ ଓ ନର୍କ ମଧ୍ୟରେ ଯାତାୟାତ ଖର୍ଚ୍ଚ କ’ଣ ୩୦ କିମ୍ବା ୫୦ ଟଙ୍କା? ଏଭଳି କଥାକୁ ଅନେକ ସମ୍ଭବତଃ ନାସ୍ତିକ ଆଖ୍ୟା ଦେଇପାରନ୍ତି । କିନ୍ତୁ ପ୍ରିୟଜନଙ୍କୁ ହରାଇଥିବା ଜଣେ ଗରିବ କିମ୍ବା ମଧ୍ୟବିତ୍ତ ପରିବାର (ବର୍ତ୍ତମାନ ସ୍ଥିତିରେ ଦେଶର ମୋଟ୍ ଜନସଂଖ୍ୟାର ୩୧%, ୨୦୩୦-୩୧ ବେଳକୁ ୪୭% ଏବଂ ୨୦୪୭ ବେଳକୁ ୬୧% ହେବା ଅନୁମାନ)ର ବ୍ୟକ୍ତି ଏକାଦଶାହ ଅବସରରେ ମୃତ ସମ୍ପର୍କୀୟଙ୍କ ଫଟୋ ନିକଟରେ ଛିଡ଼ାହୋଇ ଆସୁଥିବା ଅତିଥିମାନଙ୍କୁ ସ୍ୱାଗତ କରି ଭୁରିଭୋଜନରେ ଆପ୍ୟାୟିତ କରାଇବା ଦୃଶ୍ୟ ପଛର କାହାଣୀ ଖୁବ କମ୍ ଲୋକ ଚିନ୍ତା କରନ୍ତି । ସବୁ କିଛି କର୍ମ ପାଇଁ ଆବଶ୍ୟକ ସମ୍ବଳ ଯୋଗାଡ଼ କରିବା, ନିମନ୍ତ୍ରିତ ସମ୍ପର୍କୀୟମାନଙ୍କ ମନକୁ ପାଇବା ଭଳି ବେଭାର (ଏବେତ ଏସବୁର ନଖରାମି, ମୁହଁରୁଷା ସବୁଠି) ଦେବା ଏକପ୍ରକାର ବୋଝ ପାଲଟି ଯାଇଥାଏ ।
ଯେକୌଣସି ଧର୍ମରେ ପ୍ରଥା/ପରମ୍ପରା ମଣିଷର ଆତ୍ମା, ଏହା ବିନା ସମାଜ କିମ୍ବା ସଭ୍ୟତାର କଳ୍ପନା କରାଯାଇନପାରେ । କିନ୍ତୁ ଏକବିଂଶ ଶତାବ୍ଦୀର ପ୍ରାରମ୍ଭରୁ ଆମର ପ୍ରତ୍ୟେକ ପରମ୍ପରା ରୂପାନ୍ତରିତ ହେବାରେ ଲାଗିଛି । ପରମ୍ପରା ମଧ୍ୟରେ ଯେଉଁଗୁଡ଼ିକର ପାଳନ ସହଜ ଏବଂ ଅପେକ୍ଷାକୃତ ଅଧିକ ଖର୍ଚ୍ଚ ତାହାକୁ ଆମେ ଆଦରିବାରେ ଲାଗିଛନ୍ତି । ଏଇ ଯେମିତି ପରିବାରର କେହି ପରଲୋକ ଗମନ କଲେ, ଦଶ ଦିନ ମଧ୍ୟରେ ପାଳନ କରିବାକୁ ଥିବା ରୀତିନୀତି ଏବେ ଅନେକାଂଶରେ ଅଣଦେଖା ହେଲାଣି । ଦଶାହ ସ୍ନାନ ପରେ ନିମ୍ବପତ୍ର ଖାଇବା ଦୂରର କଥା, ଜିଭରେ ଛୁଆଁଇଦେଲେ ଚଳିଯାଏ । ଅନେକ କର୍ମ କେବଳ ଧର୍ମକୁ ଆଖିଠାର ଭଳି ପାଳନ କରାଯାଉଛି । ଯଦିଓ ସବୁ ପ୍ରକାର ବ୍ୟସ୍ତତା ଥାଏ ଏକାଦଶାହର ଭୁରିଭୋଜନ ଉପରେ । ପରଲୋକଗତ ଆତ୍ମାର ଶାନ୍ତି/ମୋକ୍ଷ ନିମନ୍ତେ ଏକାଦଶାହରେ ଷ୍ଟାର ହୋଟେଲ କିମ୍ବା ଗାଁମୁଣ୍ଡ ଗଛତଳେ ଆକଣ୍ଠ ମଦ୍ୟପାନର ଦୃଶ୍ୟ ବି ଦେଖିବାକୁ ମିଳୁଛି । ଦିନ ଥିଲା ଏକାଦଶାହ ଭୋଜିରେ ପୁରି, ଡାଲି ଓ ବୁନ୍ଦିର ଗୁରୁତ୍ୱ ଥିଲା ।
ଏବେ ଅନେକ ସ୍ଥାନରେ ଫ୍ରାଏଡ ରାଇସ୍ ଓ ଆମିଷ ବି ସାମିଲ ହେଲାଣି । ବିବାହ ଉତ୍ସବ ପ୍ରକ୍ରିୟାରେ କନିଆଦେଖା, ଘର ବରଦେଖା କି ମୁଦିପିନ୍ଧା ଶବ୍ଦ ରିଙ୍ଗ୍ ସେରିମନିର କୋଳାହଳରେ ମିଶ୍ରଣ ହୋଇଯାଇଛି । ଘର ହେଉ କି ହୋଟେଲ, ଆକର୍ଷଣୀୟ ସାଜସଜ୍ଜା ଜରୁରି । ମଙ୍ଗନ/ହଳଦୀ ନୀତି ଏବେ ମେହେନ୍ଦୀ ନାଚର ଆଢ଼ୁଆଳକୁ ଚାଲିଗଲାଣି । ବାହାଘର ଶୋଭାଯାତ୍ରା, ଡିଜେ, ରୋଷଣୀ, ଚତୁର୍ଥୀ ଭୋଜି ହିଁ ଗୁରୁତ୍ୱପୂର୍ଣ୍ଣ, ଯଦିଓ ବେଦୀର ମନ୍ତ୍ର (ବ୍ରାହ୍ମଣଙ୍କୁ ତାଗିଦ କରାଯାଏ ବେଶୀ ନ ଲମ୍ବେଇବାକୁ) ଓ ଚତୁର୍ଥୀ ରୀତି ଶୀଘ୍ର ସାରିବାକୁ ସମସ୍ତେ ବ୍ୟଗ୍ର।
ଅବଶ୍ୟ ଯାହାବି ରୀତିନୀତି ପାଳନ କରାଯାଉଛି ତାହାର ରଙ୍ଗ ବଦଳି ଯାଇଛି, କାରଣ କ୍ୟାମେରା ଲେନ୍ସରେ ତୋଳି ରଖିବାକୁ ସବୁ କିଛି ୧୦୦% ହେବା ଜରୁରି । ଥିଲାବାଲା ଲୋକଙ୍କ ପାଇଁ ଏସବୁ ଜାକଜମକ ପାଇଁ କୌଣସି ସମସ୍ୟା ନଥାଏ ସତ, କିନ୍ତୁ ପଡ଼ୋଶୀ ଗରିବ କିମ୍ବା ମଧ୍ୟବିତ୍ତ ପରିବାରର କର୍ତ୍ତା ଦୋଛକିରେ ଛିଡ଼ା ହେବାକୁ ବାଧ୍ୟ ହୋଇଥାନ୍ତି । ଜାକଜମକ ପାଇଁ ନା ପକେଟ ଅନୁମତି ଦିଏ ନା ‘କିଏ କ’ଣ ଭାବିବେ’ ଏ ପ୍ରଶ୍ନ ମନରୁ ଯାଏ । ଅବସ୍ଥା ସେମାନଙ୍କର ପାକିସ୍ତାନ (୨୧.୬ଲକ୍ଷ କୋଟିର ଋଣ ଥାଇ ଭାରତ ସହ ଯୁଦ୍ଧକୁ ବାହାରିବା) ଭଳି ହୋଇଥାଏ । ‘ଋଣମ୍ କୃତ୍ୱା ଘୃତମ୍ ପିବେତ୍, ଯାବତ୍ ଜୀବେତ୍ ସୁଖମ୍ ଜୀବେତ୍’ (ଋଣ କରି ବିଳାସରେ ବଞ୍ଚିବା) ରାସ୍ତା ହିଁ ଧରିବାକୁ ଅନେକ ଶ୍ରେୟସ୍କର ମଣନ୍ତି । କେବଳ ବିବାହ କି ଦଶାହ କର୍ମ ନୁହେଁ, ଜନ୍ମଦିନ, ବିବାହ ବାର୍ଷିକୀ, ଷଷ୍ଠୀ ପୂର୍ତ୍ତି (୬୦ତମ ବିବାହ ବାର୍ଷିକୀ) ଏବେ ଟ୍ରେଣ୍ଡରେ ।
ଏ ଅଧମ ମଧ୍ୟ ଏଭଳି ସ୍ଥିତିର ସମ୍ମୁଖୀନ ହୋଇଛି । ବର୍ଷେ ତଳେ ଆମ ଯୌଥ ପରିବାରର ମୁଖ୍ୟ ପରଲୋକ ଗମନ କରିଥିଲେ । ଏବେ ତାଙ୍କର ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଥିଲା । ପିଲାବେଳୁ ଦେଖିଆସିଥିଲି ଶ୍ରାଦ୍ଧ ବାର୍ଷିକୀରେ ବ୍ରାହ୍ମଣ ଭୋଜନର ପରମ୍ପରା । ଏବେ କିନ୍ତୁ ତାହା ଦୁଇ ତିନି ଖଣ୍ଡ ଗାଁ ଭାଇଙ୍କ ଭୋଜନରେ ରୂପାନ୍ତରିତ ହୋଇସାରିଛି ବୋଲି ସାହି ଭାଇ ପରିବାରର ଅନ୍ୟ ସଦସ୍ୟମାନେ କହିଲେ । ସମସ୍ତଙ୍କର ମତ, ପରମ୍ପରା ଅଛି ମାନେ ତ ଭୋଜନ ଦେବାକୁ ପଡ଼ିବ । ଯଦିଓ ବର୍ଷେ ତଳେ ହୋଇଥିବା ଏକାଦଶାହ ଖର୍ଚ୍ଚର ଋଣ ସମ୍ପୂର୍ଣ୍ଣ ପରିଶୋଧ ହୋଇନଥିଲା । ଶେଷରେ ନାସ୍ତିକ ଚିନ୍ତାଧାରା ପରାସ୍ତ ହୋଇଥିଲା ଏବଂ ନିକଟରେ ଧାନ ଅମଳ ପରେ ବିକ୍ରି ଅର୍ଥ (ପରିବାରର ବର୍ଷକର ଆହାର)କୁ ଖର୍ଚ୍ଚ କରି ଗାଁ ଭାଇଙ୍କୁ ଭୁରିଭୋଜନ ଦିଆଯାଇଥିଲା । ଏହା ହିଁ ନିମ୍ନ ମଧ୍ୟବିତ୍ତ ପରିବାରର କାହାଣୀ ।