କଟକ,୦୩/୧୧: ଦଶହରା ଭଳି ଯେପରି କାଳୀ ଭସାଣି  ବିଳମ୍ବ ନହୁଏ, ଦୀର୍ଘ ସମୟ ମେଢଗୁଡ଼ିକ ରାସ୍ତାରେ ପଡ଼ି  ନରହେ ଓ ସମସ୍ତ ମେଢ଼ ଠିକ୍‌ ସମୟରେ ମୁଖ୍ୟ ରୁଟ୍‌ ଅତିକ୍ରମ  କରି ଦେବୀଗଡ଼ାରେ ପହଞ୍ଚିବ ସେଥିପାଇଁ କଟକ ପୁଲିସ ପକ୍ଷରୁ  ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭସାଣି ପାଇଁ  ଚଳିତ ବର୍ଷ ମୋଟ୍‌ ୫୧ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି ।  ମେଢ଼ଗୁଡ଼ିକୁ ସଠିକ୍‌ ଢଙ୍ଗରେ ପରିଚାଳନା ପାଇଁ ଶନିବାର ଡିସିପି  ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଏକ ବୈଠକରେ ଆବଶ୍ୟକୀୟ  ଟିପ୍‌ସ ଦେଇଛନ୍ତି । ପୂଜା କମିଟି ସହିତ ମିଶି ସୁରୁଖୁରୁରେ  ମେଢ଼ ନେବାକୁ ଡିସିପି ଜଗମୋହନ ମୀନା ଗୁରୁମନ୍ତ୍ର  ଦେଇଛନ୍ତି । ଦଶହରା ଭସାଣି ଏକ ପ୍ରକାର ଶାନ୍ତିଶୃଙ୍ଖଳାରେ  ଶେଷ ହୋଇଥିବାରୁ କାଳୀ ଭସାଣିକୁ ଠିକ୍‌ ସେହି ଢଙ୍ଗରେ  ସାରିବାକୁ ଡିସିପି ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି । 

ତେବେ ମୁତୟନ ହୋଇଥିବା ଫୋର୍ସ ମେଢ଼, ଦେବୀଗଡ଼ା  ଓ ରୁଟ୍‌ ସହିତ ବିଭିନ୍ନ ଏଡ୍‌ପୋଷ୍ଟରେ ରହିବେ । ସେହିପରି  ରୁଟ୍‌ ଯାଉଥିବା ଥାନାଗୁଡ଼ିକରେ ଗୋଟିଏ କରି ସେକ୍ସନ୍‌ ଫୋର୍ସ  ମଧ୍ୟ ରିଜର୍ଭରେ ରହିବ । ଆବଶ୍ୟକସ୍ଥଳେ ଥାନା ଅଧିକାରୀ ଏହାକୁ କାମରେ ଲଗାଇବେ । ଅନ୍ୟ ୨ ପ୍ଲାଟୁନ୍‌ ଫୋର୍ସ ବିଭିନ୍ନ ବଡ଼ ଛକରେ ଟ୍ରାଫିକ୍‌ ପରିଚାଳନା ପାଇଁ ନିୟୋଜିତ ହେବେ ।  ଦଶହରା ଅପେକ୍ଷା କାଳୀ ମେଢ଼ର ସଂଖ୍ୟା ପ୍ରାୟ ୪୦ ପ୍ରତିଶତ  କମ୍‌ ରହିଲେ ବି ଭସାଣି ଯାତ୍ରାର ଲମ୍ବ ପ୍ରାୟ ସମାନ ରହିବ ।  ତେଣୁ ଏହାକୁ ପରିଚାଳନାରେ ଯେପରି କୌଣସି ବିଭ୍ରାଟ୍‌  ନହୁଏ ସେଥିପ୍ରତି ଡିସିପି ଶ୍ରୀ ମୀନା ଶାନ୍ତି କମିଟି କର୍ମକର୍ତ୍ତା ଓ  ବିଭିନ୍ନ ପୂଜା କମିଟି ସହିତ ବ୍ୟକ୍ତିଗତ କଥା ମଧ୍ୟ ହୋଇଛନ୍ତି ।

ସୁରକ୍ଷା ଦାୟିତ୍ୱ ତଦାରଖ କରିବା ପାଇଁ ଏଏସ୍‌ଆଇ ଓ  ଏସ୍‌ଆଇ ର‌୍ୟାଙ୍କ୍‌ର ପ୍ରାୟ ୨୫୦ ଅଫିସର ରହିବେ । ସେହିପରି  ପ୍ରାୟ ୪୦ ଜଣ ଇନ୍ସପେକ୍ଟର, ୧୦ରୁ ଅଧିକ ଏସିପି ବା  ଡିଏସ୍‌ପି ର‌୍ୟାଙ୍କ୍‌ର ଅଧିକାରୀ ଓ ୨ ଜଣ ଏଡିସିପି ଦୁଇଟି  ସେକ୍ଟରରେ ସୁରକ୍ଷା ତଦାରଖ କରିବେ । ରାସ୍ତା ତମାମ୍‌ ଭସାଣି  ପରିଚାଳନା ପାଇଁ ମୋଟ୍‌ ୬୫ଟି ଏଡ୍‌ପୋଷ୍ଟ ବା ଭିଏଚ୍‌ଏଫ୍‌  ପୋଷ୍ଟ ନିର୍ମାଣ ହୋଇଛି । ଏହି ପୋଷ୍ଟରେ ଜଣେ କରି ଅଫିସର  ଓ ତିନି ଜଣ କର୍ମଚାରୀ ରହିବେ । କୌଣସି ପ୍ରକାର ବିଶୃଙ୍ଖଳା  ହେଲେ ଏଠାରୁ ସୂଚନା ଦିଆଯାଇ ଫୋର୍ସ ପରିଚାଳନା ହେବ । 

ତେବେ କେବଳ ଦେବୀଗଡ଼ାରେ ୩ ପ୍ଲାଟୁନ୍‌ ଫୋର୍ସ ରହିବେ ।  ସେଠାରେ ଅଧିକ ଗହଳି ହେଉଥିବାରୁ ଏଭଳି ନିଷ୍ପତ୍ତି  ହୋଇଛି । ଗୁରୁତ୍ୱପୂର୍ଣ୍ଣ ହେଉଛି, ଭସାଣିର ମୁଖ୍ୟ ରୁଟ୍‌କୁ ନୋ’  ଏଣ୍ଟ୍ରି ଜୋନ୍‌ ଭାବେ ଘୋଷଣା କରାଯାଇଛି । ମନଇଚ୍ଛା ସେହି  ରୁଟ୍‌ରେ କେହି ଗାଡ଼ି ଭର୍ତ୍ତି କରି ନେଇପାରିବେ ନାହିଁ । ଏଭଳି  କରିବାରୁ ଗହଳି ବଢୁଛି । ତେବେ ଦଶହରା ପାଇଁ ଯେଉଁ  ‘ୱାନ୍‌ ୱେ ଟ୍ରାଫିକ୍‌’ ବ୍ୟବସ୍ଥା କରାଯାଇଥିଲା ତାହା କାଳୀମେଢ଼  ଭସାଣି ବେଳେ ରହିବ ବୋଲି ସୂଚନା ଦିଆଯାଇଛି । ରବିବାର  ଦିନ ୧୨ଟାରୁ ୱାନ୍‌ ୱେ ଲାଗୁ ହେବ । ଭସାଣିରେ ନିୟୋଜିତ  ହେବାକୁ ଥିବା କର୍ମଚାରୀ ରବିବାର ସକାଳ ୮ଟାରୁ ଭସାଣି  ଶେଷ ପର୍ଯ୍ୟନ୍ତ ଡ୍ୟୁଟି କରିବେ । ରାତି ୧୨ଟା ପର୍ଯ୍ୟନ୍ତ  ସାଉଣ୍ଡ୍‌ ବାଜି ଭସାଣି ଚାଲିବ । ୧୨ରେ ସାଉଣ୍ଡ୍‌ ବନ୍ଦ ହେବ  ଓ ଏହା ପରେ ପାରମ୍ପରିକ ବାଦ୍ୟରେ ଭସାଣି ଶେଷ ହେବ ।