"ଶକ୍ତି ଓ ସାମର୍ଥ୍ୟ ହିଁ ଜୀବନ, ଦୁର୍ବଳ ଓ ଅସମର୍ଥ ମୃତ୍ୟୁ ସଙ୍ଗେ ସମାନ' ଏବଂ "ପ୍ରେମ ହିଁ ଜୀବନ: ଘୃଣା ମୃତ୍ୟୁ ସଙ୍ଗେ ସମାନ' । ଏହି ଦୁଇଟି ଜୀବନ ଦର୍ଶନର ମହତବାଣୀ ଦିନେ ନିଃସୃତ ହୋଇଥିଲା ମହାନ ଦାର୍ଶନିକ ଓ ସମାଜସେବୀ ବିବେକାନନ୍ଦଙ୍କ ମୁଖରୁ । ପ୍ରକୃତରେ ମଣିଷ ନିଜକୁ ମାନସିକ ଓ ଶାରୀରିକ ସ୍ତରରେ ସୁସ୍ଥ ରଖିବା ଦ୍ୱାରାହିଁ ଶକ୍ତି ଓ ସାମର୍ଥ୍ୟ ଆସିଥାଏ ଏବଂ ଜୀବନ ସାର୍ଥକ ହୋଇଥାଏ । ସୁସ୍ଥ ମଣିଷଟି କର୍ତ୍ତବ୍ୟପରାୟଣ ହୋଇଥାଏ, କର୍ମ ଓ କର୍ତ୍ତବ୍ୟ ମାଧ୍ୟମରେ ସେ ଆନନ୍ଦ ଲାଭ କରିଥାଏ । କର୍ମ କହିଲେ, ଏଠାରେ ସତ୍କର୍ମକୁ ବୁଝିବାକୁ ପଡ଼ିବ । ନିଜର ସଦିଚ୍ଛା, ସତ୍ଗୁଣମାନକୁ ନେଇ ମଣିଷ କର୍ମ କରିଚାଲିବା ସଙ୍ଗେ ସଙ୍ଗେ ଫଳାଫଳର ଆଶା ଈଶ୍ୱରଙ୍କ ଉପରେ ଛାଡ଼ିଥାଏ । ଏ ପ୍ରକାର ଜୀବନ ଲଭିଥିବା ମନୁଷ୍ୟ ପକ୍ଷରେ ଭୋଗବିଳାସ ତୁଚ୍ଛ ହୋଇଥାଏ । ମାତ୍ର ଅପରପକ୍ଷରେ ଦୁର୍ବଳ ଓ ଅସମର୍ଥ ମନୁଷ୍ୟଟି ଶାରୀରିକ ଓ ମାନସିକ ସୁସ୍ଥତା ଅଭାବରୁ କୁକର୍ମକୁ ଆଦରିନିଏ ।
ବିଳାସ ବ୍ୟସନରେ ଦିନ କାଟିବାକୁ ପ୍ରୟାସ କରେ । ଅନୀତି ଓ ଅନ୍ୟାୟର ବଶବର୍ତ୍ତୀ ହୋଇ ନିଜକୁ କଳୁଷିତ କରିଥାଏ । ସାଂସାରିକ ଜୀବନରେ ଏକ ନକାରାତ୍ମକ ଭୋଗୀ ହୋଇ ରୋଗୀ ହେବାର ପଥକୁ ଆହ୍ୱାନ କରିଥାଏ । ଏ ପ୍ରକାର ଲୋକଙ୍କର ଆସ୍ତେ ଆସ୍ତେ ମୁକ୍ତି ଓ ମୋକ୍ଷର ପଥ ବନ୍ଦ ହୋଇଯାଇଥାଏ । ମାତ୍ର ଶକ୍ତି ଓ ସାମର୍ଥ୍ୟସମ୍ପନ୍ନ ବ୍ୟକ୍ତି ପାଇଁ ମୁକ୍ତିର ପଥ ଉନ୍ମୋଚିତ ହୋଇଥାଏ । ଅସମର୍ଥ ଲୋକଟି ଅସତ୍ ପ୍ରାପ୍ତି ଓ ଅର୍ଜନକୁ ସଂଗ୍ରହ ଓ ସଂଚୟ କରି ଭୁଲିଯାଏ ଅସଲ ମୁକ୍ତି ଓ ମୋକ୍ଷର ପଥ । କିଛି କିଛି ଲୋକ ସତ୍କର୍ମର ଓ ସତ୍ମାର୍ଗର ଆଶ୍ରିତ ହୋଇ କିଛି ଅଂଶରେ ମୁକ୍ତିର ମାର୍ଗକୁ ସ୍ପର୍ଶ କରିଥାନ୍ତି । ମାତ୍ର ପରମୁହୂର୍ତ୍ତରେ ଲୋଭ, ମାୟା, ମୋହ ଚକ୍ରରେ ପଡ଼ି ମୋକ୍ଷ ଓ ମୁକ୍ତିର ପଥରୁ ବିଦ୍ୟୁତ ହୋଇଥାନ୍ତି । ଫଳରେ ଜୀବନରେ ପୂର୍ଣ୍ଣତା ସେମାନଙ୍କୁ ପ୍ରାପ୍ତ ହୋଇନଥାଏ । ଭୋଗର ମୋକ୍ଷ ଓ ମୁକ୍ତ ଜୀବନ ଏକ ପଥିକ ଜୀବନ ସଦୃଶ । ଏଇ ପଥିକ ଜୀବନ ବିସ୍ତାରିତ, ଆଖି ପାଏନାହିଁ । ବେଳେବେଳେ ଏଇ ପଥିକ ଜୀବନର ଚଲାପଥରେ ମଣିଷ ଭୋଗର ତାଡନାରେ ଜର୍ଜରିତ ହୋଇ ଅଧାବାଟରେ ରହିଯାଏ ଏବଂ ମୁକ୍ତିର ପଥକୁ ଖୋଜି ପାଏନାହିଁ । ଯେଉଁ ମନୁଷ୍ୟ ମୁକ୍ତି ବାଟ ପାଇପାରେନା, ତା’ପାଇଁ ମୋକ୍ଷର ବାଟ ପାଇବାର କୌଣସି ପ୍ରଶ୍ନ ଉଠେନାହିଁ । କାରଣ ଇନ୍ଦ୍ରିୟ ଭୋଗର ବାସନାରେ ମଣିଷ ଅନ୍ଧ ହୋଇ ବାଟ ଚାଲିବାର ସଂକଳ୍ପ ନେଇପାରେନା ।
ଉଲ୍ଲେଖିତ ବିବେକାନନ୍ଦଙ୍କର ଦର୍ଶନ ତତ୍ତ୍ୱ ଅନୁସାରେ, ପ୍ରେମ ହିଁ ଜୀବନର ଏକ ମହାନ୍ ଆଦର୍ଶ । ପରସ୍ପରକୁ ଭଲପାଇବାରେ ଥାଏ ଆନନ୍ଦ ଓ ଉଲ୍ଲାସ । ଯାହା ଜୀବନକୁ ସାର୍ଥକ କରିଥାଏ । ଜୀବନରେ ମଣିଷ ସମ୍ମୁଖୀନ ହୋଇଥାଏ ଦୁଇପ୍ରକାର ପ୍ରେମର ବାସନାରେ । ଗୋଟିଏ ପାର୍ଥିବ ପ୍ରେମ, ଅନ୍ୟଟି ଈଶ୍ୱରୀୟ ବା ଶାଶ୍ୱତ ପ୍ରେମ । ଏହା ନିଶ୍ଚିତ ଯେ, ଶାଶ୍ୱତ ପ୍ରେମ ମଣିଷ ମୁକ୍ତିର ପଥ ପ୍ରଦର୍ଶକ ଅଟେ । ମୁକ୍ତିରୁ ମୋକ୍ଷ ପାଇଁ ମନୁଷ୍ୟ ପକ୍ଷେ ଯେ ଗଭୀର ଉପାସନା ଓ ସାଧନା ଦରକାର । ଦେଖାଯାଏ, କିଛି ଲୋକ ଶାଶ୍ୱତ ପ୍ରେମ ମାଧ୍ୟମରେ ମୁକ୍ତିର ପଥ ଖୋଜୁଖୋଜୁ ପାର୍ଥିବ ପ୍ରେମରେ ଜଡ଼ିତ ହୋଇ ରହିଯାନ୍ତି । ସେହିପରି କିଛି ଲୋକ ମୋକ୍ଷର ପଥ ଖୋଜି ଖୋଜି ଶାଶ୍ୱତ ପ୍ରେମର ମୁକ୍ତିର ପଥରେ ଅଟକିଯାନ୍ତି । ମାତ୍ର ମୋକ୍ଷର ଆନନ୍ଦ ଖୁବ୍ କମ୍ ସାଧକମାନଙ୍କୁ ପ୍ରାପ୍ୟ ହୋଇଥାଏ । ପାର୍ଥିବ ପ୍ରେମ ସାଧାରଣତଃ ସାଂସାରିକ ଭୋଗ ସହିତ ଜଡ଼ିତ । ପାର୍ଥିବ ପ୍ରେମ ଅନେକ କ୍ଷେତ୍ରରେ ସକାରାତ୍ମକ ହେଲାବେଳେ କିଛି କ୍ଷେତ୍ରରେ ମଣିଷ ପକ୍ଷେ ନକାରାତ୍ମକ ହୋଇଯାଇଥାଏ । ଲଘୁଜନଙ୍କର ଗୁରୁଜନଙ୍କ ପ୍ରତି ଭକ୍ତି ଓ ସମ୍ମାନ³ ଗୁରୁଜନଙ୍କର ଲଘୁଜନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଓ ଆଶିଷ ଏବଂ ସମବୟସ୍କ ଲୋକଙ୍କ ମଧ୍ୟରେ ପ୍ରେମ ତଥା ପ୍ରୀତିଭାବ ଇତ୍ୟାଦି ସାକାରାତ୍ମକ ପାର୍ଥିବ ପ୍ରେମ । ଏହି ସକାରାତ୍ମକ ପାର୍ଥିବ ପ୍ରେମ ମନୁଷ୍ୟକୁ କିଛିମାତ୍ରାରେ ଭୋଗର ପଥରୁ ମୁକ୍ତିର ପଥକୁ ଆଗେଇ ନେଇଯାଇଥାଏ ।
ମଣିଷର ମଣିଷ ପ୍ରତି ଘୃଣାକୁ ନକାରାତ୍ମକ ଢଙ୍ଗରେ ଗ୍ରହଣ କରିଯାଇଥାଏ । ଏପରି କ୍ଷେତ୍ରରେ ମଣିଷ ଜୀବନ ଭୋଗର ଅନ୍ଧକାର ମଧ୍ୟରେ ରହିଯାଇଥାଏ । ଏବଂ କେବେହେଲେ ତାଙ୍କୁ ମୁକ୍ତିର ଆଲୋକ ଦୃଶ୍ୟ ହୁଏନାହିଁ । ମାତ୍ର ଏକ ଖଳ ଓ ଦୁଷ୍ଟ ପ୍ରକୃତିର ଲୋକପ୍ରତି ଘୃଣା ସକାରାତ୍ମକ ହୋଇଯାଏ । ସାଂସାରିକ ଭୋଗର ପ୍ରକାର ଅନୁସାରେ ମୁକ୍ତିର ପଥ ଉନ୍ମୋଚିତ ହୋଇପାରେ ଏବଂ କିଛି କ୍ଷେତ୍ରରେ ହୋଇନପାରେ । ଏଥର ଆସନ୍ତୁ ଜୀବନର ଭୋଗ, ମୁକ୍ତି ଓ ମୋକ୍ଷର ସଂଜ୍ଞାଟିକୁ ଅନୁଶୀଳନ କରିବା । ପ୍ରଥମେ ଜୀବନ ଭୋଗକୁ ଅନୁଧ୍ୟାନ କରିବା । ଜୀବନର ଭୋଗ କହିଲେ, ସାଂସାରିକ ଓ ପାର୍ଥିବ ବିଳାସବ୍ୟସନ, ସକାମ କର୍ମ ଓ ଭୌତିକ ବନ୍ଧନକୁ ବୁଝାଏ । ଆଉ ମଧ୍ୟ ଦୈହିକ ଧାରଣା, ଶରୀରର ସୁଖ-ସ୍ୱାଚ୍ଛନ୍ଦ୍ୟର ବୃଦ୍ଧି ଇତ୍ୟାଦି ମଧ୍ୟ ଭୋଗର କିଛି ଅଂଶବିଶେଷ ।
ମୋଟ୍ ଉପରେ ମୁକ୍ତିର ପରିଭାଷା ନିମ୍ନଲିଖିତ ଭାବେ ନିରୂପଣ କରାଯାଇପାରେ । (୧) ଯେତେବେଳେ ମଣିଷ ଜୀବନର ସମସ୍ତ ଆଶା ଓ ଆକାଂକ୍ଷା ନିଜ ମନରୁ ଦୂର କରିଦିଏ । (୨) ତତ୍ ସଙ୍ଗେ ସଙ୍ଗେ ମୁକ୍ତି ଅବସ୍ଥାରେ ସମସ୍ତ ପ୍ରକାର ରାଗ, ସୁଖ, ଦୁଃଖ ଇତ୍ୟାଦିକୁ ମଣିଷ ପରିତ୍ୟାଗ କରିଥାଏ । (୩) ସମସ୍ତ ପ୍ରକାର ଭୌତିକ ବନ୍ଧନ ଯଥା- ପିତା, ମାତା, ଭାଇ, ଭଉଣୀ ଏବଂ ବନ୍ଧୁ ପ୍ରଭୃତିର ସମ୍ପର୍କରୁ ମୁକ୍ତ ହୋଇଯିବା । (୪) ବସ୍ତୁବାଦିତା ଯଥା- ଗାଡ଼ି, ଘର, ସଂପତ୍ତି ପ୍ରତି ଆସକ୍ତିର ବିନାଶ ଇତ୍ୟାଦି । ମାତ୍ର ମୁକ୍ତି ଅବସ୍ଥାରେ ମଣିଷ ପୁନର୍ଜନ୍ମରୁ ଓ ପୁନଃମୃତ୍ୟୁ ଅବସ୍ଥାରୁ ମୁକ୍ତ ହୋଇନଥାଏ । ମଣିଷ ମୁକ୍ତି, ଜୀବିତ ଅବସ୍ଥାରେ ବା ମରିବା ଅବସ୍ଥାରେ ଲାଭ କରିପାରେ । ମୋକ୍ଷ ଏପରି ଏକ ଅବସ୍ଥା, ଯେଉଁ ଅବସ୍ଥାରେ ମଣିଷ ଏ ସଂସାରକୁ ପୁନର୍ଜନ୍ମ ମୃତ୍ୟୁଚକ୍ର ନେଇ ଆସେନାହିଁ । ମଣିଷର ଆତ୍ମା ବ୍ରହ୍ମ ବା ପରମାତ୍ମା ସହ ମିଶିଯାଏ ଏବଂ ତତ୍ ସଙ୍ଗେ ମଣିଷକୁ ବୈକୁଣ୍ଠ ପ୍ରାପ୍ତି ହୁଏ । ଯାହାହେଉ, ଭୋଗ ଓ ମୁକ୍ତି ଓ ମୋକ୍ଷ ମଣିଷ ଜୀବନର ବିସ୍ତାରିତ ପଥରେ ପାହାଚ ସଦୃଶ । ଆଜିର ବାସ୍ତବ ଜୀବନରେ ସତ୍ପଥରେ ଭୋଗର ଜୀବନକୁ ଆପଣେଇ ନେବାପରେ ମୁକ୍ତିର ପଥକୁ ଆଦରି ନେବା ।