ବ୍ରହ୍ମପୁର, ୨୯/୩(ବ୍ୟୁରୋ): ହାତରେ ନିହଣ ଓ ହାତୁଡ଼ି ଧରି ପଥରକୁ ଜୀବନ୍ତ ରୂପ ଦେଉଛନ୍ତି କାରିଗର। ଏକ ମନ, ଏକ ଲୟରେ ହାତୀ, ସିଂହ, ଯୁଗଳ ମୂର୍ତ୍ତି ସମେତ ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ତିଆରି କରିବାରେ ଲାଗିଛନ୍ତି। ବ୍ରହ୍ମପୁର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିରର ଉନ୍ନୟନ କାର୍ଯ୍ୟ ଜାରି ରହିଛି। ପ୍ରାସାଦ ନିର୍ମାଣ ଚାଲିଥିବା ବେଳେ ଚତୁପାର୍ଶ୍ୱରେ ମୁଗୁନି ପଥରକୁ ପୁରୀର ଶିଳ୍ପୀ ଧରଣୀଧର ରାଉତରାୟଙ୍କ ନେତୃତ୍ୱରେ କାରିଗର ନୂତନ ରୂପ ଦେବାରେ ଲାଗିଛନ୍ତି। ଡ୍ରିଲ୍‌, କଟର ଓ ଗ୍ରାଇଣ୍ଡର ମେସିନ୍‌ରେ କାମ ହେଉଛି। ଆଧୁନିକ ଜ୍ଞାନକୌଶଳ ଖୋଦେଇ କାର୍ଯ୍ୟକୁ ସହଜ କରୁଥିବା କାରିଗର କହିଛନ୍ତି। 

ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ କାମ ଜାରି ରହିଛି। ୧୮ କୋଟି ୯୧ ଲକ୍ଷ ଟଙ୍କା ବ୍ୟୟରେ ଦେବୀଙ୍କ ମନ୍ଦିର ଓ ଚତୁର୍ପାଶ୍ୱର୍ ସୌନ୍ଦର୍ଯ୍ୟକରଣ ଜାନୁଆରୀ ୨୦୨୪ରୁ କାର୍ଯ୍ୟନିର୍ବାହୀ ସଂସ୍ଥା ଗଞ୍ଜାମ କୋଠାବାଡ଼ି ବିଭାଜନ-୧ର ତତ୍ତ୍ୱାବଧାନରେ ଜାରି ରହିଛି। ମନ୍ଦିର ସୌନ୍ଦର୍ଯ୍ୟକରଣର ପ୍ରଥମ ପର୍ଯ୍ୟାୟରେ ପଥର କାମ, ମୁଖ୍ୟ ମନ୍ଦିର କାମ, ମାର୍କେଟ୍‌ କମ୍ପ୍ଲେକ୍ସ, ଅଫିସ ରୁମ୍‌, ଗାର୍ଡେନ୍‌, ପ୍ରବେଶ ଦ୍ୱାର, ଇଲେକ୍ଟ୍ର ଠିକ୍‌ କାମ ଆଦି କରାଯାଉଛି। ଏଥିପାଇଁ ୯ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟ କରାଯିବ। ଏବେ ମା’ଙ୍କ ମୁଖ୍ୟ ମନ୍ଦିରର ସାହାଣ ପଥରରେ ନିର୍ମାଣ ଜାରି ରହିଛି। ଗର୍ଭଗୃହ ଚାରି ପାଶ୍ୱର୍ରେ ସାହାଣ ପଥର ଖଞ୍ଜା ଯାଇଛି। ଏହାକୁ ପୁରୀର କାରିଗର ଜୀବନ୍ତ ରୂପ ଦେବାରେ ଲାଗିଛନ୍ତି। ହାତରେ ହାତୁଡ଼ି ଓ ନିହଣ ଧରି ପଥର ଖୋଦେଇ କରି ଚାଲିଛନ୍ତି। କେହି ହାତୀ, ସିଂହ ଖୋଦେଇ କରୁଛି ତ କେହି ଦେବଦେବୀ, ନାଗକନ୍ୟା ଖୋଦେଇରେ ଲାଗିଛି। 

ମା’ଙ୍କ ମନ୍ଦିରର ମୁଖ୍ୟ ପ୍ରାସାଦ କାନ୍ଥରେ ସାହାଣ ପଥରରେ ୧୦ରୁ ଅଧିକ କାରିଗର ହାତୀ, ସିଂହ, ଯୁଗଳ ମୂର୍ତ୍ତି, ଦେବଦେବୀଙ୍କ ମୂର୍ତ୍ତି, ନାଗ କନ୍ୟା, କଳସ ସମେତ ଉତ୍କଳର ଐତିହ୍ୟ ଓ ପରମ୍ପରରା ପ୍ରତିଛବି ଖୋଦେଇ କରିବାରେ ଲାଗିଛନ୍ତି। ବର୍ତ୍ତମାନ ଯୁଗରେ କାରିଗରଙ୍କ ହାତରେ  ଆଧୁନିକ ମେସିନ୍‌ ଦେଖିବାକୁ ମିଳିଛି। ନିହଣ ଓ ହାତୁଡ଼ିର ସ୍ଥାନ ନେଇଛି ଡ୍ରିଲ, କଟର ଓ ଗ୍ରାଇଣ୍ଡର ମେସିନ୍‌। ପ୍ରଥମେ ପଥରକୁ ଡ୍ରିଲ୍‌ ଓ କଟର ମେସିନ୍‌ ସାହାଯ୍ୟରେ ଖୋଦେଇ କରୁଛନ୍ତି। ଏହାପରେ ନିହଣ ମୁନରେ ଶେଷ ସ୍ପର୍ଶ ଦେଉଛନ୍ତି। 

ପୁରୀରୁ ଆସିଥିବା କାରିଗର ରିଟନ୍‌ କୁମାର ସାହୁ କହିଛନ୍ତି, ମା’ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟରେ ୭ ମାସ ହେଲା ଲାଗିଛୁ। ପୁରୀର ଶିଳ୍ପୀ ଧରଣୀଧର ରାଉତରାୟଙ୍କ ତତ୍ତ୍ୱାବଧାନରେ ୧୦ ଜଣ କାରିଗର କାମ କରୁଛୁ। ବିଜ୍ଞାନର ଅଗ୍ରଗତି ହୋଇଛି। ଆଧୁନିକ ଜ୍ଞାନକୌଶଳ ଆସିଛି। ଖୋଦେଇରେ ହାତୁଡ଼ି, ନିହଣ ସହ ଏବେ ଡ୍ରିଲ, କଟର, ଗ୍ରାଇଣ୍ଡର ମେସିନ ବ୍ୟବହାର ହେଉଛି। ମେସିନ୍‌ରେ ପ୍ରଥମେ ଖୋଦେଇ କରୁଛୁ। ଫିନିଶିଂ କାମ କିନ୍ତୁ ହାତୁଡ଼ି ନିହଣ ମୁନରେ ହିଁ ହେଉଛି। ମେସିନ୍‌ ବ୍ୟବହାର ଯୋଗୁଁ ବର୍ତ୍ତମାନ ଅଧା ସମୟ ବଞ୍ଚୁଛି।